ଏ ବିଷାକ୍ତ ନାଗସାପ ସେଠାରୁ ଚାଲିଗଲାପରେ ସେ ପାବନୀ ହ୍ରଦ ହଠାତ୍ ଶୁଖିଗଲା । ଏଣେ ସେ ରାଜକୁମାରୀ ଶୁଖିଥିବା ପାବନୀ ହ୍ରଦ ଦେଖି ତାଙ୍କର ମନ ଖୁବ୍ କଷ୍ଟ ହେଉଥାଏ । ଏବେ ସେ କରନ୍ତେ ବା କ’ଣ? ଏପଟେ ହ୍ରଦରେ ପାଣି ନରହିଲେ ସେ ନାଗସାପର ବଂଶ ନିପାତ ହେବା କଥା ଭାବି ରାଜକୁମାରୀଙ୍କ ମନ ଅତିଶୟ ଦୁଃଖରେ ଭରିଗଲା । ତାପରେ ସେ ରାଜକୁମାରୀ ଜାଣିପାରିଲେ ଆଉ ଖୁବ୍ ଅଳ୍ପଦିନ ମଧ୍ୟରେ ଏ ହ୍ରଦ ନିଶ୍ଚୟ ଶୁଖିଯିବ ଓ ନାଗବଂଶ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ । ତାଛଡା ଏ ହ୍ରଦର ସୌନ୍ଦର୍ଯ୍ୟ ବି ଚିରକାଳ ପାଇଁ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ ।
ଠିକ୍ ସେତିକିବେଳେ ଜଣେ ରାଜକୁମାର କ୍ଷତାକ୍ତ ଓ ରକ୍ତାକ୍ତ ହୋଇ ସେଠାରେ ଆସି ପହଁଚିଲେ । ଯୁଦ୍ଧ କ୍ଷେତ୍ରରେ ଆଘାତ ପ୍ରାପ୍ତ ହୋଇ ସେ ରାଜକୁମାରଙ୍କ ଶରୀରରୁ ଖାଲି ପ୍ରଚୁର ରକ୍ତ ସ୍ରାବ ହେଉଥାଏ । ତେଣୁ ରାଜକୁମାରୀ ନନ୍ଦିନୀ ସଙ୍ଗେ ସଙ୍ଗେ ସେ ରାଜକୁମାରଙ୍କୁ ରାଜମହଲକୁ ନେଇଗଲେ । ରାଜବୈଦ୍ୟଙ୍କୁ ଡାକି ସେ ରାଜକୁମାରଙ୍କର ଚିକିତ୍ସା ତତ୍କ୍ଷଣାତ୍ କରାଇଲେ । ଏହିପରି ସେ ରାଜକୁମାର ସପ୍ତାହକ ମଧ୍ୟରେ ପୁରାପୁରି ଠିକ୍ ହୋଇଗଲେ ।
ଏକ ନୂଆ ଜୀବନ ପାଇଥିବା ଜାଣି ସେ ରାଜକୁମାର ରାଜକୁମାରୀ ନନ୍ଦିନୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ମଧ୍ୟ ଜଣାଇଲେ । ତେଣୁ ସେ ରାଜକୁମାର ରାଜକୁମାରୀଙ୍କୁ କିଛି ମାଗିବା ପାଇଁ କହିଲେ । ତହୁଁ ସେ ରାଜକୁମାରୀ ନନ୍ଦିନୀ କହିଲେ – ମୁଁ ଆପଣଙ୍କର ଜୀବନ ବଂଚାଇଛି ମାତ୍ର ଆପଣଙ୍କ ଠାରୁ କିଛି ବି ଚାହୁଁ ନାହିଁ । ରାଜକୁମାର ସଖୀମାନଙ୍କଠାରୁ ସେ ରାଜକୁମାରୀଙ୍କ ବିଷୟରେ ସବୁକଥା ଶୁଣିବାକୁ ପାଇଲେ । ସବୁକଥା ଶୁଣି ରାଜକୁମାର ସେହି ଅସୁନ୍ଦରୀ ରାଜକୁମାରୀ ନନ୍ଦିନୀଙ୍କୁ ହିଁ ବିବାହ କରିବାକୁ ଚାହିଁଲେ । ରାଜକୁମାରୀ ମଧ୍ୟ ସେ ରାଜକୁମାରଙ୍କ କଥାରେ ରାଜି ହୋଇଗଲେ ।