ନିଃସଙ୍କୋଚରେ ନିର୍ବୋଧ ଠିକ୍ ଅର୍ଦ୍ଧରାତ୍ର ବେଳକୁ ସେହି ଦୁର୍ଗ ମଧ୍ୟକୁ ଗଲା । ଘନ ଅନ୍ଧକାରରେ, ବିକଟାଳ ଧ୍ୱନି ଶୁଭୁଥିଲେ ମଧ୍ୟ ସେ ସେହି ଦୁର୍ଗରେ ସ୍ୱଚ୍ଛନ୍ଦରେ ସେ ଚଲାବୁଲା କଲା । ଗୋଡରେ କ’ଣ ଗୋଟାଏ ବାଜିବାରୁ ସେ ତା’କୁ ଉଠାଇ ଆଣି ହାତରେ ଧରିଲା । ସେଇଟା ଗୋଟିଏ ମଣିଷ ମୁଣ୍ଡର ଖପୁରୀ ଥିଲା । ପ୍ରମାଣ ସ୍ୱରୂପ ସେଇଟିକୁ ହାତରେ ଧରି ସେ ବାହାରକୁ ଆସିଲା ।
ସାଙ୍ଗମାନଙ୍କୁ ତାହା ଦେଖାଇବାରୁ, ସେମାନେ ଭୟରେ ଡରି ଥରି ଶୀଘ୍ର ସେହି ଖପୁରୀକୁ ନେଇ ନଦୀରେ ଫିଙ୍ଗିଦେବାକୁ ପରାମର୍ଶ ଦେଲେ । କିନ୍ତୁ ନିର୍ବୋଧ ସେମାନଙ୍କ କଥାକୁ ବେଖାତିର୍ କରି, ଖପୁରୀଟି ନେଇ ନିଜ ଘରର ଏକ ଭାଡି ଉପରେ ଲୁଚାଇ ଦେଲା । ସେହିଦିନ ରାତିରେ ସେ ନିଘୋଡ ନିଦରେ ଶୋଇଥାଏ, ହଠାତ୍ ତା’ର ନିଦ ଭାଙ୍ଗିଗଲା । ଦେଖେତ, ଯେଉଁ ସ୍ଥାନରେ ସେ ଖପୁରୀଟି ରଖିଥିଲା, ସେଠାରେ ଭୟଙ୍କର ଆକାରର ଏକ ବିଚିତ୍ର ପ୍ରାଣୀ ବସିଛି । ତା’ର ଶରୀରର ରଙ୍ଗ ତମ୍ବାବର୍ଣ୍ଣ । ଦାଢୀ, କେଶ ଓ ଆଖି ଡୋଳାର ରଙ୍ଗ ରୂପା ବର୍ଣ୍ଣର ଅଟେ । ଜ୍ୱଳନ୍ତ ଅଙ୍ଗାର ପରି ତା’ର ଆଖି ଖାଲି ଜଳୁଥାଏ । ନିର୍ବୋଧ ସେହି କଦାକାର ପିଶାଚକୁ ଦେଖିବାରେ ଲାଗିଥାଏ ।
ସେଇ ବିକୃତ ରୂପଧାରୀ ପିଶାଚ କହିଲା “ତୁମର ଧୈର୍ଯ୍ୟ ଓ ସାହସ ଅତ୍ୟନ୍ତ ପ୍ରଶଂସନୀୟ । ଘରେ ମୋତେ ଅତିଥିର ସ୍ଥାନ ପ୍ରଦାନ କରିଛ । ତେଣୁ ତୁମକୁ ଦୃଶ୍ୟ ହେବି । ଆମେ ଦୁହେଁ ଦୁଃଖସୁଖ ହେବା । ଯଦି ତୁମକୁ ଡର ଲାଗୁଛି, ତେବେ ଖପୁରୀଟି ନେଇ, ଯେଉଁ ସ୍ଥାନରୁ ଆଣିଥିଲ ସେଠାରେ ପକାଇ ଦିଅ, ମୁଁ ତୁମକୁ ଆଉ କେବେବି ଦେଖା ଦେବି ନାହିଁ ।”
“ଡର ଆଉ ମୁଁ? କେବେ ନୁହେଁ । ମୋତେ ଆଦୌ ଡର ଲାଗେ ନାହିଁ ।” ନିର୍ବୋଧ ହସି ହସି ଏପରି କହି ପଚାରିଲା, “ତୁମେ ତ କାଇଁ ନିଜର ପରିଚୟ ଦେଲ ନାହିଁ ।”
