ସେହି ଦିନ ବୁଦ୍ଧିରାମ ଜାଣିବାକୁ ପାଇଲା ଯେ, ଯାହାର ମସ୍ତକ ତା’ର ପତ୍ନୀର ଶରୀରରେ ଶୋଭା ପାଉଛି, ତାହା ପଡୋଶୀ ଦେଶର ଜଣେ ରମଣୀର ଅଟେ । ତା’ର ଶିର, ଶରୀରରୁ ଅଲଗା କରି, ତା’କୁ କେହି ହତ୍ୟା କରିଛି । ସେହି ସ୍ତ୍ରୀଲୋକର ପତି ହତ୍ୟାକାରୀର ସନ୍ଧାନରେ, ଯେ କୌଣସି ମୁହୂର୍ତ୍ତରେ ଏହି ନଗରୀକୁ ସେ ଆସିପାରେ, ଏହି ଆଶଙ୍କାରେ ସେହିଦିନ ରାତିରେ ବେତାଳିକ ଠାରୁ ପ୍ରକୃତ ଘଟଣା ଜାଣିବା ପାଇଁ ସେ ଭାରି ଜିଦ୍ କଲା ।
ବେତାଳିକ ଏଥର ଅସଲ ରହସ୍ୟ ପ୍ରକାଶ କରିବାକୁ ଯାଇ କହିଲା “ଦେବତାଙ୍କ ପରି ବର ପ୍ରଦାନ କରିବାର ଶକ୍ତି ମୋର ତ ଆଉ ନାହିଁ । କେବଳ କିଛି ରହସ୍ୟ ବିଦ୍ୟା ଓ ଶସ୍ତ୍ରଚିକିତ୍ସା ମୋତେ ଜଣା । ତୁମକୁ ମୁଁ କିପରି ମେଧାବୀରେ ପରିଣତ କରିଛି, ତାହା ତୁମେ ଜାଣକି? ମୁଁ ତୁମର ମେଧା ବାହାର କରିଦେଇ, ସେଇ ସ୍ଥାନରେ ଜଣେ ଜ୍ଞାନୀଲୋକର ମେଧା ରୋପଣ କରିଦେଇଛି । ଠିକ୍ ସେହି ପରି ତୁମ ପତ୍ନୀଙ୍କ ଶିର କାଟିଦେଇ, ତା’ସ୍ଥାନରେ ମୁଁ ଜଣେ ରୂପବତୀଙ୍କ ଶିର ଯୋଡିଦେଇଛି ।”
“ତେବେ ତୁମେ କ’ଣ ସେହି ଯୁବତୀକୁ ହତ୍ୟା କରିଛ” ଏପରି କହି ବୁଦ୍ଧିରାମ ହଠାତ୍ ଚିତ୍କାର କରି ଉଠିଲା ।
ବୁଦ୍ଧିରାମର ଏଭଳି ଧମକପୂର୍ଣ୍ଣ କଥା ଶୁଣି ବେତାଳିକ ଅତ୍ୟନ୍ତ କ୍ରୋଧରେ ସେ ତା’ ଆଖି ଲାଲ୍ କରି ଚିତ୍କାର କଲା, “ପୂର୍ବ ଜନ୍ମରେ ପାପ କରିଥିବାରୁ, ତ ମୁଁ ଏହି ଜନ୍ମରେ ପିଶାଚ ରୂପ ଧାରଣ କରିଛି, ପୁଣି ମୁଁ ଏବେ ଆଉ କାହିଁକି ପାପ କରିବି? କିଏ କେଉଁ କାରଣରୁ ସେହି ସ୍ତ୍ରୀଲୋକର ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା, ତା ତ ମୁଁ ଜାଣେ ନାହିଁ । ମୁଁ କେବଳ ତା’ର ଶିରଟିକୁ ଆଣି ବ୍ୟବହାର କରିଛି ।
“ଯାହା ହେବାର ତ ହେଲା, ଏବେ ସେହି ସୁନ୍ଦରୀର ପତି ହତ୍ୟାକାରୀର ସନ୍ଧାନରେ ଯେ କୌଣସି ମୁହୂର୍ତ୍ତରେ ଏଠାରେ ଆସି ପହଁଚି ଯାଇପାରେ । ଯଦି ମୋର ପତ୍ନୀଙ୍କୁ ଦେଖି ସେ ରାଜାଙ୍କ ନିକଟରେ ଅଭଯୋଗ କରେ ଯେ, ମୁଁ ସେହି ହତ୍ୟାକାରୀ, ତେବେ ମୋର ଅବସ୍ଥା କ’ଣ ହେବ?” ଏପରି କେତେ କଥା କହି ବୁଦ୍ଧିରାମ ଶେଷରେ ନିଜ ମୁଣ୍ଡରେ ହାତ ଦେଇ ବସିଲା ।
