ରାଜପୁତ୍ରଙ୍କୁ ସେ ଆଉ କିଛି କୁହାଇ ଦେଲେ ନାହିଁ । ସେ ହଜିଯାଇ ମିଳିଥିବା ଯୋଗୁଁ ରାଜଧାନୀରେ ଉତ୍ସବ ସକାଶେ ସେ ନିର୍ଦ୍ଧେଶ ଦେଲେ ।
କେତେବର୍ଷ ବିତିଗଲା । ରାଜା ପ୍ରବୀଣଙ୍କୁ ଯଥାବିଧି ଯୁବରାଜ ପଦରେ ବସାଇଲେ । କିନ୍ତୁ ପ୍ରବୀଣଙ୍କୁ ସେ କିଛିବି କରିବାକୁ ଦେଉ ନଥାନ୍ତି । ଖାଲି ପ୍ରବୀଣ କିପରି ଅଧିକରୁ ଅଧିକ ସୁଖରେ ରହିବେ, ସେହି ବ୍ୟବସ୍ଥା ସେ କରୁଥାନ୍ତି ।
ଦିନେ ପ୍ରବୀଣ ତାଙ୍କ ସାରଥୀକୁ କହିଲେ, “ତମେ ମୋ ପୋଷାକ ପିନ୍ଧି ରାଜପୁତ୍ର ସାଜି ରଥରେ ବସ । ମୁଁ ରଥ ଚଳାଇବି ।” ସାରଥୀ ରାଜି ହେଉ ନଥିଲେ । କିନ୍ତୁ ଯୁବରାଜ କହିଲେ – “ଏହା ମୋର ଆଦେଶ ।” ବାଧ୍ୟ ହୋଇ ସାରଥୀ ଯୁବରାଜ ସାଜି ରଥରେ ବସିଲେ । ଯୁବରାଜ ରଥ ଚଳାଇଲେ ।
ଗୋଟିଏ ଗାଁ ଭିତରେ ରଥ ଅଟକାଇ ସାରଥୀ-ବେଶୀ ଯୁବରାଜ ଏକ କୁଡିଆ ଭିତରକୁ ଗଲେ । ଗୋଟିଏ ଅସୁସ୍ଥ ବାଳକକୁ ତା’ ମା ପାଣି ପିଇବାକୁ ଦେଉଥାନ୍ତି । ଯୁବରାଜ କହିଲେ, “ରଥରେ ଯୁବରାଜ ବସିଛନ୍ତି । ତାଙ୍କୁ ଶୋଷ କରୁଛି । ପାଣି ଟିକିଏ ମିଳିବ?”
ସଙ୍ଗେ ସଙ୍ଗେ ଅସୁସ୍ଥ ବାଳକ ତା’ ମା’କୁ କହିଲା, “ମା, ମୋ ପାଇଁ ପରେ ପାଣି ଆଣିଦେବ । ଏହା ନେଇ ସଙ୍ଗେ ସଙ୍ଗେ ଯୁବରାଜଙ୍କୁ ଦିଅ । ନହେଲେ ତମକୁ ଗୁରୁ ଜ୍ଞାନଶୀଳଙ୍କ ଦଶା ଭୋଗିବାକୁ ହେବ ।”
ଏକଥା ଶୁଣିବା ମାତ୍ରେ ସାରଥୀ-ବେଶୀ ଯୁବରାଜଙ୍କ ମୁହଁ ହଠାତ୍ କଳା ପଡିଗଲା । ସେ ଅବଶ୍ୟ ପାଣି ଆଣି ବାହାରେ ନିଜେ ପିଇଦେଇ ସେ ବୁଢୀଠୁଁ ବିଦାୟ ନେଇ ପୁଣି ରଥ ଚଳାଇଲେ, କିନ୍ତୁ ସେ ବୁଝିଲେ, ତାଙ୍କ ପିତା ଜନସାଧାରଣଙ୍କ ପାଖରେ ଅତ୍ୟନ୍ତ ଅପ୍ରିୟ ।
