ହାକିମ ମିସଲରେ ବସିବା ମାତ୍ରେ ପେସ୍କାର ବାଁ ହାତରେ ବିଡାଏ ନଥି, ଡାହାଣ ହାତରେ ଦୁଆତ କଲମ ଧରି ମିସଲ ଆଗ ବେଂଚ୍ ପାଖରେ ପହଁଚି, ଆଗ ବେଂଚ୍ରେ କାଗଜପତ୍ର ଥୋଇଦେଲେ । ହାକିମଙ୍କୁ ଖୁବ୍ ମୁଣ୍ଡ ନୁଆଁଇ ସଲାମ କରି ବେଂଚ୍ରେ ସେ ବସିଲେ ।
ହାକିମ- ମାମଲା ପେସ୍ କର ।
ପେସ୍କାର- ହଜୁର, ପହିଲା ନମ୍ବର ମାମଲା ନିମକୀ ପୋଲିସ ଚାଲାଣି । ସରକାର ତରଫ ମୁଦେଇ କନେଷ୍ଟବଳ କିଣାରାମ ସିଂହ । ମୁଦାଲା ରାମ ବାରିକ ।
ଚପରାସୀ ପାଟି କରି ତିନିଥର ଡାକିଦେଲା, “କିଣାରାମ ସିଂହ କନେଷ୍ଟବଳ ହାଜର ହେ ।”
କିଣାରାମ ସିଂହ ହାକିମଙ୍କୁ କନେଷ୍ଟବଳୀ ସଲାମ୍ ବଜାଇ ସାକ୍ଷୀ ବାକ୍ସ ଭିତରେ ଛିଡାହେଲା । ନାଜରଖାନା କନେଷ୍ଟବଳ ଆସାମୀକୁ ହାଜର କରିଦେଲା ।
ପେସ୍କାରଙ୍କ ପଢାଇବା ମାଫିକେ କିଣାରାମ ସିଂହ ସତ୍ୟପାଠ କରି ଇଜାହାର ଦେବାକୁ ଲାଗିଲେ ।
ହାକିମ ମୁଦେଇର ନାମ ବାପର ନାମ ବୟସ ଇତ୍ୟାଦି ଦସ୍ତୁର ମୁତାବକ ଲେଖି ସାରିଲା ଉତାରେ ମୁଦେଇ ମାମଲାର ସମସ୍ତ ହାଲ ହାକିମଙ୍କ ସୱାଲ ମୁତାବକ ବୟାନ କରିଗଲା । ଜବାନବନ୍ଦି ଲେଖିସାରି ହାକିମ ମୁଦାଲା ତରଫ ଓକିଲକୁ ପଚାରିଲେ, “ଜେରା କରିବ?”
ଓକିଲ ସଲାମ୍ କରି କହିଲେ, “ହଁ ହଜୁର ।”
ସୱାଲ ଓକିଲ- ଆସାମୀ ଯେ ଲୁଣପାଣି ଢାଳିଦେଲା, କିଏ ଦେଖିଛି?
ଜବାବ ମୁଦେଇ- ମୁଁ ଦେଖିଛି, ସେ ହାଣ୍ଡିରେ ପାଣି ପୂରାଇ ଚୁଲିମୁଣ୍ଡ-
ଓକିଲ ବସ ବସ, ମୁଁ ଯାହା ପଚାରିବି ସେଥିର ଜବାବ୍ ଦିଅ, ଅଧିକ ଗୁଡାଏ ବକ ନାହିଁ । ମୁଁ ପଚାରୁଛି ଆଉ କେହି ଦେଖିଛି କି ନାହିଁ? ‘ହଁ’ କି ‘ନା’ ଏତିକି ବୋଲ ।
ଜବାବ କଃ- ନା, ଆଉ କେହି ଦେଖି ନାହିଁ ।
ଓକିଲ ସୱାଲ- ସେ ଲୁଣ ଦହପାଣି ଢାଳିଦେଲା କି ଭଲପାଣି ଢାଳିଦେଲା, କିପରି ଜାଣିଲ?
ଜବାବ କଃ- ମୁଁ ଗୁଇନ୍ଦାଠାରୁ ସନ୍ଧାନ ପାଇ ଯାଇ ଧରିଛି ।
ସୱାଲ ଓକିଲ- ଧରିଛ ତ ହଁ- ଲୁଣପାଣି ଢାଳିଲା ବୋଲି କିପରି ଜାଣିଲ?
