ଗଙ୍ଗାପୁର ଗାଁ ବାହାରେ ଗୋଟିଏ ମନ୍ଦିର ଥାଏ । ଗାଁ ଭିତରୁ ମନ୍ଦିରକୁ ଯିବାକୁ ହେଲେ ଗୋଟିଏ ଅପନ୍ତରା ଅଂଚଳ ପାରି ହୋଇ ଯିବାକୁ ହେଉଥାଏ । ଲୋକେ ସବୁଦିନ ସକାଳେ ଓ ସନ୍ଧ୍ୟାବେଳେ ମନ୍ଦିରକୁ ଯାଇ ପୂଜା ପ୍ରାର୍ଥନା କରୁଥାନ୍ତି ।
ସେ ଅପନ୍ତରା ଭିତରେ, ଗୋଟାଏ ଗଛରେ ଏକ ପିଶାଚ ରହିଥାଏ । ସେ ଭାବୁଥାଏ, “ଲୋକେ ଏମିତି ଭାବରେ ସେ ଦେଉଳକୁ ଦୌଡୁଛନ୍ତି, ଦେଉଳରେ ଥିବା ଦିଅଁ କ’ଣ ସେମାନଙ୍କର କିଛି ଉପକାର କରୁଛନ୍ତି? ଉପକାର କରୁନଥିଲେ ସେମାନେ ଏତେ ଦୌଡନ୍ତେ ବା କାହିଁକି?”
ପିଶାଚ ଦେଖୁଥାଏ, ଜଣେ ଧନୀ ବଣିକ, ଜଣେ ଶିକ୍ଷକ ଓ ଗୋଟିଏ ଗରୀବ ସ୍ତ୍ରୀ ଲୋକ ସବୁଦିନେ ମନ୍ଦିରକୁ ଯାଉଥାନ୍ତି । ଦିନେ ସନ୍ଧ୍ୟାବେଳେ ବଣିକଙ୍କୁ ଏକୁଟିଆ ଦେଖି ପିଶାଚ ଗଛ ଉପରୁ ଓହଳି ଆସି ତାଙ୍କୁ କହିଲା, “ହଇହୋ ବାବୁ, ତମେ ଯେ ସବୁଦିନ ମନ୍ଦିରକୁ ଦୌଡୁଛ, ଦିଅଁ କ’ଣ ତମର କିଛି ଭଲ କରୁଛନ୍ତି? ମୋତେ ଯଦି କହନ୍ତ, ମୁଁ ହୁଏତ ତମର କିଛି ଉପକାର କରିପାରନ୍ତି!”
ପ୍ରଥମେ ବଣିକ ଡରିଗଲେ । ତା’ପରେ ସେ ନିଜକୁ ସମ୍ଭାଳି ନେଇ କହିଲେ, “ଆରେ ବାବୁ, ମୋର ତମେ ଆଉ କ’ଣ ଉପକାର କରିବ? ମୋର ପଇସାପତ୍ରର ଅଭାବ ନାହିଁ କି ଅନ୍ୟ କିଛିରେ ବି ଅଭାବ ନାହିଁ । ଖାଲି ଯାହା ଟିକେ ରାତିରେ ନିଦ ହେଉ ନାହିଁ ।”
ପିଶାଚ କହିଲା “ଠାକୁରଙ୍କୁ ପ୍ରାର୍ଥନା କରି କିଛିବି ଲାଭ ନାହିଁ?”
ବଣିକ ସ୍ୱୀକାର କଲେ “ନା, ଏ ପର୍ଯ୍ୟନ୍ତ ଔଷଧ ପତ୍ର ଖାଇ କିଛି ତ ଲାଭ ହୋଇନାହିଁ କି ଠାକୁରଙ୍କୁ ଜଣାଇ କିଛିବି ଲାଭ ହୋଇନାହିଁ ।”
ପିଶାଚ ବ୍ୟଙ୍ଗ କରି ପଚାରିଲା “ଯଦି ଠାକୁରଙ୍କୁ ଜଣାଇ କିଛି ଲାଭ ହୋଇନାହିଁ, ତେବେ ସବୁଦିନେ ଏମିତି ଭାବରେ ମନ୍ଦିରକୁ କାହିଁକି ଦୌଡୁଛ? ତମର କ’ଣ ଅନ୍ୟ କିଛି କାମ ନାହିଁ?”
ବଣିକ ପ୍ରଶ୍ନ କଲେ “ତମେ ଖୁବ୍ କାମିକା ପିଶାଚ ଭଳି ମନେ ହେଉଛି । ମୁଁ ମନ୍ଦିରକୁ ଯାଉଛି କାରଣ ସେଠାକୁ ଗଲେ ଦିଅଁଙ୍କ ସାନ୍ନିଧ୍ୟରେ ଶାନ୍ତି ମିଳେ । ତମେ ମୋତେ ଏତେ ଜେରା କରୁଛ ଯେ, ସେଥିରୁ କ’ଣ ଲାଭ ପାଇବ?”
ପିଶାଚ କହିଲା “ବୋଧହୁଏ ତମର ସବୁବେଳେ ଚୋର ଡାକୁଙ୍କ ପ୍ରତି ଭୟ ଯୋଗୁଁ ମନରେ ଉତ୍କଣ୍ଠା ରହୁଛି । ଯାହାହେଉ, ତମର ଯେପରି ଭଲ ନିଦ ହେବ, ସେ ବ୍ୟବସ୍ଥା ମୁଁ କରିବି । ତମେ ମୋ ପାଇଁ ଗୋଟାଏ ଦେଉଳ କରିଦେବ? ପୂଜା ପାଇବାକୁ ମୋର ଭାରି ମନ ।”
ବଣିକ ପଚାରିଲେ “ପିଶାଚ ପାଇଁ ପୁଣି ଦେଉଳ? ଏପରି କଥା ତ ମୁଁ ମୋ ଜୀବନରେ କେବେବି ଶୁଣି ନଥିଲି । ତମେ ତ ଭଲରେ ଗଛରେ ରହିଛ । ଦେଉଳରେ ରହି ଆଉ ଅଧିକା କ’ଣ ଲାଭ ପାଇବ?”
ପିଶାଚ ରାଗିଗଲା ଓ କହିଲା, “ଦେଖୁଛି, ତମେ ମୋଟେ ସିଧା ଲୋକ ନୁହଁ । ଆରେ ବାବୁ, ମୋର ଦେଉଳରେ ରହିବାକୁ ସଉକ୍ ହେଉଛି, ରହିବି । ତମକୁ ନିଦ ଦେବି । ତମେ ଦେଉଳ ବନାଇ ଦେବ । ରାଜି ଯଦି କୁହ!”
ବଣିକ କହିଲେ “ଦେଉଳଟିଏ ବନାଇ ଦେବାରେ ଆଉ ସମସ୍ୟା କ’ଣ! ଆଗେ ନିଦ ତ ହେଉ!”
ଏହାର କିଛି ସମୟ ପରେ ଶିକ୍ଷକଙ୍କୁ ଏକୁଟିଆ ଦେଖି ପିଶାଚ କହିଲା, “ଦିଅଁ ତମର କେତେଦୂର କ’ଣ ଉପକାର କରୁଛନ୍ତି ତା ତ ମୁଁ ଜାଣେନା । କିନ୍ତୁ ତମେ ଯଦି ମୋତେ କହିବ, ତେବେ ମୁଁ ତୁମର କିଛି ନା କିଛି ଉପକାର କରି ପାରିବି ।”