ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁଣ୍ୟବାନ୍

                ଗୁଣାଢ୍ୟ କହିଲେ, “ଯେତିକି ଧନ ଆଣିଥିଲି, ସେସବୁ ଖର୍ଚ୍ଚ ହୋଇଗଲା । ଏବେ ଅଳଙ୍କାର ପାଇଁ ତୁମକୁ ମୋତେ ଅଧିକ ଏକ ହଜାର ଦେବାକୁ ହେବ । ସେଥିପାଇଁ ମୁଁ କିଛି ସମୟ ନେବି ।”

କର୍ମଚାରୀ ବିନୟ ପୂର୍ବକ କହିଲା, “ଆପଣ ଯାହା ଚାହାଁନ୍ତି ତାହା କରନ୍ତୁ । ଆମ ମାଲିକ ତ ଆପଣଙ୍କଠାରୁ ଟଙ୍କା କରଜ କରିଥିଲେ ।” ଗୁଣାଢ୍ୟ କହିଲେ “ସେଇଟା ଭିନ୍ନ କଥା । ସେଥିପାଇଁ ମୁଁ ତ ସୁଧ ନେବି । ଯେତେଦିନ ଡେରି ହେବ ମୋର ଟଙ୍କା ତ ବଢି ଚାଲିବ । କିନ୍ତୁ ମୋର ଏ ଟଙ୍କା ପାଇଁ ମୁଁ କେବେବି ସୁଧ ଦେବି ନାହିଁ ।” ତା’ପରେ ସେ କର୍ମଚାରୀ ଜଣକ ତାଙ୍କର ସମସ୍ତ ସର୍ତ୍ତ ମାନିନେଲା । ତାଙ୍କଠାରୁ ତିନିହଜାର ଟଙ୍କା ନେଇ ଅଳଙ୍କାର ଦେଇ ଦେଲା । ଶିବବାବୁ ଫେରିବା ପରେ ସେ ତା’ଠୁ ସବୁ ଘଟଣା ଶୁଣିଲେ ।

ଏସବୁ କଥା ଶୁଣି ଶିବବାବୁ ଭାବିଲେ, “ମନେହୁଏ ଗୁଣାଢ୍ୟ ବୋଧେ ମୋ ଋଣର ଖାଲି ମୂଳଧନ ନେବାକୁ ଆସିଥିଲେ । ସବୁ ନାଟକ କରୁଥିଲେ । ନହେଲେ ଠିକ୍ ଏକହଜାର ଟଙ୍କା କିପରି କମ୍ ପଡିଲା?”

ଏହି ଘଟଣାର ପରଦିନ ଗୁଣାଢ୍ୟ ହଠାତ୍ ମରିଗଲେ । ଏଣେ ଶିବବାବୁ ତାଙ୍କ ମନେ ମନେ ବହୁତ ଖୁସି ହେଲେ ଏବଂ ଭାବିଲେ, “ଏବେ ମୁଁ ଯେ କିଛି ନଦେଇଛି ସେପରି ଅନୁତାପ ମଧ୍ୟ କରିବା ମୋର ଆଦୌ ଦରକାର ନାହିଁ । କାରଣ ସେ ହଜାରେ ମୁଦ୍ରା ନେଇଛନ୍ତି । ଏବଂ ସେତିକି ଯଥେଷ୍ଟ ।”

