ନା ପିଉସୀ ମା, ଆପଣଙ୍କର ଅନେକ ଦିନୁ ଭେଟ ନପାଇ ମନଟା ଖାଲି ଗୋଳେଇ ଘାଂଟି ହେଲା । ଆଜି କାହିଁକି ମୋ ମନ ବେଶୀ ବିଚଳିତ ହେବାରୁ ସେଥି ସକାଶେ କୁଆଡିକି ନ ଯାଇ ଚାଲି ଆସିଲି । ଦେହ ପା ସବୁ ଭଲ ଅଛି ତ? ଏହି ପରି ନାନା ପ୍ରକାର ଗଳ୍ପ ଛଳରେ ଗୋପାଳ କହିଲେ – ପିଉସୀ ମା ମୋର ବଡ ଆଶା ଅଛି ଦିନେ ତୁମ ପତ୍ରର ପ୍ରସାଦ ପାଇବି ।
ଏହା ଶୁଣି ପିଉସୀମା କହିଲେ –
ଏ କ’ଣ ଗୋଟାଏ କଥାରେ କଥା । ଆଚ୍ଛା ହେଉ କାଲି ଆସି ଖାଇବ ।
ତା ପର ଦିନ ଗୋପାଳ ୩/୪ଟା ଚିଙ୍ଗୁଡି ମାଛ ସନ୍ତୁଳି ଲୁଚାଇ ନେଇ ଯାଇ ଥିଲେ । ସେଠାରେ ପତ୍ରରେ ଖାଇ ବସିଲେ । ସଙ୍ଗେ ସଙ୍ଗେ ମାଛ ତକ ନାଉ ଘାଂଟ ସହିତ ମିଳାଇ ଦେଇ ରଖିଲେ । କିଛି କ୍ଷଣ ପରେ ପିଉସୀମା କହିଲେ –
ଗୋପାଳ କେଉଁ ତରକାରୀ ଭଲ ହୋଇଛି ।
ଗୋପାଳ ପାଟି କରି କହିଲେ –
ପିଉସୀ ମା ନାଉ ଚିଙ୍ଗୁଡି ଘାଂଟଟି ବଡ ସୁନ୍ଦର ସୁଆଦିଆ ହୋଇଛି । ପାଟିରୁ ଛାଡୁ ନାହିଁ । ତା ନହେଲେ କି ପିଉସୀ ମା, ଲୋକେ କ’ଣ ତରକାରୀ କରନ୍ତି ନାହିଁକି, ହେଲେ କ’ଣ ହେବ ଏପରି ନାଉ ଚିଙ୍ଗୁଡି ହେବକି? ମୁଁ ମଣିମାଙ୍କ ଛାମୁରେ କହିବି ଯେ । ଗୋପାଳର ଏ କଥା ଶୁଣି ପିଉସୀ ମା କହିଲେ –
ଆରେ ଚୁପ୍ ଚୁପ୍ କ’ଣ କହିବୁ ସେ କି କଥା ଆମେ ତ ବିଧବା, ଆମେ କ’ଣ ମାଛ ଖାଉ କି?
ତୁମକୁ କିଏ ମାଛ ଖାଇବାକୁ ଦେଇଛି?
ଆମର ହବିଷ ନିରାମିଷ ତରକାରୀ । ଗୋପାଳ କହିଲେ –
ପିଉସୀ ମା ମାଛ ତୁମ୍ଭେ ନ ଖାଉ ଥିଲେ ଏ ଚିଙ୍ଗୁଡି ମାଛ ଏଡେ ଯତ୍ନରେ ଆଉ ରାନ୍ଧିଲା କିଏ ଖାଇଲା ବି କିଏ?
ପିଉସୀ ମା କହିଲେ –
ଆସ୍ତେ କରି କହ ଚାହିଁ ଦେଖି, ଗୋପାଳ କହିଲେ – ଦେଖ ହେଇଟି ପରା ମୁଁ ଖାଇ କରି କ’ଣ ନିନ୍ଦା କରିବି, ମୋ ଦ୍ୱାରା ସେକଥା ହେବ ନାହିଁ । ରାଜା ଶୁଣିଲେ କହିବେ କ’ଣ – ଆଚ୍ଛା ଏ ଗୋଟିଏ ଖାଇ ନିନ୍ଦୁକ ।
ପିଉସୀମା ସତକୁ ସତ ମାଛ ଦେଖି ଅପମାନ ଓ ଲଜ୍ଜା ଭୟରେ ଆଶ୍ଚର୍ଯ୍ୟ ହୋଇ କହିଲେ –
– ଗୋପାଳ ଦେଖ୍ ବାବୁ, ତୋ ହାତ ଗୋଡ ଧରି କହୁଛି ମୁଁ ତୋ ମା’ ଭଳି, ଏ କଥା ଆଉ କାହାକୁ କହିବୁ ନାହିଁଟି । ଏ ଟଙ୍କା କେତୁଟା ନେଇ ଯା । ମୋ ବାପାଟା, ନେ ଘର ଖରଚ କରିବୁ । ମୋ ଧନଟା ପରା କାହାକୁ କିଛି କହିବୁ ନାହିଁ ।
ଗୋପାଳ ସବୁ କଥା ସ୍ୱୀକାର କରି ଖାଇ ପିଇ ଟଙ୍କା କେତୋଟି ହାତରେ ନେଇ ସେଠାରେ ପିଉସୀମାକୁ ଏକ ଦୀର୍ଘ ଦଣ୍ଡବତ କରି ଆସ୍ତେ ଆସ୍ତେ ଚାଲି ଆସି ଅତ୍ୟନ୍ତ ଖୁସିରେ ରାଜାଙ୍କ ପାଶେ ପହଁଚି ଗଲେ ।
ରାଜା କୃଷ୍ଣ ଚନ୍ଦ୍ର ଗୋପାଳର ହର୍ଷ ମୁଖ ଦେଖି ପଚାରିଲେ, କିହୋ ଗୋପାଳ ବଡ ଖୁସୀ । ଘଟଣା କଅଣ?
ଗୋପାଳ ସବୁ କଥା କହି ଟଙ୍କାକୁ ଅଂଟାରେ ମାରି ବାଟେ ବାଟେ ଘରକୁ ଗଲେ ।