ଜବାବ କଃ- ମୁଁ ସେ ମାଟି ଚାଖି ଦେଇଛି, ମୋତେ ତ ଲୁଣିଆ ଲାଗିଲା- ।
ଓକିଲ- ବର୍ତ୍ତମାନ ଥରେ ଚାଖ ।
କନେଷ୍ଟବଳ ବରାମଦି ମାଟି କିଂଚିତ ହାଣ୍ଡିରୁ ଉଠାଇ ଚାଖିଲେ, କହିଲେ, “ଦେଖନ୍ତୁ, ଲୁଣିଆ ଲାଗୁଛି ।”
ଓକିଲ- ଆଉ ଥରେ ବେଶି କରି ଚାଖ ।
କନେଷ୍ଟବଳ- କିଂଚିତ୍ ଗୋସା ହୋଇ ଖୁବ୍ ବୁଙ୍ଗାଏ ମାଟି ପାଟିରେ ପୂରାଇ ଦେଲେ । ମିସଲରୁ ଓହ୍ଲାଇ ଯାଇ ଥୁ ଥୁ କରି ବାହାରେ ଫିଙ୍ଗିଦେଲେ । ମିସଲରୁ ଆସି ଓକିଲଙ୍କୁ ସେ ଖୁବ୍ ହେମତରେ କହିଲେ, “ଦେଖ, ମାଟି ଖୁବ୍ ଲୁଣିଆ ।”
ଏକଥା ଶୁଣି ସେ ଓକିଲ ମୁହଁରେ ରୁମାଲ ଦେଇ ହସିଲେ, ଆଉ କିଛି ବି ପଚାରିଲେ ନାହିଁ ।
ମୁଦେଇ ତରଫ ସାକ୍ଷୀ ଦିଗବାର ଶଂକ୍ରୁ ମଲିକଙ୍କର ନାମଧାମ ହାକିମ ଲେଖିବା ଉତାରେ ପେସ୍କାର ସତ୍ୟପାଠ ପଢାଇଲେ ।
ସୱାଲ- କନେଷ୍ଟବଳ ଆସାମୀକୁ ଗ୍ରେପ୍ତାର କରିବାବେଳେ ତୁ କ’ଣ ପାଖରେ ଥିଲୁ?
ଜବାବ ଶଂକ୍ରୁ ମଲିକ- ହଁ, ମୁଁ ପାଖରେ ଥିଲି ।
ସୱାଲ- ଆସାମୀ ରାମା ଲୁଣ ମାରିବାପାଇଁ ହାଣ୍ଡିରେ ଦହପାଣି ରଖିଥିଲା ତୁ ଜାଣୁ?
ଜବାବ- ହଁ, ମୁଁ ଜାଣେ ।
ସୱାଲ- ଆସାମୀ ନାଳ ମୁହଁରେ ପାଣି ଢାଳିଦେଲା, ତୁ କ’ଣ ତାହା ଦେଖିଛୁ?
ଜବାବ- ଆଜ୍ଞା ଆଜ୍ଞା, ହୁଁ ହୁଁ ରାମା ପାଣି ଫୋପାଡିଦେଲା । ସେ ଲୁଣ ମାରେ ।
ମୁଦାଲା ତରଫ ଓକିଲ ସୱାଲ- ରାମା ପାଣି ଢାଳି ଦେଲାବେଳେ ତୁ ପାଖରେ ଛିଡାହୋଇ ଦେଖିଛୁ କି ନା?
ଜବାବ- ନା, ମୁଁ ଦାଣ୍ଡରେ ଛିଡା ହୋଇଥିଲି । ଜମାଦାର କହୁଥିଲେ, ମୁଁ ଶୁଣିଛି ।
ହାକିମ କିଣାରାମ ସିଂହକୁ ପଚାରିଲେ, “ତୁମର ଆଉ କେହି ଗୁହା ଅଛି?”
କିଣାରାମ କହିଲେ- ମୁଁ ସରକାରୀ ପୋଲିସ- ନିଜେ ଆଖିରେ ଦେଖିଅଛି । ଆଉ ପୁଣି ଗୁହା କ’ଣ?
ହାକିମ ଏ କଥା ଶୁଣି ମୁରକି ହସିଲେ ।
ମାମଲା ପ୍ରମାଣ କରାଇବାପାଇଁ ସାକ୍ଷୀ ଯେ ପ୍ରୟୋଜନ, ଏକଥା ଆଉ କିଣାରାମଙ୍କୁ ଜଣା ନ ଥିଲା ।
ଏ ଉତାରେ ଆସାମୀର ଜବାବ ନିଆଗଲା ।
ଆସାମୀ ରାମା ବାରିକର ନାମଧାମ ହାକିମ ଲେଖିନେଲା ଉତାରେ, ତାହା ବିଷୟରେ ଅଣାଯାଇଥିବା ଅଭିଯୋଗ ସିଂକ୍ଷେପରେ ବୁଝାଇ ଦିଆଗଲା ଉତାରେ ହାକିମ ପଚାରିଲେ, “ତୁ ଦୋଷୀ କି ନିର୍ଦୋଷ?”
