ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପିଶାଚୀ

ରୂପାର ନିରୀହ ଓ ସରଳ କଥାବାର୍ତ୍ତାରେ ଚୋରମାନଙ୍କର ବିଶ୍ୱାସ ହୋଇଗଲା । ତା’ପରେ ସେମାନେ ଗୋଟିଏ ମେଣ୍ଢା ଚୋରାଇବାକୁ ବାହାରିଗଲେ ।

ରୂପା କହିଲା “ଏ କାମ ମୋ ଉପରେ ଛାଡିଦିଅ । ମୁଁ ଅନ୍ଧାରରେ ମେଣ୍ଢା ଭଲ ଭାବରେ ଦରାଣ୍ଡି ଦେବି । ତେଣୁ ମୁଁ ଆଗରେ ଚାଲୁଛି ତୁମେ ସବୁ ମୋ ପଛରେ ଆସ ।”

ରୂପାର ଏପ୍ରକାର କଥା ଶୁଣି ସେ ଚୋରମାନେ ତ ମହା ଖୁସି । ତେଣୁ କିଛି ବି ନକହି ସେମାନେ ରୂପା ପଛେ ପଛେ ଚାଲିଲେ । ଯେତେବେଳେ ସେମାନେ ମେଣ୍ଢା ଗୁହାଳ ନିକଟରେ ଯାଇ ପହଁଚିଲେ ରୂପା ସେମାନଙ୍କୁ ସେଇଠାରେ ରଖି ନିଜେ ଭିତରକୁ ଗଲା । ଭିତରୁ ସେ ଚିତ୍କାର କରି ପଚାରିଲା, “ଏଠି ତ ବହୁତ ମେଣ୍ଢା ଅଛନ୍ତି, ହେଲେ ତୁମର କ’ଣ ଦରକାର ମେଣ୍ଢା ନା ମେଣ୍ଢି?”

ତା’ର ଏଭଳି ଚିତ୍କାର ଶୁଣି ସେ ଚୋରମାନେ କହିଲେ “ଆରେ ଏତେ ଜୋର୍ରେ ଚିତ୍କାର କରନା; ମେଣ୍ଢା ହେଉ ବା ମେଣ୍ଢି ଯାହା ଗୋଟାଏ ହେଲେ ବି ଚଳିବ, ତାକୁ ଶୀଘ୍ର ନେଇ ବାହାରି ଆସ । ଖାଲି ଏତିକି ଦେଖିବ ସେ ମେଣ୍ଢାଟି ମୋଟା ହୋଇଥିବା ନିହାତି ଦରକାର ।”

ସେମାନଙ୍କ କଥା ଶୁଣି ରୂପା ପୁଣି ବଡ ପାଟିରେ କହିଲା “ମୋଟା ମେଣ୍ଢା ତ ନେଉଛି; ମାତ୍ର ଏକଥା କୁହ ଯେ ମେଣ୍ଢା ନା ମେଣ୍ଢି ଦରକାର?”

ଚୋରମାନେ ପୁଣି ତାକୁ ବୁଝାଇବାକୁ ଚେଷ୍ଟା କରି କହିଲେ “ଆରେ ତୁ ଏଡେ ଜୋର୍ରେ ପାଟି କରନାହିଁ । ଯାହା ହେଲେ ବି ହେବ ।”

କିନ୍ତୁ ରୂପାର ସ୍ୱଭାବ ତ ସେଇଆ । ସବୁ କଥାକୁ ଦୁଇଥର ନ କହିଲେ ସେ ଆଦୌ ବୁଝି ପାରିବ ନାହିଁ ।

ଇତିମଧ୍ୟରେ ଏତେ ପାଟି ଶୁଣି ସେ ମେଣ୍ଢାମାଲିକ ଉଠି ପଡିଲାଣି । ତା’ପରେ ସେ ଚୋର ଧରିବାକୁ ଦୌଡିଲା । ଫଳରେ ସେ ଚୋରମାନେ ଦୌଡି ପଳାଇଲେ ଓ ରୂପା ମଧ୍ୟ ସେମାନଙ୍କ ପଛରେ ଦୌଡିବାକୁ ଲାଗିଲା । ରୂପାର ରୂପ ଦେଖି ସେ ମେଣ୍ଢାମାଲିକ ଅତ୍ୟନ୍ତ ଭୟଭୀତ ହୋଇ ସେହିଠାରେହିଁ କାଠପରି ଠିଆ ହୋଇ ରହିଲା ଓ ଭାବିଲା, “ବୋଧହୁଏ ଏଇଟା ଗୋଟେ ପିଶାଚୀ; ସେ ହିଁ ସବୁଦିନେ ମେଣ୍ଢା ନେଇ ଯାଉଛି ।”

