ଭିତରୁ ପିତା-ରୂପୀ ପୁତ୍ର ଜବାବ୍ ଦେଲା – “ନା, ନା । ବର୍ତ୍ତମାନ ମୁଁ ବିଶ୍ରାମ ନେଉଛି । ଯାହା କଥାବାର୍ତ୍ତା କରିବାର ଅଛି ରାତିରେ କରିବ ।”
ପୁତ୍ର-ରୂପୀ ପିତା ଏଥିରେ ରାଗିଯାଇ ପାଟି କରି କହିଲେ, “କବାଟ ଖୋଲ କହୁଛି!” ସେତିକିବେଳେ ଘରର ଚାକର ସେଠାରେ ପହଁଚିଯାଇ ତାକୁ ଧରି ପକାଇ କହିଲା, “ଶୁଣ, ତୋ ବ୍ୟବହାର ମୋଟେ ଭଲ ନୁହେଁ । ବାପା ଯଦି ବିଶ୍ରାମ କରୁଛନ୍ତି, ତୋର ଏମିତି କେଉଁ ଜରୁରୀ କଥା ଅଛି ଯେ ଏମିତି ଅଭଦ୍ର ଭଳି ପାଟି କରୁଛୁ?” ଏହା କହି ଚାକର ସେଠାରୁ ଚାଲିଗଲା ।
ପୁତ୍ର-ରୂପୀ ପିତା ଭାବିଲେ, “ଯେଉଁମାନଙ୍କ ସହ ନେଣଦେଣ କାରବାର ଅଛି, ସେମାନଙ୍କ ସହ ଦେଖା କରିବାର ତ ଉପାୟ ନାହିଁ, ତେଣୁ ସେ ଚିଠି ଲେଖି କାମ ହାସଲ କରିବେ? କିନ୍ତୁ ବର୍ତ୍ତମାନ ହସ୍ତାକ୍ଷର ପୂର୍ବପରି ଆଉ ହେବ କି? ଏହି କଥାକୁ ନେଇ ସେ ମହା ଚିନ୍ତାରେ ପଡିଲେ । ପୁଣି ଅଳ୍ପ ସମୟ ପରେ ତ ଚାଟଶାଳି ଯିବାକୁ ବି ହେବ ।
ସେ ଏବେ କ’ଣ କରିବେ କିଛି ବି ବୁଝିପାରିଲେ ନାହିଁ । ଏପରି ଅବସ୍ଥା ଆଉ କେତେଦିନ ଚାଲିବ? ସେ ଅନ୍ୟମାନଙ୍କୁ କ’ଣ କହି ବୁଝାଇବେ? ଏଠି ରହିଲେ ତ ଚାଟଶାଳୀ ନ ଯାଇ ଆଉ କିଛି ଉପାୟ ବି ନାହିଁ । କିନ୍ତୁ ସେଠାକୁ ଯାଇ ହିନସ୍ତା ହେବା ତାଙ୍କ ପକ୍ଷରେ ଆଉ ସମ୍ଭବପର ନୁହେଁ । ହଠାତ୍ ସେ ଭାବିଲେ, ଘର ଛାଡି ଚାଲିଗଲେ ହିଁ ଠିକ୍ ହେବ । କିନ୍ତୁ ସେ ଯିବେ କୁଆଡେ? ଯାଇ କ’ଣ ବା ସେ କରିବେ? ଟଙ୍କା ପଇସା ତ ସବୁ ପୁଅ ହାତରେ । ବିନା ଟଙ୍କାରେ ସେ ମଧ୍ୟ ଚଳିବେ କିପରି?
ଜୟସିଂହ-ରୂପୀ ବିଜୟ ଘର ଭିତର ପଟରୁ କବାଟ ବନ୍ଦ କରି ବସିଥାଏ । କେହି ଜଣେ ଟଙ୍କା କରଜ ମାଗିବାକୁ ଆସିଲା । ସେ କବାଟ ନ ଖୋଲି ଝରକା ଦେଇ ତାକୁ ଟଙ୍କା ଦେଇଦେଲା । କିଛି ସମୟ ପରେ ଆଉ ଜଣେ ଆସି କହିଲା, ଜୟସିଂହଙ୍କଠାରୁ ତା’ର କୋଡିଏ ଟଙ୍କା ପ୍ରାପ୍ୟ ଅଛି । ତାଙ୍କୁ ମଧ୍ୟ ସେ କୋଡିଏ ଟଙ୍କା ଝରକା ଦେଇ ବଢାଇ ଦେଲା । ଆହୁରି ଜଣେ ଲୋକ କୌଣସି ସମସ୍ୟା ଉପରେ ଜୟସିଂହଙ୍କ ସହ ଆଲୋଚନା କରିବାକୁ ଆସିଲା । କିନ୍ତୁ ତାକୁ ଜୟସିଂହ ତାଙ୍କ ଦେହ ଭଲ ନାହିଁ ବୋଲି କହି ସେଠାରୁ ବିଦାୟ କରିଦେଲେ । ଏସବୁ ଦେଖି ବିଜୟ-ରୂପୀ ଜୟସିଂହଙ୍କର ମୁଣ୍ଡ ହଠାତ୍ ବିନ୍ଧିବାକୁ ଲାଗିଲା । ସେ ଆହୁରି ମଧ୍ୟ ଲକ୍ଷ କରି ଦେଖିଲେ, ପୂଝାରି ଓ ଚାକର ତାଙ୍କୁ ବାରମ୍ବାର ଲକ୍ଷ୍ୟ କରୁଛନ୍ତି । ତାଙ୍କ ଆଚରଣ ଦେଖି ସେମାନଙ୍କ ମନରେ ବିସ୍ମୟ ଓ କିଛି ସନ୍ଦେହ ସୃଷ୍ଟି ହେବା ତ ସ୍ୱାଭାବିକ ।
ଘର ଭିତରେ ବିଜୟ ମଧ୍ୟ ମହା ଚିନ୍ତାରେ ପଡିଥାଏ । ସେ ବଡ ମଣିଷ ଭଳି ଦେଖାଗଲେ ମଧ୍ୟ ନିଜ କଥାବାର୍ତ୍ତା ଓ ବ୍ୟବହାରରେ ବଡ ମଣିଷ ହୋଇ ପାରୁନାହିଁ । ତାକୁ ମଧ୍ୟ ଚାକର ପୂଝାରି ସନ୍ଦେହ ଭରା ଆଖିରେ ଦେଖିବାକୁ ଆରମ୍ଭ କରୁଥିଲେ । ତାଙ୍କ ମୁହଁରେ ନୂଆ ଶିଶୁସୁଲଭ ଦୃଷ୍ଟି ଓ ଭାବ ଦେଖି ସେମାନେ ଅସ୍ୱସ୍ତ ଅନୁଭବ କରୁଥିଲେ ।
କ୍ରମେ ସୂର୍ଯ୍ୟାସ୍ତ ହେଲା । ଅନ୍ଧକାର ମାଡି ଆସିଲା । ବିଜୟ କିନ୍ତୁ କୋଠରୀ ବାହାରକୁ ଆସିବାକୁ ସାହସ କଲା ନାହିଁ । ତା’ ବାପାଙ୍କୁ ଭେଟିବା ନିମନ୍ତେ ରାତି ପର୍ଯ୍ୟନ୍ତ କେହି କେହି ଲୋକ ନିଶ୍ଚୟ ଆସିବେ ।