ଶିକ୍ଷକ ଭୟ କଟାଇ କହିଲେ “ସତେ? ମୋର ବାହାହେବା ବୟସର ଝିଅଟିଏ ଅଛି । ତାକୁ ବାହାଦେଲା ଭଳି ସମ୍ବଳ ମୁଁ ଯୋଗାଡ କରି ପାରୁନାହିଁ । ଏହାହିଁ ମୋର ସମସ୍ୟା ।”
ପିଶାଚ କହିଲା “ତମ ସମସ୍ୟାର ସମାଧାନ କରିଦେବା । କିନ୍ତୁ ଏଠି ବଣିକ ମୋ ପାଇଁ ଦେଉଳ ତିଆରି କରିଦେବା ପରେ ତମେ ମୋର ମୂର୍ତ୍ତିଟିଏ ଥାପିବ, ଏ କଥା ଦିଅ ।”
ଶିକ୍ଷକ କହିଲେ “ନିଶ୍ଚୟ ଥାପିବି । ଆଗେ ମୋ ସମସ୍ୟାର ସମାଧାନ କରିଦିଅ ।”
ପିଶାଚ ଜବାବ୍ ଦେଲା “ଆଜି ରାତିକ ଭିତରେ ହୋଇଯିବ ।”
ଏହା ପରେ ସ୍ତ୍ରୀ ଲୋକଟିକୁ ଦେଖି ପିଶାଚ କହିଲା, “ତମେ ଦିଅଁଙ୍କୁ ଯାହା ମାଗୁଛ ମାଗ । କିନ୍ତୁ ମୁଁ ଯଦି ତମର କିଛି ଉପକାର କରିପାରିବି, ତେବେ କୁହ ।”
ସ୍ତ୍ରୀ ଲୋକଟି କହିଲା “ମୋ ସ୍ୱାମୀ ମଦ ପିଇ ପଇସା ପତ୍ର ଉଡାଇ ଦିଅନ୍ତି । ଖାଲି ସେତିକି ମୋର ଦୁଃଖ ।”
ପିଶାଚ କହିଲା “ସେ ଯେପରି ଆଉ କେବେବି ମଦ ପିଇ ନ ପାରିବ, ମୁଁ ସେ ବ୍ୟବସ୍ଥା କରିଦେବି । କିନ୍ତୁ ବଣିକ ଦେଉଳ ଗଢିଦେବା ପରେ ଓ ଶିକ୍ଷକଟି ମୋ ମୂର୍ତ୍ତି ଗଢିଦେବା ପରେ ତୁ ସବୁଦିନ ସନ୍ଧ୍ୟାରେ ଦୀପ ଜଳାଇବୁ?”
ସ୍ତ୍ରୀ ଲୋକଟି କହିଲା “ହଁ, ହଁ, ମୁଁ ତାହା କିଆଁ ନ କରିବି?”
ତା’କଥା ଶୁଣି ପିଶାଚ ବହୁତ ଖୁସି ହୋଇଗଲା ।
ପରଦିନ ସନ୍ଧ୍ୟାରେ ବଣିକ ଅପନ୍ତରା ଭିତରଦେଇ ଯିବା ବେଳକୁ ପିଶାଚ ତାଙ୍କ ଆଗକୁ ଝୁଲିପଡି ଅତି ଆଗ୍ରହରେ ପଚାରିଲା, “କ’ଣ ହେଲା? ଏଣିକି ତମ ମନରେ ଆଉ ଆଶଙ୍କା ଉତ୍କଣ୍ଠା ରହିବ ନାହିଁ । ଫଳରେ ଭଲ ନିଦ ହେବ!”
