ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପିଶାଚର ସାହାଯ୍ୟ

                ତା’ ପରଦିନ ପ୍ରତ୍ୟୁଷରେ ଅନ୍ନପୂର୍ଣ୍ଣା ପୁଷ୍କରିଣୀରେ ସ୍ନାନ କରି ବରଗଛ ପାଖରେ ଯାଇ ପହଁଚିଲା । ସେଠାରେ ରାମେଶ୍ୱର ତାଙ୍କର ସମସ୍ତ ଦିବ୍ୟଶକ୍ତି ଅନ୍ନପୂର୍ଣ୍ଣାକୁ ଅର୍ପଣ କରିବା ପରେ କହିଲେ, “ଖବରଦାର, କୌଣସି ପରିସ୍ଥିତିରେ ମଧ୍ୟ ତୁମେ ଏହି ଦିବ୍ୟ ଶକ୍ତିକୁ ନିଜର ସ୍ୱାର୍ଥ ସାଧନ କରିବା ଉଦ୍ଧେଶ୍ୟରେ ପ୍ରୟୋଗ କରିବ ନାହିଁ । ଏହାର ଦୁରୁପୋଯୋଗ କଲେ ତୁମେ ପାଗଳ ହୋଇଯିବ ଓ ଏଣେ ତେଣେ ଘୁରି ବୁଲିବ ।” ଏହି ପ୍ରକାରେ ରାମେଶ୍ୱର ଅନ୍ନପୂର୍ଣ୍ଣାଙ୍କୁ ସାବଧାନ କରାଇଦେଲେ ।

                ଏପରି ଚେତାବନୀ ଶୁଣି ଅନ୍ନପୂର୍ଣ୍ଣା ସ୍ତବ୍ଧପ୍ରାୟ ହୋଇଗଲା । ସେ ଭାବିଲା, ଯେଉଁ ଶକ୍ତି ମୋର କୌଣସି କାମରେ ଲାଗିବ ନାହିଁ, ତାହା ମୋ ପାଖରେ ରହି କ’ଣ ବା ଲାଭ? ସେ ଏହି କଥା ଭାବୁ ଭାବୁ ରାମେଶ୍ୱର ସେ ସ୍ଥାନ ଛାଡି ଅନେକ ଆଗକୁ ଚାଲି ଯାଇଥିଲେ ।

                ଅନ୍ନପୂର୍ଣ୍ଣା ମନଦୁଃଖ କଲେ ବି ତାଙ୍କ ନିକଟରେ ଆଉ କିଛି ଉପାୟ ନ ଥିଲା । ସେ ନିଜର ଦିବ୍ୟଶକ୍ତି କଥା ଭୁଲିଯାଇ ପୂର୍ବପରି ଭୋଜନାଳୟ କାମରେ ଲାଗିଲା ।

                ଅନ୍ନପୂର୍ଣ୍ଣାର ପୋଷ୍ୟପୁତ୍ର ଗୋବିନ୍ଦ ଲକ୍ଷ୍ୟ କଲା ଯେ, ତା’ ମା’ ମନରେ ଆଗର ସେହି ଉତ୍ସାହ କିମ୍ବା କାମ କରିବାର ସ୍ପୃହା ଆଉ ନାହିଁ । ତେଣୁ ସେ ନିଜେ ଏହାର କାରଣ ଜାଣିବାକୁ ଅଡି ବସିଲା । ଏହାପରେ ଅନ୍ନପୂର୍ଣ୍ଣା ବାଧ୍ୟ ହୋଇ ଦିବ୍ୟଶକ୍ତି ସମ୍ବନ୍ଧୀୟ ସମସ୍ତ ଘଟଣାବଳୀ ବର୍ଣ୍ଣନା କଲା । ଏଥି ସହିତ ଏହି ଶକ୍ତିର ଅପବ୍ୟବହାର କଲେ କୁପରିଣାମ ଭୋଗିବା କଥା ମଧ୍ୟ କହିଲା ।

