ଦିନେ ସେ ଦୁହେଁ ପଶା ଖେଳୁଥିବା ସମୟରେ ପ୍ରଥମରୁ ହିଁ ନିର୍ବୋଧ ହାରିଗଲା । ବେତାଳିକ ଏଥିରେ ଖପା ହୋଇ କେଉଁଆଡେ ଅଦୃଶ୍ୟ ହୋଇଗଲା । ନିଜର ବୁଦ୍ଧିହୀନତା ପାଇଁ ନିର୍ବୋଧ ନିଜକୁ ନିଜେ କେତେ ନିନ୍ଦା କରି ଘରକୁ ଫେରିଲା ଓ ଗାଢ ନିଦ୍ରାରେ ଶୋଇ ପଡିଲା । ନିଦ୍ରାରେ ଅଶ୍ୱସ୍ତି ଅନୁଭବ କରିବାରୁ ସେ ହଠାତ୍ ଉଠି ପଡିଲା । ଦେଖିଲା ତା’ ସାମ୍ନାରେ ବେତାଳିକ ଠିଆ ହୋଇଛି । ସେ ତା’ ହାତରେ ଏକ ଉଜ୍ଜ୍ୱଳ, ଧାରୁଆ ତରବାରୀ ଧରିଛି, ଯେଉଁଥିରେ କି ବିନ୍ଦୁ ବିନ୍ଦୁ ରକ୍ତ ଲାଗିଛି । ଏହା ଦେଖି ନିର୍ବୋଧକୁ ଖୁବ୍ ଭୟ ଲାଗିବାରୁ ସେ ସେହିକ୍ଷଣି ବେହୋସ ହୋଇଗଲା ।
କିଛି ସମୟ ପରେ ଚେତା ଫେରିବାରୁ ସେ ତା’ ଆଖି ଫିଟେଇ ଦେଖିଲା ଯେ, ସାମ୍ନାରେ ବେତାଳିକ, ପୂର୍ବପରି ଅଛି । ସେ ହସି ହସି ତା’କୁ କହିଲା, “ଭୟ କରନାହିଁ, ତୁମ ପ୍ରତି କୌଣସି ବିପଦ ନାହିଁ । ତୁମ ମୁଣ୍ଡରେ ତ ଆଦୌ ବୁଦ୍ଧି ନ ଥିଲା । ମୋର ଦରକାର ଥିଲା, ମୋ ପରି ସମାନ ବୁଦ୍ଧିଶାଳୀ ଜଣେ ବନ୍ଧୁ । ତେଣୁ ମୁଁ ତୁମକୁ ମେଧାବୀ କରିଦେଲି, ଏବେଠାରୁ ତୁମର ଓ ମୋର ବନ୍ଧୁତ୍ୱ ବଢିଯିବ । ଯାହାଦ୍ୱାରାକି ତୁମ ସହିତ ସମୟ ବିତାଇବାରେ ମୋତେ ଅଧିକ ଆନନ୍ଦ ମିଳିବ ।”
ଖୁବ୍ କମ୍ ଦିନ ମଧ୍ୟରେ ନିର୍ବୋଧ ଅନେକ ବିଦ୍ୟା ଶିଖିଗଲା । ତାହାର ଅସାଧାରଣ ବୁଦ୍ଧିମତା ଦେଖି ସମସ୍ତେ ବିସ୍ମୟାଭିଭୂତ ହେଲେ । ରାଜାଙ୍କ ଦରବାରରେ ତାକୁ ଏକ ଭଲ ପଦବୀ ମିଳିଲା । ତେଣୁ ସମସ୍ତେ ତାକୁ ଏଥର ଆଉ ନିର୍ବୋଧ ନ କହି ବୁଦ୍ଧିରାମ ନାମରେ ଡାକିଲେ ।
ଦିନେ ରାତିରେ ବୁଦ୍ଧିରାମ ଚିନ୍ତିତ ଜଣା ପଡିବାରୁ ବେତାଳିକ ତା’କୁ ତା’ର ଚିନ୍ତାର କାରଣ ସମ୍ବନ୍ଧରେ ପ୍ରଶ୍ନ କଲା ।