ତା’ପରେ ସେହି ପିଶାଚ କହିଲା “ମୋର ନାମ ବେତାଳିକା ମୋ ସମୟରେ ମୁଁ ଅନେକ ବିଦ୍ୟା ଶିକ୍ଷା କରିଥିଲି । ମୋର ସବୁଠାରୁ ପ୍ରିୟ ବିଦ୍ୟା ଥିଲା ଅସ୍ତ୍ର ଚିକିତ୍ସା ।”
ନିର୍ବୋଧ ତା’ ସହିତ ଆଉ କଣ କଥାହେବା ପାଇଁ ଚାହୁଁଥିଲା । ଠିକ୍ ଏହି ସମୟରେ କୁକୁଡା ରାବ ଶୁଣାଯିବାରୁ, ସକାଳ ହେବାର ସଂକେତ ଜାଣି ବେତାଳିକ ସେଠାରୁ ଅଦୃଶ୍ୟ ହୋଇଗଲା ।
ପରଦିନ ଅର୍ଦ୍ଧରାତ୍ର ସମୟରେ ନିର୍ବୋଧ ବେତାଳିକକୁ ସ୍ମରଣ କରିବାରୁ ସେ ପ୍ରକଟ ହେଲା । ଦୁହେଁ ଦୁର୍ଗ ନିକଟସ୍ଥ ପୁରୁଣା ମନ୍ଦିର ପାଖକୁ ଯାଇ ବସିଲେ, ଓ ବହୁ ସମୟ ଧରି କଥାବାର୍ତ୍ତା ହେଲେ ସେହିଦିନ ଠାରୁ ନିର୍ବୋଧ ରାତିର ଅଧିକାଂଶ ସମୟ ବେତାଳିକ ସହିତ ବିତାଏ ।
ଏହିପରି କିଛି ଦିନ ବିତିଗଲା । ତା’ର ପତ୍ନୀ ଅନୁମାନ କରି ନେଲା ଯେ, ନିର୍ବୋଧ ପ୍ରାୟ ଅଧାରାତିରେ କେଉଁଆଡେ ଉଠି ଚାଲି ଯାଉଛି ଓ ଧୀରେ ସକାଳକୁ ଆସି ପହଁଚିଯାଉଛି । ଦିନେ ସେ ଏହାର କାରଣ ତା’ ପତିକୁ ପଚାରିଲା । ନିର୍ବୋଧ ସତକଥା ସବୁ କହିଦେଲା ।
ସବୁକଥା ଶୁଣି ତା’ ପତ୍ନୀ ଅତିଶୟ ଭୟଭୀତା ହୋଇ କହିଲା “କ’ଣ, ଏକ ପିଶାଚ ସହିତ ମୈତ୍ରୀ ହେବା ସମ୍ଭବ? ମୋର ଭୟ ଜାତ ହେଉଛି ଯେ, କୌଣସି ଦିନ ତୁମେ ତା’ର ଫାଶରେ ପଡିଯିବ ଓ ଆମର ସର୍ବନାଶ ହେବ । ତେଣୁ ଯେ କୌଣସି ଉପାୟରେ ତା’ଠାରୁ ମୁକୁଳି ଆସ ।”
“ଯଦି ତା’ର ମନରେ ମୋର କ୍ଷତି କରିବାର ମତଲବ ଥାଆନ୍ତା, ତେବେ ସେ କେବେଠାରୁ ତାହା କରି ସାରନ୍ତାଣି । ଏବେ ଯେତେବେଳେ କଥା ଏତେ ଆଗେଇଗଲାଣି, ତା’ଠାରୁ ମୁକୁଳିବା ପାଇଁ ଚେଷ୍ଟା କରିବା ମଧ୍ୟ ବିପଦଜନକ ଅଟେ ।” ଏହିପରି ଭାବେ ନିର୍ବୋଧ ନିଜର ଆଶଙ୍କା ପ୍ରକାଶ କଲା ।
କିଛିଦିନ ମଧ୍ୟରେ ବେତାଳିକ ଜାଣିଗଲା ଯେ, ନିର୍ବୋଧ ତା’ର ନାମ ଅନୁସାରେ ବୁଦ୍ଧିହୀନ ଓ ବୋକା ଅଟେ ।