ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁନର୍ମୂଷିକୋଭବ

ରାତ୍ର ଅନ୍ଦାଜ୍ ଏକପ୍ରହର । ପେସ୍କାରେ ଗମ୍ଭିରି ଭିତରେ ଗୋଟାଏ ଶଉପମସିଣା ମେଲାଇ ବସିଛନ୍ତି । ତାଙ୍କ ଆଗରେ ଗୋଟାଏ ଦୀପରୁଖା ଉପରେ ମାଟି ଦୀପଟାରେ ବଳିତାଟା ମିଟିମିଟି କରି ଜଳୁଚି । ପେସ୍କାରଙ୍କ ଆଗରେ ନଥିପାତ୍ର କାଗଜଗୁଡାଏ ବୁଣିପଡିଛି । ପେସ୍କାରେ ନଥିର ଫେରସ୍ତ ଖୁବ୍ ମନୋଯୋଗୀ ହୋଇ ସଜାଡିବାରେ ବ୍ୟସ୍ତ । ଜମାଦାର କିଣାରାମ ସିଂହ ପିଣ୍ଡାରେ ଚକାମାଡି ତୁନି ହୋଇ ବସିଛନ୍ତି । ଦିଗବାରଟା ଓଳିତଳେ ବସି ଜମାଦାରଙ୍କୁ ଚାହିଁଚି, କେତେବେଳେ କ’ଣ ହୁକୁମ ହେବ । ରୋଷେଇଆ ପିଲା ଚୁଲି ଲଗାଇବାରେ ବ୍ୟସ୍ତ, ଚୁଲିମୁହଁରେ ଲୁଣ୍ଡା ପକାଇ ଫୁଙ୍କୁଛି, ଠିକ୍ ଏହି ସମୟରେ ଶବ୍ଦ ହେଲା, “ହରିବୋଲ ହରିବୋଲ- ପେସ୍କାରବାବୁଙ୍କର ମଙ୍ଗଳ ହେଉ, ଜୟ ଜୟକାର ହେଉ ।”

                ପେସ୍କାରେ ତୁଣ୍ଡବାରି ଘରୁ ବାହାରିପଡିଲେ । “ଆସିବା ହେଉ ରଥେ, ଆସିବା ହେଉ” କହି ପେସ୍କାରେ ସେ ଆଗନ୍ତୁକଙ୍କୁ ଓଳଗିଟାଏ କଲେ । ଗାଁର ସମସ୍ତ କୁଶଳ ମଙ୍ଗଳ ପଚାରିଲେ । ସେ ଆଗନ୍ତୁକ ଲୋକର ନାମ ପୁରୁଷୋତମ ରଥେ, ପେସ୍କାରବାବୁଙ୍କ ସେ ପୁରୋହିତ, ଏକା ଗାଁରେ ସେମାନଙ୍କ ଘର । ରଥଙ୍କ ପୁଅ ଭିକା ପେସ୍କାରବାବୁଙ୍କ ରୋଷେଇଆ । ପୁଅ ଦେଖାହେବ ବଜାର ସଉଦା ବି ହେବ, ଆଉ ରୋଜଗାରିଆ ଯଜମାନ କେବେ କେବେ କିଛି ପ୍ରାପ୍ତିର ଆଶା ମଧ୍ୟ ଥାଏ । ଏଥିସକାଶେ ରଥେ ମାସକୁ ଥରେ ଦୁଇଥର ସହରକୁ ଆସିଥାଆନ୍ତି । ପେସ୍କାରଙ୍କ ସହିତ କଥା ସମାପ୍ତ ଉତାରେ ରଥେ ଚାରିଆଡକୁ ଚାହିଁଲେ । ଆଜି କିଛି ନୂଆ ନୂଆ ଜଣାଗଲା, ଆଗେ ପହଁଚିବାମାତ୍ରେ କିଣା ଭୂଇଁରେ ମୁଣ୍ଡିଆଟାଏ ମାରି ଗୋଡ ଧୋଇବାକୁ ପାଣିଢାଳେ ଆଣିଦିଏ- ହେଲେ ଆଜି ସେ ଉଠୁ ନାହିଁ କିଆଁ? ଆଉ ସମ୍ଭାଳି