ଏହା ଦେଖି ସେ ଗୃହରେ ଆନନ୍ଦର ଲହରୀ ଖେଳିଗଲା । କିନ୍ତୁ ଦୁଃଖର କଥା ଅଚାନକ ଗୁଣଗୁପ୍ତଙ୍କର ଜ୍ୟେଷ୍ଠ ପୁତ୍ର ମଣିଗୁପ୍ତ ଚିତ୍କାର କରି ତଳେ ପଡିଗଲେ । ମହାନନ୍ଦ ତାଙ୍କୁ ପରୀକ୍ଷା କରି ଜାଣି ପାରିଲେ ଯେ, ସେ ମଧ୍ୟ ବାକ୍ ଶକ୍ତି ହରାଇଛି ଓ ତା’ର ବାମ ହାତ ଅଚଳ ହୋଇପଡିଛି । ନିଜ ପୁତ୍ରର ଏପରି ଅବସ୍ଥା ଦେଖି ଗୁଣଗୁପ୍ତଙ୍କ ପାଟିରୁ ଆଉ କିଛି କଥା ବି ବାହାରିଲା ନାହିଁ । ସେ ମହାନନ୍ଦଙ୍କୁ ଆକୁଳ ପ୍ରାର୍ଥନା ଜଣାଇ ଏହାର କାରଣ ପଚାରିଲେ । ମହାନନ୍ଦ କହିଲେ, ତୁମ ପିତାଙ୍କର ପାପର ଫଳ ଏବେ ତୁମ ପୁତ୍ର ଭୋଗ କରୁଛି । କାରଣ, ତୁମେ ଯେଉଁ ସମ୍ପତ୍ତିର ଅଧିକାରୀ ହୋଇଛ ତାହା ତୁମ ପିତାଙ୍କର ଉପାର୍ଜିତ ଧନ । ତାକୁ ଏପରି ଅବସ୍ଥାରୁ ଉଦ୍ଧାର କରିବା କେବଳ ପୁଣ୍ୟ କାର୍ଯ୍ୟଦ୍ୱାରା ହିଁ ସମ୍ଭବ । ଅବଶ୍ୟ ତୁମ ପିତା ଏପରି କାର୍ଯ୍ୟ ପାଇଁ ସମ୍ମତ ହେବେ ନାହିଁ । କିନ୍ତୁ ତୁମେ ଏବେ ସେସବୁ ସମ୍ପତ୍ତିର ମାଲିକ ଏବଂ ସେ ଯଦି ତୁମର ପୁଣ୍ୟ କାର୍ଯ୍ୟରେ ବାଧା ଦିଅନ୍ତି ତେବେ ସେ ପୁନର୍ବାର ରୋଗଗ୍ରସ୍ତ ହୋଇ ପଡିବେ । ତେଣୁ ସବୁଠାରୁ ଉତ୍ତମ ହେବ ଯେ, ତୁମେ ନିଜ ସମ୍ପତ୍ତିକୁ ଭଲ କାମରେ ବିନିଯୋଗ କରି ପୁଣ୍ୟ କର୍ମରେ ଲଗାଅ । ଯେତେବେଳେ ତୁମର ପୁଣ୍ୟବଳରେ ତୁମ ପିତାଙ୍କର ପାପ କ୍ଷୟ ହୋଇଯିବ, ସେତେବେଳେ ଯାଇ ତୁମ ପୁତ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଉଠିବ ଓ ସ୍ୱାଭାବିକ୍ ଜୀବନ ଯାପନ କରିବ । ଏହାହିଁ ବିଧିର ବିଧାନ । ଏପରି କହି ମହାନନ୍ଦ ସେଠାରୁ ବିଦାୟ ନେଲେ ।
ଏଣେ ପୁତ୍ରର ଏପରି ଅବସ୍ଥା ଦେଖି ଗୁଣଗୁପ୍ତ ଖୁବ୍ ମନଦୁଃଖ କଲେ । ଗଭୀର ଦୁଃଖରେ ସେ କହିଲେ, ନାତିର ଏପରି ଅବସ୍ଥା ମୁଁ ଆଉ ଯମା ସହି ପାରିବି ନାହିଁ । ମୋ କୃତକର୍ମର ଶିକାର ହୋଇ ସେ ଏପରି ଦୁର୍ଦ୍ଦଶା ଭୋଗ କରୁଛି, ତାହା ମୋ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ । ମୋତେ ମୋ ସମ୍ପତ୍ତି ଫେରାଇ ଦିଅ । ମୁଁ ଦଣ୍ଡ ଭୋଗିବି । ତୁମେମାନେ ଭଲରେ ରୁହ ।
