ନିରୁପାୟ ହତଭାଗିନୀ ରାଣୀ ରାଜ ସୁଖକୁ ଛାଡି ସେ ଆଜି ଦାସୀ । ସ୍ୱାମୀ ମଧ୍ୟ ତାଙ୍କର ହୋଇ ରହିଲେ ନାହିଁ । ଥିଲା ମାତ୍ର ତାଙ୍କର ଏହି ଗୋଟିଏ ବୋଲି ପୁଅ । ଭାବି ଥିଲେ ପୁଅର ମୁହଁ ଦେଖି ନିଜର ସବୁ ଦୁଃଖକୁ ପାଶୋରି ପକାଇବେ । ପୁଅ ବଡ ହେବ । ପୁଣି ଥରେ ତାଙ୍କ ଭାଗ୍ୟ ବଦଳିବ । ଭାଗ୍ୟ ମନ୍ଦ, ତାହା ବି ବିଧାତା ସହିଲା ନାହିଁ । ତାଙ୍କ ପୁଅକୁ ଶେଷରେ ଯମ ନେଲା ।
ରାଣୀ ଶେଷରେ କାନ୍ଦି କାନ୍ଦି ନିଜ ମଲା ପୁଅକୁ ନିଜ କାନ୍ଧରେ ପକାଇ ପାଖରେ ଥିବା ଶ୍ମଶାନକୁ ନେଇ ଗଲେ । ସେହି ଶ୍ମଶାନରେ ଜଗୁଆଳ ଶବକୁ ଦେଖି ଆଗ ମଶାଣି ମାଶୁଲ ମାଗିଲା । ମାଶୁଲ ନଦେଲେ ସେ ଶବକୁ ପୋଡିବାକୁ ଅନୁମତି ଦେବେ ନାହିଁ ବୋଲି ଜଗୁଆଳ କହିଲେ । ଏ କଥା ଶୁଣି ରାଣୀ କେବଳ ବାହୁନି ବାହୁନି କାନ୍ଦିବାକୁ ଲାଗିଲେ । କହିଲେ ମୋ ପ୍ରତି ଟିକେ ଦୟା କର । ମୁଁ ଅଯୋଧ୍ୟାର ପାଟରାଣୀ ଶବ୍ୟା । କପାଳରେ ଥିଲା ସ୍ୱାମୀ ମୋର ସମଗ୍ର ରାଜ୍ୟକୁ ଦାନ କରି ଦେଲେ । ଦକ୍ଷିଣା ନିମନ୍ତେ ମୋତେ ଜଣେ ସୌଦାଗର ନିକଟରେ ଦାସୀ ହୋଇ ବିକ୍ରୟ ହେବାକୁ ପଡିଲା । ଶେଷରେ ସେ ସୌଦାଗର ମଧ୍ୟ ମୋ ପୁଅକୁ ଫୁଲ ତୋଳା କାର୍ଯ୍ୟରେ ଲଗାଇ ଦେଲା । ଫୁଲ ତୋଳିବାକୁ ଯାଇ ପୁଅକୁ ମୋର ସର୍ପ ଦଂଶନ କରିବାରୁ ପୁଅ ମୋର ସେହିଠି ମରି ଗଲା ।
ରାଜା ହରିଶ୍ଚନ୍ଦ୍ର ଏବେ କ’ଣ କରିବେ । ସେ ନିଜର ରାଣୀ ଶବ୍ୟାଙ୍କୁ ଚିହ୍ନି ପାରିଥିଲେ ମଧ୍ୟ ସେ ଥିଲେ ନିରୁପାୟ । ନିୟମ ଭଙ୍ଗ କରିଲେ ତାଙ୍କର ଧର୍ମ ନଷ୍ଟ ହେବ । ତେଣୁ ସେ କହିଲେ ମୁଁ ଚଣ୍ଡାଳର ଦାସ ରାଜା ହରିଶ୍ଚନ୍ଦ୍ର । ନିୟମ ସମସ୍ତଙ୍କ ଲାଗି ସମାନ କରିଛି ଚଣ୍ଡାଳ । ସେ ମୋର ପ୍ରଭୁ ମୁଁ ତା’ର ଦାସ । ତା’ର ଆଦେଶକୁ ଉଲଙ୍ଘନ କଲେ ମୁଁ ଧର୍ମଦ୍ରୋହୀ ହେବି । ତେଣୁ ତୁମେ ଅର୍ଥ ଦେଇ ପୁଅକୁ ତୁମର ଦାହ କରିବାର ବ୍ୟବସ୍ଥା କର ।
ରାଜା ହରିଶ୍ଚନ୍ଦ୍ରଙ୍କୁ ସେହି ସମୟରେ ରାଣୀ ଶବ୍ୟା ଚିହ୍ନି ପାରିଲେ । ଦୁଃଖ ଓ ଲୋତକ ନେତ୍ରରେ ତାଙ୍କୁ କେବଳ ଦେଖୁଥିଲେ ସିନା ହେଲେ କିଛିବି କହିଲେ ନାହିଁ । ତହୁଁ ସେ କାନ୍ଦି କାନ୍ଦି ଧର୍ମକୁ ଡାକିଲେ ।