ନ ପାରି ସେ ପୁରୁଷୋତମ ରଥେ ଡାକଟାଏ ଦେଲେ, “ରେ କିଣା!” “ରେ କିଣା!” କିଣୁ କିନ୍ତୁ ନିରୁତର । ବ୍ରାହ୍ମଣ ମନ ନକିତଳି, ଅଳପକେ ତାତିଯାଏ । ତା’ପରେ ସେ ପୁଣି କିଛି ଖପା ବୋଲରେ ଡାକିଲେ, “ରେ କିଣା!” ଉପସ୍ଥିତ କ୍ଷେତ୍ରରେ ରଥଙ୍କ କ୍ରୋଧ କରିବା ଖୁବ୍ ଅନ୍ୟାୟ । କାରଣ ରଥଙ୍କ ଆବିର୍ଭାବ ବିଷୟ କିଣାରାମ ସିଂହଙ୍କର ଅଜ୍ଞାତବ୍ୟ, ଏ କଥା ଆମ୍ଭେମାନେ ଦୃଢରୂପେ ବୋଲିପାରୁଁ । ସିଂହେ ସେ ସମୟରେ ନାନା ଚିନ୍ତାରେ ମନ ସଂଯୋଗ କରିଥିଲେ । କିପରି ରାମା ବାପୁଡା ଜେଲ ଯିବ, ଫାଣ୍ଡିକୁ ଯାଇ କିପରି ନୂଆ ରକମ ଜାରି କରିବେ, ସରକାରରୁ କିପରି ଖୁସ୍ନାମ ମିଳିବ, ଆଉ ଦୁଇ ଚାରି ନମ୍ବର ମାମଲା ଚାଲାଣ ଦେଲେ କିପରି ଜମାଦାରୀ ପାଇବେ ଇତ୍ୟାଦି ନାନା ଭାବନାରେ ମନ ସେତେବେଳେ ତାଙ୍କର ଫୁଲିଉଠୁଥିଲା । ମନୋବିଜ୍ଞାନ ଦାର୍ଶନିକ ପଣ୍ଡିତେ ବୋଲନ୍ତି, ମନ ଗୋଟାଏ ବିଷୟରେ ସଂଲଗ୍ନ ଥିଲେ ଅନ୍ୟ ବିଷୟ କଦାପି ଧାରଣା କରିପାରେ ନାହିଁ । ପୁଣି ସିଂହଙ୍କ ମନ ବର୍ତ୍ତମାନ ଗୋଟାଏ ନୁହେଁ ପୁଞ୍ଜାଏ ପାଂଚଟା ବିଷୟରେ ସଂଲଗ୍ନ- ଏଥକୁ ସେ ରଥଙ୍କ ଡାକରା ଶୁଣିପାରିଲେ ନାହିଁ ବୋଲି ତାହାଙ୍କୁ ଦୋଷୀ କରାଯାଇ ନ ପାରେ, ମାତ୍ର ବ୍ରାହ୍ମଣ ବାପୁଡା ତାହା ବୁଝିଲା ନାହିଁ । ପୁନର୍ବାର- “ରେ କିଣା, ରେ କିଣା! ପାଣି ଢାଳେ ଦେ, ଗୋଡ ଧୋଇବି ।” ଏହା ଶୁଣି ସିଂହେ ହଠାତ୍ ଚମକି ପଡି ରଥଙ୍କୁ ଚାହିଁଲେ । ପୁଣି ଦିଗବାର ଉପରେ ତାଙ୍କର ନଜର ପଡିଗଲା । “ରେ କିଣା, ପାଣି ଢାଳେ ଦେ, ଗୋଡ ଧୋଇବି ।” ଅବଶ୍ୟ ଦିଗବାର ଶୁଣିଲା । ଏଥର ସେ ରଥଙ୍କ କ୍ରୋଧର କାରଣ ଯେପରି ଅହେତୁକୀ, ସିଂହଙ୍କର କ୍ରୋଧ ସେହିପରି କାରଣସଙ୍କୁଳ ଅଟେ । ସିଂହେ ମଧ୍ୟ ସେହିପରି ଖପାଇ ସ୍ୱରରେ ଜବାବ ଦେଲେ, “କିପରି ଅଖାଡୁଆ ଗୋସେଇଁ ହେ, ଟିକିଏ ତର ସହୁ ନାହିଁ?”

