ଗୋଟିଏ ରାଜ୍ୟରେ ଦୁଇଜଣ ସାଙ୍ଗ ଥାଆନ୍ତି । ଜଣଙ୍କର ନାମ ଧର୍ମବୁଦ୍ଧି ଓ ଅନ୍ୟ ଜଣଙ୍କର ନାମ ପାପବୁଦ୍ଧି । ଧର୍ମବୁଦ୍ଧି ସାଙ୍ଗଟି ସଦା ସତ୍ୟ କହେ, ଅନିଷ୍ଠ ଚିନ୍ତା କରେ ନାହିଁ । ଭାରି ସରଳ ଓ ସାଧୁ ପ୍ରକୃତିର । କିନ୍ତୁ ନାମ ଅନୁସାରେ ପାପବୁଦ୍ଧି ଖୁବ୍ ଜଟିଳ ଏବଂ କୁଟୀଳ ପ୍ରକୃତିର ।
ଏମିତି ଅନେକ ମନ୍ଦ ଚରିତ୍ରର ଲୋକ ଅଛନ୍ତି । ସେମାନେ ସଦାସର୍ବଦା ପରର ଅନିଷ୍ଟ କରିବାରେ ଥାଆନ୍ତି । ପାପବୁଦ୍ଧିର ଚରିତ୍ର ଠିକ୍ ସେୟା । ଦିନକର କଥା । ସେହିଦିନ ତା’ ମୁଣ୍ଡରେ ଏକ ଅନିଷ୍ଠ କଥା ପ୍ରବେଶ କଲା । ଧର୍ମବୁଦ୍ଧି ପରି ସରଳ ପ୍ରକୃତିର ଓ ସବୁ କାର୍ଯ୍ୟକୁ ଧୁରନ୍ଧର ସାଙ୍ଗକୁ ଧରି ସେ ବିଦେଶ ଯିବ । ତାର ସରଳିଆ ଓ ସଚୋଟ କଥାକୁ ଲୋକେ ବେଶ୍ ବିଶ୍ୱାସ କରିବେ ।ତେଣୁ ତାରି ଦ୍ୱାରା ବହୁ ଧନ ରୋଜଗାର ହେବ । ଘର ଆସିବା ବେଳକୁ ତାକୁ ଏପରି ଠକିଦେବି ଯେ ସେ ତା’ର ଟେର ପାଇବ ନାହିଁ । ମୁଁ ସହଜ ଭାବରେ ବଡ଼ ଲୋକ ହୋଇଯିବି ।
ଏହିପରି ଭାବରେ ରାତିସାରା ଯୋଜନା କଲା । ପରିଦିନ ଧର୍ମବୁଦ୍ଧି ପାଖକୁ ଯାଇ କହିଲା – ସାଙ୍ଗ ଆମେ ଆଉ କେତେଦିନ ଘରେ ବସି ରହିବା । ବୟସ କ’ଣ ଅମର ବସୁଛି । ମୁଁ ଭାବୁଥିଲି ଆମେ ସାଥି ହୋଇ ବିଦେଶ ଯାଆନ୍ତେ । ସାଙ୍ଗ ହୋଇ ଦୁଇ ପଇସା ରୋଜଗାର କରନ୍ତେ । ଖର୍ଚ୍ଚବାର୍ଚ୍ଚ ଯାଇ ଯାହା ବଳକା ଦୁଇ ପଇସା ରହନ୍ତା ଭବିଷ୍ୟତ ପାଇଁ ପିଲାପିଲିଙ୍କ ପାଇଁ ରଖି ଦିଅନ୍ତେ ।
ଧର୍ମବୁଦ୍ଧିତ ଅତି ସରଳ ପ୍ରକୃତିର ଲୋକ । ସେ ବି ପାପବୁଦ୍ଧି କଥାରେ ତରଳିଗଲା । ତାରି କଥାରେ ଖୁବ୍ ବିଶ୍ୱାସ କରି ସହରକୁ ଗଲେ । ସହରକୁ ଯାଇ ବହୁତ ପଇସା ରୋଜଗାର କଲେ । ଯେତେବେଳେ ବହୁତ ପଇସା ରୋଜଗାର କରି ସାରିଲେ ପାପବୁଦ୍ଧି କହିଲା – ଦେଖ ସାଙ୍ଗ ଆମେ ଆଉ ଏଠାରେ ବେଶିଦିନ ରହିବା ନାହିଁ । ଭଲ ଦୁଇପଇସା ଆମେ ରୋଜଗାର କରିଛେ । ଏଇଟା ସହର । ଏଠାରେ ଗୁଣ୍ଡା ବଦମାସ ଆଉ ଚୋରଙ୍କର ଅଭାବ ନାହିଁ । ସେମାନଙ୍କ ମଧ୍ୟରୁ ଆମ ଉପରେ ଯଦି କାହାରି ଆଖି ପଡ଼ିଥିବ କେତେବେଳେ ଯେ ଆମର ଏତକ ଧନ ନେଇଯିବେ । ସେଥିପାଇଁ କହୁଥିଲି ଏତେଗୁଡ଼ାଏ ଟଙ୍କା ପଇସା ପାଖରେ ରଖି ବିପଦକୁ ମୁଣ୍ଡେଇବା ଅପେକ୍ଷା ଆମେ ଗାଁକୁ ଚାଲିଯିବା । ଗାଁରେ ଟଙ୍କା ପଇସାକୁ ନିରାପଦରେ ରଖିଦେଇ ପୁଣି ସହରକୁ ଆସିବା ।