ଗୁଣଗୁପ୍ତ ତା’ ପିତାଙ୍କର ଏପରି ପ୍ରସ୍ତାବରେ ଆଦୌ ରାଜି ହେଲେ ନାହିଁ । ଭଗ୍ନ ହୃଦୟରେ ଧନଗୁପ୍ତ ଅନ୍ୟମାନଙ୍କ ସେବାକାର୍ଯ୍ୟ ଉଦ୍ଧେଶ୍ୟରେ ଗୃହତ୍ୟାଗ କଲେ । ସେହି ଦିନଠାରୁ ଗୁଣଗୁପ୍ତ ସକଳ ପ୍ରକାରର ପୁଣ୍ୟ କର୍ମରେ ଲାଗି ପଡିଲେ । ଯେପରିକି ଗ୍ରାମରେ ମାଗଣା ଚିକତ୍ସାଳୟ କରାଇଲେ । ଗ୍ରାମରେ ଏକ ବିଦ୍ୟାଳୟ ସ୍ଥାପନ କଲେ ଓ ସେଠାରେ ଶିକ୍ଷାଲାଭ ସୁଯୋଗ ଦେଲେ । ଅଭାବୀ ଲୋକମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସାହାଯ୍ୟ କଲେ । ଏହିପରି ଏକବର୍ଷ ବିତିଗଲା । ଯେତେ ଖର୍ଚ୍ଚ କଲେ ମଧ୍ୟ ପିତାଙ୍କର ଧନକ୍ଷୟ ଆଦୌ ହେଲାନାହିଁ । ଓଲଟି ଆମଦାନୀ ଦିନକୁ ଦିନ ବଢିଚାଲିଲା । କିନ୍ତୁ ପୁତ୍ର ମଣିଗୁପ୍ତର ସ୍ୱାସ୍ଥ୍ୟର ଅବସ୍ଥା ମୋଟେ ବଦଳିଲା ନାହିଁ ।
ସମୟାନୁକ୍ରମେ ଗୁଣଗୁପ୍ତଙ୍କର ଦାନ ଧର୍ମ କଥା ସାରା ଦେଶରେ ପ୍ରଚାରିତ ହେଲା । କିନ୍ତୁ କୌଣସି ପ୍ରକାରର ପ୍ରଶଂସା ଗୁଣଗୁପ୍ତଙ୍କର ମନରେ ସଂତୃପ୍ତି ଆଣୁ ନଥାଏ । ପ୍ରତ୍ୟେକ ଦିନ ସେ ତାଙ୍କ ପୁତ୍ର ନିକଟକୁ ଯାଇ ତା’ର ଦୁଃସ୍ଥିତି ଦେଖି ଅଶ୍ରୁ ଝରାଉଥାନ୍ତି । ଗୋଟିଏ କଥା ତାଙ୍କୁ ବେଶି ଦୁଃଖ ଦେଉଥାଏ ଯେ, ତାଙ୍କର ସମସ୍ତ ପୁଣ୍ୟକର୍ମ ବିଫଳ ହେଉଛି ଓ ତାଙ୍କର ପୁତ୍ରର ଅବସ୍ଥା ଯମା ବଦଳୁ ନାହିଁ । ଦିନେ ତାଙ୍କର ସମସ୍ତ ନିକଟ ସମ୍ପର୍କୀୟମାନେ ତାଙ୍କ ଗୃହରେ ଆସି ସମ୍ମିଳିତ ହେଲେ । ସେମାନେ ତାଙ୍କୁ ପରାମର୍ଶ ଦେଲେ – ତୁମର ପୁଣ୍ୟ, ତୁମର କେଉଁ କାମରେ ଆସୁଛି..? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଧନ ଉପାର୍ଜନ କରି ଯାହାକୁ ନାହିଁ ତାହାକୁ ବାଂଟିଲେ ପୁଣ୍ୟ ଅର୍ଜନ କରି ହୁଏ ନାହିଁ । ତେଣୁ ତୁମେ ଏବେ ଏପରି ପୁଣ୍ୟ କାର୍ଯ୍ୟ ଛାଡି ଦେଶ ବିଦେଶରେ ନିଜର ବ୍ୟବସାୟ ପ୍ରସାରିତ କର । ଆମେ ଏଥିରେ ତୁମକୁ ନିଶ୍ଚୟ ସାହାଯ୍ୟ କରିବୁ ।