                ଗୋବିନ୍ଦକୁ ଏସବୁ କଥା ସ୍ୱପ୍ନ ପରି ମନେ ହେଲା । ସେ ସେହି ବିଷୟ ମନରୁ ଯମା ଭୁଲି ପାରିଲା ନାହିଁ । ଦିନେ ଦ୍ୱିପ୍ରହର ସମୟରେ ସେ ବରଗଛ ପାଖରେ ଯାଇ ଠିଆ ହେଲା । ହଠାତ୍ ତା’ର ନଜର ସମ୍ମୁଖରେ ଏକ ବିଚିତ୍ର ଆକୃତି ଦୃଶ୍ୟ ହେଲା । ଏଥିରୁ ସେ ଗୋବିନ୍ଦ ଜାଣିଗଲା ଯେ, ତାହା ଗୋଟିଏ ପିଶାଚ । ଏଣୁ ଭୟରେ ସେ ଖାଲି ଥରିବାକୁ ଲାଗିଲା ।

                ପିଶାଚ ତା’ ଇଶାରାରେ ଗୋବିନ୍ଦକୁ ମୋଟେ ଭୟ ନ କରିବାକୁ ଜଣାଇଲା । ଏହାପରେ ସେ ପିଶାଚ ଗୋବିନ୍ଦକୁ କହିଲା, “ତୁମର ପାଳିତ-ମାତା ଅନ୍ନପୂର୍ଣ୍ଣାଙ୍କୁ ମୋର ଶକ୍ତି ପ୍ରଦାନ କରିଥିବା ରାମେଶ୍ୱରର ମୁଁ ପିତା ଅଟେ । ପରିବାର ସହିତ ନିଆଁରେ ପୋଡି ହୋଇ ମରିଥିବାରୁ ମୁଁ ଆଜି ପିଶାଚ ହୋଇ ଯାଇଛି । ତୁମେ ତ ଅନ୍ନପୂର୍ଣ୍ଣାର ପୁତ୍ର ସମାନ । ତେଣୁ ସେ ଯଦି ଦିବ୍ୟଶକ୍ତିର ପ୍ରୟୋଗ କରି ତୁମକୁ ତୁମର ଭବିଷ୍ୟତ କଥା କହିବେ, ତେବେ ତାହା ସ୍ୱାର୍ଥପରତା ହେବ, କିନ୍ତୁ ମୁଁ ଯଦି ତୁମକୁ ଏହି ବିଷୟରେ କିଛି ସାହାଯ୍ୟ କରିବି, ତେବେ ଅନ୍ନପୂର୍ଣ୍ଣାର ଶକ୍ତି ନିଶ୍ଚୟ ତୁମ ଲାଗି କଲ୍ୟାଣପ୍ରଦ ହେବ ।”

                ତା’ର କଥା ଶୁଣି ଗୋବିନ୍ଦ ମନରେ ଟିକେ ସାହସ ହେଲା । ସେ ପଚାରିଲା, “ଏହା କିପରି ସମ୍ଭବ? ମୋ ମା’ର ଶକ୍ତି ପୁଣି ମୋ ପାଇଁ କିପରି ଶୁଭପ୍ରଦ ହେବ ।”

                ଏକଥା ଶୁଣି ରାମେଶ୍ୱରଙ୍କ ପିତା ପିଶାଚ କହିଲା, “ମୁଁ ମରି ଯାଇଛି, ତେଣୁ ସେ ସମ୍ବନ୍ଧରେ କଥା ହେବା ମୋ ପକ୍ଷରେ ଆଉ ସମ୍ଭବ ନୁହେଁ । ଏବେ କେବଳ ତୁମକୁ ହିଁ ମୋର ଭବିଷ୍ୟତ ସମ୍ପର୍କରେ ତୁମ ମା’ଙ୍କ ସହିତ କଥା ହେବାକୁ ପଡିବ । ସେ କଥା ଜାଣିବା ପରେ ଯାଇ ମୁଁ ତୁମକୁ କିଛି ସାହାଯ୍ୟ କରି ପାରିବି ।”