ଏହା ପରେ ରାଜା ହରିଶ୍ଚନ୍ଦ୍ର କହିଲେ – ନାହିଁ ରାଣୀ ନାହିଁ । ତୁମେ ଆଉ ସେପରି କାନ୍ଦ ନାହିଁ । ଆସ ମୁଁ ଏକ ଜୁଇ ସଜାଡି ଦେଉଛି । ସେହି ଜୁଇରେ ଆମେ ଆମ ପୁଅକୁ ପୋଡିବା ସହିତ ଆମେ ଦୁହେଁ ମଧ୍ୟ ସେହି ଅଗ୍ନିରେ ଝାସ ଦେଇ ନିଜ ନିଜର ପ୍ରାଣ ତ୍ୟାଗ କରିବା ।
ରାଜା ହରିଶ୍ଚନ୍ଦ୍ରଙ୍କର ଶେଷ କଥା ସରିଲା । ରାଜା ହରିଶ୍ଚନ୍ଦ୍ର ଜୁଇ ସଜାଡି ଆଗ ନିଜ ପୁଅକୁ ଶୁଆଇ ଦେଇ ଜୁଇରେ ଅଗ୍ନି ସଂଯୋଗ କଲେ । ତା’ପରେ ପ୍ରବଳ ଅଗ୍ନିରେ ରାଣୀଙ୍କ ସହିତ ଝାସ ଦେବାକୁ ବସନ୍ତେ ଋଷି ବିଶ୍ୱାମିତ୍ର ଆସି ସେଠାରେ ଉପସ୍ଥିତ ହୋଇ କହିଲେ ତୁମେ ଧନ୍ୟ ରାଜା, ତୁମେ ମହାନ୍ । ମୋ ପରୀକ୍ଷାରେ ଆଜି ତୁମେ ଉତୀର୍ଣ୍ଣ ହୋଇଛ । ମୁଁ ମନ୍ତ୍ର ପାଣି ଦ୍ୱାରା ଏବେ ତୁମର ପୁତ୍ରଙ୍କୁ ବଂଚାଇ ଦେବା ସହିତ ତୁମକୁ ତୁମର ରାଜ୍ୟ ମଧ୍ୟ ଫେରାଇ ଦେଉଛି । ତୁମେ ଏବେ ଏହି ରାଜ ମୁକୁଟ ପିନ୍ଧି ନିଜ ରାଜ୍ୟର ଦାୟିତ୍ୱ ନିଅ ।
ଏହା ପରେ ରାଜା ହରିଶ୍ଚନ୍ଦ୍ର ନିଜ ରାଜ୍ୟକୁ ଫେରି ନିଜର ପୁତ୍ର ରୋହିତଙ୍କ ମୁଣ୍ଡରେ ରାଜ ମୁକୁଟ ପିନ୍ଧାଇ ତାକୁ ସେ ରାଜ୍ୟର ସମସ୍ତ ଦାୟିତ୍ୱ ପ୍ରଦାନ କରି ନିଜେ ସ୍ୱର୍ଗାରୋହଣ କଲେ । ରାଣୀ ଶବ୍ୟା ମଧ୍ୟ ମହା ସତୀ ଭାବରେ ପରିଚିତ ହୋଇ ମୃତ୍ୟୁବରଣ କରିବା ପରେ ଯେଉଁଠାରେ ସେହି ରାଣୀଙ୍କର ଦାହ କରାଗଲା ସେହି ସ୍ଥାନରେ ଶବ୍ୟାଙ୍କର ଏକ ପାଷାଣ ମୂର୍ତ୍ତି ନିର୍ମାଣ କରି ତାଙ୍କର ପୂଜା କରିବାର ବ୍ୟବସ୍ଥା କରା ଗଲା । ଆବ୍ରାହ୍ମଣ ଚଣ୍ଡାଳ ଯାଏଁ ସମସ୍ତଙ୍କର ଏହି ଦେବୀଙ୍କର ପୂଜା କରିବାର ଅଧିକାର ରହିଲା । ସେହି ଦିନ ଠାରୁ ସତୀରାଣୀ ଶବ୍ୟା ସେଠାରେ ଦେବୀ ଭାବରେ ପୂଜା ପାଉ ଅଛନ୍ତି ।
ଶୁଣ ବୋଲକରା କହିଲି କଥା
ଆଣ କମ୍ବଳକୁ ଧର ଛତା ।
କଥାର ମଞ୍ଜିତ ବୁଝିତୁ ଗଲୁ
ସତୀ ପୂଜା କଥା ମନେ ଘେନିଲ ।
ପୁରାଣ ଯୁଗର ପବିତ୍ର ସ୍ଥାନ
ସତୀ ପୂଜା ସେହୁ ଥିଲା ମହାନ ।
ବୋଲକରା ସେହି ଉପଦେଷ୍ଟାଙ୍କ ମୁଖରୁ ଏ କଥା ଶୁଣି ତୋବା ତୋବା ହୋଇ ଯାଇ ଛତା କମ୍ବଳକୁ କାନ୍ଧରେ ପକାଇ ପୁଣି ଆଗକୁ ଚାଲିଲା ।