ଏକଦା ଗୋଟିଏ ଆଶ୍ରମରେ ଗୁରୁଙ୍କୁ ଜଣେ ମହିଳା ପଚାରିଲେ, ମହାଭାଗ ମୁଁ ସବୁଦିନ ପରିବା କାଟି ରୋଷେଇ କରୁଛି । ଜାଣୁଛି ପରିବା ଭିତରେ ପୋକ ଅଛନ୍ତି । କିନ୍ତୁ ସେମାନଙ୍କୁ ମାରିବାକୁ ପଡୁଛି । ଏଇଟା କ’ଣ ପାପ ପର୍ଯ୍ୟାୟରେ ଯିବ?
ଗୁରୁ ଏହା ଶୁଣି କହିଲେ, ତେବେ ଏ କଥାଟି ଶୁଣ । ଥରେ ସ୍ୱାମୀ ଯୋଗାନନ୍ଦ ପରମହଂସ ମହାରାଜ ଜର୍ମାନି ଯାଇଥିଲେ । ସେଠାରେ ତାଙ୍କ ଭକ୍ତମାନେ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱାମୀଜୀଙ୍କୁ ଏକ ରେସ୍ତୋରାଁକୁ ନେଇଗଲେ । ରେସ୍ତୋରାଁରେ ଜଣେ ପରିଚାରିକାଙ୍କୁ ସେମାନେ ସବୁ ପ୍ରକାର ନିରାମିଷ ଭୋଜନ ଆଣିବାକୁ କହିଲେ । ଏବେ ସିନା ସମସ୍ତେ ଆମିଷ ଏବଂ ନିରାମିଷ ଭୋଜନ ନେଇ ସଚେତନ ହେଲେଣି, ଆଗରୁ ପାଶ୍ଚାତ୍ୟ ଦୁନିଆରେ ଲୋକେ ଫରକଟାକୁ ଏତେ ବାରି ପାରୁନଥିଲେ । ଅଣ୍ଡାକୁ ସେମାନେ ନିରାମିଷ ପର୍ଯ୍ୟାୟଭୁକ୍ତ କରିଥିଲେ । କିଛି ସମୟ ପରେ ପରିଚାରିକା ଜଣକ ଟେବୁଲ୍ ଉପରେ ଆଣି ଅନେକ ପ୍ରକାର ବ୍ୟଞ୍ଜନ ଥୋଇଦେଲେ । ତାହା ଭିତରୁ ଗୋଟିଏ ଥିଲା ଅଣ୍ଡାର ବ୍ୟଞ୍ଜନ । ଏହା ଜାଣି ପାରି ଭକ୍ତବୃନ୍ଦ ଧୈର୍ଯ୍ୟ ହରାଇ ସେଇ ପରିଚାରିକାଙ୍କ ଉପରେ ଗାଳି ବର୍ଷଣ କରିବାକୁ ଲାଗିଲେ । କିଛି ଭକ୍ତ ତ କ୍ଷମା ଭିକ୍ଷୁ ପରିଚାରିକାଙ୍କୁ ବାଡେଇବା ପାଇଁ ଉହୁଙ୍କି ଗଲେ । କିନ୍ତୁ ଏଇ ସମୟରେ ଜଣେ ଭକ୍ତ ଦେଖିଲେ ଯେ ସ୍ୱାମୀଜୀ ନିର୍ଲିପ୍ତ ଭାବେ ବସି ପରମ ତୃପ୍ତିର ସହିତ ଆମିଷ ଭୋଜନ କରୁଛନ୍ତି । ନିଆଁରେ ପାଣି ପଡିଲେ ଯେମିତି ହୁଏ, ଭକ୍ତମାନଙ୍କ ଅବସ୍ଥା ସେୟା ହେଲା । ସେମାନଙ୍କ ଭିତରୁ ଜଣେ ସ୍ୱାମୀଙ୍କ ପାଖକୁ ଯାଇ ଅତି ଚକିତ କଣ୍ଠରେ ପଚାରିଲେ – “ମହାଭାଗ ଆପଣ ଏ କ’ଣ କରୁଛନ୍ତି? ଆପଣ ଆମିଷାହାର କରୁଛନ୍ତି?” ସ୍ୱାମୀ ନିର୍ଲିପ୍ତ କଣ୍ଠରେ କହିଲେ, ମୁଁ ତ ଆମିଷ ଖାଉଛି । ତୁମେମାନେ ତ ଏବେ ଜଣେ ମଣିଷକୁ ଜିଅନ୍ତା ଖାଇ ଯାଇଥିଲ ।
ଏକଥାଟି କହି ଗୁରୁ ମହିଳାଙ୍କୁ କହିଲେ – “ମା’ ମନେରଖ କୌଣସି ମଣିଷ ଆଖିରୁ ଲୁହ ଝରାଇବାର ଅର୍ଥ ହେଉଛି ବ୍ରହ୍ମ ହତ୍ୟା କରିବା । ତୁ ଯଦି ସେତକ କରୁନାହୁଁ ତେବେ ପାପ କରୁନାହୁଁ । ନିଜ ସ୍ୱାମୀ ପରିବାରକୁ ଖୁସିରେ ରଖିବା ପାଇଁ ତୁ ଯେଉଁ ଆହାର ରାନ୍ଧୁଛୁ, ସେଥିରେ ତୋତେ କେବଳ ପୁଣ୍ୟ ମିଳୁଛି । ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ?”
ମହିଳା ଜଣକ ପାପର ଏ ନୂତନ ସଂଜ୍ଞା ଶୁଣି ଶାନ୍ତିର ସହିତ ଘରକୁ ଫେରିଲେ ।