ରାଜପୁତ୍ର ପ୍ରବୀଣ ରଥ ଚଳାଉଥାନ୍ତି ଠିକ୍, କିନ୍ତୁ ସେ ଦିଗରେ ତାଙ୍କର ସେତେଟା ଅଭ୍ୟାସ ନଥିଲା । ଫଳରେ ଗୋଟାଏ ସ୍ଥାନରେ ବାଙ୍କ ମୋଡିବା ସମୟରେ ସେ ଘୋଡାଙ୍କୁ ଆୟତ କରି ନ ପାରିବାରୁ ରଥ ଓଲଟି ପଡିଲା । ଉଭୟ ରାଜପୁତ୍ର ଓ ସାରଥୀ ସାମାନ୍ୟ ଆହତ ହେଲେ ।
ରାଜା ଗୁପ୍ତଚରଙ୍କଠାରୁ ଏ ଖବର ପାଇଗଲେ । ସେ ସଙ୍ଗେ ସଙ୍ଗେ ସେହି ସାରଥୀକୁ ଡାକି ତାକୁ କର୍କଶ ଭାବରେ ସେ ଗାଳିଦେଲେ ଓ କହିଲେ, “ତମ ମୁଣ୍ଡ କାଟ ହେବା ଉଚିତ୍ ।”
ରାଜପୁତ୍ର ପ୍ରବୀଣ ଆସି କହିଲେ, “ପିତା! ମୁଁ ରଥ ଚଳାଉଥିଲି । ଏଥିରେ ତା’ର କୌଣସି ଦୋଷ ନାହିଁ ।” ରାଜା ସଙ୍ଗେ ସଙ୍ଗେ ଆଖିରୁ ଲୁହ ଗଡାଇ ପୁଅକୁ ଆଉଁସି କହିଲେ, “ପୁଅ! ସେ ତୋତେ ରଥ ଚଳାଇବାକୁ ଛାଡି ଦେଇ ବହୁତ ବଡ ଅପରାଧ କରିଛି । ଆଜି ଯଦି ସେ ଦୁର୍ଘଟଣାରେ ତୋର କିଛି ବିଶେଷ ଅନିଷ୍ଟ ହୋଇ ଯାଇଥାନ୍ତା, ତେବେ ମୁଁ ଆଉ ବଂଚନ୍ତି କି?” ଏହା କହି ରାଜା ସେ ସାରଥୀକୁ କାରାଗାରକୁ ପଠାଇଦେଲେ । ପ୍ରଥା ଅନୁସାରେ ଯାହାକୁ ପ୍ରାଣଦଣ୍ଡ ଦିଆ ହୋଇଥାଏ, ସକାଳେ ଯାଇ ସେ ଦଣ୍ଡ କାର୍ଯ୍ୟକାରୀ ହୁଏ ।
ରାଜପୁତ୍ର ରାତିରେ ଆଉ ମୋଟେ ଶୋଇ ପାରିଲେ ନାହିଁ । ସକାଳ ହେବା ମାତ୍ରେ ନିର୍ଦୋଷ ସାରଥୀର ମୁଣ୍ଡକାଟ ହେବ, ଏହାହିଁ ତାଙ୍କୁ ବିମର୍ଷ କରିଥିଲା । ମଧ୍ୟ ରାତ୍ର ପରେ ତାଙ୍କୁ ଟିକିଏ ନିଦ ଧରି ଆସିଛି, ହଠାତ୍ ସେ ଶୁଣିଲେ କାହାର ଗମ୍ଭୀର କଣ୍ଠସ୍ୱର, “ପ୍ରବୀଣ! ମୃତ୍ୟୁହିଁ ତମର ପ୍ରାପ୍ୟ!” ସେ ଚମକିପଡି ଦେଖିଲେ ଜଣେ ଯୁବକ ଛୁରୀ ଉଠାଇ ତାଙ୍କୁ ମାରିବାକୁ ଉଦ୍ୟତ । ପ୍ରବୀଣ ତା’ ହାତଧରି ପକାଇ ତାକୁ ଚିହ୍ନିଲେ । ସେ ବଲ୍ଲଭ । ଜ୍ଞାନଶୀଳଙ୍କ ଆଶ୍ରମରେ ପ୍ରବୀଣ ଯେଉଁ କେତୋଟି ଦିନ କଟାଇଥିଲେ, ତହିଁ ଭିତରେ ଏହି ବଲ୍ଲଭ ତାଙ୍କର ଏକାନ୍ତ ଅନ୍ତରଙ୍ଗ ବନ୍ଧୁ ହୋଇ ଯାଇଥିଲେ ।
ପ୍ରବୀଣ ଆଶ୍ଚର୍ଯ୍ୟ ହୋଇ କହିଲେ “ବଲ୍ଲଭ! ତମେ ମୋତେ ହତ୍ୟା କରିବାକୁ ବସିଥିଲ!”