ବେତାଳିକ ତା’ର ଏପ୍ରକାର ଭୟାତୁର ଭାବ ଦେଖି ଜୋର୍ରେ ହସିଉଠି କହିଲା, “ଭୟ କର ନାହିଁ, ଏଥିରେ ମୁଁ ତୁମର ନିଶ୍ଚୟ ସହାୟତା କରିବି । ମୋର ଶସ୍ତ୍ର-ଚିକିତ୍ସା ପ୍ରୟୋଗ କରିବି । ଯେଉଁଦିନ ସେ ତୁମ ବିରୁଦ୍ଧରେ ଅଭିଯୋଗ କରିବ, ଠିକ୍ ସେହିଦିନ ମୁଁ ତାର ମସ୍ତକ ଓ ତୁମର ମସ୍ତକକୁ ଅଦଳ ବଦଳ କରିଦେବି । ଫଳରେ ତୁମକୁ ବନ୍ଦୀ କରିବାକୁ ଆସିଥିବା ସୈନିକଗଣ ଓଲଟି ତାକୁ ବାନ୍ଧି ନେଇଯିବେ ।” ଏହା ଶୁଣି ବୁଦ୍ଧିରାମ ଆଉ କିଛି ନ କହି ଶେଷରେ ମୌନ ରହିଲା ।
ତତ୍ପରଦିନ ପ୍ରଭାତରେ ଏକ ଥଳିରେ ବେତାଳିକର ଖପୁରୀ ରଖି, ବୁଦ୍ଧିରାମ ନଗରଠାରୁ ଦୂରରେ ଥିବା ଶ୍ମଶାନ ଅଭିମୁଖେ ବାହାରିଲା । ସେଠାରେ ସେ ଏକ ଗର୍ତ୍ତ ଖୋଳି ତହିଁରେ ଉକ୍ତ ଖପୁରୀଟି ପୋତିଦେଲା । ଏଥୁଅନ୍ତେ ସେହିଦିନ ରାତ୍ରିରେ ପତ୍ନୀଙ୍କୁ ନିଜ ସାଙ୍ଗରେ ଧରି ସେ ବୁଦ୍ଧିରାମ କେଉଁ ଏକ ଦୂର ଦେଶକୁ ଚାଲିଗଲା ।
ବେତାଳ ଏହି କାହାଣୀ ଶୁଣାଇବା ପରେ ବିକ୍ରମାର୍କଙ୍କୁ ସେ ପ୍ରଶ୍ନ କଲା, “ରାଜନ୍, ନିର୍ବୋଧର ଏପରି ଆଚରଣ ପଛରେ କେଉଁ ରହସ୍ୟ ଅଛି? ବେତାଳିକ ତା’କୁ ଦୁଇ ଦୁଇଥର ସାହାଯ୍ୟ କରିଛି, ସେହି ସହାୟତା ତ ତା’ ପାଇଁ ମଙ୍ଗଳକର ହୋଇଛି । ତୃତୀୟ ଥର ସେ ତା’ର ସାହାଯ୍ୟ ଗ୍ରହଣ କରିଥିଲେ, ତା’କୁ ଆଉ ସେ ନଗରୀ ଛାଡି କେବେବି ଦୂରକୁ ଯିବା ପାଇଁ ପଡି ନଥାନ୍ତା । ଯଦିଓ ତା’ ପତ୍ନୀ, ପିଶାଚ ସହିତ ମୈତ୍ରୀ ନ କରିବା ପାଇଁ ବହୁ ଆଗରୁ ତାକୁ ଚେତାବନୀ ଦେଇଛି, ହେଲେ ସେ ତାହା ଶୁଣି ନ ଶୁଣିବା ପରି ରହି ଆସିଛି । କିନ୍ତୁ ପରିଶେଷରେ ସେ ତା’ ନିଜ ବୁଦ୍ଧିରେ ନିଜକୁ ସେ ପିଶାଚ କବଳରୁ ମୁକ୍ତ କରିଛି । ଯେଉଁ ବେତାଳିକ ସାହାଯ୍ୟରେ ସେ ନିର୍ବୋଧରୁ ବୁଦ୍ଧିରାମ ହେଲା, ତାହା ସହିତ ପୁଣି ଏପରି ବ୍ୟବହାର, ଏସବୁ କ’ଣ କୃତଘ୍ନତା ନୁହେଁ କି? ମୋର ସନ୍ଦେହର ସମାଧାନ ଜାଣି ମଧ୍ୟ ତୁମେ ନିରୁତ୍ତର ରହିଲେ, ନିଃସନ୍ଦେହ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।”
