ତେଣେ ଅଦୃଶ୍ୟ ଭାବରେ ଥାଇ ଦୁଇଜଣଙ୍କ ଅବସ୍ଥା ଲକ୍ଷ୍ୟ କରୁଥିବା ଲକ୍ଷ୍ମୀ ନାରାୟଣଙ୍କୁ କହିଲେ, “ଏଥର ପିତା ପୁତ୍ର ଉଭୟେ ନିଜ ସ୍ୱଭାବ ବଦଳାଇବାକୁ ସ୍ଥିର କରି ସାରିଲେଣି । ତେଣୁ ସେମାନଙ୍କ ଚେହେରା ବି ଫେରାଇ ଦିଅ ।”
ନାରାୟଣ କହିଲେ “ଦେଉଛି । କିନ୍ତୁ ତା’ପରେ କ’ଣ ହେବ ଦେଖ ।”
ସକାଳ ହେଲା । ପୂଝାରି ନିଜ ଘରୁ ତା’ ଖାଉନ୍ଦ ଘରକୁ ଆସି ଜୟସିଂହ ପିଣ୍ଡାରେ ବସିଥିବାର ଦେଖି ପଚାରିଲା, “ଆପଣ କ’ଣ ଚିନ୍ତା କରି ଏଠି ବସିଛନ୍ତି? ପୁଅ ଫେରିଛି ତ? କେତେ ରାତିରେ ଫେରିଲା?”
କିଛିଦିନ ପରେ ପୂଝାରି ତାଙ୍କୁ “ବାବୁ” ବୋଲି କହିବାର ଶୁଣି ସେ ହଠାତ୍ ଚମକି ପଡିଲେ ଓ ନିଜ ଦେହ ପ୍ରତି ଦୃଷ୍ଟି ଦେଇ ବୁଝିଲେ, ସେ ବର୍ତ୍ତମାନ ଭିତରେ ଯେପରି ଜୟସିଂହ ବାହାରେ ବି ଠିକ୍ ସେହିପରି ଜୟସିଂହ । ଏଥର ତାଙ୍କ ଆନନ୍ଦ କହିଲେ ନସରେ ।
ତେଣେ ବିଜୟ କୋଠା ଉପରୁ ଓହ୍ଲାଇ ଆସିଲା । ସେ ହଠାତ୍ ତା’ ବାପାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ନିଜ ଚେହେରା ଆଡେ ଅନାଇଲା । ବୁଝିଲା, ସେ ଭିତରେ ଯେପରି ବିଜୟ, ବାହାରେ ବି ଠିକ୍ ସେହିପରି ବିଜୟ ହୋଇଗଲାଣି ।
ପିତା ଓ ପୁତ୍ର ଉଭୟେ ଉଭୟଙ୍କ ଆଡେ ଅନାଇ ରହିଲେ ।
ହଠାତ୍ ଜୟସିଂହଙ୍କ ମନକୁ କ୍ରୋଧ ଆସିଲା । ସେ ଭାବିଲେ, ଏ ପିଲାଟାର ଦୁଷ୍ଟାମି ଯୋଗୁଁ ସେ କେତେ ଯେ କଷ୍ଟ ପାଇଲେଣି । ତେଣୁ ସେ କ୍ରୋଧଭରା କଣ୍ଠରେ କହିଲେ, “ତୋ ଖେଳ ସରିଲା?”
ବିଜୟ ବି ରାଗିଯାଇ କହିଲା “ମୋ ଖେଳ ସରିବ କାହିଁକି? ମୋର ତ ଏଇଟା ହେଉଛି ଖେଳର ବୟସ । ତମ ଖେଳ ସରିଲା?”
ତେଣେ ନାରାୟଣ ହସି ଲକ୍ଷ୍ମୀଙ୍କୁ ଅନାଇଲେ ଓ କହିଲେ, “ଏଇଆ ହେଲା ମଣିଷର ଚରିତ୍ର । ସେ ସଙ୍କଟରେ ପଡିଲା ବେଳେ ଯେତେ ସବୁ ଭଲ କଥା ଭାବେ, ମାତ୍ର ସଙ୍କଟରୁ ଉତୁରିଗଲେ ସେସବୁକୁ ସେ ଭୁଲିଯାଏ । ପୁଣି ପୂର୍ବବତ୍ ଆଚରଣ ସେ କରେ । ଏହାହିଁ ତା’ ଭାଗ୍ୟର ବିଡମ୍ବନା ।”