ରାତି ଆଠଟା ବେଳକୁ ପୂଝାରି ଡାକିବାରୁ ସେ ଯାଇ କବାଟ ଖୋଲିଲା । ପୂଝାରି କହିଲା, “ବାବୁ, ବିଜୟ ଏ ପର୍ଯ୍ୟନ୍ତ ଫେରି ନାହିଁ ।”
ବିଜୟ କହିଲା “ସତେ? ପାଠଶାଳାରେ ଏଯାଏଁ ତ କେହି ପିଲା ରହିବା କଥା ନୁହେଁ!”
ପୂଝାରି କହିଲା, “ସେ ବୋଧହୁଏ ପାଠଶାଳା ଯାଇ ନାହିଁ । କାହିଁ, ସେ ତ ତା’ସାଙ୍ଗରେ ସିଲଟ ଖଡି ନ ନେଇ ବାହାରି ଗଲା!”
ବିଜୟ ପଚାରିଲା “ଆରେ! ତାକୁ ଧମକ ଦେଇ ପାଠଶାଳା ପଠାଇଦେଲୁ ନାହିଁ କାହିଁକି?”
ପୂଝାରୀ କହିଲା “ବାବୁ, ତା’ ସହ କଥା କହିବାକୁ ମୋତେ ଭାରି ଡର ଲାଗୁଛି । ବରଂ ଆପଣଙ୍କୁ କିଛି କହିହେବ, ହେଲେ ତାକୁ କିଛି ମଧ୍ୟ କହିହେବ ନାହିଁ ।”
ଏସବୁ କଥା ଶୁଣି ବିଜୟ ଚୁପ୍ ରହିଲା । ସେ ବର୍ତ୍ତମାନ ବୁଝିଲା ଯେ, ବାସ୍ତବିକ ବେଶିଦିନ ଆଉ ସତ ଲୁଚାଇ ହେବ ନାହିଁ । ଜଣା ପଡିଯିବ ।
ବିଜୟ ଗମ୍ଭୀର ଭାବରେ କହିଲା “କୁଆଡେ ଗଲା କେଜାଣି!” ସେ ବର୍ତ୍ତମାନ ଡରିବାକୁ ଆରମ୍ଭ କରିଥିଲା । କୌଣସି ନା କୌଣସି ଉପାୟରେ ତା’ ପିତା ନିଶ୍ଚୟ ସତ୍ୟ ପ୍ରକଟ କରିଦେବେ ।
ପୂଝାରି କହିଲା “କାହାରି ଘରେ ସେ ନିଶ୍ଚୟ ଖେଳୁଥିବ । ଭୋକ ଲାଗିଲେ ବଳେ ସେ ଆସିବ । ଆପଣ ସେଥିପାଇଁ ଆଉ ଚିନ୍ତା କରନ୍ତୁ ନାହିଁ । ଆସନ୍ତୁ, ଖିଆ ପିଆ କରିବେ ।”
ବିଜୟ କହିଲା “ମୁଁ ଟିକିଏ ଡେରିରେ ଖାଇବି ।”
ପୂଝାରି କହିଲା “ଆପଣ ବୋଧହୁଏ ଭୁଲି ଯାଇଛନ୍ତି ଯେ ବୈଦ୍ୟ ଆପଣଙ୍କୁ ଜଲ୍ଦି ଖାଇବାକୁ କହିଛନ୍ତି । ଖାଇବାର ଦୁଇଘଂଟା ପରେ ପୁଣି ଔଷଧ ବି ଖାଇବେ । ତା’ପରେ ଯାଇ ଆପଣ ଶୋଇବେ । ବର୍ତ୍ତମାନ ନ ଖାଇଲେ ଔଷଧ କେତେ ରାତିରେ ଆଉ ଖାଇବେ? ମୁଁ ବାଢୁଛି ।”
ଏତିକି କହି ସେ ପୂଝାରି ରୋଷେଇ ଘର ଭିତରକୁ ଚାଲିଗଲା । ସେତିକିବେଳେ ଜଣେ ବୟସ୍କ ଲୋକ ଆସି ସେଠାରେ ପହଁଚିଗଲେ ଓ ଜୟସିଂହ-ରୂପୀ ବିଜୟକୁ କହିଲେ, “କିରେ ଜୟସିଂହ! କ’ଣ କରୁଛୁ?”