ସେଦିନ ଚୋରମାନେ ଓ ରୂପା ପେଟଭୋକ ପେଟରେ ମାରି ରହିଲେ । ରାତିରେ ପୁଣି ସେମାନେ କୁକୁଡା ଚୋରୀ କରିବାକୁ ଗଲେ, ରୂପା ମଧ୍ୟ ତାଙ୍କ ସାଙ୍ଗରେ ଗଲା । ସେମାନେ ତ ଆଉ କୁକୁଡା ଜାଗା ଦେଖି ନଥା’ନ୍ତି । ତେଣୁ ରୂପା କହିଲା, “ଏଥର ମୋ ଉପରେ ପୁରା ଛାଡିଦିଅ ଦେଖିବ ମୁଁ ଠିକ୍ ଜିନିଷ ନେଇ ଆସିବି ।

ପୂର୍ବରାତି ପରି ସେମାନେ ମଧ୍ୟ ବାହାରେ ରହିଲେ । ରୂପା ଭିତରକୁ ଯାଇ ଚିତ୍କାର କଲା, “କୁକୁଡା ନେବି ଯେ ମାଈ ନା ଅଣ୍ଡିରା ଦରକାର?”

ତା’କଥା ଶୁଣି ଚୋରମାନେ ପୁଣି କହିଲେ, “ଆରେ ତୁ ପୁଣି ପାଟିକଲୁ । ପାଟି କରନା, ଶୀଘ୍ର ନେଇ ସେଠାରୁ ବାହାରି ଆସ । ନହେଲେ ଠିକ୍ କାଲିପରି ଅବସ୍ଥା ଭାରି ଅସମ୍ଭାଳ ହେବ । ଖାଲି ମୋଟା ଦେଖି ଆଣିବ ।”

ସେକଥା ଶୁଣି ରୂପା ପୁଣି ଚିତ୍କାର କଲା “ମୋଟା ତ ନେବି ତେବେ ସେଇଟା ଗଞ୍ଜା ନା ମାଈ କୁକୁଡା?”

ଏତେ ଗୋଳମାଳ ମଧ୍ୟରେ କୁକୁଡାଗୁଡା ମଧ୍ୟ ପାଟି କଲେ । ଏସବୁ ଶୁଣି ତାଙ୍କ ମାଲିକ ମଧ୍ୟ ହଠାତ୍ ଉଠି ପଡିଲା । ଏସବୁ ଦେଖି ଚୋରମାନେ ଯିଏ ଯୁଆଡେ ପାରିଲେ ଦଉଡିଲେ, ଏଣେ ରୂପା ମଧ୍ୟ ପାଟିକଲା, “ଆରେ ରୁହ ରୁହ ମୁଁ କୁକୁଡା ଆଣୁଛି ହେଲେ ତମେମାନେ ଏଠାରୁ ଏମିତି କାହିଁକି ପଳାଉଛ?”

ହେଲେ ସେ ଚୋରମାନେ ରୂପାକଥା ଆଉ କି ଶୁଣୁଛନ୍ତି । ଜୀବନ ବିକଳରେ ସେମାନେ ଦୌଡି ପଳାଇଲେ ଏଣେ ରୂପା ମଧ୍ୟ ସେମାନଙ୍କ ପଛେ ପଛେ ଦୌଡିଲା ।

ମାଲିକ ଚୋରଙ୍କ ଆଡେ ଚାହିଁଥିଲା । ଏବେ ରୂପାକୁ ଚାହିଁବା ମାତ୍ରେ ଭୟରେ ସେ ମୂର୍ଚ୍ଛା ଗଲା ।

ଦୁଇଦିନ ଧରି ଆଉ ସେ ଚୋରମାନଙ୍କ କୌଣସି ବି ଦେଖା ଦର୍ଶନ ନାହିଁ । ତେଣେ ସେ ଗାଁସାରା ପ୍ରଚାର ହୋଇଗଲାଣି କି ଗୋଟିଏ ପିଶାଚୀ କାହୁଁ ଆସି ବଡ ଉପଦ୍ରବ କରୁଛି । ତେଣୁ ସମସ୍ତେ ଭୟଭୀତ ହୋଇ ରହିଥା’ନ୍ତି । ତୃତୀୟଦିନ ଚୋରମାନେ ପୁଣି ଚୋରୀ କରିବାକୁ ଗଲେ; କିନ୍ତୁ ରୂପାକୁ ତାଙ୍କ ସାଙ୍ଗରେ ନେବାକୁ ସେମାନେ ମନା କଲେ । କାହିଁକିନା ସେମାନେ ଭାବିଲେ ଯେ, ଏ ପିଶାଚୀ ଆମ ସାଥିରେ ଥିବା ପର୍ଯ୍ୟନ୍ତ ଆମେ ଭୋକରେ ମରିବା । ସେତେବେଳେ ରୂପାକୁ ମଧ୍ୟ ବହୁତ ଭୋକ ହେଉଥିଲା । ତେଣୁ ସେ ଗୋଟିଏ ସକରକନ୍ଦ କ୍ଷେତରେ ବସି ଉପାଡି ଉପାଡି ଗଜମଜ କରି ଗୋଟାଏ ପରେ ଗୋଟାଏ ଚୋବେଇ ଯାଉଛି । କ୍ଷେତବାଲା ରାତିରେ କ୍ଷେତ ଜଗି ସେଇଠି ଶୁଏ । ସେ ଶବ୍ଦ ଶୁଣି ସେ ତତ୍କ୍ଷଣି ଉଠିପଡି ଆସି ରୂପାକୁ ଦେଖି ସେଠୁ ପଳାଇ ଯାଇ ତାନ୍ତ୍ରିକକୁ ଡାକି ଆଣିଲା ।

ବିଚରା ତାନ୍ତ୍ରିକ ସେତେବେଳେ ଶୋଇଥିଲା । ତାକୁ ଡାକିବାରୁ ତରବରରେ ସେ କ୍ଷେତବାଲା ସାଙ୍ଗରେ ଦୌଡିଲା । ମଝିରେ ଏକ କାଦୁଅ ରାସ୍ତା ପଡିଲା । ସେଥିରେ ଯିବାକୁ ତାନ୍ତ୍ରିକ ନ ମଙ୍ଗିବାରୁ କ୍ଷେତବାଲା ବାଧ୍ୟହୋଇ ତାନ୍ତ୍ରିକକୁ କହିଲା, “ଠିକ୍ ଅଛି, ଏଥର ତମେ ମୋ କାନ୍ଧ ଉପରେ ବସ, ମୁଁ ତୁମକୁ ନେଇଯିବି କିନ୍ତୁ ମୋତେ ସେ ପିଶାଚୀଠାରୁ ମୁକ୍ତ ନ କରିଲେ ଶେଷରେ ମୋତେ ଦିନେ ଭିକ ମାଗିବାକୁ ପଡିବ ।”

ସେହି ସମୟରେ ତ ଅଳ୍ପ ଅନ୍ଧକାର ହୋଇଥିଲା । ରୂପା ଭାବିଲା ଚୋର ବୋଧହୁଏ କାହାଘରୁ ମେଣ୍ଢା ଉଠାଇ ଚାଲିଛି । ତେଣୁ ସେ ଜୋର୍ରେ ଚିତ୍କାର କରି କହିଲା, “ଆରେ ବଡ ମୋଟାସୋଟା ହୋଇଛି ତ କେଉଁଠୁଁ ପାଇଲୁ?”

ହଠାତ୍ ଏପରି କଥା ଶୁଣି କ୍ଷେତବାଲା ସେଇ କାଦୁଅରେ ସେମିତି ଠିଆ ହୋଇ ରହିଲା ।

ରୂପା ପୁଣି କହିଲା “ରହିଗଲୁ କାହିଁକି ଆସ? ମୋଟାସୋଟା ତ ହୋଇଛି, ତେବେ ତୁ କାହିଁକି ଡରୁଛୁ? ଏଇଟା ଆଜି ପାଇଁ ଠିକ୍ ଚଳିବ ।”

ଏତକ କଥା ଶୁଣିବା ମାତ୍ରେ କ୍ଷେତବାଲା ଚୁପ୍ଚାପ୍ ସେ ତାନ୍ତ୍ରିକକୁ କହିଲା, “ଶୁଣିଲ ତ? ଏବେ ନିଜ ଆଖିରେ ଦେଖିନିଅ । ବାବାରେ ସେ ତ ଏବେ ଆମରି ଆଡକୁ ହିଁ ଆସୁଛି । ତମେ କିଛି କହୁନା କାହିଁକି । ୟାକୁ ତଡିବା ପାଇଁ ତମପାଖେ କିଛି କଡାମନ୍ତ୍ର ନାହିଁ କି । ଏବେ ତମେ ତମ ନିଜକୁ ସମ୍ଭାଳ । ମୁଁ ଗଲି ।” ଏହା କହି ତାନ୍ତ୍ରିକକୁ କାଦୁଅରେ ଫିଙ୍ଗିଦେଇ କ୍ଷେତବାଲା ଲୋକଟି ପ୍ରାଣ ବିକଳରେ କୁଆଡେ ଦୌଡି ପଳାଇଲା ।

ରାମୁ ତ ଏ ସମସ୍ତ ଖବର ଆରମ୍ଭରୁ ଶୁଣିଥିଲା । ସୁତରାଂ ତା’ର ରୂପା ଉପରେ ଦୟା ଆସିଲା । ସେ ଭାବିଲା କେବଳ ତା’ରି ଯୋଗୁଁ ବିଚାରି ସରଳ ଝିଅଟି କେତେ ଯେ କଷ୍ଟ ନ ପାଇଲା । ତା’ପରେ ରାମୁ ସେ ରୂପାକୁ ଖୋଜି ବାହାର କରି ତାକୁ ନିଜ ଘରକୁ ନେଲା । ତା’ପରଦିନ ପୁରୋହିତଙ୍କୁ ଡାକି ରାମୁ ରୂପାକୁ ବିଭା ହୋଇ ପଡିଲା । ଏହାପରେ ସେମାନେ ଦୁହେଁ ବେଶ୍ ଖୁସିରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