ଦିନଟି ତ କୌଣସି ପ୍ରକାରେ କଟିଗଲା । ଏବେ ରାତି ହେଲା । ପିତା ପୁତ୍ର ଶୋଇଲେ । ପୁତ୍ର ଭାବୁଥାଏ, “ବଡ ମଣିଷ ଭାବରେ ରହିବାରେ ବହୁତ ମଜା ଅଛି । ତେବେ ସମସ୍ୟା ହେଲା, କେହି କିଛି ପଚାରିଦେଲେ ବା କୌଣସି ବିଷୟରେ ଆଲୋଚନା କରିବାକୁ ଚାହିଁଲେ ମୁଁ କ’ଣ କହିବି? ସେ ଯାହାହେଉ ନା କାହିଁକି ପିଲା ଭାବରେ ରହିବା ତୁଳନାରେ ବଡ ମଣିଷ ଭାବରେ ରହିବା ଓ ମନଇଚ୍ଛା ପଇସାପତ୍ର ଖର୍ଚ୍ଚ କରିବା ଅନେକ ଭଲ ।”
ତାକୁ ବେଶ୍ ଖୁସି ଲାଗୁଥାଏ । ସେ ଥରେ ବିଛଣା ଛାଡି ଯାଇ ଦର୍ପଣରେ ନିଜ ମୁହଁ ଦେଖିଲା । ବହଳ ନିଶ, ପୃଥୁଳ ବପୁ, ଚନ୍ଦାମୁଣ୍ଡ-ନା, କିଛି ମନ୍ଦ ଦିଶୁନାହିଁ । ଏମିତି ଗମ୍ଭୀର ଚେହେରା ଦେଖିଲେ ଲୋକେ ସମ୍ମାନ ଦେଖାଇଥାନ୍ତି । ଦିନ ବେଳେ ତାକୁ କେତେ ଲୋକ ନମସ୍କାର କରିଥିଲେ । ସେ କୌଣସି ମତେ ଅଳ୍ପ ହସି ଦେଇ ଓ ପ୍ରତି-ନମସ୍କାର କରି ସେମାନଙ୍କଠାରୁ ଖସି ଆସିଥିଲା । ରାତି ପାହିଲେ ପୁଣି ସେଇ ଭଳି ନମସ୍କାର ମିଳିବ । କୌଣସି ପ୍ରକାରେ କଥାବାର୍ତ୍ତା ଏଡାଇଯାଇ ପାରିଲେ ତେଣିକି ଆଉ କିଛି ବି ଚିନ୍ତା ନାହିଁ ।
ତେଣେ ପିତା ସାରା ରାତି ଚିନ୍ତାରେ ବିତାଇ ଭୋର ଆଡକୁ ଶୋଇ ପଡିଥାନ୍ତି । ବେଳ ପହରେ ହେବା ବେଳକୁ ତାଙ୍କ ନିଦ ଭାଙ୍ଗିଲା । ନିଜ ରୂପଟି କ’ଣ, ସେକଥା ସେ ଭୁଲିଯାଇଥାନ୍ତି । ସେ ତାଙ୍କ ଅଭ୍ୟାସ ଅନୁସାରେ ପାଟି କରି ଚାକରକୁ ଡାକିଲେ । କିନ୍ତୁ ଚାକର ତାଙ୍କ ଡାକ ଶୁଣିଲା ନାହିଁ । ସେ ରାଗିଯାଇ ପାଟି କରିବାକୁ ଯାଉଛନ୍ତି, ହଠାତ୍ ପିଲାଟିଏ ଘର ଭିତରକୁ ପଶି ଆସି କହିଲା, “ଅଳସୁଆ! ଏତେବେଳେ ଯାଇ ତୋ ନିଦ ଭାଙ୍ଗୁଛି? ତୋତେ ଟିକେ ଲାଜ ମାଡୁନାହିଁ? ଚାଲ୍, ଚାଲ୍ ବେଗି ଚାଲ୍ । ଅବଧାନେ ତୋତେ ଡାକୁଛନ୍ତି ।”
ପିତାବେଶୀ ପୁତ୍ର ଅନାଇ ରହି ଏସବୁ ମଜା ଦେଖୁଥାଏ । ଜୟସିଂହ ରାଗିଯାଇ ସେ ପିଲାକୁ କହିଲେ, “ଚୋପ୍! ବାଳୁଙ୍ଗା! ତୁ କାହା ଘରର ପିଲା କିରେ? ଅବଧାନେ ଯଦି ମୋତେ ଭେଟିବାକୁ ଚାହୁଁଛନ୍ତି, ତାଙ୍କୁ ଏଠାକୁ ଆସିବାକୁ କିଏ ମନକଲା?”
