ଆଜି ବାଲେଶ୍ୱର ସଦର କଚେରି ଭାରି ଜାରି । ଲୁଣାଦାଣ୍ଡୀର ଲୁଣ ଚୋର ଜଗିବା ସକାଶେ ପୋଲିସ ଅମଲା ବାହେଲ ହେବେ । ଯେଉଁ ପୋଲିସ ବସିବ, ତାହାର ନାମ ନିମକୀ ପୋଲିସ । ପୁରୁଣା ଏବାଲିସ ନିମକୀ ଅମଲାମାନେ ଜମାଦାରଠାରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ କର୍ମରେ ବାହେଲ ହେଲେ । ନୂଆ ବାହେଲ ହେବେ କେବଳ କନେଷ୍ଟବଳ । ମିସଲ କୋଠରି ମଧ୍ୟରେ ଭାରି ଭିଡ ହେବାରୁ ମେଜେଷ୍ଟର ସାହେବ କଚେରି ବାରନ୍ଦାରେ ଗୋଟାଏ କୁର୍ଚି ପକାଇ ବସିଅଛନ୍ତି । ସାହେବଙ୍କ ଚୌକି ପଛରେ ଦୁଇଜଣ ଅର୍ଦଳି ଛିଡାହୋଇ ବାରମ୍ବାର ପାଟିକରି ‘ଚୋପ, ଚୋଓପ’ କହି ଆପଣାମାନଙ୍କର ଅସ୍ତିତ୍ୱର ଏବଂ କର୍ମଠତାର ପରିଚୟ ଦେଉଅଛନ୍ତି । ସାହେବଙ୍କ ସମ୍ମୁଖ ପାଂଚ ଛ’ ହାତ ଦୂରରେ ପେସ୍କାର ଉମେଦୁଆରମାନଙ୍କର ଓଡିଆ ଦରଖାସ୍ତଗୁଡାକ ପଢିଯାଉଅଛନ୍ତି । ଜଣ ଜଣ କରି ଉମେଦୁଆରକୁ ଡାକରା ହେଉଛି । ଯେଉଁଟା ମାଇନାରେ ଟେକିଲା ସାହେବଙ୍କ ସଙ୍କେତରେ ପେସ୍କାର ତାହା ନାମ ଟିପି ପକାଇଲେ । ବାହେଲି କନେଷ୍ଟବଳ ଆଭୂମି ଶିରସଂଲଗ୍ନ ହସ୍ତରେ ସଲାମ କରି ଚାଲିଯାଉଅଛି । ଯେଉଁଟା ମାଇନାରେ ନ ଟେକିଲା, ଶୁଖିଲା ମୁହଁରେ ପଛଘୁଂଚା ଦେଇ ଚାଲିଯାଉଅଛି । ଏ ଉମେଦୁଆରଟା ନାମ ପେସ୍କାର ଟିପି ପକାଇଲେ । ଏ ଜଣକ କିଏ? ଏ ଯେ ପେସ୍କାରଙ୍କ ଚାକିରିଆ କିଣା ବାରିକ, ଜାତି ଭଣ୍ଡାରି । କିଣୁର କିଛି ବିଶେଷ ଗୋଟିଏ ପରିଚୟ ଆବଶ୍ୟକ । ‘ହରି ବିନା କୀର୍ତନ ନାହିଁ ।’ କିଣୁ ଆମ୍ଭମାନଙ୍କର ଏହି କାହାଣୀର ମୂଳପାଣ୍ଠି । କିଣୁ ପେସ୍କାରଙ୍କ ଘରର ଚାକର । ପେସ୍କାରଙ୍କ ଘର ବୋଧକରୁ ମଫସଲ ଗ୍ରାମରେ, କାରଣ ଶନିବାର ସଞ୍ଜଠାରୁ ସୋମବାର ସକାଳଯାଏଁ ତାହାଙ୍କ ସହରସ୍ଥ ବସାଘର ଦୁଆରେ କୋଲପ ପଡିଥାଏ । ରାତି ବିକାଳ ଗ୍ରାମକୁ ଯିବାଆସିବା ସକାଶେ ଜଣେ ମନୁଷ୍ୟ ସଙ୍ଗରେ ଥିବା ଲୋଡା, ପୁଣି ସେ ଜଣେ ସରକାରୀ ଅମଲା । ବସାରେ ଜଣେ ଭଣ୍ଡାରି ଚାକର ନ ରହିଲେ ଅଚଳ । ଏଥିସକାଶେ ନିଜ ଗ୍ରାମର ଭଣ୍ଡାରି କିଣାକୁ ପାଖରେ ରଖିଅଛନ୍ତି । କିଣା ବାବୁଙ୍କ ବସାରେ ସବୁ କାର୍ଯ୍ୟ କରେ, କଚେରିକୁ ବସ୍ତାନି ନେବାଆଣିବା କରେ, ପେସ୍କାରଙ୍କ ରୋଷେଇରେ ଚଳେ, ପେସ୍କାରଙ୍କଠାରୁ ସେ ଅଲଗା କିଛି ଦରମା ପାଏ କି ନାହିଁ, ଏ କଥା କାହାରିକୁ ବି ଜଣା ନାହିଁ । କଚେରିରେ ଛ’ମାସ ପଙ୍ଖାଟଣା କାର୍ଯ୍ୟ କରେ, ସେ ଦରମାଟା ପାଏ । ପୁଣି ପେସ୍କାରଙ୍କ ବସାକୁ ଯେଉଁ ସବୁ ମଉକିଲ ଯିବାଆସିବା କରନ୍ତି, କାହାରି ମାମଲା ଡିକ୍ରୀ ବା କାହାରି କିଛି କର୍ମ ହାସଲ ହେଲେ, କାହାରି କାହାରିଠାରୁ ବକ୍ସିସ୍ ବୋଲି ସେ ଦୁଇପଇସା ହାତପଏଠ କରେ । କଚେରିଆ ବୋଲି ଗାଁ ଲୋକେ ତାହାକୁ ବେଶ୍ ମାନନ୍ତି, ଗଣନ୍ତି । ‘ନରାଣାଂ ନାପିତୋ ଧୂର୍ତୋଃ’ ପୁଣି କଚେରି ଯିବା ଆସିବାରେ ତାର ଆହୁରି କିଛି ବୁଦ୍ଧି ଫେରିଛି । ଦେଖିବାକୁ ସେ ମଧ୍ୟ ପଂଚହତା ମର୍ଦ, ବୟସ ତା’ର ଅନୁମାନରେ ପଚିଶରୁ ତିରିଶ ମଧ୍ୟରେ । ଲୋକ ପାଂଚଟା ‘ବ’ କାରରେ ମର୍ଯ୍ୟାଦା ପାଇଥାଆନ୍ତି- ବିଦ୍ୟା, ବପୁ, ବାକ୍ୟ, ବସ୍ତ୍ର ଓ ବିଭବ । କିଣା ଦେଖିବାକୁ ମଣିଷଟା ପରି ମଣିଷ, ଦୁଇ କଥା ସେ କହିପୋଛି ପାରେ । ସରକାରରୁ କନେଷ୍ଟବଳି ଦରମା ମାସକୁ ୬ ଟଙ୍କା; ସୁତରାଂ, ଊଣା ଅଧିକରେ ତାହାର ତିନି ଗୋଟା ‘ଦ’ କାରରେ ଅଧିକାର ଥିଲା, ଏଥକୁ ଦରକାର ବେଳେ ସ୍ଥାନବିଶେଷରେ ସେ ଯଦି ଛାତି ଫୁଲାଇ ବାଟ ଚାଲେ, ତାହା ପକ୍ଷରେ ଅସୁନ୍ଦର ଦିଶିବ ନାହିଁ । ଆଜିକା ବେଶଟା କିଣାର କିଛି ସ୍ୱତନ୍ତ୍ର । ନଅହାତି ବାଲିବିଶି ଦେଶୀ ସୂତାବୁଣା ଖଦି ଖଣ୍ଡେ ସେ ପିନ୍ଧିଛି (ସେ ସମୟରେ ବିଲାତୀ ଗୋଷ୍ଟମାରକା ଧୋତି ଦେଶକୁ ଆସି ନାହିଁ) । ଦେହରେ ତା’ର ବନ୍ଧଲଗା ଗୋଟାଏ ଅଙ୍ଗା, ଦୋମୁହାଁ ଖଣ୍ଡେ ମୁଣ୍ଡରେ ପଗଡି । ଆଜି ଅମୃତବେଳରେ କିଣୁ ତା’ ମୁଣ୍ଡରେ ପାଗ ବାନ୍ଧିଥିଲା, ସେହି ପାଗ ବକାଏ ରହିଲା, ଅଧିକନ୍ତୁ ସରକାରରୁ ମିଳିଥିବା ସାଲୁଲୁଗା ଲାଲ ପାଗ ସେ ସ୍ଥାନ ଅଧିକାର କଲା । କିଣା ବାରିକର ନାମ ସରକାରୀ କାଗଜରେ ଦରଜ ହେଲା, କିଣାରାମ ସିଂହ ।
ପରଦିନ ସକାଳେ କିଣାରାମ ସିଂହ ଡ୍ରେସ ପିନ୍ଧି କାନ୍ଧରେ କନେଷ୍ଟବଳି ବେଗ୍ ଝୁଲାଇ କର୍ମସ୍ଥାନକୁ ବାହାରିଲେ । କର୍ମସ୍ଥାନରେ ପହଁଚିବାକୁ ସଞ୍ଜ ସଞ୍ଜ । ତାହାଙ୍କ ବଟ୍ରେ ଚାରିଖଣ୍ଡ ଗ୍ରାମ, ସେଥି ମଧ୍ୟରେ ମକ୍ରାମପୁର ଗ୍ରାମଟା ସବୁଠାରୁ ବଡ । କିଣୁ ସିଂହ ସେହି ଗ୍ରାମ ମଝି ଭାଗବତ ଘରେ ଫାଣ୍ଡି ନାମକରଣ କଲେ । କାହିଁକିନା ସେତେବେଳେ ସରକାରୀ ଫାଣ୍ଡି ନ ଥିଲା । ତେଣୁ ସେ ଆପେ ଭାଗବତ ଘରକୁ ଫାଣ୍ଡି ରୂପେ ଠିକ୍ କଲେ । ଏ ତ ସରକାରୀ କଥା ପାଟି ଫିଟାଇବାକୁ ସାଧ୍ୟ କାହାର? କିଣାରାମ ସିଂହ ମଫସଲରେ ଆଉ ଗୋଟିଏ ନାମ ପାଇଲେ । ତାହା ହେଲା ‘ପୋଲିସ ଜମାଦାର’ ।