ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପିତା ଓ ପୁତ୍ର

ବିଜୟ ଏଥର ମହା ଅଡୁଆରେ ପଡିଲା । ଆଗନ୍ତୁକ ଜଣେ ଓକିଲ । ସେ ତା’ ବାପାଙ୍କ ବାଲ୍ୟବନ୍ଧୁ । ବାପାଙ୍କ ମାଲିମକଦ୍ଦମା କଥା ସବୁ ସେ ବୁଝନ୍ତି । ସେ କ୍ୱଚିତ୍ ଆସନ୍ତି, କିନ୍ତୁ ଯେତେବେଳେ ବି ଆସନ୍ତି, ସେତେବେଳେ ତା’ ବାପା ସବୁ କାମ ଛାଡି କେବଳ ତାଙ୍କ ସହ ହିଁ ଆଲୋଚନା କରନ୍ତି ।

ବିଜୟ କିଛି କହିବା ପୂର୍ବରୁ ଓକିଲ କହିଲେ, “ଚାଲ, ଚାଲ, ଉପର ମହଲାକୁ ଚାଲ । ତୁମ ସାଙ୍ଗେ ମୋର ବହୁତ କଥା ଅଛି ।”

                ବିଜୟକୁ ବସାଇ ଓକିଲ ମହାଶୟ ଘଂଟାଏ କାଳ ଅନର୍ଗଳ କ’ଣ ସବୁ ବୁଝାଇଲେ । ବିଜୟ ତାଙ୍କ କଥାରୁ ଖାଲି ଏତିକି ବୁଝିଲା ଯେ ଆଗାମୀ କାଲି ତାକୁ ଅଦାଲତ୍କୁ ଯିବାକୁ ପଡିବ ଓ ଜଜ୍ ସାହେବଙ୍କ ଆଗରେ କିଛି କହିବାକୁ ହେବ । ଓକିଲ ମହାଶୟ ସେସବୁ ବିସ୍ତାରିତ ଭାବରେ ବୁଝାଇବା ସତ୍ତ୍ୱେ ମଧ୍ୟ ସେ ସେଥିରୁ ଆଦୌ କିଛି ବି ବୁଝିଲା ନାହିଁ ।

                ଓକିଲ ତା’ଠୁଁ ବିଦାୟ ନେବା ବେଳକୁ ରାତି ଦଶ ହୋଇଗଲାଣି । ଗଲାବେଳେ ସେ କହିଗଲେ “ତମେ ତମ ପୁଅର ଭବିଷ୍ୟତ କଥା ଚିନ୍ତା କରି ଯେତେ ଯାହା କରୁଛ, ତା’ର ମୂଲ୍ୟ ତମ ପୁଅ ଖାଲି ବୁଝିଲେ ହେଲା!”

                ଓକିଲ ସେଠାରୁ ଚାଲିଯିବା ପରେ ବିଜୟର ମନେ ହେଲା, ବାସ୍ତବିକ, ବଡ ମଣିଷ ହୋଇଗଲେ ଭାରି ମଜା ଲାଗିବ ବୋଲି ତା’ର ଯେଉଁ କଳ୍ପନା ଥିଲା, ତାହା କେତେ ଭୁଲ୍ । ଏ ସଂସାର ଖାଲି ବଡ ମଣିଷଙ୍କ ଦ୍ୱାରା ହିଁ ଚଳୁଛି । ସେମାନେ କେତେ ଯେ ଜଂଜାଳ ମୁଣ୍ଡେଇଛନ୍ତି । ସେ ଖାଇ ପିଇ, ଖେଳି ବୁଲି ସମୟ କଟାଉଛି । ଅବଶ୍ୟ ପାଠ ପଢା ସହଜ ନୁହେଁ । କିନ୍ତୁ ଦୁଇ ଅକ୍ଷର ପାଠ ନ ପଢିଲେ ସଂସାରରେ ତ ଚଳିବା ଆହୁରି କଷ୍ଟକର ହେବ । ବାପା ସତରେ ତା’ ପାଇଁ କେତେ ଯେ କଷ୍ଟ କରୁଛନ୍ତି । ସେ ବା କ’ଣ ବୁଝିବ? ସେ କହିଲା, “ହେ ଭଗବାନ! ମୋତେ ମୋ ପୂର୍ବ ରୂପ ଫେରାଇ ଦିଅ । ବଡ ମଣିଷ ରୂପେ ଚଳିବାରେ କିଛି ବି ସୁଖ ନାହିଁ । ଆଜିଯାଏଁ ମୁଁ ମୋ ବାପାଙ୍କ ପ୍ରତି ରୁକ୍ଷ ବ୍ୟବହାର କରିଛି । ଏଣିକି ମୁଁ ଭଲ ବ୍ୟବହାର କରିବି ।”