“ନିଶ୍ଚୟ! ବହୁ କଷ୍ଟରେ ପ୍ରହରୀମାନଙ୍କ ଆଖିରେ ଧୂଳିଦେଇ ନଅରରେ ପ୍ରବେଶ କଲି । ମୋର ପୂଜନୀୟ ଗୁରୁଦେବ ବିନା ଅପରାଧରେ କାରାଦଣ୍ଡ ଭୋଗିବାର ପ୍ରତିଶୋଧ କିପରି ନିଅନ୍ତି? ପୁଣି ସକାଳେ ତମ ନିରୀହ ସାରଥୀ ମଧ୍ୟ ପ୍ରାଣଦଣ୍ଡ ଭୋଗିବ । ତମେ ଏସବୁ ସହ୍ୟ କଲାଭଳି ନିର୍ମମ କିପରି ହେଲ?”
ପ୍ରବୀଣ ଦୀର୍ଘନିଃଶ୍ୱାସ ଛାଡି କହିଲେ “ମୁଁ ନିର୍ମମ ନୁହେଁ । କିନ୍ତୁ ମୋ ପିତା ମୋ ପ୍ରତି ଏଡେ ସ୍ନେହାସକ୍ତ ଯେ ତାଙ୍କ କଥା ଉପରେ ମୁଁ କିଛି ହେଲେବି କହି ପାରୁନାହିଁ ।”
“ତମେ ଇଚ୍ଛା କଲେ ତାଙ୍କର ସେହି ସ୍ନେହାସକ୍ତିକୁ ତାଙ୍କର ତଥା ରାଜ୍ୟର କଲ୍ୟାଣ ପାଇଁ ଉପଯୋଗ କରିପାରିବ ।”
ପ୍ରବୀଣ ନୀରବ ହୋଇ ବସି ରହିଲେ । ତା’ପରେ ସେ କହିଲେ, “ବୁଝିଲି । ମୁଁ ବର୍ତ୍ତମାନ ଯାହା କରିବାର କଥା କରିବି ।”
ସେ ଉଠି ପଡିଲେ । ତା’ପରେ ଯାଇ ନିଜ ପିତାଙ୍କ କୋଠରୀ ଦ୍ୱାରରେ ସେ କରାଘାତ କଲେ । ରାଜା ଉଠି ଦ୍ୱାର ଖୋଲି ଯୁବରାଜଙ୍କୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ଯୁବରାଜ କହିଲେ, “ମୁଁ ଯାହା ମାଗିବି, ତାହା ଦେବେ?”
ରାଜା କହିଲେ “ତୁ ଯଦି ମୋର ପ୍ରାଣ ମାଗିବୁ, ତାହା ବି ଦେଇଦେବି ।”
ପ୍ରବୀଣ କହିଲେ “ପିତା! ମୁଁ ବର୍ତ୍ତମାନ ଜାଣିଲି, ସୂର୍ଯ୍ୟୋଦୟ ପୂର୍ବରୁ ପୁତ୍ରର କର୍ତ୍ତବ୍ୟ କରି ମୋତେ ସିଂହାସନରେ ବସିବାକୁ ହେବ । ମୋତେ ଆଉ କିଛି ପଚାରନ୍ତୁ ନାହିଁ । ଏତିକି ଜାଣନ୍ତୁ, ଆପଣଙ୍କ ମଙ୍ଗଳ ପାଇଁ ମୁଁ ଏହା କରୁଛି ।”
ରାଜା ସ୍ତବ୍ଧ ହୋଇଗଲେ । କିନ୍ତୁ ସେ ସମ୍ମତି ଦେଲେ । ତତ୍କ୍ଷଣାତ୍ ପୁରୋହିତ ଓ ମନ୍ତ୍ରୀବର୍ଗଙ୍କୁ ଡକା ହେଲା । ସୂର୍ଯ୍ୟୋଦୟ ପୂର୍ବରୁ ପ୍ରବୀଣ ସିଂହାସନାଋଢ ହେଲେ । ରାଜା ହୋଇ ପ୍ରବୀଣ ସଙ୍ଗେ ସଙ୍ଗେ ଗୁରୁ ଜ୍ଞାନଶୀଳ ଓ ସାରଥୀଙ୍କୁ କାରାମୁକ୍ତ କରି ସେମାନଙ୍କ ଠାରୁ କ୍ଷମା ପ୍ରାର୍ଥନା କଲେ । ତା’ପରେ ବଲ୍ଲଭଙ୍କୁ ସେ କହିଲେ, “ବନ୍ଧୁ! କେବଳ ତମେହିଁ ମୋର ପ୍ରଧାନ ମନ୍ତ୍ରୀ ହେବ!”