ପିଲାଟି କହିଲା “କ’ଣ ହେଲା, ମୁଁ କାହା ଘରର ପିଲା ତୋତେ ପୁଣି ଆଜି ସେ କୈଫିୟତ୍ ଦେବାକୁ ହେବ? କାହିଁକି, ତୁ କ’ଣ ମୋତେ ଚିହ୍ନିପାରୁ ନାହୁଁ? ଆଜି ମୁଁ ତୋ ଅବସ୍ଥା ଦିଗଣ୍ଡା ଦିକଡା ନକରି ଛାଡୁନାହିଁ ।”
ଏତିକି କହି ସେ ଡାକିବାକୁ ଆସିଥିବା ପିଲାଟି ଖପ୍କିନା ଜୟସିଂହଙ୍କ ହାତ ଧରି ପକାଇ ତାକୁ ମୋଡିଦେଲା । ଫଳରେ ସେ ଯନ୍ତ୍ରଣାରେ ଆର୍ତ୍ତନାଦ କଲେ । କୌଣସି ପିଲା ଚାଟଶାଳୀକୁ ନଗଲେ ଅବଧାନେ ଏହି ପିଲାକୁ ତାକୁ ଧରି ନେଇଯିବାକୁ ପଠାଇଥାନ୍ତି । କାହିଁକିନା ଏ ପିଲାଟି ଯେପରି ବଳବାନ୍, ଠିକ୍ ସେହିପରି ଧୂର୍ତ୍ତ ବି ।
କ୍ରମେ ଜୟସିଂହ ବୁଝିଗଲେ, ବର୍ତ୍ତମାନ ସେ ଯେଉଁ ପ୍ରକାର ଚେହେରାରେ ଅଛନ୍ତି, ସେଥିରେ ଚାଟଶାଳୀ ନଯାଇ ତାଙ୍କ ପକ୍ଷେ ଆଉ କିଛିବି ଉପାୟ ନାହିଁ । ରାଗ ଓ ଦୁଃଖକୁ ଚାପିରଖି ଶେଷରେ ସେ ଟଣା ହୋଇ ଚାଲିଲେ ।
ଚାଟଶାଳୀରେ ସେ ପହଁଚିବା ମାତ୍ରେ ଅବଧାନେ ଖଣ୍ଡିଏ ଛାଟ ଧରି ତାଙ୍କୁ ପିଟିଗଲେ । ତା’ପରେ ସେ କହିଲେ, “ହଇରେ, ତୋ ବାପା ତ କେଡେ ଭଦ୍ରଲୋକ ଓ ଭଲଲୋକ! ହେଲେ ତୁ ଏମିତି କୁଳାଙ୍ଗାର ହୋଇ ଜନ୍ମହେଲୁ କିପରି? ଦେଖୁଛି, ତୁ ତୋ ବଂଶର ବଦନାମ୍ କରିବୁ । ନା, ତୋତେ ମଣିଷ ନକରି ମୁଁ ଛାଡୁ ନାହିଁ । ସେଥିପାଇଁ ତୋତେ ଯେତେ ଦଣ୍ଡଦେବା ଦରକାର ମୁଁ ତ ତାହା ଅବଶ୍ୟ ଦେବି ।” କିଛି ସମୟ ପର୍ଯ୍ୟନ୍ତ ପିଲାମାନଙ୍କୁ କିଛି ଗଣିତ ମୁଖସ୍ଥ କରାଇ ଅବଧାନେ କାନ୍ଥକୁ ଆଉଜି ଶୋଇ ପଡିଲେ । ଚାହୁଁ ଚାହୁଁ ସେ ଘୁଙ୍ଗୁଡି ବି ମାରିଲେ । ଗୋଟାଏ ମାଛି ଆସି ତାଙ୍କ ଓଠ ଉପରେ ବସିଲା ଓ ବୁଲିଲା । ତଥାପି ତାଙ୍କ ନିଦରେ କୌଣସି ପ୍ରକାର ବି ବ୍ୟାଘାତ ଘଟିଲା ନାହିଁ ।
ଗୋଟାଏ ପିଲା କହିଲା “ଆରେ ବିଜୟ! ତୋ ପିଠିରେ କେତେ ମୋଟ ଦାଗ ପଡିଛି, ମୋତେ ଟିକେ ଦେଖାଇଲୁ!” ଆଉ ଜଣେ କହିଲା, “ଆହା ବିଚାରୀ! ମାତ୍ର ପହରେ ବେଳଯାଏଁ ଶୋଇ ପଡିଥିଲା ଯେ, ସେଥିପାଇଁ ତାକୁ ପୁଣି ଏତେ ମାଡ ।”
