ଦିନକର କଥା ସେହି ଦେଶର ରାଜ କନ୍ୟା ବନ ବିହାରରେ ଯାଇ ଥାଆନ୍ତି । ସାଙ୍ଗରେ ଯାଇ ଥିବା ସହଚରୀ ମାନଙ୍କ ସହିତ ପୁଷ୍ପ ଝରଣା ନିକଟରେ ମନ ଆନନ୍ଦରେ ଖେଳ ଖେଳୁଥିବା ବେଳେ ଗୋଟିଏ ମହାବଳ ବାଘ ପାଣି ପିଇବାକୁ ଝରଣା ଦିଗରେ ଆସି ସେ ରାଜ କନ୍ୟାଙ୍କୁ ଆକ୍ରମଣ କଲା । ସେତେବେଳେ ମଳୟାବତୀର ହୁଣ୍ଡା ସାତ ପୁଅ ସେହି ବନରେ ପହଁଚି ଥାଆନ୍ତି । ସେମାନେ ରାଜ କୁମାରୀଙ୍କୁ ବାଘ ଆକ୍ରମଣ କରିବା ଦେଖି ସାନ ପୁଅ ଧାଇଁ ଯାଇ ବାଘକୁ ଅତର୍କିତ ଆକ୍ରମଣ କରି ମାରି ଦେଲା । ବାଘ ଆଗରୁ ରାଜ କୁମାରୀ ବଂଚି ଗଲାରୁ ରାଜ କୁମାରୀ ସାତ ଭାଇଙ୍କୁ ସଙ୍ଗରେ ଧରି ରାଜ ଉଆସକୁ ଗଲା ।
ସେ ଦେଶର ରାଜା ନିଜର ଉଆସରେ ହୁଣ୍ଡା ମାନଙ୍କୁ ଦେଖି ରାଜ କୁମାରୀଙ୍କୁ ପଚାରନ୍ତେ ରାଜ କୁମାରୀ ତାଙ୍କ ପିତାଙ୍କ ଆଗରେ ବନରେ ଘଟିଥିବା ସମସ୍ତ କଥାକୁ ଗୋଟି ଗୋଟି କରି ବର୍ଣ୍ଣନା କରନ୍ତେ ରାଜା ଖୁବ୍ ଖୁସି ହୋଇ ଗଲେ । ସେମାନଙ୍କ ଠାରୁ ସେମାନଙ୍କର ବଂଶର ପରିଚୟ ବୁଝି ଜାଣିଲେ ଯେ ସେମାନେ ସମସ୍ତେ ଜୟ ସୌଦାଗରଙ୍କର ପୁଅ । ସେଥି ପାଇଁ ସେହି ସାତ ଭାଇଙ୍କୁ ରାଜ ଉଆସରେ ଆତିଥ୍ୟ ଦେବାକୁ ରାଜା ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଇ ରାଜ କନ୍ୟାକୁ ନିଜ ଉଆସକୁ ଡାକି ନେଇ ଚାଲି ଗଲେ ।
ଉଆସକୁ ନେଇ କନ୍ୟା ଠାରୁ ସମସ୍ତ ସତ କଥା ଜାଣି ସାରି କହିଲେ – ତୁ ତ ମା’ ମୋର ପୁଅ ଆଉ ଝିଅ ମଧ୍ୟ । ମୋ ଅନ୍ତେ ଏ ରାଜ୍ୟ, ଏ ପ୍ରଜା, ଏ ସିଂହାସନ ସବୁ ତୋର । ତୋର ଇଚ୍ଛାରେ ମୋର ଇଚ୍ଛା । ତୁ ଯେତେବେଳେ ସେମାନଙ୍କୁ ରାଜ ଉଆସକୁ ଡାକି ଆଣିଛୁ, ଏଣିକି ତୋର ମତାମତକୁ ମୁଁ ଅପେକ୍ଷା କରିଛି ।
ରାଜାଙ୍କର ମନର କଥାକୁ ରାଜ କନ୍ୟା ଠିକ୍ ଭାବରେ ଚିହ୍ନି ପାରି ଥିଲା । ସେ କହିଲା ଆପଣଙ୍କର ଯେବେ ଇଚ୍ଛା ହେଉଛି ତାହା ହେଲେ ମୋତେ ସେ ସୌଦାଗରର ସାନ ପୁଅକୁ ବିଭା କରି ଦେବ । କନ୍ୟାର ଇଚ୍ଛା ଜାଣି ରାଜା ସାତ ଭାଇ ମାନଙ୍କୁ ଡାକି ନିଜର କନ୍ୟାର ବିଭାଘର ପ୍ରସ୍ତାବ ଦିଅନ୍ତେ ଅନ୍ୟ ଛଅ ଭାଇ ମାନେ କହିଲେ ରାଜ କନ୍ୟା ଆମ ଛଅ ଭାଇଙ୍କୁ ଆଗ ବିଭା ହେବେ । ତା’ପରେ ଯାଇ ସେ ସାନ ଭାଇଙ୍କୁ ବିଭା ହେବେ । ତାହା ନହେଲେ ଏହି ବିବାହ କେବେ ସମ୍ଭବ ନୁହେଁ ।