                ସେ ଏତିକି କହିସାରି ଶୋଇ ପଡିଲା ।

                ତେଣେ ବିଜୟ-ରୂପୀ ଜୟସିଂହ ଘରୁ ଯାଇ ରେଳ ଷ୍ଟେସନ୍ରେ ପହଁଚି ଗାଡି ଚଢିଲେ । ଦୁଇଟି ଷ୍ଟେସନ୍ ଯାଇଛନ୍ତି, ଟିକେଟ ଚେକର ଆସି ଟିକେଟ ମାଗିଲେ । ସେତେବେଳେ ତାଙ୍କ ପକେଟରେ ତ କଣା କଉଡିଟିଏ ବି ନଥିଲା । ସେ ଟିକେଟ୍ କାଟିଥାନ୍ତେ ବା କିପରି? ସେ ଖାଲି ଜୁଳଜୁଳୁ ହୋଇ ଅନାଇ ରହିଲେ । ଟିକେଟ ଚେକର ତାଙ୍କୁ କହିଲେ “ବଦ୍ମାସ୍!”

                ଜୟସିଂହ ଅପମାନ ବୋଧ କରି କହିଲେ “ତୁମେ ମୋତେ ବଦ୍ମାସ୍ କହିବାକୁ କିଏ?”

                “ବକଟେନାକୁ ପିଲା । ବିନା ଟିକେଟ୍ରେ ଗାଡି ଚଢିଛି, ପୁଣି କହିଲାରୁ କ’ଣ ନା ଜବାବ୍ ଦେଉଛି!” ଏହା କହି ଚେକର୍ ତାଙ୍କ ବେକ ଧରି ଡବାର ଦରଜା ପାଖକୁ ନେଇ ଯାଇ ପ୍ଲାଟଫର୍ମକୁ ନିକାଲି ଦେଲେ ।

                ସେତେବେଳେ ତ ସେ ଜୟସିଂହଙ୍କୁ ଭୀଷଣ କ୍ଳାନ୍ତ ଲାଗୁଥାଏ । ସେହି ଅବସ୍ଥାରେ ସେ ଘର ମୁହାଁ ଚାଲିଲେ । ଆଠମାଇଲ୍ ବାଟ ନଖାଇ ନପିଇ ଚାଲି ଚାଲି ସେ ତାଙ୍କ ଘରେ ପହଁଚିବା ବେଳକୁ ରାତି ଆସିକି ଅଧେ । ସବୁ ନିସ୍ତବ୍ଧ । ସେ ପାଟିକଲେ କାଳେ କିଏ କେତେ ପ୍ରଶ୍ନ ଉଠାଇବେ, ଏହା ଭାବି ପିଣ୍ଡାରେ ସେ ଚୁପ୍ ଚାପ୍ ବସି ରହିଲେ ଓ ଭାବିଲେ, “ମୁଁ ଛୋଟ ପିଲାଟାଏ ଭଳି ଦେଖାଗଲି ବୋଲି ସିନା ଟିକେଟ୍ ଚେକର୍ ମୋ ପ୍ରତି ଏଭଳି ନିଷ୍ଠୁର ବ୍ୟବହାର କଲା! ବାସ୍ତବିକ ପିଲାମାନଙ୍କ ପ୍ରତି ବଡମାନେ କେତେ ଯେ ଅନ୍ୟାୟ କରନ୍ତି । ମୁଁ ମୋ ନିଜ ରୂପ ଯଦି ଫେରି ପାଆନ୍ତି, ତେବେ ବିଜୟ ପ୍ରତି ଏଣିକି ମୁଁ ଭଲ ବ୍ୟବହାର ନିଶ୍ଚୟ କରନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