ରାଜା ସେହି ପିଶାଚିନୀ ପାଖକୁ ଗଲେ ଓ ତାଙ୍କର ପୂର୍ବଜନ୍ମ କଥା କହିବାକୁ ଆଦେଶ ଦେଲେ । ପିଶାଚିନୀ ଥର ଥର କଣ୍ଠରେ କହିଲା, “ରାଜନ୍ ! ମୁଁ ଆପଣଙ୍କର ତେଜରେ ବର୍ତ୍ତମାନ ଛଟପଟ ହେଉଛି । ମୋତେ ଆପଣ ଦେଖି ପାରିବେ ନାହିଁ । ଆପଣଙ୍କର ମୁଖ୍ୟମନ୍ତ୍ରୀ ମହାଶୟ ଜଣେ ଧର୍ମାତ୍ମା ପୁରୁଷ । ତାଙ୍କର ସାତବର୍ଷ ବୟସର ଗୋଟିଏ ଝିଅ । ସେ ଆପଣଙ୍କୁ ଯଥାର୍ଥ ଉତ୍ତର ଦେଇ ପାରିବ ।”
ପିଶାଚିନୀଠାରୁ ବିଦାୟ ନେଇ ପରଦିନ ରାଜା କହିଲେ, ଆପଣଙ୍କର ଗୋଟିଏ ୭ ବର୍ଷର ଝିଅଅଛି, ମହାମନ୍ତ୍ରୀ ହଁ କରିବା ମାତ୍ରେ ରାଜା କହିଲେ “ମୁଁ ତା’ ସହିତ କଥା ହେବାକୁ ଇଚ୍ଛା କରୁଛି । ଏକାନ୍ତରେ ଗୋଟିଏ ଘରେ କଥା ହେବି । ତା’ର ବ୍ୟବସ୍ଥା କରନ୍ତୁ ।”
ମହାମନ୍ତ୍ରୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ରାଜାଙ୍କ ଆଦେଶ ପାଳନ କଲେ । ଗୋଟିଏ ଘରକୁ ମନ୍ତ୍ରୀଙ୍କ ଝିଅକୁ ଅଣାଗଲା । ମହାରାଜା ସେହି ଝିଅ ପାଖକୁ ଗଲେ ଓ ତାକୁ ପଚାରିଲେ –
“ବଡ ବଡ ଜ୍ୟୋତିଷମାନେ ଯାହା ଜାଣି ପାରିନାହାଁନ୍ତି ତୁ ଆମର କୁନି ଝିଅଟେ ସବୁ ଜାଣିପାରିଛୁ । ମୋତେ କହ-ପୂର୍ବଜନ୍ମରେ ମୁଁ କି ପ୍ରକାର ପୁଣ୍ୟ ଅର୍ଜନ କରିଥିଲି ଯେ ଆଜି ଏତେ ସୁଖ ସମୃଦ୍ଧି ପାଇ ପାରିଛି?”
ମନ୍ତ୍ରୀଙ୍କ ଝିଅ କହିଲା – “ମହାରାଜ ! ପୂର୍ବଜନ୍ମରେ ଆପଣ ଜଣେ ଶ୍ରେଷ୍ଠ ଅତିଥି ସେବାକାରୀ ବ୍ରାହ୍ମଣ ଥିଲେ । ମଧୁକରୀ ଭିକ୍ଷାରେ ଆପଣ ଯାହା ପାଉଥିଲେ ତହିଁରେ ଅତିଥି ସେବା କରୁଥିଲେ ଓ ପରିବାର ପୋଷଣ କରୁଥିଲେ । ଆପଣ ଏକ ଛୋଟ ଚାଳଘରେ ରହୁଥିଲେ ଓ ସର୍ବଦା ଭଗବତ୍ ପରାୟଣ ଥିଲେ । ଥରେ ସାତଦିନ ଧରି ଲଗାତାର ବର୍ଷା ହେଲା । ଆପଣ ଭିକ୍ଷାକରିବାକୁ ଯାଇପାରିଲେ ନାହିଁ । ସେହି ସାତଦିନ ଆପଣ ଓ ଆପଣଙ୍କ ପରିବାର ଉପବାସରେ ଥିଲେ । ଅଷ୍ଟମ ଦିନ ଆପଣ କିଛି ଭିକ୍ଷା ସଂଗ୍ରହ କରି ଆଣିଲେ । ତହିଁରେ ଭୋଜନ ପ୍ରସ୍ତୁତ ହେଲା । ଚାରିଟି କଦଳୀପତ୍ରରେ ଭୋଜନ ପରଷା ଗଲା । ଆପଣ ହାତ ଗୋଡ ଧୋଇଆସିବା ପାଇଁ ଉଠିଗଲେ । ଏହି ସମୟରେ ଦୁଇଜଣ କଳା ମୁଚୁମୁଚୁ ଅନାହାରୀ ଭିକ୍ଷୁକ ଆପଣଙ୍କ ଘରଆଡକୁ ଆସୁଥିଲେ । ସେମାନଙ୍କୁ ଦୂରରେ ଦେଖି ଆପଣଙ୍କ ସ୍ତ୍ରୀ ଓ ପୁଅ ୨ଟି ପତ୍ର ଧରି ଘର ଭିତରେ ଲୁଚାଇ ଦେଲେ । ସେମାନେ ଆପଣଙ୍କ ଦାନ୍ନୀ ପଣ ଜାଣିଥିଲେ । ଆପଣ ସମସ୍ତଙ୍କ ଖାଦ୍ୟ ଆଗନ୍ତୁକ ଭିକ୍ଷୁକଙ୍କୁ ଭୋଜନ ନିମନ୍ତେ ଦେଇଦେବେ, ଏହା ସେମାନେ ଜାଣିଥିଲେ । ସେତେବେଳେ ଦୁଇଟି କଦଳୀପତ୍ରରେ ଖାଦ୍ୟ ଥିଲା । ତାହା ସେହି ଭିକ୍ଷୁକଙ୍କୁ ବଢାଇ ଦେଲେ । ମାତ୍ର ଭିକ୍ଷୁକ ଦୁହିଁଙ୍କ ଅନୁରୋଧରେ ସେହି ଦୁଇ ପତ୍ରର ଭୋଜନକୁ ଚାରିଭାଗ କରାଗଲା । ସେମାନେ ଦୁଇଭାଗ ଭୋଜନ ପାଇ ପରମ ସନ୍ତୁଷ୍ଟ ହୋଇ ଚାଲିଗଲେ । ଏହାପରେ ଆପଣ ଓ ଆପଣଙ୍କ ବୋହୂ ଅନ୍ୟ ଦୁଇପତ୍ରର ଖାଦ୍ୟ ଭୋଜନ କଲେ ।
“ଯେଉଁ ଭିକ୍ଷୁକ ଦୁହେଁ ଆସିଥିଲେ ସେମାନଙ୍କ ଜାତି ଗୋତ୍ର କିଛି ଆପଣ ଜାଣି ନଥିଲେ । କିନ୍ତୁ ଆପଣ ଜାଣିଥିଲେଯେ, ସେ ଚଣ୍ଡାଳ ହେଉ ଅଥବା ବ୍ରାହ୍ମଣ- ତା’ର ଅନ୍ତରାତ୍ମାରେ ଜଗତନିୟନ୍ତା ପରମେଶ୍ୱର ଅଛନ୍ତି । ଆପଣଙ୍କ ଦତ ଭୋଜନରେ ସେମାନେ ପ୍ରସନ୍ନ ହୋଇଥିଲେ, ସେମାନଙ୍କର ଅନ୍ତରାତ୍ମା ପ୍ରସନ୍ନ ହୋଇଥିଲା, ଅର୍ଥାତ୍ ପରମେଶ୍ୱର ଅଚ୍ୟୁତ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥିଲେ । ଆପଣ ତ ଦାନ ପୁଣ୍ୟ କରୁଥିଲେ, ସାଧୁ ସେବା କରୁଥିଲେ ଫଳରେ ପରମେଶ୍ୱରଙ୍କ ଆଶୀର୍ବାଦ ପାଇବାର ଅଧିକାରୀ ହୋଇଯାଇଥିଲେ ସେହି ଅନନ୍ତ ପୁଣ୍ୟର ପ୍ରଭାବରେ ଆପଣ ଏହି ଜନ୍ମରେ ଅମାପ ସୁଖ ଓ ସମୃଦ୍ଧି ଯଶ ଓ ଖ୍ୟାତି ପାଇଛନ୍ତି ।”
ମନ୍ତ୍ରୀଙ୍କ ଝିଅଟିର କଥାରେ ମହାରାଜ ଭାରି ଖୁସୀ ହୋଇଗଲେ । ସେ ପୁଣି କହିଲେ – “ଆଚ୍ଛା କହିପାରିବୁକି, ମୋର ପୂର୍ବଜନ୍ମର ନିଷ୍ଠୁରୀ ପତ୍ନୀ, ଧର୍ମାନ୍ଧ ପୁଅ ଓ ଧର୍ମପ୍ରାଣା ବୋହୁ ଏବେ କେଉଁଠି ଅଛନ୍ତି?”