ସାନ ଭାଇକୁ ବିବାହ କରିବାକୁ ଇଚ୍ଛା କରିଥିବା ରାଜ କନ୍ୟା ଏବେ ବଡ ଅଡୁଆରେ ପଡି ଗଲା । ରାଜ କନ୍ୟା କହିଲା ତାହା ହେଲେ ଠିକ୍ ଅଛି ମୁଁ ତୁମ ସାତ ଭାଇଙ୍କୁ ନିଶ୍ଚୟ ବିଭା ହେବି । ସେଥି ଲାଗି ମୋର ତୁମ୍ଭ ମାନଙ୍କ ନିମନ୍ତେ ଗୋଟିଏ ନିୟମ ରହିବ । ସେହି ନିୟମ ହେଲା ତମେ ମାନେ ଜଣ ଜଣ କରି ଗୋଟିଏ ଲେଖା ମାସ ମୋର ଉଆସକୁ ଆସିବ ।
ରାଜାଙ୍କର ସେହି ଗୋଟିଏ ବୋଲି ଝିଅ । ଏହି ଗୋଟିଏ କନ୍ୟା ବ୍ୟତୀତ ରାଜାଙ୍କର ଆଉ ନଅଟା ଅଛି ନା ଛଅଟା ଅଛି । ରାଜା ମଧ୍ୟ ନିଜର ଗେହ୍ଲା କନ୍ୟାର କଥାରେ ରାଜି ହୋଇ ଗଲେ । ଏହା ପରେ ଖୁବ୍ ଜାକ ଜମକରେ ରାଜ କନ୍ୟାର ବିଭାଘର କରାଇ କନ୍ୟାର ଚଉଠି ରାତି ପୂର୍ବରୁ ଦେହ ତ୍ୟାଗ କଲେ ।
ରାଜାଙ୍କର ବିଧି ବିଧାନ ଅନୁସାରେ ରାଜ କନ୍ୟା ରାଜ ଗାଦିରେ ବସି ଅନୁମତି ଦିଅନ୍ତେ ରାଜାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ହେଲା । ଏଥୁ ଅନ୍ତେ ରାଜ କନ୍ୟାଙ୍କର ଚଉଠି ରାତି । ବିଧି ଅନୁସାରେ ରାଜ କନ୍ୟା ସାନ ଭାଇଙ୍କୁ ବିବାହ କରି ପରେ ଅନ୍ୟ ଭାଇ ମାନଙ୍କୁ ବିବାହ କରି ଥିଲେ । ସେହି କାରଣରୁ ସାନ ଭାଇ ଯେତେବେଳେ ମଧୁ ଶଯ୍ୟା ଗୃହକୁ ଯାଆନ୍ତି, ଅନ୍ୟ ଭାଇ ମାନେ ଜୋର୍ କରି ମଧୁ ଶଯ୍ୟା ଗୃହରେ ପଶି କହିଲେ ଆମେ ସମସ୍ତେ ତୁମକୁ ବିବାହ କରିଛୁ । ସେଥି ଲାଗି ସମସ୍ତଙ୍କ ଲାଗି ଆଜି ମଧୁ ଶଯ୍ୟା ହେବ । ଆମେ ସମସ୍ତେ ସାଥି ହୋଇ ଏହି ମଧୁ ଶଯ୍ୟା ରାତ୍ରିକୁ ଉପଭୋଗ କରିବୁ ।
ଏହା ଦେଖି ରାଜ କନ୍ୟା ଅବାକ୍ । ଏମାନେ ଗୋଟିଏ ଗୋଟିଏ ଗଜମୂର୍ଖ ବୋଲି ସେ ଜାଣିଯାଇ ପ୍ରହରୀ ମାନଙ୍କୁ ଡକାଇ ଆଦେଶ ଦେଲେ ଯେ ଏମାନଙ୍କୁ ଖୁବ୍ ମାଡ ମାରି ଏହି ରାଜ ଉଆସରୁ ବାହାର କରି ଦେଇ ରାଜ୍ୟରୁ ମଧ୍ୟ ଏମାନଙ୍କୁ ବାହାର କରି ଦେବ ।
