ସେହିଦିନ ଠାରୁ ବେଶ୍ ଆନନ୍ଦରେ ଚଳୁଥାଆନ୍ତି । ଏହାପରେ ପାପବୁଦ୍ଧିର ମୁଣ୍ଡରେ ପାପ ପଶିଲା । ସେ ଭାବିଲା ଅନେକ ଦିନ ହେଲା ଧନ ସେଠାରେ ପୋତିଦେଇ ଆସିଛୁ । ଆଉ କିଛିଦିନ ଗଲେ ଧର୍ମବୁଦ୍ଧିର ଧନର ଯଦି ଦରକାର ପଡ଼ିବ ତାହାହେଲେ ଧର୍ମବୁଦ୍ଧି ଧନ ପାଇଁ ବାହାରି ପଡ଼ିବ । ହେଲେ ମୋର ବୁଦ୍ଧି ଆଉ କାମରେ ଲାଗିବ ନାହିଁ । ସେହି କାରଣକୁ ମନରେ ଭାବି ପାପବୁଦ୍ଧି କ’ଣ କଲାନା, ସେହି ରାତିରେ ସେ ସେହିଗଛ ପାଖକୁ ଯାଇ ଦୁହିଁଙ୍କର ଧନକୁ ନେଇ ଘରକୁ ଚାଲିଆସିଲା । ତା’ପରେ ଦିନ କେଇଟା ଗଡ଼ିଯିବା ପରେ କହିଲା – ସାଙ୍ଗ ମୋର ତ ହାତରୁ ଧନ ସରିଲା । ଭାବୁଛି ଏବେ ଯାଇ ସେ ଧନ ଆଣିବା । ଆସନ୍ତାକାଲି ସକାଳେ ସାଙ୍ଗ ହୋଇ ଯିବା ବୋଲି ଭାବୁଛି ।
ପାପବୁଦ୍ଧି କଥାଶୁଣି ଧର୍ମବୁଦ୍ଧି କହିଲା – ମୋର ତ ସେପରି ଅବସ୍ଥା । ମୁଁ ମଧ୍ୟ ଗଛ ମୂଳରେ ପୋତାଥିବା ଧନକୁ ଆଣି ଘର ଖର୍ଚ୍ଚରେ ଲଗାନ୍ତି ।
ଦୁଇ ସାଙ୍ଗ ଏପରି କଥା ହୋଇ ତା’ ପରଦିନ ଗଛମୂଳକୁ ଯାଇ ଧନ ପୋତିଥିବା ସ୍ଥାନକୁ ଖୋଳନ୍ତେ ଦେଖିଲେ ଧନ ନାହିଁ । ତାହା ଦେଖି ପାପବୁଦ୍ଧି ଧର୍ମବୁଦ୍ଧି ଉପରେ ରାଗିଯାଇ କହିଲା – ତୁମକୁ ମୁଁ ଏତେ ବିଶ୍ୱାସ କରିଥିଲି । ମୋରି କଥାରେ ଆମେ ଧନ ରଖିଲେ । ମୁଁ ଜାଣିଲି ନାହିଁ, ତମେ ମୋ ସାଥିରେ କପଟ କରି ସବୁତକ ଧନକୁ ମୋ ଅଜାଣତରେ ଆସି ନେଇଗଲ! କାରଣ ଏଠାରେ ଧନ ତମର ମୋର ରଖିଥିଲେ – ତମେ ଜାଣିଥିଲ ବୋଲି ଏକା ଏକା ଆସି ସବୁ ଧନନେଇ ଚମ୍ପଟ ମାରିଲ!
ଏକଥା ଶୁଣି ଧର୍ମବୁଦ୍ଧି ଅବାକ୍ ହୋଇଗଲା । ଆରେ ୟେ ସାଙ୍ଗ ମୋ ନାମରେ କେଡ଼େ ନିପଟ ମିଥ୍ୟା କହି ମୋତେ କିପରି ଦୋଷୀ କରାଉଛି ଦେଖିଲ ।
ଏହି କଥାକୁ ଦୁହିଁଙ୍କ ମଧ୍ୟରେ ଘୋର କଳି ହେଲା । ଏଥିପାଇଁ ଦୁଇସାଙ୍ଗକୁ ପୁଣି ବିଚାରପତିଙ୍କ ପାଖକୁ ଯିବା ହେଲା । ବିଚାରପତି କହିଲେ ଆରେ ପାପ ବୁଦ୍ଧି ତୋର ଧନକୁ ଧର୍ମବୁଦ୍ଧି ନେଇଛି ବୋଲି କାହାକୁ ସାକ୍ଷୀ ରଖିଛୁ କି?