                “କ’ଣ ବୋଇଲୁ? କ’ଣ ବୋଇଲୁ? ଅଖାଡୁଆ!” ରଥଙ୍କର ତ ଅଂଟି ଫିଟିବାକୁ ବସିଲାଣି । ପେସ୍କାର ସବୁ ଶୁଣୁଥିଲେ, ଧାଇଁଆସି ଥାମଥୁମ କରିଦେଲେ । ନକିତଳି ତାତି ବେଶି ବେଳଯାଏଁ ରହେ ନାହିଁ । ରଥେ ଗୋଡଧୋଇ ପେସ୍କାରଙ୍କ ବିଛଣାରେ ବସିଲେ । ମନଟାକୁ ଥଣ୍ଡା କରିବାପାଇଁ ଅଂଟିରୁ ନାସଦାନିଟା ବାହାର କଲେ । ପେସ୍କାରଙ୍କ ସହିତ କଥୋପକଥନ ଆରମ୍ଭ, ଏଣୁତେଣୁ କଥା ଉତାରେ କିଣା ବାରିକର କନଷ୍ଟବଳୀ, ଚୋରିଚାଲାଣ ଇତ୍ୟାଦି କଥା ଶୁଣିଲେ । ରଥେ ଶୁଣିସାରି କହିଲେ, “ଓଃ ଏହିଁକି ଏତେ? ପୁନର୍ମୂଷିକୋଭବ-”

                ଋାମ ବାରିକ ଚଲାଣ ହୋଇ ଆସିବା ଦିନଠାରୁ ଗୋପାଳପୁର ପ୍ରଭୃତି ଚାରିଖଣ୍ଡି ଗ୍ରାମରେ ମାଛିଟି ମରିଯାଇଛି । ସବୁ ପାଇଟି ବନ୍ଦ, କାହାରି ମନରେ ମୋଟେ ସୁଖ ନାହିଁ । ଘରପିଛା ଭେଦ ଉଠିଲା । ଗୋପାଳ ଘଡେଇ ଟଙ୍କାଟୁକର ଧରି ଅଂଟାଭିଡି ବାହାରିଲେ । ତାଙ୍କ ସଙ୍ଗରେ ରାମର ମାଉସୀପୁଅ ଭାଇ ମକ୍ରା ବାରିକ, ଆଉ ହଗ୍ରୁ ସାମଲ ଏହି ଦୁଇଜଣ । ଗୋପାଳ ଘଡେଇ ଜଣେ ମାମଲତକାର ଲୋକ, ଚାରିଖଣ୍ଡ ଗାଁରେ ତାହାର ନାମ ଡାକ । ଆଗେ ତାହାର ତିନିଖଣ୍ଡ ଚୁଲି ଥିଲା । ଚାରିହଳ ଜମି ଚାଷ, ଶକଡା ଟଙ୍କା ଫେରଫାର ଚଳେ । ସଦରକୁ ଯିବାଆସିବାରେ ଆଇନ୍କାନୁନ୍ କଥା ତାହାକୁ ଭଲ ଜଣା ତଥାପି ସେ ରୱାନା ସମୟରେ ତାଙ୍କ ପଛରେ ଚାରିଜଣ ମୁରବି ଭଳିଆ ଲୋକ ଅଧକୋଶଯାଏଁ ଗୋଡାଇଯାଇ ତାଙ୍କୁ ନାନା ପ୍ରକାର ଉପଦେଶ ଦେଲେ । ବାହୁଡି ଆସିବା ସମୟରେ ଅବଧାନେ ବନମାଳୀ ଓଝା କହିଲେ, “ଯାଅ ଘଡେଇପୁଅ, ‘ଶ୍ରୀ ମଧୁସୂଦନ, ଶ୍ରୀ ମଧୁସୂଦନ’ କହି ଚାଲିଯାଅ । ମୁଁ ଯେ ଦିନ ଧରି ଦେଇଛି, ତାହା ନ ମେଂଟନ ।”

                ଆଜି ମାମଲାର ତାରିଖ । ତେଣୁ ଜେଲଖାନା ହାଜତ ଆସାମୀ ସବୁ ଚାଲାଣ ହୋଇ ଆସି ନାଜରଖାନାରେ ବସିଛନ୍ତି । ଗୋପାଳ ଘଡେଇ କିଛି ଅଂଟାଗୁଞ୍ଜା ବଳରେ ହାଜତି ଜାଏଗା ଦୁଆର ପର୍ଯ୍ୟନ୍ତ ଗଲା । ଡାହାଣହାତ ବୁଢାଆଙ୍ଗୁଳି ଓ ମୁଣ୍ଡ ନାନା ଭଙ୍ଗୀରେ ସଂଚାଳନ କରି ରାମାକୁ ସେ ଇସାରା କଲା । ରାମା ତ ସେ ହାଜତରେ ରହି ଘାବରେଇ ଯାଇଥିଲା, ତାହାକୁ ସେହି