ଏପରି ଏକ ସମୟରେ ଦିନେ ତାଙ୍କ ମନ୍ଦିରକୁ ଜଣେ ସନ୍ନ୍ୟାସୀ ଆସିଲେ । ରାଣୀ ଓ ମହାମନ୍ତ୍ରୀ ତାଙ୍କୁ ଦେଖାକରି ରାଜାଙ୍କର ଏଭଳି ଅବସ୍ଥା ବିଷୟରେ କହିଲେ ଓ ତାଙ୍କୁ ଭଲ କରିଦେବା ପାଇଁ ବିନୀତ ଅନୁରୋଧ ବି କଲେ । ତା’ପରେ ସେ ସନ୍ନ୍ୟାସୀ ଜଣକ ରାଜାଙ୍କ ଶୟନକକ୍ଷକୁ ଗଲେ । ରାଜା କେବଳ ଏକ କଂକାଳସାର ଶରୀର ନେଇ ଶଯ୍ୟା ଉପରେ ସେମିତି ପଡିଥା’ନ୍ତି । ରାଜାଙ୍କର ଏଭଳି ଅବସ୍ଥା ଦେଖି ସନ୍ନ୍ୟାସୀଙ୍କର ବଡ ଦୟା ହେଲା । ସେ ରାଜାଙ୍କ ଶଯ୍ୟାରେ ବସିଗଲେ ଓ ତାଙ୍କ ମଥାକୁ ଧୀରେ ଧୀରେ ସ୍ନେହରେ ଆଉଁସି ଦେଉ ଦେଉ କହିଲେ, “ବତ୍ସ, ତମେ ଜଣେ କ୍ଷତ୍ରିୟ । ନିଜ ମନକୁ ଏପରି ଭାବେ ଦୁର୍ବଳ କରିବା ତୁମକୁ ମୋଟେ ଶୋଭା ଦେଉ ନାହିଁ । ରଣଭୂମିରେ ତମେ ପରା ହଜାର ହଜାର ସୈନ୍ୟଙ୍କୁ ବିନାଶ କରିଛ; କାହିଁ ସେମାନଙ୍କ ପାଇଁ ତ ତମେ କେବେ ହେଲେବି ଦୁଃଖ କରିନାହଁ! ଆଉ ଯଦି ଜଣେ ଡାକୁ ତା’ର ରାକ୍ଷସ ବୁଦ୍ଧିରେ ଶ୍ରୀଦତଙ୍କୁ ହତ୍ୟା କରିଦେଲା ତେବେ ତା’ର ଦାୟିତ୍ୱ ତୁମ ଉପରେ ଦେଲା କିଏ? ତୁମେ ସେହି ଡାକୁକୁ ମୃତ୍ୟୁଦଣ୍ଡ ଦେଲ, ତୁମର କର୍ତ୍ତବ୍ୟ ସେଇଠି ଶେଷ । ତା’ପରେ ତମେ ପୁଣି ଏ ଦୁଃଖ କାହିଁକି ନିଜ ଉପରକୁ ଆଣି ଅଯଥା କଷ୍ଟ ସହୁଛ?”
“ମୁଁ ଜାଣେନାହିଁ, ମହାଶୟ, ଏଭଳି କିପରି ହେଲା? ମୋତେ ଲାଗୁଛି ମୁଁ ଯେପରି ଅଭିଶାପଗ୍ରସ୍ତ । ଯାହା କିଛି କଲେ ମଧ୍ୟ ମୋ ମନ ଅସୁସ୍ଥ ।” ଏକଥା ଶୁଣି ସେ ସନ୍ନ୍ୟାସୀ ଟିକିଏ ନୀରବ ରହିବା ପରେ କହିଲେ, “ମୁଁ ଯଦି ମୋର ତପଶକ୍ତି ଦ୍ୱାରା ଶ୍ରୀଦତକୁ ପୁନଃ ଜୀବିତ କରିଦେବି, ତେବେ ତୁମେ ତୁମର ମନର ଶାନ୍ତି ପୁଣିଥରେ ଫେରି ପାଇବ କି? ଭାବିଚିନ୍ତି କୁହ ।”
ସନ୍ନ୍ୟାସୀଙ୍କ କଥା ଶୁଣି ସେ ରାଜାଙ୍କ ଚେହେରା ହଠାତ୍ ବଦଳିଗଲା । ସେ ଖୁସି ହୋଇଗଲେ ଓ ପରେ ଦୁଃଖିତ ହୋଇ କହିଲେ, “ମହାତ୍ମା, କ’ଣ ଆପଣ ସେ ଡାକୁକୁ ମଧ୍ୟ ବଂଚାଇ ଦେଇ ପାରିବେ? ଯଦି ପାରିବେ ତ ମୋର ବଡ ଉପକାର ହେବ ।”
ସନ୍ନ୍ୟାସୀ କହିଲେ “ବତ୍ସ, ମୋର ତପଶକ୍ତି ଦ୍ୱାରା ମୁଁ ମାତ୍ର ଜଣକୁହିଁ ବଂଚାଇ ପାରିବି ।”
ସନ୍ନ୍ୟାସୀଙ୍କ ଉତ୍ତର ଶୁଣି ରାଜା ଦୀର୍ଘ ନିଶ୍ୱାସ ପକାଇ କହିଲେ, “ଯଦି ଏପରି କଥା ହୁଏ ତେବେ ବରଂ ଶ୍ରୀଦତ ଜୀବିତ ହେବା କିଛିବି ଦରକାର ନାହିଁ । ଜାଣିଶୁଣି ମୁଁ କାହିଁକି ମୋର ପାପ ବଢାଇବି?”
ବେତାଳ ତା’ କାହାଣୀଟି ଶୁଣାଇ ସାରି ରାଜାଙ୍କୁ ପ୍ରଶ୍ନ କଲା, “ରାଜନ୍, ତୁମକୁ ରାଜା ଚନ୍ଦ୍ରସେନ୍ଙ୍କ ବ୍ୟବହାର ଟିକେ ଆଶ୍ଚର୍ଯ୍ୟକର ମନେ ହେଉନାହିଁ? ଶ୍ରୀଦତକୁ ଜୀବିତ କରିବାକୁ ରାଜା ମନାକଲେ କାହିଁକି? ପୁଣି ସେ କାହିଁକି ବା ଡାକୁର ଜୀବନ ପାଇଁ ପ୍ରାର୍ଥନା କଲେ? ସେ କାହିଁକି ଭାବିଲେ ଯେ ଶ୍ରୀଦତ ବଂଚିଲେ ତାଙ୍କର ପାପ ବଢିବ? ଏସବୁ ପ୍ରଶ୍ନର ଉତ୍ତର ଜାଣିକିବି ତମେ ଯଦି କିଛି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ବେତାଳର କଥା ଶୁଣି ରାଜା ବିକ୍ରମ କହିଲେ, “ରାଜା ଚନ୍ଦ୍ରସେନଙ୍କର ଯେପରି ତାର୍କିକ ବୁଦ୍ଧି ଥିଲା, ଠିକ୍ ସେହିପରି ତାଙ୍କର ବିବେକ ବୁଦ୍ଧି ମଧ୍ୟ ଥିଲା । ରାଜା ଯଦି ସେ ସନ୍ନ୍ୟାସୀକୁ କହି ଶ୍ରୀଦତକୁ ଜୀବିତ କରନ୍ତି ତେବେ ଶ୍ରୀଦତ ଯୋଗୁଁ ମରିଥିବା ଡାକୁର ସମ୍ପୂର୍ଣ୍ଣ ପ୍ରାଣଦଣ୍ଡର ପାପ ରାଜାଙ୍କୁ ବହନ କରିବାକୁ ହେବ । ପୁଣି ସନ୍ନ୍ୟାସୀଙ୍କ ତପୋବଳ ମଧ୍ୟ ନଷ୍ଟ କରିବାର ପାପ ତାଙ୍କୁହିଁ ବହନ କରିବାକୁ ହେବ । କାରଣ ଫଳ ହେବ ଶ୍ରୀଦତ ବଂଚିଲେ ଡାକୁର ପ୍ରାଣଦଣ୍ଡର କୌଣସି ବି ଅର୍ଥ ନାହିଁ; ତେଣୁ ତାହା ସାଧାରଣ ହତ୍ୟା ସହିତ ସମାନ ହେବ । ପୁଣି ସନ୍ନ୍ୟାସୀଙ୍କର ଶକ୍ତିଶାଳୀ ତପୋବଳ ବି ନଷ୍ଟ ହେବ । ତାଙ୍କରି ଉପରେ ସବୁ ପଡିବ । ତେଣୁ ଯାହା ଘଟୁଛି ତାହା ଭଗବାନ୍ଙ୍କ ଇଚ୍ଛାରେ ଘଟିଛି ବୋଲି ଭାବି ସେ ଚୁପ୍ ରହିଲେ ।”
କିନ୍ତୁ ବେତାଳର ଉତ୍ତର ଦେବାକୁ ଯାଇ ରାଜା ବିକ୍ରମଙ୍କର ମୌନଭଙ୍ଗ ହେବା ମାତ୍ରେ ପୂର୍ବ ସର୍ତ୍ତ ଅନୁଯାୟୀ ଶବ ସହ ବେତାଳ ରାଜାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।