ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା, ତୁମର ଅଭାବ କ’ଣ ଯେ ତୁମେ ଏଭଳି ଏକ ଦୁର୍ଯ୍ୟୋଗପୂର୍ଣ୍ଣ ନିଶୀଥରେ ଏଠାକୁ ଆସିଛ? ରାଜପୁରୁଷମାନଙ୍କ ବ୍ୟବହାର ବାସ୍ତବିକ ବଡ ବିଚିତ୍ର । ତୁମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”
ବେତାଳ ଗପିଲା: ଅନେକ ଦିନ ତଳର କଥା । ରାଜା ପଦ୍ମପାଦ ମହେନ୍ଦ୍ରଗିରିରେ ରାଜୁତି କରୁଥିଲେ । ଅନେକ ଦିନ ଧରି ତାଙ୍କର କୌଣସି ସନ୍ତାନ ସନ୍ତତି ହେଉ ନଥିଲେ । ଶେଷକୁ ପୁଅଟିଏ ହେଲା । ତା’ର ନାମ ପ୍ରବୀଣ ରଖାଗଲା । ରାଜା ସେ ପୁଅ ପ୍ରତି ଅତ୍ୟନ୍ତ ସ୍ନେହାସକ୍ତ ହେଲେ । ତା’ପାଇଁ ରାଜ୍ୟର ସବୁଠାରୁ ଦକ୍ଷ ମନ୍ତ୍ରୀମାନଙ୍କୁ ଲଗାଇ କେତେ ପ୍ରକାର ଖେଳନା ତିଆରି କରାଯାଉଥାଏ । ରାଜକୁମାରଙ୍କୁ ଯେଉଁ ମିଷ୍ଟାନ୍ନ ଭଲ ଲାଗୁଥାଏ, ସେ ମିଷ୍ଟାନ୍ନର ପ୍ରସ୍ତୁତକାରୀକୁ ପୁରସ୍କାର ଦିଆଯାଇ ତାକୁ ଆହୁରି ଉତ୍କୃଷ୍ଟ ମିଷ୍ଟାନ୍ନ ତିଆରି କରିବା ନିମନ୍ତେ ଉତ୍ସାହ ଦିଆ ହେଉଥାଏ ।
ପ୍ରବୀଣଙ୍କୁ ପାଂଚବର୍ଷ ବୟସ ହେବାରୁ ତାଙ୍କର ବିଦ୍ୟାରମ୍ଭ ହେଲା । ବର୍ଷଟିଏ ସେ ନଅରରେ ରହି ବିଦ୍ୟାଭ୍ୟାସ କଲେ । ତା’ପରେ, ସେ ଯୁଗର ପ୍ରଥା ଅନୁସାରେ ତାଙ୍କୁ ଯାଇ ବଣ ଭିତରେ ଗୋଟିଏ ଗୁରୁକୂଳରେ ରହିବାକୁ ହେଲା ।
ଗୁରୁଙ୍କ ନାମ ସିଦ୍ଧେଶ୍ୱର । ଗୁରୁ ମହୋଦୟ ପ୍ରବୀଣଙ୍କୁ ସର୍ବଦା ସମ୍ମାନ କରି କଥା କହୁଥାନ୍ତି । ଅନ୍ୟ ଛାତ୍ରମାନଙ୍କ ସହ ତାଙ୍କୁ ସେ ନ ବସାଇ କୋମଳ ଆସନରେ ବସାଉଥାନ୍ତି । ଅନ୍ୟ ଛାତ୍ରମାନଙ୍କ ସକାଶେ ସାଧାରଣ ଖାଦ୍ୟ ଦିଆ ଯାଉଥାଏ । ପ୍ରବୀଣଙ୍କ ସକାଶେ ବିଶେଷ ବିଶେଷ ଖାଦ୍ୟ ପଦାର୍ଥ ତିଆରି କରା ହେଉଥାଏ ।