ବଣିକ କହିଲେ “ହଇରେ ଦୁଷ୍ଟ! ତୁ ମୋତେ ନିଦ ଦେବା ନିମନ୍ତେ ମୋ ପାଖରେ ଥିବା ଟଙ୍କା ଓ ସୁନା ରୂପାକୁ ଅଙ୍ଗାରରେ ପରିଣତ କରିଦେଲୁ? ଆଜି ରାତି ଭିତରେ ଯଦି ସେସବୁକୁ ପୂର୍ବ ରୂପରେ ବଦଳାଇ ନ ଦେବୁ, ତେବେ ମୁଁ ଗୁଣିଆ ଡାକି ତୋତେ ଉଚିତ୍ ଶାସ୍ତି ଦେବାର ବ୍ୟବସ୍ଥା କରିବି ।”
ଏତିକିରେ ସେ ପିଶାଚ ଡରିଯାଇ କହିଲା “ହେଲା ହେଲା, ବାବୁ । ମୁଁ ଆଜି ରାତିରେ ମୋ ଯାଦୁ ପ୍ରତ୍ୟାହାର କରିନେବି ।”
କିଛି ସମୟ ପରେ ଶିକ୍ଷକଙ୍କୁ ଦେଖି ପିଶାଚ ଯେମିତି ତାଙ୍କ ଆଗକୁ ଆସିଛି, ଶିକ୍ଷକ କହିଲେ, “ମୂଢ! ମୁଁ ଝିଅ ବିବାହ ଦାଇତ୍ତ୍ଵର ନିସ୍ତାର ପାଇବି ବୋଲି ତୁ ମୋ ଝିଅକୁ ଶେଷରେ ପୁଅ କରିଦେଲୁ? ସେହି ଲଜ୍ଜାରେ ମୋ ଝିଅ କୁଆଡେ ପଳାଇ ଯିବାକୁ ବସିଛି । ଆଜି ରାତିକ ଭିତରେ ତା’ର ପୂର୍ବାବସ୍ଥା ପୁଣି ଫେରି ନ ଆସିଲେ ଆଗାମୀ କାଲି ମୁଁ ଗୁଣିଆ ଡାକି ତୋତେ ଭଲକି ଶିକ୍ଷା ଦେବି ।”
ପିଶାଚ କହିଲା “ରାଗ ନାହିଁ ବାବୁ । ମୁଁ ତମ ଝିଅକୁ ପୁଣି ଝିଅ କରିଦେବି ।”
ଆଉ ଟିକିଏ ପରେ ସ୍ତ୍ରୀ ଲୋକଟିକୁ ଦେଖି ପିଶାଚ ଯେମିତି ତା’ ଆଗକୁ ଆସିଛି ସ୍ତ୍ରୀ ଲୋକଟି କହିଲା, “ହଇରେ ପିଶାଚ! ତୁ ମୋ ସ୍ୱାମୀକୁ ମଦପିଆ ଛଡାଇବା ନିମନ୍ତେ ତା’ ଚେତା ହରାଇନେଇ ପକାଇ ଦେଲୁ? ମୁଁ କ’ଣ ତୋତେ ଏଇଆ କରିବାକୁ କହିଥିଲି? ରହିଥା ମୁଁ କାଲି ଗୁଣିଆକୁ ଡାକୁଛି!”
“ମାଉସୀ! ତମେ ଆଉ ରାଗ ନାହିଁ । ତମ ସ୍ୱାମୀ ଭଲ ହୋଇ ଉଠି ବସିବେ ।” ପିଶାଚ ଏହା କହି ଗଛ ଉପରକୁ ଯାଇ ମୁହଁ ମାରି ବସି ରହିଲା । ରାତି ଅଧ ବେଳକୁ ଗୋଟାଏ ପୁରୁଣା ପିଶାଚ ତା’ ପାଖକୁ ଆସି ତାକୁ କହିଲା, “ମୁଁ ତୋ ଅବସ୍ଥା ଦେଖୁଥିଲି । ତୁ ଗୋଟାଏ ମୂର୍ଖ । ଦେବଦେବୀଙ୍କ ପ୍ରତି ତାଙ୍କ ଭିତରେ ଭକ୍ତିଭାବ ଥାଏ ବୋଲି ମଣିଷମାନେ ମନ୍ଦିରକୁ ଯାଆନ୍ତି । କାମନା ବାସନା ପୂରଣ ହୋଇପାରେ ନ ବି ହୋଇପାରେ । ତଥାପି ମଧ୍ୟ ସେମାନେ ଯିବେ । ତୁ ପିଶାଚଟାଏ । ପିଶାଚ ପ୍ରତି କାହାର ଭକ୍ତିଭାବ ଆସିପାରେ? ମନ୍ଦିରରେ ପୂଜା ପାଇବୁ, ତୋର ଏଡେ ଦୁରାଶା? ତୁ ବି ଦିଅଁଙ୍କୁ ମନେ ମନେ ଡାକ । ତା’ହେଲେ ଅନ୍ତତଃ ପିଶାଚ ଅବସ୍ଥାରୁ ମୁକ୍ତି ପାଇବୁ ।”
ସାନ ପିଶାଚ ମୁଣ୍ଡ ଟୁଙ୍ଗାରି ଚୁପ୍ ରହିଲା ।