ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁତ୍ର – କନ୍ୟା

                ରମା ତାଙ୍କ ପିତାଙ୍କ ବଦଳରେ ନିଜେ ତତ୍କ୍ଷଣାତ୍ ଉତ୍ତର ଦେଇ କହିଲେ, “ମହାଶୟ, ମୁଁ ମୋ ପିତାଙ୍କର ଏକମାତ୍ର କନ୍ୟା । ମୋର ଜଣେ ବଡଭାଇ ବି ଥିଲେ । ମୋ ପିତାଙ୍କର ଆଶାଥିଲା, ପୁତ୍ର-ନରକ ଯନ୍ତ୍ରଣାରୁ ବର୍ତିବା ପାଇଁ ଏକ ପୁତ୍ର ସନ୍ତାନ ନିହାତି ଭାବେ ଆବଶ୍ୟକ । ସେଥିପାଇଁ ସେ ମଧ୍ୟ ଅଗ୍ନିକୁଣ୍ଡ ଉପରେ ଚାଲି ଦେବୀଙ୍କ କୃପାରୁ ପୁତ୍ରଟିଏ ଲାଭ କଲେ । ମାତ୍ର ପୁତ୍ରକୁ କୋଡିଏ ବର୍ଷ ସମୟରେ ହଠାତ୍ ତା’ର ମୃତ୍ୟୁ ଘଟିଲା । ସେହି ଦୁଃଖରେ ମୋ ମା’ଙ୍କର ମଧ୍ୟ ଦେହାନ୍ତ ଘଟିଛି । ପୁରୋହିତ କର୍ମ ମୋର ପିତାଙ୍କର ଏକମାତ୍ର ବେଉସା । ତେଣୁ ସେ ଏକ ଯୁବକଙ୍କୁ ପୁରୋହିତ ବିଦ୍ୟା ଶିକ୍ଷା ଦେଲେ, ଏବଂ ସେହି ଯୁବକଙ୍କ ସହିତ ମୋର ବିବାହ ଅନୁଷ୍ଠିତ କରାଇଲେ । ପୁତ୍ର ସନ୍ତାନରୁ ବଂଚିତ ହେଲେ ଯଦି କୌଣସି ନରକ ଯନ୍ତ୍ରଣା ଥାଏ, ତେବେ ସେଥିରୁ ନିସ୍ତାର ପାଇବା ପାଇଁ, ତାଙ୍କର ଆଧାର ହେଉଛନ୍ତି, ତାଙ୍କର ଜାମାତା ଯେ ତାଙ୍କର ପୁତ୍ରଠାରୁ ମଧ୍ୟ ଅଧିକ ପ୍ରିୟ ।”

                ଏକଥା ଶୁଣି କାମଦେବଙ୍କ ମନରେ ସେମାନଙ୍କ ପରିବାର ପ୍ରତି ସହାନୁଭୁତି ଜନ୍ମିଲା । ତାଙ୍କୁ ଏତେ ଆଦରରେ ଆତିଥ୍ୟ ପ୍ରଦାନ କରି ଭୋଜନ ଦାନ କରିଥିବା ସେହି ପରିବାରର ମନର ବ୍ୟଥା ଦୂର କରିବା ପାଇଁ ସେ କହିଲେ, “କନ୍ୟା, ଶାସ୍ତ୍ରବିଧି ଅନୁଯାୟୀ, ଭୋଜନ ସମୟରେ ମୌନତା ଅବଲମ୍ବନ କରିବା ବିଧେୟ । କିନ୍ତୁ ମୁଁ କିଛି କହିବା ପାଇଁ ଇଚ୍ଛା କରୁଛି । ପୁତ୍ର ବା କନ୍ୟା ଉଭୟ ଭଗବାନଙ୍କ ସୃଷ୍ଟିରେ ସମାନ । ସେମାନଙ୍କର ବୁଦ୍ଧି, ଧୀଶକ୍ତି ମଧ୍ୟ ସମାନ ଅଟେ । ବ୍ରାହ୍ମଣଙ୍କର ଶ୍ରେଷ୍ଠ ଆରାଧ୍ୟ ଦେବୀ ହେଉଛନ୍ତି ଗାୟତ୍ରୀ । ବିଦ୍ୟାର ଦେବୀ ସରସ୍ୱତୀ । ଧନର ଦେବୀ ଲକ୍ଷ୍ମୀ । ଏହି ସତ୍ୟକୁ ପାଶୋରି ଯିବା ଠିକ୍ ନୁହେଁ । କିନ୍ତୁ ପରମ୍ପରାଗତ ଭାବରେ ଗଡିଆସିଥିବା ଅନ୍ଧବିଶ୍ୱାସର ବନ୍ଧନରେ ଆମେ ବନ୍ଦୀ । ପୁତ୍ରର ଶିକ୍ଷାଦୀକ୍ଷା ପାଇଁ ଆମେ ସମସ୍ତ ପ୍ରକାର ପ୍ରଚେଷ୍ଟା କରୁ । କିନ୍ତୁ ଏପରି ଶିକ୍ଷା କନ୍ୟାକୁ ପ୍ରଦାନ କରିବାରେ ଆମେ ସଦା ସର୍ବଦା ହେଳା କରିଥାଉ । ଅଗ୍ନିକୁଣ୍ଡ ଉପରେ ଚାଲିବା ପରେ ଯଦି ମୋର ପୁତ୍ର ନ ହୋଇ ପୁଣି କନ୍ୟା ଜାତ ହୁଏ, ତେବେ ମୁଁ ତାକୁ ପୁତ୍ର ପରି ପ୍ରତିପୋଷଣ କରିବି, ଶିକ୍ଷା ପ୍ରଦାନ କରିବି ପରଂବ୍ରହ୍ମ ଅନ୍ନ ଦେବତାଙ୍କୁ ସାକ୍ଷୀ ରଖି ମୁଁ ଆଜି ଏହି ଶପଥ ନେଉଛି । ମୁଁ ସେହି କନ୍ୟାକୁ ପୁତ୍ରତୁଲ୍ୟ ମନେ କରି ପ୍ରମାଣିତ କରିଦେବି ଯେ, ପୁତ୍ର ଓ କନ୍ୟା କେହି କାହାରିଠାରୁ ସାନ ବା ବଡ ନୁହଁନ୍ତି ।”

                କାମଦେବଙ୍କ ଏପ୍ରକାର କଥା ରମାଙ୍କୁ ବେଶ୍ ପ୍ରଭାବିତ କଲା । ସେ ଗଦ୍ଗଦ୍ କଣ୍ଠରେ କହିଲେ, “ଆପଣ ପୁତ୍ରଟିଏ ଲାଭ କରିବାର ସୌଭାଗ୍ୟ ନିଶ୍ଚୟ ପାଇବେ । ମୋର ଆନ୍ତରିକ ଇଚ୍ଛା ଏହିଯେ, ଏପରି ସୁଦିନ ଖୁବ୍ ଶୀଘ୍ର ଆସିବ, ଯେତେବେଳେ ପୁତ୍ର ଓ କନ୍ୟା ମଧ୍ୟରେ ବାଛବିଚାର, ପକ୍ଷପାତିତା ରହିବ ନାହିଁ । ଲୋକମାନେ ଏହି ସତ୍ୟକୁ ଉପଲବ୍ଧି କରିପାରିବାଠାରୁ ବଳି ସୁଖର କଥା ଆଉ କ’ଣ ବା ଅଛି?”

