ଆଶ୍ରମରେ ଋଷି ଜମଦଗ୍ନି ସେହି ଗାଈର ସେବାଯତ୍ନ କରୁଥିବା ବେଳେ ସେଦିନ ତାଙ୍କର ପତ୍ନୀ ରେଣୁକା ତାଙ୍କୁ ଯାଇ କହିଲେ କି, ‘ଆଜି ତ ଆଶ୍ରମରେ ରୋଷେଇ ନିମନ୍ତେ ଆବଶ୍ୟକ ପରିମାଣର କାଠ ନାହିଁ । ତେଣୁ ଜଙ୍ଗଲରୁ କେମିତି କାଠ ସଂଗ୍ରହ କରାଯାଇ ସେସବୁ ଆଶ୍ରମକୁ ଆସି ପାରିବ ତା’ର ବ୍ୟବସ୍ଥା କରିବାକୁ ସ୍ୱାମୀଙ୍କୁ ଜଣାଇ ଦେଲେ । ଏହି କଥା କହୁଥିବା ବେଳେ ସାନପୁଅ ପରଶୁରାମ ସେଠାରେ ଉପସ୍ଥିତ ଥିଲେ । ପତ୍ନୀଙ୍କ କଥା ଶୁଣିବାପରେ ମହର୍ଷି ଜମଦଗ୍ନି ପୁତ୍ର ପରଶୁରାମଙ୍କ ଆଡକୁ ଦୃଷ୍ଟି ଫେରାଇବା ମାତ୍ରକେ ପରଶୁରାମ ସଙ୍ଗେ ସଙ୍ଗେ କାଠ ସଂଗ୍ରହ କରିବା ନିମନ୍ତେ ଜଙ୍ଗଲକୁ ଯିବା ପାଇଁ ବାହାରି ପଡିଲେ । ପୁତ୍ରର ଏପରି ଆଗ୍ରହ ଦେଖି ପିତା ଜମଦଗ୍ନି ଜଙ୍ଗଲକୁ ଯିବା ପାଇଁ ପୁତ୍ର ପରଶୁରାମକୁ ଅନୁମତି ଦେଲେ । ଏତିକି ବେଳକୁ ତାଙ୍କର ଅନ୍ୟ ପୁତ୍ରମାନେ ଆଶ୍ରମସ୍ଥିତ ବଗିଚାରେ କାମ କରିବା ପାଇଁ ଦୂର ସ୍ଥାନକୁ ଚାଲି ଯାଇଥିଲେ । ଏମିତି ଏକ ସମୟରେ ରାଜା ସହସ୍ରବାହୁ ଆଶ୍ରମକୁ ଆସି ସବୁ ଭାଙ୍ଗିରୁଜି ଛାରଖାର କରିବା ସହ ଋଷି ଜମଦଗ୍ନିଙ୍କ ଆଦରର କାମଧେନୁ ଗାଈକୁ ନିଜ ରାଜପ୍ରାସାଦକୁ ନେଇଗଲେ ।
ରାଜା ସେଠାରୁ ଯିବାର କିଛି ସମୟ ପରେ ପରଶୁରାମ ଜଙ୍ଗଲରୁ କାଠ ନେଇ ଆଶ୍ରମର ଧ୍ୱଂସାବଶେଷ ଦେଖିବା ସହିତ ପିତାମାତାଙ୍କ ଆଖିରୁ ଲୁହ ବୋହି ପଡୁଥିବାର ଦେଖି ଅତ୍ୟନ୍ତ ଅଧୈର୍ଯ୍ୟ ହୋଇ ପଡିଲେ । ତା’ପରେ ସେ ସେଠାରେ ଘଟି ଯାଇଥିବା ଘଟଣା ସମୂହ ଜାଣିବା ପରେ ଭୀଷଣ କ୍ରୋଧାନ୍ୱିତ ହୋଇ ଏଭଳି ଅପମାନର ପ୍ରତିଶୋଧ ନେବାପାଇଁ ପ୍ରତିଜ୍ଞା କଲେ । ତାଙ୍କର ସେହି ଶପଥ ଶୁଣି ପିତା ଜମଦଗ୍ନି ପୁତ୍ର ପରଶୁରାମକୁ ସସ୍ନେହରେ ଡାକି ବୁଝାଇ କହିଲେ, ‘ବତ୍ସ ! ମୁଁ ଜାଣିଛି ତୁମେ ତୁମ ଶପଥ ନିଶ୍ଚୟ ପୂରଣ କରିପାରିବ । କିନ୍ତୁ, ଏଥିପାଇଁ ତୁମେ ସେହି ଦର୍ପିତ ରାଜାର ଏକାକୀ ସମକକ୍ଷ ହୋଇ ପାରିବ ବୋଲି ମନେକରିବା ମୋଟେ ଠିକ୍ ହେବ ନାହିଁ । ପୁଣି ମୁଁ ଶୁଣିଛି ସେ ଜଣେ ବଳବାନ ରାଜା । ତେଣୁ ସେଥିପାଇଁ ପ୍ରସ୍ତୁତ ହେବା ଏକାନ୍ତ ଆବଶ୍ୟକ । ଏକଥା ଶୁଣିବା ପରେ ପୁତ୍ର ପରଶୁରାମ କ୍ଷଣକାଳ ଚିନ୍ତାକରି ପିତାଙ୍କର ଉପଯୁକ୍ତ ପରାମର୍ଶ ଚାହିଁଲେ । ଏହାପରେ ମହର୍ଷି ଜମଦଗ୍ନି କହିଲେ, ‘ପୁତ୍ର ! ତୁମେ ଯଦି ଯାଇ ଭଗବାନ ଶଙ୍କରଙ୍କୁ ସନ୍ତୁଷ୍ଟ କରି ପାରିବ, ତେବେ ସେ ତୁମକୁ ଉପଯୁକ୍ତ ଯୁଦ୍ଧବିଦ୍ୟା ଶିକ୍ଷା ଦେବେ ଏବଂ ତାପରେ ଯାଇ ରାଜା ସହସ୍ର ବାହୁଙ୍କୁ ତୁମେ ଅକ୍ଳେଶରେ ପରାଜିତ କରିପାରିବ ।