ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁଣ୍ୟଦାନର ମହିମା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ, ପୁଣି ତା’ସାଙ୍ଗକୁ ଝିପିଝିପି ବର୍ଷା । ଗହଳ ଗଛ ବୃକ୍ଷ ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । କୁକୁର, ବିଲୁଆଙ୍କ ରଡି ସାଙ୍ଗକୁ ଭୁତ, ପ୍ରେତ, ପିଶାଚମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳୀ ଆଲୋକରେ ଦିଶୁଥାଏ ସେମାନଙ୍କର ଭୟଙ୍କର ମୁହଁଟିମାନ ।

                କିନ୍ତୁ ରାଜା ବିକ୍ରମାଦିତ୍ୟ ତିଳେମାତ୍ର ବିଚଳିତ ନହୋଇ ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ସେଠାରୁ ବାହାରକରି ଆଣିଲେ । ତା’ପରେ ସେ ରାଜା ତା’କୁ ନିଜ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ସେ ଶବସ୍ଥିତ ବେତାଳ କହିଉଠିଲା, ରାଜନ, ଆପଣଙ୍କର କାର୍ଯ୍ୟ ଓ ସେଥିପ୍ରତି ଆଗ୍ରହର କୌଣସି ତୁଳନା ନାହିଁ । ଏପରି କଠିନ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପଛରେ ଆପଣଙ୍କର କେଉଁ ଉଦ୍ଧେଶ୍ୟ ଅଛି, ତାହା ତ ମୁଁ ଜାଣେ ନାହିଁ । ଏହାଦ୍ୱାରା ଆପଣ ପାପର ପ୍ରାୟଶ୍ଚିତ କରୁଛନ୍ତି । ଅଥବା ପୁଣ୍ୟ ଅର୍ଜନ କରୁଛନ୍ତି ତାହା ମୁଁ ଜାଣିବାକୁ ଚାହେଁ । ହୁଏତ ଅନ୍ୟ କାହାର ହିତ ସାଧନ ପାଇଁ ଆପଣ ଏପରି ପୁଣ୍ୟ ଅର୍ଜନ କରୁଥାଇ ପାରନ୍ତି । କିନ୍ତୁ ମୁଁ ଗୋଟିଏ କଥା ଅବଶ୍ୟ ଜାଣେ ଯେ ଏକାଗ୍ରତା ଓ ପୁଣ୍ୟ କୌଣସି କାର୍ଯ୍ୟକୁ ସଫଳ କରିବା ପାଇଁ ସହାୟକ ହୁଏ ନାହିଁ । ବରଂ ଏହାଦ୍ୱାରା କୌଣସି ଲକ୍ଷ୍ୟ ପୂରଣ ହୁଏ ନାହିଁ । ଆପଣଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ମୁଁ ଧନଗୁପ୍ତର କାହାଣୀ ଶୁଣାଇବି ।

                ଧନଗୁପ୍ତର ସୁପୁତ୍ର ଗୁଣଗୁପ୍ତର ଅଗଣିତ ପୁଣ୍ୟ କାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତିରେ ବିଫଳ ହେଲା । କିନ୍ତୁ ତା’ର ପାପୀ ପିତା ଅନାୟସରେ ପୁଣ୍ୟ ଅର୍ଜନ କରି ସେହି ଲକ୍ଷ୍ୟ ସହଜରେ ହାସଲ କରିପାରିଲା । ଏହା କିପରି ସମ୍ଭବ ହେଲା ତାହା ମୋଠାରୁ ଶୁଣନ୍ତୁ । ଏପରି କହି ବେତାଳ ଧନଗୁପ୍ତଙ୍କ କାହାଣୀ କହିବା ଆରମ୍ଭ କଲା ।

                ଅବନ୍ତୀ ଦେଶର ଏକ ନଗରୀରେ ଧନଗୁପ୍ତ ନାମକ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ । ସେ ଅପାର ଧନସମ୍ପତ୍ତିର ଅଧିକାରୀ ହେଲେ କ’ଣ ହେବ, ସ୍ୱଭାବରେ ସେ ଥିଲେ ଅତ୍ୟନ୍ତ କୃପଣ । ଏପରି କୃପଣ ଯେ, ନିଜର ସଙ୍ଖୁଡି ଅର୍ଥାତ୍ ଅଇଁଠା ଭାତକୁ କାଉ ଆଗରେ ପକାଇବାକୁ ମଧ୍ୟ ସେ ରାଜି ହୁଅନ୍ତି ନାହିଁ । କେବଳ କୃପଣ ନୁହେଁ, ନାନାଦି ଶଠ ଉପାୟରେ ମଧ୍ୟ ସେ ସମ୍ପତ୍ତି କମେଇ ଥିଲେ । ଲୋକମାନଙ୍କୁ ପ୍ରତାରିତ କରି ସେମାନଙ୍କର ସମ୍ପତ୍ତି ଅପହରଣ କରଥିଲେ । ଗରିବ ଲୋକମାନଙ୍କୁ ଶୋଷଣ କରୁଥିଲେ । ଆପଣା ପର ବିଚାରକରି ସେ ଏପରି ନିନ୍ଦନୀୟ କାର୍ଯ୍ୟ କରୁଥିଲେ । ଏହିପରି ତାଙ୍କର ପାପର ମାତ୍ରା ଦିନକୁ ଦିନ ବଢି ଚାଲିଥାଏ । ଶେଷରେ ପଚାଶ ବର୍ଷ ବୟସରେ ସେ ଏକ ଅସାଧ୍ୟ ରୋଗରେ ପୀଡିତ ହେଲେ । ଏପରିକି ବିଛଣାରୁ ସେ ଆଉ ମୋଟେ ଉଠିପାରିଲେ ନାହିଁ । ସର୍ବଦା ଶଯ୍ୟାଶାୟୀ ହୋଇ ପଡି ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