ବଲ୍ଲଭ ତାଙ୍କ ପ୍ରସ୍ତାବରେ ସମ୍ମତ ହେଲେ ।
ବେତାଳ ଟିକିଏ ଚୁପ୍ ରହି ତା’ପରେ ସେ ନିଜ କଣ୍ଠସ୍ୱର ତୀବ୍ର କରି ପଚାରିଲା, “ରାଜା! ଆଉ ସବୁ ତ ବୁଝି ହେଉଛି, କିନ୍ତୁ ପ୍ରବୀଣ ରାଜାଙ୍କ ମଙ୍ଗଳ ପାଇଁ କିପରି ନିଜେ ସିଂହାସନରେ ବସିବାକୁ ଚାହାଁନ୍ତି ବୋଲି କହିଲେ? ପୁଣି ଏହାଦ୍ୱାରା ସେ ପୁତ୍ରର କର୍ତ୍ତବ୍ୟ କରୁଛନ୍ତି ବୋଲି କିପରି କହିପାରିଲେ? ଆହୁରି ମଧ୍ୟ ଯେଉଁ ବଲ୍ଲଭ ତାଙ୍କୁ ହତ୍ୟା କରିବାକୁ ବସିଥିଲା, ତାକୁ ସେ ନିଜର ପ୍ରଧାନ ମନ୍ତ୍ରୀ କିପରି କଲେ? ପୁଣି ଏତେ ତରତରରେ ସେ ସୂର୍ଯ୍ୟୋଦୟ ପୂର୍ବରୁ ରାଜା ହେବାକୁ ବ୍ୟଗ୍ର କିଆଁ ହେଲେ? ରାଜା, ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ: “ପ୍ରବୀଣ ଛଦ୍ମବେଶରେ ଯାଇ ବୁଝିଥିଲେ ରାଜା ଲୋକଙ୍କ ପାଖରେ କେଡେ ଅପ୍ରିୟ । ରାଜାଙ୍କ ଅନ୍ୟାୟ ପ୍ରବଳ ହେଲେ ହୁଏତ ତାଙ୍କ ରାଜ୍ୟରେ ବିଦ୍ରୋହ ହୁଅନ୍ତା, ସେଥିରୁ ସେ ରାଜାଙ୍କୁ ରକ୍ଷା କଲେ । ଏହା ହେଲା ଇହଲୋକରେ ରାଜାଙ୍କର ମଙ୍ଗଳ । ରାଜାଙ୍କୁ ପାପଭାଗରୁ ରକ୍ଷା କରି ସେ ପାରଲୌକିକ ମଙ୍ଗଳ ମଧ୍ୟ କଲେ । ସେ ପୁତ୍ରର କର୍ତ୍ତବ୍ୟ କରୁଛନ୍ତି ବୋଲି କହିବାର ବିଶେଷ ତାତ୍ପର୍ଯ୍ୟ ଅଛି । ପିତାଙ୍କୁ ନର୍କରୁ ରକ୍ଷା କରିବା ଗୋଟେ ପୁତ୍ରର ପ୍ରଥମ ଭୂମିକା ବୋଲି ଶାସ୍ତ୍ର କହେ । ନିର୍ଦୋଷ ସାରଥୀର ପ୍ରାଣଦଣ୍ଡ ହୋଇଥିଲେ ରାଜା ନର୍କରେ ପଡିଥାନ୍ତେ । ସେଥିରୁ ପ୍ରବୀଣ ତାଙ୍କୁ ରକ୍ଷା କଲେ । ରାତାରାତି ରାଜା ନହୋଇ ପାରିଲେ ସେ ସାରଥୀକୁ କେବେବି ରକ୍ଷା କରିପାରି ନଥାନ୍ତେ । ଏହାହିଁ ତାଙ୍କ ବ୍ୟଗ୍ରତାର କାରଣ । ବାକି ରହିଲା ବଲ୍ଲଭ କଥା । ବଲ୍ଲଭ ଯଦି ସତରେ ତାଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା, ତେବେ ସେ ଛୁରୀ ମାରିବା ପୂର୍ବରୁ ରାଜପୁତ୍ରଙ୍କୁ ନିଦରୁ ଡାକି ନିଜ ଉଦ୍ଧେଶ୍ୟ ଘୋଷଣା କରି ନଥାନ୍ତା । ସେ କେବଳ ନିଜ ଅସନ୍ତୋଷର ତୀବ୍ରତା ସୂଚାଇ ଦେଉଥିଲା । ସେ ସଚ୍ଚା ତଥା ସାହସୀ ବନ୍ଧୁ ବୋଲି ପ୍ରବୀଣ ବୁଝିଥିଲେ ।”
ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।