ଏସବୁ କଥା ଶୁଣି ସେ ବିଜୟ-ରୂପୀ ଜୟସିଂହ କିଛି ନ କହି ଧୈର୍ଯ୍ୟ ଧରି ବସି ରହିଲେ । କିନ୍ତୁ ଜଣେ ପିଲା ତାଙ୍କ କାମିଜ ଧରି ଟାଣିଦେଲା । ଆଉ ଜଣେ ତାଙ୍କୁ କୁତୁରୁକାଳିଆ କରି ହସାଇବାକୁ ବି ଚେଷ୍ଟା କଲା । ଜୟସିଂହ ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ । ଶେଷକୁ ସେ ହଠାତ୍ ଗୋଟିଏ ରଡି ଛାଡିଲେ ।
ଏହି କାରଣରୁ ସେ ପିଲାମାନେ ପ୍ରବଳ ମାତ୍ରାରେ ଡରିଗଲେ । ସେ ରଡି ସେମାନଙ୍କୁ ଯେତିକି ଭୟଭୀତ କଲା, ସେଥିରେ ଅବଧାନେ କାଳେ ତାଙ୍କ ନିଦରୁ ଉଠି ପଡିବେ, ସେ ଭୟ ତା’ଠୁଁ ଅଧିକ ବିଚଳିତ କଲା ।
ସତକୁ ସତ ସେହିକ୍ଷଣି ଅବଧାନଙ୍କ ନିଦ ଭାଙ୍ଗିଗଲା । ସେ ଉଠିପଡି କାହାକୁ କିଛି ନ ପଚାରି ବେତରେ ଜୟସିଂହ-ରୂପୀ ବିଜୟକୁ ଗୋରୁ ଗାଈ ଭଳି ପିଟି ଦେଇଗଲେ ।
ଜୟସିଂହଙ୍କର ମନେହେଲା ସେ ଯେପରି ପାଗଳ ହୋଇଯିବେ । ସେ କିଛି ସମୟ ମାଡ ସହି ତା’ପରେ ଚିତ୍କାର କରି କହିଲେ, “ଅବଧାନେ! ତମେ ଏଣେ ଘୁଙ୍ଗୁଡି ମାରି ବେଳ କଟାଇବ, ତେଣେ କିଛି ନ ବୁଝି ନ ଶୁଝି ପିଲାଙ୍କୁ ବାଡେଇବ! ତମେ କେଉଁ ପାଠଟା ପଢାଉଛ? ପିଲାଏଁ କ’ଣ ତମ ଘୁଙ୍ଗୁଡି ଶୁଣିବେ ବୋଲି ଆମେ ତମକୁ ଏତେ ଟଙ୍କା ଦେଇ ରଖିଛୁ? ଋୁହ, ମୁଁ ଗାଁର ବିଶିଷ୍ଟ ଲୋକଙ୍କ ବୈଠକ ଡକାଇ ତମକୁ ପାନେ ଦେଉଛି ।”
ହଠାତ୍ ଗୋଟାଏ ପିଲା ମୁହଁରୁ ଏଭଳି ଭାଷା ଶୁଣି ସେ ଅବଧାନେ ଅଚାନକ ସ୍ତମ୍ଭୀଭୂତ ହୋଇଗଲେ । ଅନ୍ୟ ପିଲାଏ ବି କାବା ହୋଇ ବସି ରହିଲେ । ଦୁଇ ମିନିଟ୍ ପରେ ଅବଧାନେ ଭାବିଲେ କି ପିଲାଟିକୁ କିଛି ଦଣ୍ଡ ନ ଦେଲେ ଅନ୍ୟ ପିଲାଙ୍କ ଆଗରେ ତାଙ୍କ ସମ୍ମାନ ଚାଲିଯିବ । ତେଣୁ ସେ ପାଟି କରି କହିଲେ, “ଆରେ, ଚଣ୍ଡାଳ! ତୁ ଭାବିଛୁ କୌଣସି ଯାତ୍ରାଦଳରୁ କିଛି ଭାଷା ମନେ ରଖି ମୋତେ ଶୁଣାଇଦେଲେ ମୁଁ କ’ଣ ତୋଉପରେ ଖୁସି ହୋଇଯିବି! ବୁଦ୍ଧୁ! ତୋ ଭାଗ୍ୟରେ ବହୁତ ମାଡ ଅଛି ।” ଏହା କହି ଅବଧାନେ ବିଜୟ-ରୂପୀ ଜୟସିଂହଙ୍କୁ କାନ୍ଥ ପାଖରେ ଅଧାଠିଆ ଅବସ୍ଥାରେ ରଖାଇଲେ ଓ ତାକୁ ନାନା ପ୍ରଶ୍ନ କଲେ । ପାଠ୍ୟ ପୁସ୍ତକରୁ ପ୍ରଶ୍ନ କଲେ ଜୟସିଂହ ବା ସେସବୁ ପ୍ରଶ୍ନର କିପରି ଉତ୍ତର ଦିଅନ୍ତେ? ଜୟସିଂହ ଉତ୍ତର ଦେଇ ନ ପାରିବାରୁ ତାଙ୍କ ପିଠିରେ ବେତମାଡ ହୁଏ । କିନ୍ତୁ ଅବଧାନେ ଯେତେବେଳେ ମାନସାଙ୍କ ପଚାରିଲେ, ସେତେବେଳେ ଜୟସିଂହ ଚଟାପଟ ଉତ୍ତର ଦେବାକୁ ଲାଗିଲେ । ତା’କଥା ଶୁଣି ସେ ଅବଧାନେ ଭାରି ଆଶ୍ଚର୍ଯ୍ୟ ହେଲେ । ତା’ପରେ ଅବଧାନେ ପୁଣି ବିଜୟକୁ ବେତମାଡ ଦେଇ କହିଲେ, “ଆରେ ଦୁଷ୍ଟ! ଆଜିଯାଏଁ ତୁ ଗଣିତରେ ଦୁର୍ବଳ ବୋଲି କ’ଣ ଅଭିନୟ କରୁଥିଲୁ?”
ଅବଶେଷରେ ଛୁଟି ହେଲା । ପିଲାମାନେ ଘରମୁହାଁ ଦୌଡିଲେ । କିନ୍ତୁ ଜୟସିଂହ ଧୀର ଗତିରେ ବାଟ ଚାଲୁଥାନ୍ତି । ଜଣେ ଦୁଇଜଣ ପିଲା ତାଙ୍କ ପାଖକୁ ଆସି ତାଙ୍କୁ ପଚାରିଲେ, “ବିଜୟ! କଥା କ’ଣ? ଆଜି ତ ତୁ ନୂଆ ମଣିଷ ଭଳି ଲାଗୁଛୁ! ତୁ ଅବଧାନଙ୍କୁ ସେମିତି କଡା କଥା କହିବାକୁ ସାହସ କେମିତି ପାଇଲୁ?”
ଜୟସିଂହ ସେମାନଙ୍କୁ ରୁକ୍ଷ ଭାବରେ ଉତ୍ତର ଦେଲେ “ଚୋପ୍!” ଆହୁରି ପୁଣି ସେ କହିଲେ, “ମୁଁ ବିଜୟ ନୁହେଁ । ମୋତେ ବିଜୟ ବିଜୟ ବୋଲି ବାରମ୍ବାର କାହିଁକି ଡାକୁଛ?”
ପିଲାମାନେ ଏଭଳି ଧମକ ଖାଇ ସେଠାରୁ ପଳାଇଗଲେ । କିନ୍ତୁ ସେମାନେ ବିଜୟ-ରୂପୀ ଜୟସିଂହ ଆଡେ ବାରମ୍ବାର ଦୃଷ୍ଟିପାତ କରି ଯାଉଥାନ୍ତି । ସେମାନଙ୍କ ବିସ୍ମୟର ସୀମା ନଥାଏ ।
ଜୟସିଂହ ଘରଆଡେ ଯିବାବେଳେ ଭାବୁଥାନ୍ତି, “ଏହା ଭିତରେ ବିଜୟର ଅଭିଜ୍ଞତା କ’ଣ ହୋଇଥିବ? ସେ ନିଶ୍ଚୟ ବହୁତ ହଇରାଣ ହେବଣି! ଆଶାକରେ ତା’ ଭିତରେ ସଦ୍ବୁଦ୍ଧିର ଉଦୟ ହେବଣି ।”