                ତତ୍ ପରଦିନ ପ୍ରଭାତରୁ କାମଦେବ କୋଦଣ୍ଡପୁର ଅଭିମୁଖେ ଯାତ୍ରା କଲେ । ବାମଦେବଙ୍କ ସହାୟତାରେ ମନ୍ଦିରର ପୂଜକଙ୍କୁ ଭେଟି ଗ୍ରାମଦେବୀଙ୍କ ପୂଜା ଅର୍ଚ୍ଚନା ସାରି ସେ ତାଙ୍କ ଗ୍ରାମକୁ ଫେରି ଆସିଲେ ।

                ଏହାର ଠିକ୍ ଏକବର୍ଷ ପରେ କାମଦେବ, ଯମଜ ପୁତ୍ରକନ୍ୟାଙ୍କର ଜନକ ହେଲେ । ସେହି ଯାଆଁଳା ଭାଇଭଉଣୀ କେବଳ ଚେହେରା ନୁହେଁ, ବ୍ୟବହାର ଚାଲିଚଳଣରେ ମଧ୍ୟ ସମ୍ପୂର୍ଣ୍ଣ ସମାନ ଥିଲେ । ଏହି ବିଚିତ୍ର କଥା ଦେଖି ଗ୍ରାମବାସୀମାନେ ଆଶ୍ଚର୍ଯ୍ୟ ହେଉଥାନ୍ତି ।

                କିନ୍ତୁ କାମଦେବ, ଚିତ୍ରାପୁର ଗ୍ରାମରେ ଭୋଜନ କରୁଥିବା ସମୟରେ ନେଇଥିବା ଶପଥକୁ ସ୍ମରଣ କରି ମା’ଅମ୍ବିକାଙ୍କୁ ପ୍ରଣାମ କରି କହୁଥାନ୍ତି, ‘ମା’, ପୁତ୍ରଟିଏ ସହିତ କନ୍ୟା ମଧ୍ୟ ମତେ ଅର୍ପଣ କରିଛୁ । ମୁଁ ସେ ଦୁହିଁଙ୍କୁ ସମଚକ୍ଷୁରେ ଦେଖିବି । ସମଭାବରେ ଲାଳନପାଳନ କରି, ସମାନ ଶିକ୍ଷା ପ୍ରଦାନ କରିବି । ସେ ଦୁହିଁଙ୍କର ନାମ ବିଦ୍ୟାର ଦେବ, ଦେବିଙ୍କ ନାମାନୁସାରେ ରଖିଲେ – ଗଣେଶ – ସରସ୍ୱତୀ ।

                ବହୁ ଲୋକ ଆପତ୍ତି ଉଠାଉଥାନ୍ତି । ମାତ୍ର ତା ସତ୍ତ୍ୱେ ମଧ୍ୟ କାମଦେବ କାହାରି କଥାକୁ ଭୁକ୍ଷେପ ନ କରି ପୁତ୍ର ଓ କନ୍ୟା ଉଭୟଙ୍କ ପାଇଁ ସମାନ ଶିକ୍ଷାର ବନ୍ଦୋବସ୍ତ କଲେ । ଉଭୟେ ବଡ ହୋଇ ଶାସ୍ତ୍ରଜ୍ଞ ପଣ୍ଡିତ ବୋଲାଇଲେ । ସୌଭାଗ୍ୟବଶତଃ ବା ଦେବୀଙ୍କ କୃପାରୁ ସେ ଖୁବ୍ ଶୀଘ୍ର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିରେ ପରିଣତ ହେଲେ । ଜମିଦାର ସ୍ତରର ଜଣେ ପୁରୋହିତଙ୍କ ପୁତ୍ର ସହିତ ପ୍ରଥମ କନ୍ୟାକୁ ସେ ବିବାହ ଦେଲେ । ଏହା ତାଙ୍କର ମାନ ମର୍ଯ୍ୟାଦା ବୃଦ୍ଧି କଲା । ଦ୍ୱିତୀୟ କନ୍ୟାଟିର ମଧ୍ୟ ଅତି ସହଜରେ ଏକ ସମ୍ଭ୍ରାନ୍ତ ପରିବାରରେ ବିବାହ ହୋଇଗଲା । ଏବେ ଗଣେଶ ଓ ସରସ୍ୱତୀ ଯୁବାବସ୍ଥାରେ ପହଁଚିବାରୁ, ସେମାନଙ୍କ ପାଇଁ, ଉତ୍ତମ ପ୍ରସ୍ତାବ ଯୋଗାଡରେ କାମଦେବ ଲାଗିଥାଆନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