ପ୍ରହରୀ ମାନେ ରାଜ କନ୍ୟାଙ୍କର ଆଦେଶ ମାନି ମୂର୍ଖ ଭାଇ ମାନଙ୍କୁ ବହୁତ ମାଡ ମାରି ରାଜ୍ୟର ବାହାରେ ଛାଡି ଦେଲେ । ତା’ପରେ ରାଜ କନ୍ୟା ନିଜ ରାଜ୍ୟର ମନ୍ତ୍ରୀ ପୁଅକୁ ଡକାଇ ତାଙ୍କୁ ବିଭା ହେଲେ ।
ଏଥୁ ଅନ୍ତେ ରାଜ କନ୍ୟାଙ୍କ ଦ୍ୱାରା ରାଜ୍ୟରୁ ତଡା ଖାଇ ଅରଣ୍ୟ ମଧ୍ୟରେ ଚାଲୁ ଥିବା ସମୟରେ ଚିନ୍ତା କରୁ ଥାଆନ୍ତି ଯେ ସେମାନେ କିପରି ସେ ରାଜ କନ୍ୟାଙ୍କୁ ପାନେ ଦେବେ । ସମସ୍ତଙ୍କ ମନରେ ସିନା ଏପରି ପ୍ରତିଶୋଧ ନେବାର ଚିନ୍ତା ଥିଲା ହେଲେ ସେମାନେ କେଉଁ ଉପାୟରେ ତାହା କରିବେ ଚିନ୍ତା କରି ପାରୁ ନଥାନ୍ତି । ଏହି ପରି ଭାବି ଭାବି ଅରଣ୍ୟ ମଧ୍ୟରେ ଯାଉ ଯାଉ ସେମାନେ ସାତ ଭାଇ ଯାଇ ଜଣେ ଋଷିଙ୍କ ଆଶ୍ରମରେ ପହଁଚି ଗଲେ । ପୂର୍ବରୁ ରାଜ କନ୍ୟାଙ୍କ ସହିତ ଯାହା ଯାହା ଘଟିଥିଲା ସେମାନେ ସେ ଋଷିଙ୍କ ଆଗରେ ସମସ୍ତ ଖୋଲି କରି କହିଲେ ।
ଋଷି କିନ୍ତୁ ସେତେବେଳେ ତପସ୍ୟାରେ ବସି ଥାଆନ୍ତି । ସାତ ଭାଇ ଯାକ ଯେତେ କଥା କହିଲେ ଋଷିଙ୍କ ଆଡୁ କୌଣସି ପ୍ରତିକ୍ରିୟା ନ ହେବା ଦେଖି ମୂର୍ଖ ସାତ ଭାଇ ଯାକ ଶେଷରେ ଚିନ୍ତା କଲେ ଯେ ଋଷିଙ୍କୁ ଉଠାଇ ନେଇ ଆମେ ରାଜ ଦରବାରକୁ ନେଇ ଯିବା । ରାଜ ଦରବାରରେ ପହଁଚିଲେ ବଳେ ବଳେ ଋଷିଙ୍କର ଧ୍ୟାନ ଭଗ୍ନ ହେବ ।
ମୂର୍ଖ ସାତ ଭାଇ ଯାକ ତାହାହିଁ କଲେ । ଋଷିଙ୍କୁ ତପସ୍ୟା ଆସନରୁ ଉଠାଇ ଆଣିବା ହେତୁ ଋଷିଙ୍କର ଧ୍ୟାନ ଭଗ୍ନ ହେଲା । ଋଷି ଏମାନଙ୍କର ଅତ୍ୟାଚାରରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ । ସାତ ଭାଇ ଯାକ ପଥର ପାଲଟି ଗଲେ । ଋଷିଙ୍କ ଠାରୁ ରାଜ କନ୍ୟା ଏପରି ସମ୍ବାଦ ଶୁଣି ନିଜର ସ୍ୱାମୀ ହୋଇଥିବା କାରଣରୁ ସେମାନଙ୍କ ଚତୁଃ ପାଶ୍ୱର୍ରେ ପଥରର ବେଢା ନିର୍ମାଣ କରି ଦେଲେ । ଚତୁର ବ୍ୟଙ୍ଗକାର କଥା ଶେଷ କରି କହିଲେ –
ହୋଇଲା ଠପ ଶୁଣିଲୁ ଗପ
ଏବେ ବଢା ବଢି କର
ଖାଇବା ଗଣ୍ଡେ ଶୋଇବା ଚାଣ୍ଡେ
ସକାଳକୁ ଥୟ କର
ରହିଛି ବାଛି ଅନେକ କିଛି
ତୀର୍ଥ ସରି ନାହିଁ ପରା
ଉଠ ବୋଲକରା ବସ ବୋଲକରା
କଥା ହେଲା ଆମ ସାରା ।