ରାଜପୁତ୍ର ପ୍ରବୀଣଙ୍କୁ ଯେତେବେଳେ ବାରବର୍ଷ ବୟସ ହେଲା, ସେତେବେଳେ ଗୁରୁ ତାକୁ କହିଲେ, “ବତ୍ସ! ତୁମର ଅଧ୍ୟୟନ ଶେଷ ହେଲା । ମୁଁ ରାଜାଙ୍କୁ ଖବର ଦେଉଛି । ସେ ରଥ ପଠାଇ ତୁମ୍ଭଙ୍କୁ ଏଠୁ ନେଇଯିବାର ସମସ୍ତ ବ୍ୟବସ୍ଥା କରିବେ ।”
ପ୍ରବୀଣ କିଛି କହିଲେ ନାହିଁ ।
ପରଦିନ ଦେଖାଗଲା ପ୍ରବୀଣ ଗୁରୁକୂଳରେ ଆଉ ନାହାଁନ୍ତି । ଛାତ୍ରମାନେ ଓ ସ୍ୱୟଂ ଗୁରୁ ଉତ୍କଣ୍ଠିତ ହୋଇ ସାରା ବଣରେ ଖୋଜିଲେ । ରାଜାଙ୍କୁ ବି ଏହି ଖବର ଦିଆଗଲା । କିନ୍ତୁ ପ୍ରବୀଣ କେଉଁଠାରେ ହେଲେ ମିଳିଲେ ନାହିଁ । ଯାହାହେଉ, ପାଂଚଦିନ ପରେ ଗୁପ୍ତଚରମାନେ ରାଜାଙ୍କୁ ଜଣାଇଲେ କି ବଣର ଶେଷ ପ୍ରାନ୍ତରେ ଥିବା ଗୁରୁ ଜ୍ଞାନଶୀଳଙ୍କ ଆଶ୍ରମରେ ପ୍ରବୀଣ ଆପଣାଛାଏଁ ଯାଇ ଭର୍ତ୍ତି ହୋଇଛନ୍ତି ।
ରାଜା ସଙ୍ଗେ ସଙ୍ଗେ କଟୁଆଳଙ୍କୁ ସେଠାକୁ ପଠାଇଦେଲେ । ସେ ଯାଇ ରାଜପୁତ୍ରଙ୍କୁ ରଥରେ ବସାଇ ଆଣିବା ସଙ୍ଗେ ସଙ୍ଗେ ଗୁରୁ ଜ୍ଞାନଶୀଳଙ୍କୁ ମଧ୍ୟ ବନ୍ଦୀ କରି ଆଣିଲେ ।
“ଜ୍ଞାନଶୀଳ! ମୋ ଗୁପ୍ତଚରଙ୍କଠୁଁ ଶୁଣିଲି, ଗତକାଲି ସନ୍ଧ୍ୟାରେ ରାଜପୁତ୍ର ତୁମ୍ଭ ପାଦସେବା କରିଛନ୍ତି । ଏହା କ’ଣ ସତ୍ୟ?”
ଜ୍ଞାନଶୀଳ କହିଲେ, “ମହାରାଜ! ପ୍ରବୀଣ ଯେ ରାଜପୁତ୍ର, ସେକଥା ମୁଁ ଜାଣି ନଥିଲି । କେହି କେହି ଛାତ୍ର ଆପଣାଛାଏଁ ଆସି ମୋର ସେବା କରିଥାନ୍ତି । ସେ ତାହାହିଁ କରିଥିଲେ ।”
ରାଜା କହିଲେ “ଏଭଳି କରି ତମେ ଭାବି ରାଜାର ଅପମାନ କରିଛ । ତମକୁ ଯାବଜ୍ଜୀବନ କାରାଦଣ୍ଡ ଭୋଗିବାକୁ ହେବ ।” କର୍ମଚାରୀମାନେ ସଙ୍ଗେ ସଙ୍ଗେ ଗୁରୁଙ୍କୁ ଧରିନେଇ ଚାଲିଗଲେ । ପ୍ରବୀଣ ଗୁରୁଙ୍କ ସକାଶେ କିଛି କହିବାକୁ ଯାଉଛନ୍ତି, ଠିକ୍ ସେତିକିବେଳେ ରାଜା ତାଙ୍କୁ କୁଣ୍ଢାଇ ପକାଇ କହିଲେ, “ଆହା, ମୋ ପୁଅର କଅଁଳା ହାତକୁ କେତେ ବାଧିଥିବ!”