ଏହାପରେ ବିକ୍ରମ ସେଠାରେ ପହଁଚି ବେତାଳକୁ ପୁଣି ଅକ୍ତିଆର କରି ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଅଭିମୁଖେ ଚାଲିଲେ । ପୁଣି ବେତାଳ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । କାଶୀନଗରରେ ହରିଦାସ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ଲୀଳା ନାମକ ଏକ ରୂପବତୀ କନ୍ୟା ଥିଲା । ଦିନେ ଲୀଳା ତା’ର ଘରେ ଶୋଇଥାଏ । ହଠାତ୍ ସେ ଚମ୍କି ପଡି ଉଠିଗଲା । ଘର କୋଣକୁ ଚାହିଁବାରୁ ସେ ଦେଖିଲା ଜଣେ କିଏ ଠିଆ ହୋଇଛି । ସେ ଡରିଯାଇ ତାକୁ ପଚାରିଲା-“ତୁମେ କିଏ? ସେଠାରେ କାହିଁକି ଠିଆ ହୋଇଛ? ତୁମେ କ’ଣ ମୋ ଘରକୁ ଚୋରୀ କରିବାକୁ ଆସିଛ?” ଲୀଳାର କଥା ଶୁଣି ଚୋର କହିଲା, “ହଁ! ମୁଁ ଏକ ଚୋର । କିନ୍ତୁ ମୁଁ ତୋ ଘରେ ଚୋରୀ କରିବି ନାହିଁ । ରାଜାଙ୍କ ଉଆସରୁ ଚୋରୀ କରି ଆସିବା ସମୟରେ ସିପାହୀମାନେ ମୋତେ ଗୋଡାଇବାରୁ ମୁଁ ତୋର ଘରକୁ ପଶି ଆସିଲି ।”
ଚୋରଟିର କଥା ଶୁଣିବାପରେ ଲୀଳାର ମନରେ ଦୟା ହେଲା । ଅନ୍ୟ ଭାଷାରେ କହିବାକୁ ଗଲେ, ଲୀଳା ଚୋରଟି ପ୍ରତି ଆକୃଷ୍ଟ ହୋଇ ଯାଇଥିଲା । ଚୋରଟି ମଧ୍ୟ ଲୀଳାର ସୌନ୍ଦର୍ଯ୍ୟ ଦେଖି ଅଭିଭୂତ ହୋଇଯାଇ ଥିଲା । ଏହାପରେ ରାତି ସାରା ସେମାନେ ଭୋଗ ବିଳାସରେ ମାତିଗଲେ । ସକାଳ ହେବା ପୂର୍ବରୁ ଚୋରଟି ଲୀଳାକୁ ପୁଣି ଆସିବାର ପ୍ରତିଶୃତି ଦେଇ ଚାଲିଗଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଚୋରଟି ସେହିଦିନ ରାଜାଙ୍କ ସିପାହୀ ମାନଙ୍କ ହାତରେ ଧରା ପଡିଗଲା । ଏଣେ ଏପଟେ ଲୀଳା ଗର୍ଭବତୀ ହେଲା । ଠିକ୍ ଏହି ସମୟରେ ଲୀଳାର ପିତା ଲୀଳାର ବିଭାଘର ଅନ୍ୟଏକ ବ୍ରାହ୍ମଣ ବ୍ୟକ୍ତି ସହିତ ଠିକ୍ କରିଦେଲେ । ବିଚାରୀ ଲୀଳା ଏ କଥା କାହାକୁ କହିପାରିଲା ନାହିଁ । ନିର୍ଦ୍ଦିଷ୍ଟ ସମୟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ । କିଛି ଦିନ ପରେ ଲୀଳାର ସ୍ୱାମୀ ମରିଗଲା । ଲୀଳାକୁ ଗର୍ଭବତୀ କରିଥିବା ଚୋର ମଧ୍ୟ ଫାସୀ ପାଇଗଲା । ଲୀଳାର ପୁଅ ବଡ ହେବାକୁ ଲାଗିଲା । କୌଣସି ଏକ ଅଜଣା ରୋଗରେ ଲୀଳା ମଧ୍ୟ ମୃତ୍ୟୁବରଣ କଲା ।