ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁନର୍ମୂଷିକୋଭବ

        ହିନ୍ଦୁ ପୁରାଣ କଥା ସବୁ ଜାଣନ୍ତି ବୋଲି ଜଣେ ବୁଢା ମୁସଲମାନ ମୌଲବୀଙ୍କର କିଛି ଦେମାକ ଥିଲା । ସେ ବୋଲନ୍ତି, “ମହାଭାରତ ଆଉର କୁଛ ନେହିଁ । ଭାଇ ଭାଇୟୋକି ତକରାରି ଜେସ୍ସା । ଆଉ ରାମାୟନ୍ ଯୋ ହେ, ଭାଇକା ଚୁଗଲଖୋରିମେଁ ରାବଣକା ବୁନିଆଦି ବରବାଦ୍ ।” ମୌଲବୀ ସାହେବଙ୍କ କଥା ଯାହାବି ହେଉନା କାହିଁକି, ଆମ୍ଭେମାନେ କିନ୍ତୁ ସଚରାଚର ଏଡିସନଲ ମୁନିସଫି ଦୁଆରଠାରୁ ହାଇକୋର୍ଟ ଦରୋଜା ପର୍ଯ୍ୟନ୍ତ ଭାଇ ଭାଇ ତକରାରିରେ ଅନେକ ଖାନଦାନି ଖିନ୍ଖରାପ ହେବାର ଦେଖିଅଛୁଁ । ସେଥିରୁ କ୍ଷୁଦ୍ରାଦପି କ୍ଷୁଦ୍ର ରାମା ବାରିକର ମଧ୍ୟ ଆଉ ନିଷ୍କୃତି ନାହିଁ । ରାମା ବାରିକର ଭାୟାରା ମଧ୍ୟ ଜଣଙ୍କ ସଙ୍ଗରେ ତାହାର ତକରାରି ଥିଲା । ରାମା ଉପରେ ଜମାଦାରେ ଭାରି ଖପା ହୋଇଥିବା କଥା ତ ଗ୍ରାମଯାକଙ୍କୁ ଜଣା, ତା’ କାନରେ ମଧ୍ୟ କଥା ପଡିଲା । ରାମାକୁ ଜବଦ କରିବା ପାଇଁ ଦିନେ ନିରୋଳାରେ ସେ ଜମାଦାର ପାଖରେ ହାଜର ହୋଇ ରାମା ଘର ମଧ୍ୟରେ ଚୋରା ଲୁଣ ମାରୁଥିବାର କଥା କହିଗଲା । ସବୁ ଶୁଣି ଜମାଦାରେ ଭାରି ଖୁସି, ନିଧିଟାଏ ପାଇଗଲେ ଯେମନ୍ତ । ଗୋଟିଏ ଟେକାରେ ଯୋଡାଏ ଆମ୍ବ ଝଡିବ, ଅର୍ଥାତ୍ ବଦମାଏସ ରାମା ଜବଦ୍ ହେବ, ଆଉ ଏକ ନମ୍ବର ମାମଲା ଦାଏର ହେବ ।

ତହିଁ ଆରଦିନ ସକାଳେ ପ୍ରହରକ ବେଳେ ଜମାଦାରେ ଡ୍ରେସ୍ ଭିଡି ଦିଗବାରକୁ ସଙ୍ଗରେ ଧରି ଦାଣ୍ଡଦୁଆରେ ହାଜର । ଜମାଦାର ଠିକ୍ ସନ୍ଧାନ ପାଇଥିଲେ । ରାମା ତାହାର ଘର ପାଚିରିବୁଲା ମଝି ଅଗଣାରେ ହାଣ୍ଡିଏ ଦହପାଣି ଘେନି ଧାନଉଁଷା ଚୁଲିରେ ଲୁଣ ମାରିବାକୁ ଯାଉଥିଲା । ଜମାଦାର ଏକାବେଳକେ ଯାଇ ଅଗଣା ମଧ୍ୟରେ ତାହା ଆଗରେ ହାଜର । ରାମା ତ ପୁରୁଖା ଲୋକ, ଜମାଦାରକୁ ଦେଖିବା ମାତ୍ରେ ସେ ସବୁକଥା ବୁଝିଗଲା; ତେଣୁ ଲଣ୍ଡଭଣ୍ଡ ହୋଇ ସେ ପାଣିଯାକ ନଳାମୁହଁରେ ଢାଳିଦେଲା । ଏସବୁ ଜମାଦାର ଖୋଦ୍ ଦେଖୁଛନ୍ତି, ଆଉ କ’ଣ? ରାମା ତତ୍କ୍ଷଣାତ୍ ଗ୍ରେପ୍ତାର । ଯେଉଁଠାରେ ଲୁଣପାଣି ଢଳା ହୋଇଥିଲା; ସେହିଠାରୁ ଅଧହାଣ୍ଡିଏ ମାଟି ରାମ ହାତରେ ପୂରାଇ ଦାଣ୍ଡକୁ ଭିଡି ଆଣିଲେ । ଜମାଦାରଙ୍କ ହୁକୁମରେ ଦିଗବାର ରାମ ଡେଣା ବାନ୍ଧି ପକାଇଲା । ଦିଗବାର ବାଁ କାନ୍ଧରେ ଠେଙ୍ଗା, ଡାହାଣ ହାତରେ ରାମ ହାତବନ୍ଧା ରଶି ଧରି ଗ୍ରାମ ମଝି ଦାଣ୍ଡରେ ଭିଡି ଭିଡି ତାକୁ ଫାଣ୍ଡିକୁ ଘେନିଗଲା । ଜମାଦାରଙ୍କ ହୁକୁମରେ ଆଉ ତିନିଖଣ୍ଡ ଗ୍ରାମର ତିନିଜଣ ଦିଗବାର ଆସି ସେଠାରେ ହାଜର ହୋଇଗଲେ । ସେମାନଙ୍କ ହେପାଜତରେ ଚୋର ରାମା ବନ୍ଧାହୋଇ ଫାଣ୍ଡିରେ ସେଦିନକ ପଡିରହିଲା ।

ଗ୍ରାମଯାକ ଚହଳ ପଡିଗଲା । ସହର ଜାଗାରେ ଏପରି କଥାକୁ କେହି ସିନା ଅନାଏ ନାହିଁ, ମାତ୍ର ମଫସଲରେ ଏହା ଗୋଟିଏ ଭାରି କାଣ୍ଡ ଜାଣ । ବିଶେଷରେ ପୋଲିସ ଜମାଦାର ଲୁଣଚୋର ଧରିଲାଣି । ଗ୍ରାମଯାକ ସମସ୍ତଙ୍କ ମୁହଁରେ ସେଇ କଥା, ସମସ୍ତଙ୍କର ସବୁ ପ୍ରକାର କାର୍ଯ୍ୟ ବନ୍ଦ । କାହାରି ମନରେ ଆଦୌ ସୁଖ ନାହିଁ, ମାତ୍ର ଗାଁ ପିଲାଗୁଡାଙ୍କର ଭାରି ଆନନ୍ଦ, କାହିଁକିନା ଅବଧାନେ ଚାଟଶାଳୀ ଛାଡି ଯାଇଛନ୍ତି । ପିଲାଗୁଡାକ ପଲପଲ ହୋଇ ରାମାକୁ ଦେଖିବା ପାଇଁ ଭାଗବତ ଘରକୁ ଖାଲି ଧାଇଁଛନ୍ତି । ଗୋଳମାଳ କଲେ ଦିଗବାର ପାଟିକରି ଧମକାଇ ତଡିଦେଉଛି, ପିଲାମାନେ ଭୟରେ ପଳାଇଆସି ପୁନର୍ବାର ଧୀରେ ଧୀରେ ସେ ଭାଗବତ ଘର ପାଖରେ ଜମା ହେଉଛନ୍ତି, ଏହିପରି ସେମାନଙ୍କର କାର୍ଯ୍ୟ ଲାଗିଛି । ମାଇକିନିଆମାନେ ଘରଧନ୍ଦା ଛାଡି ତୁନିହୋଇ ବସିଛନ୍ତି । ଗ୍ରାମରେ ଯେମନ୍ତ ବଜ୍ରପାତ ହୋଇଛି । ଆଜି ରାମା ଧରାଗଲା, କାଲି କାହା କପାଳରେ କ’ଣ ଅଛି ତାହା କିଏ ବା କହିପାରେ, ଲୁଣ ମରା ତ ସମସ୍ତଙ୍କ ଘରେ, ସରକାରକୁ ବଳ କାହାର? ସେଦିନ ଦିନଓଳି ଖିଆପିଆଟା ଅନେକ ଲୋକ ଘରେ ସଞ୍ଜବେଳେ ହେଲା । ରାମା ଘରେ ତ ଅରନ୍ଧା ଅବଢା ।

                ଗ୍ରାମମୁଣ୍ଡ ବରଗଛମୂଳରେ ପୁରୁଖା ପୁରୁଖା ଆଠ ଦଶଜଣ ଲୋକ ବିଚାର କରିବାକୁ ବସିଗଲେ, ଅନେକ କଥା ଅନେକ ତର୍କବିତର୍କ ଉତାରେ ସ୍ଥିର ହେଲା- ଯେପରି ହେଉ, ଯେତେ ଟଙ୍କା ଲାଗୁ ପଛକେ ରାମାକୁ ଖଲାସ କରାଇବାକୁ ହିଁ ହେବ । ସମସ୍ତଙ୍କ ପରାମର୍ଶରେ ଗ୍ରାମ ପୁରୋହିତ ବୃଦ୍ଧ ବ୍ରାହ୍ମଣ ନାରାୟଣ ମିଶ୍ରେ ନିରୋଳାରେ ଜମାଦାର ସଙ୍ଗରେ ସାକ୍ଷାତ୍ କଲେ । ଜମାଦାରେ ଓଳଗି ହେବା ଆଗରୁ ମିଶ୍ରେ ଦୁଇ ହାତ ଆଞ୍ଜୁଳା କରି କିଂଚିତ ନଇଁପଡି, “ଅଶ୍ୱତ୍ଥାମା ବଳି ବ୍ୟାସ ହନୁମାନ ବିଭୀଷଣ” ଇତ୍ୟାଦି ଶ୍ଳୋକ ପଢି ଜମାଦାରଙ୍କ ଚିରାୟୁଃ, ଗୋପଲକ୍ଷ୍ମୀ, ଧନଧାନ୍ୟ ଇତ୍ୟାଦି ନିଶ୍ଚୟ ପ୍ରାପ୍ତିର ସୂଚନା କରି ଧୀରେ ଧୀରେ ତାଙ୍କ ପାଖରେ ବସିଲେ । ଜମାଦାରେ ତ ପୁରୁଖା ଲୋକ, ମିଶ୍ରଙ୍କ ଆଗମନର ଅଭିପ୍ରାୟଟା ସେ ବୁଝିଗଲେ । ଅନ୍ୟ ଦିନେ ମିଶ୍ରଙ୍କ ସଙ୍ଗରେ ସେ ଢେର୍ କଥା କହନ୍ତି, ମାତ୍ର ଆଜି ତାଙ୍କର ପାଟି ଫିଟିବାର ନାହିଁ, ତୁନି ହୋଇ ଗମ୍ଭୀର ଭାବରେ, ହାକିମୀ ଧରଣରେ ବସିଛନ୍ତି । ମିଶ୍ରେ କିଂଚିତ୍କ୍ଷଣ ବସି ଜମାଦାରଙ୍କ ଢେର୍ ପ୍ରଶଂସା କଲେ । ସେ ଯେ ଚାରିଖଣ୍ଡ ଗ୍ରାମର ହର୍ତା-କର୍ତ୍ତା- ଦଇବ ବିଧାତା, ସମସ୍ତଙ୍କ ମାନମହତ ତାଙ୍କରି ହାତରେ, ସେ ମାରିପାରନ୍ତି, ତାରି ବି ପାରନ୍ତି, ଇତ୍ୟାଦି ଢେର୍ ପ୍ରଶଂସା କଲେ । ଜମାଦାର ନୀରବ । ମିଶ୍ରଙ୍କୁ ମଧ୍ୟ ମାମଲତ କିଛି ଜଣା । ଦୁଇ ଚାରିଥର ହାଇମାରି ଚାରିଆଡକୁ ଅନାଇ ରାମାକୁ ଛାଡିଦେଲେ ଦଶଟଙ୍କା ଇସାରାରେ ଶୁଣାଇଲେ । (ଆଉ ମାମଲା ହୋଇଥିଲେ ଜମାଦାରେ କଣ କରିଥାନ୍ତେ, ଆମ୍ଭେମାନେ କିଛି କିଛି ଅନୁମାନ କରିପାରୁ, ମାତ୍ର ଏ ଯେ ରାମା କଥା- ବଦମାଏସ ଊଣା କାର୍ଯ୍ୟ କରିଛି, ମହତ ଉପରେ ବଟି) ଜମାଦାର ଭାରି ଖପା ହୋଇ ରଙ୍ଗା ଆଖିରେ ମିଶ୍ରଙ୍କ ଆଡକୁ ଅନାଇଁ କହିଲେ, “ତୁ କି ରକମ ଗୋସେଇଁରେ? ମୋତେ କି ହାକିମ ପାଇଛୁ?” ଏକଥାରେ ମିଶ୍ରେ ତ ଏକାବେଳକେ ବସିଗଲେ- ସରକାରୀ ଲୋକ, କେଜାଣେ କଣ କରି ପକାଇବରେ ବାପା! କିଛିକ୍ଷଣ ବସି ଖୁବ୍ ଗୋଟାଏ ନିଃଶ୍ୱାସ ପକାଇ ଧୀରେ ଧୀରେ ସେ ସେଠାରୁ ଉଠି ଚାଲିଗଲେ ।

ପରଦିନ ଖୁବ୍ ସକାଳେ ରାମା ଡାହାଣ ଡେଣାରେ ରଶିଲଗା, ବାଁ କାନ୍ଧରେ ଚୋରା ଲୁଣହାଣ୍ଡି । ଦିଗବାର ଶଙ୍କ୍ରୁ ମଲିକ ଡାହାଣ କାନ୍ଧରେ ଠେଙ୍ଗା, ବାଁ ହାତରେ ରାମାବନ୍ଧା ଦଉଡିମୁଣ୍ଡ । ଜମାଦାରେ ଡ୍ରେସ ପିନ୍ଧି ଛାତିଫୁଲାଇ ଗାଁ ମଝି ଗୋହିରିରେ ବାଲେଶ୍ୱର ସଦର କଚେରିକୁ ରବାନା ହେଲେ । ଜମାଦାରଙ୍କ ମନରେ ଖୁବ୍ ଫୂର୍ତି, ତେଣୁ ଭାରି ଚଂଚଳ ଚଂଚଳ ତାଙ୍କ ଗୋଡ ପଡୁଛି, ଦିଗବାର କିଛି ପଛରେ ପଡିଗଲେ ତାହାକୁ ଧମକାଇ କହୁଅଛନ୍ତି, “ଚଂଚଳ ଚାଲ, ପହିଲା କଚେରିରେ ହାଜର ହେବାକୁ ପଡିବ ।”

