ଗଣେଶ ଓ ସରସ୍ୱତୀ ନିଜର ପାଣ୍ଡିତ୍ୟ ଦ୍ୱାରା, ଜନସମାଜରେ ଖୁବ୍ ଆଦୃତ ହେଲେ । ନିଜର କବିତ୍ୱ ଓ ବାଗ୍ମୀତା ଦ୍ୱାରା ସେମାନେ ସମସ୍ତଙ୍କୁ ଆକର୍ଷିତ କରି ପ୍ରଶଂସାର ପାତ୍ର ହେଉଥାନ୍ତି । ସେମାନଙ୍କର ବିଦ୍ବଭା ଓ ପାଣ୍ଡିତ୍ୟର ଖବର ଜମିଦାରଙ୍କ ନିକଟରେ ପହଁଚିଲା । ସେ ଆଗ୍ରହାନ୍ୱିତ ହୋଇ ସେହି ଦୁଇଜଣଙ୍କୁ ନିଜ ସଭାସ୍ଥଳୀକୁ ଆମନ୍ତ୍ରଣ ଜଣାଇଲେ । କିନ୍ତୁ ସଭାରେ ସଂସ୍କୃତ ପଣ୍ଡିତମାନେ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ଜଣେ କବି ଜମିଦାରଙ୍କୁ କହିଲେ, “ପ୍ରଭୁ, ଯଦି ପ୍ରକୃତରେ ସେମାନଙ୍କର ପ୍ରତିଭା ଅଛି, ତେବେ ଆପଣ ସେମାନଙ୍କୁ ସମ୍ମାନିତ କରିବା ଉଚିତ୍ । ତେଣୁ ସଂସ୍କୃତରେ ତାଙ୍କ ଜ୍ଞାନର ଗଭୀରତା କଳନା କରିବା ପାଇଁ, ମତେ ସେମାନଙ୍କୁ ପରୀକ୍ଷା କରିବାର ଏକ ସୁଯୋଗ ପ୍ରଦାନ କରନ୍ତୁ ।” ‘ମାନବ, ନାରୀ, ପୁରା, ଜାରା, ପରା, ହାରା’ ଏଇ ଶବ୍ଦ କେତୋଟିର ସଂଯୋଜନାରେ ସେମାନେ ଏକ ସଂସ୍କୃତ ପଦ୍ୟ ବିରଚନା କରି ନିଜର ପ୍ରତିଭାର ପରାକାଷ୍ଠା ଦେଖାନ୍ତୁ । ନଚେତ୍ ‘ଦୁଃସଙ୍ଗତ ମହାତ୍ମାଂ କିଂ ଭବତି’ – ଯାହାର ଅର୍ଥ ନୀଚଲୋକଙ୍କ ସଂସ୍ପର୍ଶରେ ଆସିଲେ, ଆମପରି ମହାକବିଙ୍କର ଅବସ୍ଥା କ’ଣ ହେବ?” ଏପରି ଅହଙ୍କାର ପୂର୍ଣ୍ଣ ଭାବରେ ସେ ତାଙ୍କର ବକ୍ତବ୍ୟ ଶେଷ କଲେ ।
ଗଣେଶ–ସରସ୍ୱତୀ ଉଭୟେ ବିନମ୍ରତା ପ୍ରକାଶ କରି କହିଲେ, “ବିଦ୍ୱାନ ମଣ୍ଡଳୀ, ଆମେ କେବେବି ଆପଣଙ୍କର ସମକକ୍ଷ ହୋଇପାରିବୁ ନାହିଁ, ଦେବୀଙ୍କର ଅଶେଷ କୃପାରୁ, ତାଙ୍କର ବରଦାନ ସ୍ୱରୂପ ଆମେ ଦୁଇ ଭାଇଭଉଣୀ ଜନ୍ମ ନେଇଛୁ । ତାଙ୍କର ମହିମାବଳରେ ଯତ୍କିଂଚିତ କବିତା ଶୁଣାଇବାରେ ସମର୍ଥ ହେଉଛୁ । କାହାକୁ ପରାଜିତ କରି ଆମେ ଯଶ ବା ସମ୍ମାନ ହାସଲ କରିବା ପାଇଁ ଇଚ୍ଛା କରୁନାହୁଁ । ଆପଣମାନଙ୍କୁ ପ୍ରଣାମ କରି ଆମର ପଦ୍ୟଟି ଅତି ସଂକ୍ଷିପ୍ତରେ ପ୍ରକାଶ କରୁଛୁ” – ‘ମାନପୂଜାପହାରା’
ଏତିକିରେ ସଂସ୍କୃତକବିଙ୍କର ମୁଣ୍ଡ ହଠାତ୍ ତଳକୁ ନଇଁଗଲା । ସେ ଜମିଦାରଙ୍କୁ କହିଲେ “ମାନର ଅର୍ଥ ଆଦର, ପୂଜାର ଅର୍ଥ ସତ୍କାର ଅଟେ । ଅପହାର ଶବ୍ଦର ଅର୍ଥ – ତପ । ନୀଚ ଲୋକଙ୍କ ସଂସ୍ପର୍ଶରେ ଆସି ମହାକବିମାନଙ୍କର ଆଦର ପୂଜା ସତ୍କାର ଲୋପ ପାଇଯାଏ । ମୁଁ କହୁଥିବା ଉକ୍ତିକୁ ଖଣ୍ଡନ କରି, ମୋର ପ୍ରଦତ୍ତ ଶବ୍ଦ ଗୁଡିକର ପ୍ରଥମ ଅକ୍ଷର ସଂଯୋଜନାରେ ସେ ଏହି ପଦ୍ୟଟି ‘ମାନପୂଜାପହାରା’ ରଚନା କରିଛନ୍ତି । ଅର୍ଥାତ୍ – ଆମ ମଧ୍ୟରେ କିଏ ଆଦର, ପୂଜା, ସତ୍କାରର ଯୋଗ୍ୟ ଅଟେ, ତାହା ଭଲଭାବେ ବିଚାର କରନ୍ତୁ । ପ୍ରକୃତରେ ଏହି ଯୁବକ-ଯୁବତୀ ଅତ୍ୟନ୍ତ ବିଦ୍ୱାନ ଅଟନ୍ତି ।”
ଜମିଦାର ଅତ୍ୟନ୍ତ ଖୁସିହୋଇ, ସେ ଦୁଇଜଣଙ୍କର ସତ୍କାର କରି, ନିଜ ସଭାସ୍ଥଳୀରେ ଉଚ୍ଚାସନ ଦେଲେ ।