ଅବସ୍ଥାରେ ହାକିମଠାରୁ ଆଣିଥିଲେ ସେ କ’ଣ କରିଥାଆନ୍ତା, କଥ ଅଜଣା, ମାତ୍ର ରାମା ମଫସଲ ଭଣ୍ଡାରି ହେଲେ କ’ଣ ହେବ, ପଣ ପଣ ଗସ୍ତି ହାକିମମାନଙ୍କୁ ବେଠିରେ ଖିଅର କରି କରି ତା’ର ମୁଣ୍ଡବାଳ ଆସି ପାଚିଲାଣି । ଘଡେଇକୁ ଦେଖି ସେ ଖୁବ୍ ହେମତ୍ ବାନ୍ଧିଲା । ମୁଣ୍ଡ ହାତ ହଲାଇ ଘଡେଇ କଥାରେ ସେ ଜବାବ ଦେଲା । ଘଡେଇ କାମ ସାରି ଚାରି ଛ’ହାତ ଚାଲି ଆସିବା ଉତାରେ ପହରାବାଲା କନେଷ୍ଟବଳ ଡାକିଦେଲା, “ତଫାତ୍, ତଫାତ୍ ।” ଅର୍ଥାତ୍ ନାଜର ଜାଣନ୍ତୁ ସେ ବାହାରିଆ ମଣିଷକୁ ହାଜତି ଆସାମୀ ପାଖ ପୂରାଇ ହେଉ ନାହିଁ । ଘଡେଇ ନାଜରଖାନାରୁ ଆସି ଉକିଲ ଅବଦୁଲ ଶୋଭାନ ଖାଁଙ୍କୁ ଆସାମୀ ପକ୍ଷରୁ ଉକାଲତନାମା ଦେଲେ ।

ପ୍ରଥମ ଶ୍ରେଣୀ ଡେ. ମାଜିଷ୍ଟ୍ରେଟ୍ ମୌଲବୀ ଅବଦୁଲା ଖାଁଙ୍କ ମିସଲରେ ପହିଲା ନମ୍ବର ଏହି ମାମଲା ଡକରା ହେଲା । ମୌଲବୀ ସାହେବଙ୍କର କିଛି ପରିଚୟ ଦେବାର ଆବଶ୍ୟକ । ବିନା କାରଣରେ ଆମ୍ଭେମାନେ ଏହି ପରିଚୟ ଦେଉ ନାହୁଁ, ଆପଣମାନେ ଏକଥା ବୁଝିପାରିବେ । ଆଜିକାଲି ସରକାର ଯେପରି ହାକିମଗୁଡାଙ୍କୁ ବିଲେଇପିଲା ପରି ଚାରିଆଡେ ବୁଲାଇ ମାରୁଛନ୍ତି, ଆଗେ ତ ସେପରି ନ ଥିଲା । ଜଣେ ଜଣେ ହାକିମ ଗୋଟାଏ ଗୋଟାଏ ଜିଲ୍ଲାରେ ଆଠ ଦଶବରଷ ରହିଯାଉଥିଲେ । ମୌଲବୀ ଅବଦୁଲା ଖାଁ ଆଜକୁ ଉଣାଅଧିକ ଦଶବରଷ ହେଲା ଏହି ଜିଲ୍ଲାରେ ଅଛନ୍ତି । ତାଙ୍କ ପାଇଁ ସେ ଘରଦୁଆର, ବାଗବଗିଚା ଜାରି କରି ଦେଲେଣି, ସହରର ସମସ୍ତେ ତାଙ୍କୁ ଭାରି ମାନନ୍ତି । ମଫସଲରେ ମୌଲବୀ ଦିପୋଟି ବୋଲି ତାଙ୍କ ନାମ ଡାକ । ଓକିଲ ମୁକ୍ତାର, ବୋଲନ୍ତି ମୌଲବୀ ବିଚାରରେ ପାଣି ସୁଦ୍ଧା ବି ଗଳିବ ନାହିଁ । ହେଲେ ଆମ୍ଭେମାନେ କିନ୍ତୁ ମୌଲବୀଙ୍କ ଗୋଟାଏ ଭାରି ଦୋଷ ବା ଗୁଣ କଥା ଜାଣୁ, ସେ ପୋଲିସ ଉପରେ ସବୁଦିନ ଗୋସ୍ସା, ତାହାଙ୍କର କେମନ୍ତ ଗୋଟିଏ ଧାରଣା ହୋଇଥିଲା ଯେ, ପୋଲିସ ଅନେକ ସ୍ଥଳରେ ସଜାସଜି କରି ନିର୍ଦୋଷ ଆସାମୀକୁ ଚଲାଣ ଦିଏ । ଏଥିପାଇଁ ଚାଲାଣି ମାମଲାରେ କିଛି ଟିକିଏ ବାଟ ପାଇଲେ ଆସାମୀକୁ ସେ ତୁରନ୍ତ ଖଲାସ କରିଦିଅନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