ଏପଟେ ନିଶା ଗରଜୁଥାଏ । ସେପଟେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ହେଉଥାଏ । ଠିକ୍ ସେତିକିବେଳେ ଆଖପାଖ ବଣ ବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ, ଆହୁରି ପୁଣି ଭୟାବହ ମୁହଁଟି ମାନ ଘନ ଘନ ବିଜୁଳି ଆଲୋକରେ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ଉତାରି ଆଣିଲେ । ତେବେ ରାଜନ୍ ତାକୁ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, “ରାଜନ୍! ଏହି ଭୟଙ୍କର ଶ୍ମଶାନକୁ ଦିବା ସମୟରେ ମଧ୍ୟ କେହି ବି ଆସିବାକୁ ସାହସ କରିବ ନାହିଁ । କିନ୍ତୁ ତୁମେ ଏ ଅର୍ଦ୍ଧରାତ୍ରରେ ନିର୍ଭୟ ଭାବରେ ବିଚରଣ କରୁଛ । ମୋ କଥା ମାନ, ଆଉ ରାଜଭବନକୁ ଫେରିଯାଇ ସେଠାରେ ଆରାମରେ ବିଶ୍ରାମ ଗ୍ରହଣ କର । ଏଭଳି ବ୍ୟର୍ଥ ପ୍ରୟାସରେ ନିଜର ଜୀବନ ଆଦୌ ବିପନ୍ନ କର ନାହିଁ । ଅବଶ୍ୟ ମୁଁ ଭାବୁନାହିଁ ଯେ, ତୁମେ କୌଣସି ସ୍ୱାର୍ଥ-ପ୍ରେରିତ ହୋଇ ଏପରି କାର୍ଯ୍ୟ କରୁଥିବ ବୋଲି । କାହିଁକିନା ଏପରି କୌଣସି ବସ୍ତୁ ନାହିଁ, ଯାହାକି ତୁମର ଅଧିକାର ଓ ଭୋଗର ବାହାରେ ଥିବ । ତେବେ ନିଶ୍ଚୟ କାହାକୁ ସାହାଯ୍ୟ କରିବା ଉଦ୍ଧେଶ୍ୟରେ ତୁମେ ଏହି ଦୁଃସାଧ୍ୟ କାର୍ଯ୍ୟରେ, ନିୟୋଜିତ ହୋଇଥିବା ସମ୍ଭବ । ଯେଉଁ ଲୋକ ତୁମର ସହାୟତା ଲୋଡିଛି, ତୁମ ମାଧ୍ୟମରେ ସେ ନିଜର ସ୍ୱାର୍ଥ ପୂରଣ ପାଇଁ ଷଡଯନ୍ତ୍ର ରଚନା କରିଛି, ତୁମକୁ ପ୍ରତାରିତ କରୁଛି ପ୍ରକୃତରେ ସେ କିଏ, ମୋ ଆଗରେ ତାହା ପ୍ରକାଶ କର । ଯଦି ସେହି ଜଣକ କୌଣସି ପଣ୍ଡିତ ବା ମେଧାବୀ ବ୍ୟକ୍ତି ହୋଇ ଥାଆନ୍ତି, ତେବେ ତ ତୁମକୁ ଯଥେଷ୍ଟ ସତର୍କ ରହିବା ପାଇଁ ପଡିବ । କାରଣ ଜଣେ ସ୍ୱାର୍ଥପର ଅଶିକ୍ଷିତ ଅପେକ୍ଷା ଜଣେ ସ୍ୱାର୍ଥପର ପଣ୍ଡିତ ଅଧିକ ବିପଦଜନକ ଅଟନ୍ତି । ଜନ୍ମରୁ ସ୍ୱଳ୍ପବୁଦ୍ଧି ସମ୍ପନ୍ନ ଥିବା ଜଣେ ଲୋକ, ଏକ ପିଶାଚର ସହାୟତାରେ ଜଣେ ପଣ୍ଡିତ ଲୋକ ବୋଲାଇଲା । କିନ୍ତୁ ପରେ ସେହି ମେଧାବୀ, ଷଡଯନ୍ତ୍ରକାରୀ ରୂପେ ପିଶାଚ ସହିତ ଦ୍ରୋହ ଆଚରଣ କଲା । ତେଣୁ ଏପରି ବକ୍ରବୁଦ୍ଧି ସମ୍ପନ୍ନ ବିଜ୍ଞ ଲୋକଙ୍କୁ ବିଶ୍ୱାସ କରିବା, ନିଜ ପାଦରେ ନିଜେ କୁରାଢୀ ମାରିବା ସହିତ ସମାନ ଅଟେ । ଏପରି ଜଣେ ସ୍ୱାର୍ଥପରର କାହାଣୀ ମୋ ନିକଟରୁ ଶୁଣ । ଶୁଣିଲେ ତୁମ ପଥଶ୍ରମ ଲାଘବ ହେବ ।” ଏହାପରେ ସେ ବେତାଳ ଗପିବାକୁ ଆରମ୍ଭ କଲା ।