ଗୁଣାଢ୍ୟଙ୍କ ଜ୍ୟେଷ୍ଠ ପୁତ୍ର ତାଙ୍କ ବାପାଙ୍କ ଶ୍ରାଦ୍ଧ ଭୋଜନ ପାଇଁ ସମସ୍ତିଙ୍କୁ ନିମନ୍ତ୍ରଣ କଲା । ଶିବବାବୁ ମଧ୍ୟ ସେଠାକୁ ଗଲେ । ସେଠାରେ ଉପସ୍ଥିତ ଲୋକେ ଗୁଣାଢ୍ୟଙ୍କର ପ୍ରଶଂସା କରି କହୁଥା’ନ୍ତି ଯେ ସେ ଉଭୟ ନିଃସ୍ୱାର୍ଥପର ଓ ପୁଣ୍ୟବାନ୍ ଥିଲେ । ସେଥିପାଇଁ ବିନା କଷ୍ଟରେ ସେ ସ୍ୱର୍ଗକୁ ଚାଲିଗଲେ । ଏସବୁ ଶୁଣି ଶିବବାବୁ ମନେ ମନେ ହସିଲେ ଓ ନିଜକୁ ନିଜେ କହିଲେ, “ଧନ ବଢାଇବା ପାଇଁ ସେ ସମସ୍ତିଙ୍କୁ କରଜ ଦେଉଥିଲେ ଓ ବହୁତ ବେଶି ସୁଧ ମଧ୍ୟ ନେଉଥିଲେ ଏପରି ଲୋଭୀ ଓ କୃପଣ ଲୋକକୁ ଏମାନେ ପୁଣି କିପରି ପୁଣ୍ୟବାନ କହି ପ୍ରଶଂସା କରି ଚାଲିଛନ୍ତି?”

ଗୁଣାଢ୍ୟଙ୍କ ଜ୍ୟେଷ୍ଠପୁତ୍ର କହିଲେ, “ଆମ ବାପା ବହୁତ ଲୋକଙ୍କୁ କରଜ ଦେଇଥିଲେ । ସେସବୁ ଖାତାରେ ଲେଖାହୋଇ ଅଛି । କିନ୍ତୁ ସେ ଲେଖାସବୁ ଏବେ ଯେତେ ଖୋଜିଲେ ମଧ୍ୟ ତାହା ମିଳୁନାହିଁ ।”

ଶ୍ରୀପୁର ଗ୍ରାମର ମୁଖିଆ କହିଲେ, “ମୋର ମନେହୁଏ ତାଙ୍କ ଆଲମାରିର ଭିତର ଥାକରେ ସେସବୁ ଅଛି । କେତେବାର ସେଠୁ କାଢିବାର ମୁଁ ଦେଖିଛି । ତେବେ ଆଜି ଦିନରେ ସେସବୁ ନ କରି କାଲି ସେ କାମ ଆରମ୍ଭ କରିବା ।” ତେଣୁ ସେଦିନ ଏସବୁ କାମ ବନ୍ଦ ରହିଲା ।

ଏକଥା ଶୁଣି ଶିବବାବୁଙ୍କ ମୁଣ୍ଡରେ ବଜ୍ରପାତ ହେଲା । ଖାତାଟି ମିଳିଗଲେ ତାଙ୍କୁହିଁ ତ ବହୁତ ଟଙ୍କା ଦେବାକୁ ହେବ । ତାଙ୍କ ସହିତ ଅନ୍ୟ କରଜ ନେଇଥିବା ଲୋକ ମଧ୍ୟ ଥିଲେ ।

ସେହି ପାଞ୍ଚଜଣ କୌଣସି ଏକ ସ୍ଥାନରେ ମିଳିତ ହୋଇ ଏ ବିଷୟରେ କିଛି ଗୋଟେ ଯୋଜନା ପ୍ରସ୍ତୁତ କଲେ । ସେମାନେ ଜଣେ ଗୁଣ୍ଡାକୁ ବହୁତ ଟଙ୍କା ଦେଇ କହିଲେ ଯେ ସେ ଯେପରି ଗୁଣାଢ୍ୟଙ୍କ ଜ୍ୟେଷ୍ଠ ପୁତ୍ରକୁ ଧମକାଇ ତା’ଠାରୁ ଖାତାଟି ନେଇ ଚାଲିଆସେ । ଟଙ୍କା ପାଇ ଗୁଣ୍ଡା ତା କାମ ସୁରୁଖୁରୁରେ କଲା ।

ସେମାନେ ପାଞ୍ଚଜଣ ଭାବିଲେ ଶୀଘ୍ର ଯେପରି ସେହି ଖାତାଟିକୁ ପୋଡି ଦିଆଯାଏ । ହେଲେ ଖାତାଟିରେ କ’ଣ ଲେଖାଅଛି ତାହା ଦେଖିବା ଉଚିତ୍ । ଯଦି ତାହା ସେହି ଖାତା ନ ହୋଇଥାଏ । ତେଣୁ ସେମାନେ ତାକୁ ଖୋଲି ପଢିଲେ । ସେଥିରେ ଲେଖାଥିଲା –