                ଗୋବିନ୍ଦ ଏହି ପ୍ରସ୍ତାବରେ ରାଜି ହେଲା ଓ ଘରକୁ ଫେରି ଅନ୍ନପୂର୍ଣ୍ଣାଙ୍କୁ ସବୁ କଥା ଜଣାଇଲା ।

ନିଜ ଶକ୍ତିର ପ୍ରୟୋଗ କରିବା ପାଇଁ ସୁଯୋଗ ମିଳିବାରୁ ଅନ୍ନପୂର୍ଣ୍ଣା ଖୁବ୍ ଖୁସି ହେଲା । କିନ୍ତୁ ଦିବ୍ୟଦୃଷ୍ଟିରେ ପିଶାଚର ଭବିଷ୍ୟତ ଦେଖି ଅନ୍ନପୂର୍ଣ୍ଣା ଅତ୍ୟନ୍ତ ଭୟଭୀତ ହୋଇ ପଡିଲା । କାରଣ ତା’ର ଦିବ୍ୟଶକ୍ତି ବଳରେ ସେହି ପିଶାଚ ମୁକ୍ତି ପାଇଯିବ । କିନ୍ତୁ ଏପରି କରିବା କୌଣସି ସ୍ୱାର୍ଥପର କାର୍ଯ୍ୟ ହୋଇଥିଲେ ସେ ନିଜେ ବିପଦରେ ପଡିବ । ତାଙ୍କର ଏହି ସନେନ୍ଦହକୁ ଦୂର କରିବା ପାଇଁ ଅନ୍ନପୂର୍ଣ୍ଣା ଗୋବିନ୍ଦ ସହିତ ବରଗଛ ପାଖରେ ଥିବା ସେହି ପିଶାଚ ପାଖକୁ ଗଲା ।

ପିଶାଚ ଗଛ ଉପରୁ ତଳକୁ ଆସି ଅନ୍ନପୂର୍ଣ୍ଣାକୁ ବିନୟର ସହିତ ପ୍ରଣାମ କଲା ଓ ତା’ପରେ ସେ କହିଲା, “ତୁମେ ଜାଣି ସାରିବଣି ଯେ, ମୁଁ ରାମେଶ୍ୱରର ପିତା । ନିଆଁରେ ପୋଡି ହୋଇ ମରିଥିବା ପରିବାରର ଲୋକଙ୍କ ମଧ୍ୟରେ ରାମେଶ୍ୱରର ଭଉଣୀ ତଥା ମୋର କନ୍ୟା ଗିରିଜା ମଧ୍ୟ ଥିଲା । ସେ ଏହି ଜନ୍ମରେ ପାଖ ଗ୍ରାମ ଶିବପୁରରେ ମୋର ସାନଭାଇ ଶିବରାଜର ନାତୁଣୀ ହୋଇଛି । ଯୁବତୀ ବୟସର ହେଲେ କ’ଣ ହେବ, ସେ ଏକ ମୂକ ଅଟେ । ତୁମର ଇଚ୍ଛା ଶକ୍ତି ବଳରେ ସେ କଥା କହି ପାରିବ । ମୋର ସାନଭାଇକୁ ତୁମେ କହିବ ଯେ ତୁମ ପୁତ୍ର ଗୋବିନ୍ଦ ସହିତ ତାଙ୍କ ନାତୁଣୀକୁ ବିବାହ ଦେବା ପାଇଁ ମୋର ପ୍ରବଳ ଇଚ୍ଛା ରହିଛି । ଶିବରାଜ ଧନୀ ହୋଇଥିବାରୁ ସେ ତୁମକୁ ପ୍ରଚୁର ଯୌତୁକ ଦେବ । ଫଳରେ ତୁମ ପୁତ୍ର ଧନୀ ହୋଇଯିବ । ଆଉ ମୋତେ ମଧ୍ୟ ଏହି ପିଶାଚ ରୂପରୁ ମୁକ୍ତି ମିଳିଯିବ । ଏଥିରେ କୌଣସି ସ୍ୱାର୍ଥର ପ୍ରଶ୍ନ ଉଠୁନାହିଁ । କେବଳ ପୁଣ୍ୟ ହିଁ ପୁଣ୍ୟ ।” ଏପରି କହି ପିଶାଚ ଅନ୍ନପୂର୍ଣ୍ଣାକୁ ଆଉ ଥରେ ପ୍ରଣାମ କଲା ଓ ଗଛ ଉପରକୁ ଚଢିଗଲା ।