                ମକ୍ରାମପୁରଠାରୁ ସଦର ଊଣା ଅଧିକରେ ସାତକୋଶ ଦୂର, ମାତ୍ର ଜମାଦାରେ ଆସାମୀକୁ ଧରିବାର ଉପରେ ଯୋଡଏ ବାଜେ କଚେରିରେ ପହଁଚିଗଲେ । ମନ ସଙ୍ଗରେ ଗୋଡର କିପରି ସମ୍ବନ୍ଧ ଅଛି, ଆମ୍ଭମାନଙ୍କୁ ଅଜଣା । ଯେହେତୁ ମନୋବିଞ୍ଜାନ ଶାସ୍ତ୍ରରେ ଆମ୍ଭେମାନେ ନିପଟ- ଇତ୍ୟାଦି, ହେଲେ ଦାର୍ଶନିକ ଲୋଡିବାର କିଛି ବି ଦରକାର ନାହିଁ । ଜମାଦାରଙ୍କ ପଦଯୁଗଳର ଚାଂଚଲ୍ୟ ପ୍ରତ୍ୟକ୍ଷରେ ତାହାଙ୍କ ମନର ଚାଂଚଲ୍ୟ, ଫୂର୍ତି ଅନୁମାନ କରିନେଲୁଁ । ଜମାଦାରେ କଚେରିରେ ପହଁଚି ଚିହ୍ନା-ଅଚିହ୍ନା ଢେର୍ ଅମଲା ଫଏଲାଙ୍କୁ ନମସ୍କାର କରିଗଲେ । ପେସ୍କାରଙ୍କୁ ଜୁହାରଟାଏ କରି ମାମଲା ଆସାମୀ ହାଲ ଚୁମ୍ବକ ଚୁମ୍ବକ ସବୁ ଜଣାଇଦେଲେ । ମେଜେଷ୍ଟର ସାହେବଙ୍କ ନିକଟରେ ରିପୋର୍ଟ ପେସ୍ ହେଲା ଆସାମୀ ନାଜରଖାନା ବାଟେ ହାଜତକୁ ଚାଲାଣ ହେଲା । ବରାମଦି ମାଲ ରହିଲା ନାଜରଖାନାରେ ଦାଖଲ । ମାମଲା ଡେ. ମାଜିଷ୍ଟର ମୌଲବୀ ଅବଦୁଲ ମିଆଁକୁ ସମ୍ପ୍ରୋଦ ହେଲା । ତାରିଖ ପଡିଲା ଆସନ୍ତା ପାଂଚ ତାରିଖ ଶୁକ୍ରବାର ।

କଚେରି ବାହୁଡା ଜମାଦାରେ ଆସି ପେସ୍କାରଙ୍କ ବସାରେ ରହିଲା, ଦିଗବାର ମଧ୍ୟ ରହିଲା । ମାମଲା ତାରିଖ ଆଜ ଲଗାଏତ୍ ଚାରିଦିନ । ଆଜି ଦିନଟା ତ ଗଲା- ତାରିଖ ଦିନ ମାମଲା ପଡିବ, ମଝିରେ ରହିଲା ମାତ୍ର ଯୋଡାଏ ଦିନ, ଫାଣ୍ଡିକୁ ଯାଇ ଆସିହେବ ନାହିଁ । ଜମାଦାରେ ତ ପେସ୍କାରଙ୍କ ବସାରେ ଥାଆନ୍ତି । ତୁଚ୍ଛାଟାରେ ହେଲେ ଦଶଥର ଡାକି ହାକିମ ବୋଲରେ ଦିଗବାରକୁ ନାନା ଫରମାସ ବତାଉଥା’ନ୍ତି, ଅର୍ଥାତ୍ ଜମାଦାର ଡାକିଲେ ଦିଗବାର ଯେ ‘ଆଜ୍ଞା ହଜୁର’ କହେ, ତାହା ଲୋକେ ଶୁଣନ୍ତୁ, ଆଉ ତାହାଙ୍କ ତାବେ ଯେ ଲୋକେ ଅଛନ୍ତି, ଏହା ସମସ୍ତେ ଜାଣନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