ବିକ୍ରମାର୍କ ତାଙ୍କ ଉତ୍ତରରେ କହିଲେ, “ଏଠାରେ ବୁଦ୍ଧିରାମକୁ ଜଣେ କୃତଘ୍ନ ମଣିଷ ବୋଲି ଆଦୌ କୁହାଯାଇ ପାରିବ ନାହିଁ । ତା’ର ସେପରି ଆଚରଣ ପଛରେ ବଳିଷ୍ଠ ଯୁକ୍ତି ରହିଛି । ବେତାଳିକର ବନ୍ଧୁତା ଥିଲା ସ୍ୱାର୍ଥ ପ୍ରଣୋଦିତ । ସେ ଏକ ବୁଦ୍ଧିମାନ ବ୍ୟକ୍ତି ସହିତ ବନ୍ଧୁତା କରିବାକୁ ଚାହୁଁଥିବାରୁ ନିର୍ବୋଧକୁ ସେ ବୁଦ୍ଧିମାନରେ ପରିଣତ କଲା । ମାତ୍ର ବୁଦ୍ଧିରାମ ସେତେବେଳେ ଏହା ଜାଣି ନଥିଲା ଯେ, ଅନ୍ୟ କାହାର ମେଧାରେ ତା’ର ବୁଦ୍ଧି ହୋଇଛି ବୋଲି, ତେଣୁ ସେ ତା’ ମନେ ମନେ ଭାବୁଥିଲା, ବେତାଳିକର କୌଣସି ବର ତା’କୁ ଏପରି କରିପାରିଛି, ଆଉ ସେହି କାରଣରୁ ସେ ତା’ ପତ୍ନୀର ସୌନ୍ଦର୍ଯ୍ୟ ପାଇଁ ବେତାଳିକକୁ ଜଣାଇଛି । କିନ୍ତୁ ନିର୍ବୋଧ ଯେତେବେଳେ ଅସଲ ରହସ୍ୟ ସେ ପିଶାଚ ଠାରୁ ଜାଣିପାରିଛି, ସେତେବେଳେ ହଠାତ୍ ବାସ୍ତବିକତାର ଭୟଙ୍କର ରୂପ ତା’ଆଗରେ ପ୍ରକାଶିତ ହୋଇଛି । ରୂପବତୀର ପତିର ଅଭିଯୋଗକୁ ମୁକ୍ତ କରିବା ପାଇଁ ସେ ଯେତେବେଳେ ବେତାଳିକକୁ ପ୍ରାର୍ଥନା କରିଛି, ତାହା ସେ ଏକ ଶସ୍ତ୍ର-ଚିକିତ୍ସା ମାଧ୍ୟମରେ ସମାଧାନ କରିବା ପାଇଁ ଚାହିଁଛି । ଏହା ତା’ଭିତରେ ଚେତନା ଜାଗ୍ରତ କରିଛି । ଯଦି ତାହାର ରୂପ ବଦଳ ହୋଇଯାଏ, ତେବେ ତାକୁ କେତେ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ, ତାହା ଭାବି ସେ ଅଚାନକ ବିବ୍ରତ ହୋଇପଡିଛି । ଶରୀରର ମୁଖ୍ୟ ଭାଗ ମୁଖ, ମୁଖରୁ ଜଣେ ମଣିଷର ପରିଚୟ ଜଣାପଡେ । ସେ ଏପରି ଅସ୍ୱାଭାବିକତାକୁ ଏଡେଇବା ପାଇଁ, ନିଜ ରୂପରେ ରହିବା ପାଇଁ ଚାହିଁଛି । ତେଣୁ ସେ ବେତାଳିକର ଖପୁରୀ ନେଇ ଶ୍ମଶାନରେ ଗାତ କରି ତାକୁ ସେଇଥିରେ ପୋତି ଦେଇଛି । ଏପରି କରିବା ଦ୍ୱାରା ସେ ନିଜର ଅସ୍ତିତ୍ୱକୁ ବଂଚାଇ ପାରିଛି । ତା’ର ଏପରି ଆଚରଣରୁ ମୁଁ ତ କାହିଁ କୌଣସି ଅନ୍ୟାୟ ଓ କୃତଘ୍ନତା ବାରିପାରୁ ନାହିଁ ।”
ଏହିପରି ଭାବେ ରାଜାଙ୍କର ମୌନଭଙ୍ଗ କରିବାରେ ସଫଳ ହୋଇ ଶବ ତଥା ଶବସ୍ଥିତ ସେହି ବେତାଳ ମଧ୍ୟ ରାଜାଙ୍କ କାନ୍ଧରୁ ଖସି ପୁନର୍ବାର ସେହି ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।