ଅନେକ ବର୍ଷ ତଳର କଥା । ସୁବର୍ଣ୍ଣପୁର ରାଜ୍ୟରେ ଏକ ପାବନୀ ହ୍ରଦ ଥିଲା । ଆଉ ସେହି ହ୍ରଦର ପାଣି ଭାରି ଲୁଣିଆ ଥିଲା । ଲୁଣି ପାଣି ଯୋଗୁଁ ସେହି ପାବନୀ ହ୍ରଦକୁ କେହି ବି ଯାଆନ୍ତି ନାହିଁ । ଦିନକୁ ଦିନ ସେହି ହ୍ରଦପାଣି ବିଷାକ୍ତ ହୋଇଗଲା । ସେହି ହ୍ରଦରେ ଏକ ବିଷାକ୍ତ ନାଗସାପ ପରିବାର ରହିବାକୁ ଲାଗିଲେ । ସେ ବିଷାକ୍ତ ନାଗସାପ ଭୟରେ ସେହି ହ୍ରଦକୁ କେହି ବି ପଶିବାକୁ ଆଦୌ ସାହସ କଲେ ନାହିଁ । ଯଦି ବା କୌଣସି କାରଣରୁ କିଏ ସେ ହ୍ରଦ ଭିତରେ ପଶିଲା ନାଗ ସାପ ଦଂଶନ ଯୋଗୁଁ ତା’ର ମୃତ୍ୟୁ ସୁନିଶ୍ଚିତ ଥିଲା ।
ଦିନକର କଥା । ସେ ସୁବର୍ଣ୍ଣପୁରୀର ରାଜକୁମାରୀ ନନ୍ଦିନୀ ସେହି ପାବନୀ ହ୍ରଦ ପାଖରେ ପହଁଚିଲେ । ପାବନୀ ହ୍ରଦର ସୌନ୍ଦର୍ଯ୍ୟ ଦେଖି ତାଙ୍କ ମନ ଖୁବ୍ ଆନ୍ଦୋଳିତ ହେଲା । ତେଣୁ ଦିନେ ସେ ରାଜକୁମାରୀ ନନ୍ଦିନୀ ତାଙ୍କ ସଖୀମାନଙ୍କୁ ଡାକି ନିଜର ମନ କଥା କହିଲେ । ତାପରେ ସଖୀମାନେ ରାଜକୁମାରୀ ନନ୍ଦିନୀଙ୍କୁ ସେ ହ୍ରଦ ଭିତରକୁ ଯିବାକୁ ବାରଣ କଲେ । କିନ୍ତୁ ରାଜକୁମାରୀ ନନ୍ଦିନୀ ତାଙ୍କ ସଖୀମାନଙ୍କର କଥାକୁ ଆଦୌ ଗୁରୁତ୍ୱ ଦେଲେ ନାହିଁ । ସେ ରାଜକୁମାରୀ ତ ଥିଲେ ଅପୂର୍ବ ସୁନ୍ଦରୀ । ରୂପରେ ଯେମିତି ଗୁଣରେ ମଧ୍ୟ ଠିକ୍ ସେମିତି । ତେଣୁ ସବୁ ଦେଶର ରାଜକୁମାର ଚାହୁଁଥିଲେ ତାଙ୍କୁ ବିବାହ କରିବା ପାଇଁ । କିନ୍ତୁ ରାଜକୁମାରୀ ଚାହୁଁଥିଲେ ତାଙ୍କୁ ଯିଏ ବାହା ହେବ ସେ ସେତିକି ସାହସୀ ଓ ଧୈର୍ଯ୍ୟବାନ୍ ହେବା ଦରକାର ।