ଆମ ଗାଁରେ ଜଣେ ଜ୍ୟୋତିଷ ଥିଲେ । ତାଙ୍କ ନାମ ରଘୁଦାଶ । ତାଙ୍କ ସ୍ତ୍ରୀ ମାଧୁରୀ ଗୋଟାଏ ଦିଗରେ ଖର୍ଚ୍ଚ କରିବେ ନାହିଁ, ଅନ୍ୟ ଦିଗରେ ପୁଣି ପୁଣ୍ୟ ଅର୍ଜନ କରିବାକୁ ତାଙ୍କର ଭାରି ମନ ।
ଦିନେ ଗୋଟିଏ ଗରୀବ ସ୍ତ୍ରୀଲୋକ ଝାଡୁ ବିକି ବିକି ଯାଉଥାଏ । ମାଧୁରୀ ତାକୁ ଡାକି ତା’ ଆଗରେ ଗୋଟିଏ ପୁରୁଣା ସାଢୀ ଥୋଇ ପଚାରିଲେ, “ଏ ଖଣ୍ଡିକ ବଦଳରେ କେତୋଟି ଝାଡୁ ଦେବୁ?”
ସ୍ତ୍ରୀଲୋକଟି ସାଢୀ ଖଣ୍ଡିକ ଖୋଲି ଦେଖିଲା ଓ କହିଲା, “ଇଏତ ମା ବହୁତ ପୁରୁଣା । ଯୋଡିଏ ଝାଡୁ ରଖ ।”
ମାଧୁରୀ କହିଲେ “ଯାଃ ଯାଃ, ଏହାକୁ ବରଂ କୌଣସି ଗରୀବ ସ୍ତ୍ରୀଲୋକକୁ ଦେଇ ପୁଣ୍ୟ ଅର୍ଜନ କରିବି ।”
“ତାହାହିଁ ହେଉ ମା । ଯୋଡିଏ ଝାଡୁଠୁଁ ପୁଣ୍ୟ ବହୁତ ଅଧିକ ମୂଲ୍ୟବାନ ।” ଏହା କହି ସେ ସ୍ତ୍ରୀଲୋକଟି ସାଢୀ ଖଣ୍ଡିକ ନିଜ କାନ୍ଧରେ ପକାଇ ଚାଲିଯିବାକୁ ଉଦ୍ୟତ ହେଲା ।
ମାଧୁରୀ ପାଟି କରି ପଚାରିଲେ “ଆରେ, ତୁ ସାଢୀ କାହିଁକି ନେଇଯାଉଛୁ?”
“ମା, ଆପଣଙ୍କୁ ପୁଣ୍ୟବାନ କଲି । ମୋଠୁଁ ଗରୀବ ଆପଣ ହଠାତ୍ କେଉଁଠାରୁ ପାଇବେ? ପାଇବା ପାଇଁ ଅପେକ୍ଷା କଲେ ଏ ସାଢୀର ଆଉ କିଛି ରହିବ?” ଏହା କହି ସେ ସାଢୀ ଧରି ଚାଲିଗଲା ।