ଅନ୍ନପୂର୍ଣ୍ଣା ପିଶାଚର କଥା ମନ ଦେଇ ଶୁଣିଲା । ତା’ ମନରେ ଥିବା ସନ୍ଦେହ ଦୂର ହୋଇଗଲା । ସେ ଗୋବିନ୍ଦକୁ ସାଙ୍ଗରେ ଧରି ଶିବପୁର ଗଲା ଓ ନିଜ ଯୋଗ ଶକ୍ତି ବଳରେ ଶିବରାଜଙ୍କ ନାତୁଣୀକୁ କଥା କହିବାର ଶକ୍ତି ପ୍ରଦାନ କଲା । ଅନ୍ନପୂର୍ଣ୍ଣାଠାରୁ ସବୁ କଥା ଜାଣିବା ପରେ ଶିବରାଜ ନିଜର ଏକମାତ୍ର ନାତୁଣୀ ସହିତ ଗୋବିନ୍ଦର ବିବାହ କରାଇଲେ ଓ ତାଙ୍କୁ ପ୍ରଚୁର ଯୌତୁକ ପ୍ରଦାନ କଲେ ।

ଅନ୍ନପୂର୍ଣ୍ଣାର ଦିବ୍ୟଶକ୍ତି ସମ୍ପର୍କରେ କ୍ରମେ ଆଖପାଖ ଗ୍ରାମର ଲୋକମାନେ ଜାଣି ପାରିଲେ । ବିଭିନ୍ନ ବର୍ଗର ଲୋକମାନେ ସେମାନଙ୍କର ଭବିଷ୍ୟତ ଜାଣିବା ପାଇଁ ତା’ ପାଖକୁ ଆସିବାକୁ ଲାଗିଲେ । ଅନ୍ନପୂର୍ଣ୍ଣା ନିଜର ଦିବ୍ୟଶକ୍ତି ବଳରେ ସେମାନଙ୍କର ଭବିଷ୍ୟତ ସମ୍ବନ୍ଧରେ ଜଣାଇ ପାରିଲା । ପ୍ରତିବଦଳରେ ସେମାନଙ୍କ ମଧ୍ୟରୁ ଅନ୍ନପୂର୍ଣ୍ଣା କିଛି ଗ୍ରହଣ କରିବା ସ୍ୱାର୍ଥପରତା ହେବ । ତେଣୁ ସେମାନଙ୍କ ପ୍ରଦତ୍ତ ଅର୍ଥରେ ସେ ସର୍ବସାଧାରଣଙ୍କ ପାଇଁ ଡାକ୍ତରଖାନା, ପାଠଶାଳା ଆଦି ସ୍ଥାପନ କଲା । ଏହିପରି ଭୋଜନାଳୟ ଚଳାଉଥିବା ଅନ୍ନପୂର୍ଣ୍ଣା, ଯୋଗମୟୀ ମା’ ଅନ୍ନପୂର୍ଣ୍ଣା ଭାବେ ପରିଚିତ ହେଲା । ସମସ୍ତେ ତା’ଙ୍କର ସମ୍ମାନ କଲେ । ସେ ବହୁବର୍ଷକାଳ ଜୀବିତ ରହି ସମାଜର ଅନେକ କଲ୍ୟାଣ ସାଧନ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