ପୂଝାରି ସ୍ତ୍ରୀଲୋକଟି ବିଜୟ-ରୂପୀ ଜୟସିଂହଙ୍କୁ ସ୍ନେହଭାବ କଣ୍ଠରେ ଡାକିଲା “ପୁଅ, ତୁ ତ ଆଜି ଅଧାପେଟରେ ଚାଟଶାଳି ଯାଇଥିଲୁ । ତେଣୁ ଆ, ଭଲକରି ମୁଠେ ଖାଇବୁ ଆ ।” ଜୟସିଂହଙ୍କୁ ତାଙ୍କ ଆଜ୍ଞାବହ ପୂଝାରିର ଏଭଳି ସମ୍ବୋଧନ ଶୁଣି ବଡ ଅଡୁଆ ଲାଗିଲା । ତେବେ ସେ ଯାଇ ଚୁପ୍ଚାପ୍ ଖାଇବାକୁ ବସିଲେ ।
ତାଙ୍କୁ ପୂଝାରି ଯେତିକି ଖାଇବାକୁ ଦେଇଥାଏ, ତାହା ଜଣେ ବଡ ମଣିଷ ପାଇଁ ଆଦୌ ଯଥେଷ୍ଟ ନୁହେଁ । କାହିଁକିନା ସେତେବେଳେ ସେ ନିଜ ପେଟରେ ଗୋଟିଏ ବଡ ମଣିଷର କ୍ଷୁଧା ଅନୁଭବ କରୁଥାନ୍ତି, କିନ୍ତୁ ପେଟ ସାନ ହୋଇଥିବାରୁ ଅଳ୍ପ ଖାଇବା ପରେ ସେ ଆଉ ଖାଇ ପାରୁ ନଥାନ୍ତି । ଆଜି କିନ୍ତୁ ତାଙ୍କୁ ବହୁତ ଭୋକ ଲାଗୁଥିଲା । ସେ ଚଟାପଟ୍ ଖାଦ୍ୟତକ ଖାଇଦେଇ ତା’ପରେ ପୂଝାରି ଆଡେ ବିକଳ ଭାବରେ ଅନାଇଲେ । “କିରେ, ତୁ କ’ଣ ଆଉ କିଛି ଖାଇବୁ?” ଏହା କହି ପୂଝାରି ଦୟା କଲା ଭଳି ଢଂଗରେ ତାକୁ ଆଉ ଦୁଇ ଚାମୁଚ ଖାଦ୍ୟ ଦେଲା । ସେ ପରିମାଣ ଦେଖି ତାଙ୍କୁ ଭାରି କାନ୍ଦ ଲାଗିଲା । କିନ୍ତୁ ସେ କ’ଣ କହିବେ? ବହୁତ ପାଣି ପିଇ ପେଟ ପୁରାଇଲେ । ପୂଝାରି ତାଙ୍କୁ ଲକ୍ଷ୍ୟ କରି ପଚାରିଲା, “ତୋର କ’ଣ ହୋଇଛି?” ପୂଝାରିର ଏଭଳି କଥା ଶୁଣି ବିଜୟ-ରୂପୀ ଜୟସିଂହ ଚୁପ୍ ରହିଲେ ।
ପୂଝାରି ପଚାରିଲା “କ’ଣ ଆଜି ଅବଧାନେ ବହୁତ ମାଡ ଦେଲେ?” ଏସବୁ ଜୟସିଂହଙ୍କୁ ଭୀଷଣ ଲଜ୍ଜା ଲାଗିଲା । ସେ ଅନ୍ୟ ପ୍ରସଂଗର ଅବତାରଣା କରି ସେ ପ୍ରଶ୍ନ ଏଡାଇଯିବାକୁ ଇଚ୍ଛା କଲେ । ତେଣୁ ସେ ପଚାରିଲେ “ମୋତେ ଦେଖା କରିବାକୁ କ’ଣ କେହି ଭଦ୍ରଲୋକ ଆସିଥିଲେ କି?”
ତା’ପରେ ସେ ପୂଝାରି ଥଟ୍ଟାଳିଆ ସ୍ୱରରେ କହିଲା “ପୁଅ, ତୋତେ ପୁଣି ଦେଖାକରିବା ପାଇଁ ଆଉ କୋଉ ଭଦ୍ରଲୋକ ଆସିବେ?” “ତେବେ ହଁ, ତୋ ବାପାଙ୍କୁ ଭେଟିବା ପାଇଁ କେଇଜଣ ଭଦ୍ରଲୋକ ଆସିଥିଲେ । କିନ୍ତୁ ପ୍ରଥମ ଜଣକ ସହ କଥାବାର୍ତ୍ତା କରିବା ପରେ ସେ ତାଙ୍କ ଦେହ ଭଲନାହିଁ ବୋଲି କହି ଅନ୍ୟ କାହାରି ସହ ଆଉ ଦେଖା କଲେ ନାହିଁ ।”
ତା’କଥା ଶୁଣି ବିଜୟ-ରୂପୀ ଜୟସିଂହ ପଚାରିଲେ “କିଏ କିଏ ଆସିଥିଲେ?”
ପୂଝାରି ଦୁଇ ତିନିଜଣଙ୍କ ନାମ କହିଲା । ଏସବୁ କଥା ଶୁଣି ଜୟସିଂହଙ୍କ କୌତୁହଳ ବଢିଗଲା । ସେ ଚଂଚଳ ଖିଆପିଆ ଶେଷ କରି ନିଜ କୋଠରୀ ଆଗକୁ ଆସି କବାଟ ବାଡେଇଲେ । କିନ୍ତୁ ଭିତରୁ କୌଣସି ଉତ୍ତର ମିଳିଲା ନାହିଁ । ସେ ଡାକିଲେ, “ଆରେ, ବିଜୟ!”
ସେତେବେଳକୁ ଯାଇ ଜୟସିଂହ-ରୂପୀ ବିଜୟ ଭିତରୁ କହିଲା, “ଓଃ, ତୁମେ ପରା!” କିନ୍ତୁ ସେ କବାଟ ଖୋଲିଲା ନାହିଁ । ।
ପୁତ୍ର-ରୂପୀ ପିତା କହିଲେ “ଆରେ କବାଟ ଖୋଲ! ଟିକେ ଜରୁରୀ କଥା ଅଛି” ।