ବୁଦ୍ଧିରାମ ତା’ ଚିନ୍ତାର କାରଣ ପ୍ରକାଶ କରିବାକୁ ଯାଇ କହିଲା “ମୁଁ ଯେତେବେଳେ ଛୋଟ ଥିଲି, ମୋର ବିବାହ ହୋଇଥିଲା । ମୋର ପତ୍ନୀଙ୍କର ଶରୀର ଗଠନ, ଅଙ୍ଗସୌଷ୍ଠବ ଆକର୍ଷଣୀୟ ହେଲେ କ’ଣ ହେବ, ମୁଖର ଆକୃତି ସୁନ୍ଦର, ତାଙ୍କର ଚେହେରା ସୁନ୍ଦର ହୋଇଥିଲେ ମୁଁ ଖୁସି ହୋଇଥାନ୍ତି ।”
ବେତାଳିକ କହିଲା “ମୁଁ ତୁମର ପତ୍ନୀଙ୍କୁ ସୁନ୍ଦରୀ କରିଦେଇ ପାରିବି । କିନ୍ତୁ ସେଥିଲାଗି ତୁମକୁ କିଛି ଦିନ ଅପେକ୍ଷା କରିବାକୁ ହେବ । ଏପରି ଜଣକୁ ଖୋଜି ବାହାର କରିବାକୁ ପଡିବ । ଯାହାର ବୟସ, ଉଚ୍ଚତା ଓ ଶରୀରର ରଙ୍ଗ, ତୁମର ସ୍ତ୍ରୀଙ୍କ ସହିତ ପୁରାପୁରି ମିଶିଯାଉଥିବ ।”
ସେ ଏପରି କ’ଣ ସବୁ କହୁଛି, ତାହା ବୁଦ୍ଧିରାମ ବୁଝି ପାରିଲା ନାହିଁ । ତେବେ ମଧ୍ୟ ସମ୍ମତିରେ ସେ ତା’ ମୁଣ୍ଡ ହଲାଇଲା ।
ପ୍ରାୟ ଏକ ମାସ ପରେ, ବେତାଳିକ ବୁଦ୍ଧିରାମକୁ ନିଦରୁ ଉଠାଇ କହିଲା, “ଯାଅ, ଏବେ ତୁମେ ଟିକେ ତୁମ ପତ୍ନୀଙ୍କୁ ଦେଖି ଆସ ।”
ସେ ପରବର୍ତ୍ତୀ କକ୍ଷକୁ ଯାଇ ପତ୍ନୀଙ୍କୁ ଦେଖେତ ହଠାତ୍ ସେ ଆଗେ କିଛି ବିଶ୍ୱାସ କରିପାରିଲା ନାହିଁ । କାହିଁକିନା ସେତେବେଳେ ତା’ର ମନେ ହେଉଥିଲା କୌଣସି ଅପ୍ସରାଠାରୁ ମଧ୍ୟ ତା’ର ପତ୍ନୀ ଅଧିକ ସୁନ୍ଦର ।
ପରଦିନ ପ୍ରଭାତରେ ତା’ର ପତ୍ନୀ ଦର୍ପଣରେ ନିଜର ଚେହେରା ଦେଖିବା ମାତ୍ରେ ହଠାତ୍ ଭୀଷଣ ଭାବେ ଚିତ୍କାର କରି ଉଠିଲା । ବୁଦ୍ଧିରାମ ତା’କୁ ବୁଝାଇ ଦେଲେ ଯେ, ଏସବୁ କେବଳ ବେତାଳିକର ଦୟାରୁ ହିଁ ସମ୍ଭବ ହୋଇଛି । ତା’ର ପତ୍ନୀ, ନିଜେ ସୁନ୍ଦରୀ ବନିଯିବା ନେଇ ଖୁସି ହେବା ପରିବର୍ତ୍ତେ, ପିଶାଚ ସହିତ ବନ୍ଧୁତା କରିବା ଘଟଣା ଉପରେ ନିଜର ଉଦ୍ବେଗ ପ୍ରକାଶ କଲା । ସେ ଭାବୁଥିଲା ଯେ, ପିଶାଚ ସହିତ ଏପରି ସମ୍ପର୍କ ରଖିଲେ, ଅବଶ୍ୟ ଦିନେ ନା ଦିନେ ସେମାନେ ବିପଦରେ ପଡିବେ ଓ ନିଶ୍ଚୟ କିଛି ଅନର୍ଥ ଘଟିବ ।