ଏମିତି କିଛି ଦିନ ବିତିଗଲା । କିନ୍ତୁ ସେ ରାଜକୁମାରୀଙ୍କର ସର୍ବଦା ପାବନୀ ହ୍ରଦର ମନଲୋଭା ଦୃଶ୍ୟ ମନେ ପଡୁଥିଲା । ତେଣୁ ସେ ଚାହୁଁଥିଲେ ସେ ଥରେ ଯାଇ କିପରି ସେ ହ୍ରଦରେ ସ୍ନାନ କରନ୍ତେ କି? ଏହି କଥା ଚିନ୍ତା କରି ଦିନେ ସକାଳୁ ସକାଳୁ ସେ ରାଜକୁମାରୀ ନନ୍ଦିନୀ ତା ସଖୀମାନଙ୍କୁ କିଛି ବି ନ ଜଣାଇ ସ୍ନାନ କରିବା ପାଇଁ ପାବନୀ ହ୍ରଦକୁ ଗଲେ । ସେ ରାଜକୁମାରୀ ନନ୍ଦିନୀ ଯେମିତି ହ୍ରଦରେ ସ୍ନାନ ଶେଷ କରିଛନ୍ତି ସେତିକି ବେଳେ ଏକ ନାଗସାପ ତାଙ୍କ ପିଠିରେ ଦଂଶନ କଲା । ଫଳରେ ସେ ରାଜକୁମାରୀ ନନ୍ଦିନୀ ଯନ୍ତ୍ରଣାରେ ଛଟପଟ ହେଲେ ।
ଏହି ସମୟରେ ଜଣେ ତ୍ରିକାଳଦର୍ଶୀ ସାଧୁ ସେହି ହ୍ରଦର କୂଳରେ ଯାଉଥିଲେ । ତାଙ୍କର ଆଖି ହଠାତ୍ ସେ ରାଜକୁମାରୀଙ୍କ ଉପରେ ପଡିଲା । ତାପରେ ସେ ନିଜର ମନ୍ତ୍ର ପ୍ରୟୋଗ କରି ରାଜକୁମାରୀଙ୍କୁ ବଂଚାଇ ଦେଲେ । ମାତ୍ର ସେତେବେଳକୁ ରାଜକୁମାରୀଙ୍କ ଶରୀର ବିଷାକ୍ତ ନାଗ ସାପ ଦଂଶନରେ କଳା ପଡିଯାଇଥାଏ । ରାଜକୁମାରୀ ଯନ୍ତ୍ରଣା ଆଉ ସହି ନ ପାରି ସେଇ ହ୍ରଦ ପାଣି ପିଇ ଦେଲେ । ସେହି ବିଷାକ୍ତ ପାଣି ରାଜକୁମାରୀ ନନ୍ଦିନୀଙ୍କ ଶରୀରକୁ ଆହୁରି ଅସୁନ୍ଦର ଓ କଦାକାର କରିଦେଲା । ଏଭଳି ରୂପ ପାଇ ରାଜକୁମାରୀ ନନ୍ଦିନୀ ସେ ହ୍ରଦମଧ୍ୟକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ । ମାତ୍ର ତ୍ରିକାଳଦର୍ଶୀ ସାଧୁ ତାଙ୍କୁ ରକ୍ଷା କଲେ । ସାଧୁ କହିଲେ – “ହେ ରାଜକୁମାରୀ ଆପଣଙ୍କର ଜୀବନ ଅମୂଲ୍ୟ । ଏଭଳି ସାମାନ୍ୟ ଘଟଣାରେ ଭାଙ୍ଗି ପଡିଲେ ମୋଟେ ଚଳିବନି । ଆପଣଙ୍କ ଏ ଜୀବନ ଜଗତ କଲ୍ୟାଣ ପାଇଁ ହିଁ ଉଦ୍ଦିଷ୍ଟ । ତେଣୁ ନିଜ ଜୀବନ ଲୋକଙ୍କ ସେବାରେ ହିଁ କଟାନ୍ତୁ ଓ ସମୟ ଆସିଲେ ସବୁ ଠିକ୍ ହୋଇଯିବ ।”
ତାପରେ ସେ ସାଧୁ ଜଣକ ରାଜକୁମାରୀ ନନ୍ଦିନୀଙ୍କୁ ଏକ ମନ୍ତ୍ର ଦେଲେ । କହିଲେ – ଏ ମନ୍ତ୍ର କେବଳ ଥରେ ମାତ୍ର ପ୍ରୟୋଗ କରିବ । ତୁମେ ଏ ମନ୍ତ୍ର ଦ୍ୱାରା ଯେତେବେଳେ ଯାହା ଚାହିଁବ ସେତେବେଳେ ତୁମେ ତାହା ହିଁ ପାଇବ । ମାତ୍ର ଥରେ ଏହି ମନ୍ତ୍ର ପ୍ରୟୋଗ କଲେ ଇଏ ଆଉ ଦ୍ୱିତୀୟ ବାର କାମ ଦେବନି । ତେଣୁ ଭାବିଚିନ୍ତି ଏଇ ମନ୍ତ୍ର ପ୍ରୟୋଗ କରିବ । ଏତିକି କହି ସେ ତ୍ରିକାଳଦର୍ଶୀ ସାଧୁ ସେ ସ୍ଥାନ ଛାଡି ଚାଲିଗଲେ ।