ଝିଅଟି ହସି ହସି କହିଲା – “ମହାରାଜ ! ଆପଣ ଯେଉଁ ଅନ୍ଧ ଗୋପାଳଠାରୁ ପିଶାଚିନୀର ଠିକଣା ପାଇଲେ ସେ ହେଉଛି ଆପଣଙ୍କ ପୁଅ ଓ ପିଶାଚିନୀ ହେଉଛି ଆପଣଙ୍କର ପୂର୍ବଜନ୍ମର ନିଷ୍ଠୁରୀ ପତ୍ନୀ ।”
ରାଜାଙ୍କ ପୂର୍ବଜନ୍ମର ବୋହୂକଥା ଆଉ ପଚାରିବାକୁ ମନ ହେଲା ନାହିଁ । ସେ ଜାଣିଗଲେଯେ ଏହି ସାତ ବର୍ଷର ଝିଅଟି ହେଉଛି ତାଙ୍କର ଧର୍ମ-ସାକ୍ଷୀ ବୋହୂ ।
ପୂର୍ବଜନ୍ମ ପୁଣ୍ୟର ଫଳ ବଳରେ ଏହି ଜନ୍ମରେ ଲୋକମାନେ ସମୃଦ୍ଧିଶାଳୀ ହୋଇଥାଆନ୍ତି । ଏହି ଜନ୍ମରେ ପୂଣ୍ୟ ଅର୍ଜନ କଲେ ପରଜନ୍ମରେ ଆମକୁ ତାହା ଅବଶ୍ୟ ମିଳିବ ।
ଏଥର ରାଜା ପ୍ରସନ୍ନତାର ସହିତ ମହାମନ୍ତ୍ରୀଙ୍କୁ ଆଦରରେ ପାଖକୁ ଡାକି କହିଲେ – “ମହାମନ୍ତ୍ରୀ ! ଆପଣ ଧନ୍ୟ ! ମୋତେ ପ୍ରଚୁର ଭୋଗବିଳାସର ସୁଯୋଗ ମିଳିଲା । ମୁଁ ସୁଖ ସମୃଦ୍ଧିରେ ବୁଡି ରହିଲି । ସମସ୍ତ ପ୍ରକାର ଭୋଗ ଉପଭୋଗ କରିବାରେ ଲାଗିଲି । ମୋର ବୁଦ୍ଧି ସ୍ଥୁଳ ହୋଇଗଲା । ମୁଁ ମୋର ପୂର୍ବଜନ୍ମ କଥା ମନେପକାଇ ପାରିଲି ନାହିଁ । ଆପଣଙ୍କର ଏହି ଝିଅକୁ ଦେଖନ୍ତୁ । ଭୋଗବିଳାସର ପ୍ରଭାବ ତା’ ଉପରେ ଆଦୌ ପଡି ନାହିଁ । ତେଣୁ ତା’ ପୂର୍ବଜନ୍ମର ସ୍ମୃତି ଉପରେ କୌଣସି ପ୍ରଭାବ ପଡି ନାହିଁ । ସମସ୍ତ କଥା ତା’ର ମନେ ଅଛି ।”
ପୂର୍ବଜନ୍ମର କଥା ଜାଣି ପାରିବାର ଜ୍ଞାନ-ସେହି ଚିଦାନନ୍ଦ ଚୈତନ୍ୟ, ସମସ୍ତଙ୍କ ପାଖରେ ଥାଏ । ମାତ୍ର ସାଂସାରିକ ଭୋଗବିଳାସ ଆମର ମନ ଓ ବୁଦ୍ଧିକୁ ସ୍ଥୁଳ କରିଦିଏ । ଫଳତଃ ଆମର ସ୍ମୃତି ବିସ୍ମୃତ ହୋଇଯାଏ । ଆମେ ଯଦି ପିଲାଦିନୁ ଯୋଗ ଆଡକୁ ଯାଇଥାଆନ୍ତେ, ଧ୍ୟାନ-ଧାରଣା-ସମାଧି ଆଦି କରି ଆମର ମନ-ବୁଦ୍ଧିକୁ ସୂକ୍ଷ୍ମ କରି ପାରିଥାଆନ୍ତେ, ତେବେ ଆମେ ବି ଆମର ପୂର୍ବଜନ୍ମ ବିଷୟରେ ଜାଣିପାରନ୍ତେ । ଅନେକ ଦିନ ଧରି ଯୋଗ-ଜପ-ସାଧନା କରିଥିବା ଯୋଗୀମାନେ ଏହି କାରଣରୁ ପୂର୍ବଜନ୍ମର କଥା ଜାଣିପାରନ୍ତି ଓ କହିପାରନ୍ତି ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।