ବିଶାଳ ଦେଶରେ ଜଣେ ଯୁବକ ରହୁଥିଲା । ବାଲ୍ୟକାଳରୁ ସେ ତାଙ୍କ ପିତା-ମାତାଙ୍କୁ ହରାଇଥିବାରୁ, ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଲାଳନ-ପାଳନ କରି ବଡ କରିଥିଲେ । ଜନ୍ମରୁ ସେ ଯୁବକ ଜଣକ ସ୍ୱଳ୍ପ-ବୁଦ୍ଧିସମ୍ପନ୍ନ ଥିଲା । ତାହାର ମଗଜରେ କିଛି ବି ଧରୁ ନ ଥିବାରୁ, ସେ କିଛି ପାଠ ମଧ୍ୟ ପଢି ନଥିଲା । କେବଳ ସେହି କାରଣରୁ ଲୋକମାନେ ତାକୁ ନିର୍ବୋଧ ବୋଲି ଡାକୁଥିଲେ । ତା’ର ସେହି ସମ୍ପର୍କୀୟ ଜଣେ ଧନବାନ୍ ବ୍ୟକ୍ତି । ତାଙ୍କର ଗୋଟିଏ ଅସୁନ୍ଦରୀ କନ୍ୟା ଥାଏ । ମୃତ୍ୟୁ ପୂର୍ବରୁ ସେହି ବ୍ୟକ୍ତି, ନିଜର କନ୍ୟାକୁ ନିର୍ବୋଧ ସହିତ ବିବାହ ଦେଇଥିଲେ ।
ନିର୍ବୋଧର ବଡ ଆଶା ଥାଏ ଯେ, ସେ ରାଜାଙ୍କ ଦରବାରରେ ଖଣ୍ଡେ ଚାକିରୀ କରିବ । ସେଥିପାଇଁ ସେ ତା’ ନିଜକୁ ଯୋଗ୍ୟ କରିବା ନିମନ୍ତେ, ପଢାପଢି କରିବା ପାଇଁ ଚାହୁଁଥାଏ । କିନ୍ତୁ ନିଜର ବୁଦ୍ଧିହୀନତା ଯୋଗୁଁ ତାହା ମୋଟେ ସମ୍ଭବ ହେଉ ନ ଥାଏ । ଏହି କାରଣରୁ ତା’ର ମିତ୍ରମାନେ ତା’କୁ ବେଶ୍ କୌତୁକ କରନ୍ତି । କିନ୍ତୁ ସମସ୍ତେ ନିର୍ବୋଧକୁ ବେଶୀ ଭଲ ପାଆନ୍ତି । କାରଣ ସେ ଅତ୍ୟନ୍ତ ନିର୍ଭୀକ । ଯେ କୌଣସି ବିପଦଜନକ କାର୍ଯ୍ୟ କରିବାକୁ ସେ ସଦା ସର୍ବଦା ପ୍ରସ୍ତୁତ ଥାଏ । କେବେ ବି କୋଉକାମରେ ସେ ପଛଘୁଂଚା ଦିଏ ନାହିଁ ।
ଥରେ ନିର୍ବୋଧ ସହିତ ତା’ର ବନ୍ଧୁମାନେ ଏକ ବାଜି ଲଗାଇଲେ । ତାହା ଥିଲା – ନଗର ଠାରୁ ଅଳ୍ପଦୂରରେ ଥାଏ ଏକ ପୁରୁଣା ଦୁର୍ଗ । ପୁଣି ତା’ ନିକଟରେ ଥାଏ ଏକ ଶ୍ମଶାନ । ଲୋକମାନେ କହନ୍ତି, ଏଠାରେ ପ୍ରେତାତ୍ମାଗଣ ବିଚରଣ କରନ୍ତି । ଯିଏ ଥରେ ସେହି ଦୁର୍ଗକୁ ଯାଇଛି, ସେ ଆଉ ତା’ ଜୀବନରେ କେବେବି ସେଠାରୁ ଫେରି ନାହିଁ । ତେଣୁ ସେଠାକୁ ଯିବାକୁ କେହି କେବେବି ସାହସ କରନ୍ତି ନାହିଁ । ସାଙ୍ଗମାନେ ନିର୍ବୋଧ ସହିତ ଏହା ବାଜି ଲଗାଇଲେ ଯେ, ସେ ସେହି ସ୍ଥାନକୁ ଅର୍ଦ୍ଧରାତ୍ରରେ ଯିବ ଓ ପ୍ରମାଣ ସ୍ୱରୂପ ସେଠାରୁ କୌଣସି ଗୋଟିଏ ବସ୍ତୁ ଆଣିବ ।