“ମୁଁ ସାଧାରଣ ଲୋକଙ୍କୁ କରଜ ନାମରେ ଧନ ଦେଇଥାଏ । କିନ୍ତୁ ଦାନ ଦେଉଛି ବୋଲି କହିଲେ ଅନେକ ଅଳସୁଆ ଓ ଠକ ଲୋକ ମଧ୍ୟ ମୋପାଖକୁ ଆସିଯିବେ । ଧନ ସହିତ ମୁଁ ଲୋକଙ୍କୁ ନାନା ପ୍ରକାର ଭଲ ପ୍ରସ୍ତାବ ଓ ଶିକ୍ଷା ମଧ୍ୟ ଦେଇଥାଏ । ତଦ୍ୱାରା ଅନେକ ଲୋକ ଲାଭବାନ୍ ହୋଇଛନ୍ତି । ଯେଉଁମାନେ ଧନ ଫେରାନ୍ତି ସେସବୁକୁ ନେଇ ମୁଁ ଲୋକହିତକର କାର୍ଯ୍ୟରେ ଲଗାଏ । ସେଥିରୁ ମୁଁ ପଇସାଟିଏବି ନିଜ ପାଇଁ ରଖିନାହିଁ । ସେମାନଙ୍କ ଠାରୁ ସୁଧ ବିଷୟରେ ଯେଉଁ କାଗଜ ମୁଁ ଲେଖାଇ ନିଏ, ସେମାନେ ଯିବାପରେ ମୁଁ ସେସବୁକୁ ଚିରିଦିଏ । ମୋର ଜ୍ୟେଷ୍ଠପୁତ୍ର ମୋ ପରି ଜୀବନ ବିତାଇଲେ ମୋର ଆତ୍ମା ସନ୍ତୁଷ୍ଟ ହେବ ।”

ଏସବୁ ପଢି ସେ ପାଞ୍ଚଜଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତିଙ୍କ ହିସାବ କଥା ଲେଖା ହୋଇଥିଲା କାହାକୁ କିଛି ଫେରାଇବା ଦରକାର ନଥିଲା । ଏସବୁ ଲେଖିବା ପରେ ସେ ମରିଗଲେ ।

ଏଥର ଶିବବାବୁ ଓ ଅନ୍ୟ ଚାରିଜଣ ଠିକ୍ ବୁଝିଗଲେ ଯେ ଲୋକେ ତାଙ୍କୁ ପୁଣ୍ୟବାନ୍ ବୋଲି କାହିଁକି କହୁଥିଲେ । ସେମାନେ ପୁଣି ସେହି ପୂର୍ବୋକ୍ତ ଗୁଣ୍ଡାକୁ ପଇସା ଦେଇ ସେହି ଖାତାଟିକୁ ଗୁଣାଢ୍ୟଙ୍କ ଆଲମାରୀରେ ରଖି ଦେଇ ଆସିବାକୁ କହିଲେ । ଇତିମଧ୍ୟରେ ସେମାନଙ୍କର ମନ ପରିବର୍ତ୍ତନ ହୋଇ ସାରିଥାଏ ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବାକୁ ଚାହିଁଲେ । ସେମାନେ ଯାହା ଦେବାର ଥିଲା ସବୁକିଛି ପୁରାଭାବରେ ଦେଇଦେଲେ କାରଣ ସେମାନେ ଏହା ଭଲଭାବେ ଜାଣିଥିଲେ ଯେ ତାଙ୍କର କଷ୍ଟୋପାର୍ଜିତ ଧନ ଲୋକ ହିତକର କାର୍ଯ୍ୟରେହିଁ ଲାଗିବ । ସେହିଦିନ ଠାରୁ ଗୁଣାଢ୍ୟଙ୍କ ଜ୍ୟେଷ୍ଠପୁତ୍ର ସହିତ ଶିବବାବୁ ମଧ୍ୟ ଗୁଣାଢ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଧରି ଜୀବନ ବିତାଇ ନିଜକୁ ଧନ୍ୟ ମନେକଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