ଜବାବ ଆସାମୀ ରାମ ବାରିକ- ମୁଁ ନିର୍ଦୋଷ ।
ହାକିମ- ତେବେ କି ସକାଶେ ପୋଲିସ ତୋତେ ଚାଲାଣ ଦେଲା?
ଜବାବ- ଆଜ୍ଞା, ମୁଁ ଜମାଦାରଙ୍କର ବେଠି ନ କରିବାରୁ ସେ ମୋ ହାତରେ ଅଧହାଣ୍ଡିଏ ମାଟି ଦେଇ ବାନ୍ଧି ଘେନି ଆସିଅଛନ୍ତି ।
ସୱାଲ- ତୋତେ କିପରି ବାନ୍ଧି ଆଣିଲେ?
ଜବାବ- ଆଜ୍ଞା ମୁଁ ତ ଘରେ ଶୋଇଥିଲି । ମୋ ଘରେ ପଶି ମୋତେ ସେ ଖୁବ୍ ମାରିଲେ ଓ ମାରିକରି ବାନ୍ଧି ଆଣିଲେ ।
ସୱାଲ- ତୁ ଦିନବେଳେ ଶୋଇଥିଲୁ?
ଜବାବ- ଆଜ୍ଞା ମୋତେ ଜ୍ୱର ହୋଇଥିଲା- ନା ନା, ମୋ ପେଟ ଟାଣୁଥିଲା ତ, ତେଣୁ ମୁଁ ଶୋଇଥିଲି ।
ସୱାଲ- ତୋହର ସଫାଇ ଗୁହା କେହି ଅଛି?
ଆସାମୀ ରାମା ବାରିକ ଜବାବ ଦେବା ପୂର୍ବରୁ ଓକିଲ ଚଟ୍କରି କହିପକାଇଲେ, “ଆଜ୍ଞା ହଜୁର! ଦୁଇଜଣ ସଫାଇ ଗୁହା ଅଛନ୍ତି ।”
ଆସାମୀ ତରଫ ପ୍ରଥମ ସାକ୍ଷୀ-
ମକର ବାରିକ, ଡାକ ନାମ ମକ୍ରା, ତା’ପରେ ସେ ବାରିକର ନାମଧାମ ଫାରମ ପୂର୍ଣ୍ଣ କରି ପେସ୍କାର ହଲଫ୍ ଦେଲେ ।
ସୱାଲ- ତୁ ଏ ମାମଲାରେ କ’ଣ ଜାଣୁ?
ଜବାବ ମକର ବାରିକ- ଆଜ୍ଞା ମୁଁ ଜାଣେ, ରାମା ଲୁଣ ମାରି ନାହିଁ । ତାହାର ଝାଡା ହେଉଥିଲା, ଘରେ ଶୋଇଥିଲା, ଲୁଣ ମାରିଲା କେତେବେଳେ?
ମୁଦାଲା ତରଫ୍ ଓକିଲ ସୱାଲ- ତୁମ୍ଭ ଗ୍ରାମ ଲୋକେ କେଉଁଠାରୁ ଲୁଣ ଆଣି ଖାଅ?
ଜବାବ- ଆଜ୍ଞା, ହାଟରୁ ବରୋବର ବିଲେଇତୀ ଲୁଣ କିଣିଆଣି ଖାଉଁ ।
ସୱାଲ- ରାମା ହାଟରୁ କିଣେ କି ନାହିଁ?
ଜବାବ- ବରୋବର ।
ସୱାଲ- ବରୋବର କ’ଣରେ? ଆରେ, ରାମା ହାଟରୁ ଲୁଣ କିଣିଆଣେ ତୁ ଆଖିରେ ଦେଖିଛୁ କି ନା?
ଜବାବ- ରାମା ହାଟରୁ ବରୋବର ଲୁଣ କିଣିଆଣେ, ମୁଁ ଆଖିରେ ଦେଖିଛି ।
ସୱାଲ- କନେଷ୍ଟବଳ ରାମା ଉପରେ ରାଗିଥିଲା କି ନା?
ଜବାବ- ଆଜ୍ଞା ହଜୁର, ବରୋବର ରାମା ଜମାଦାର ଅଇଣ୍ଠାବାସନ ନ ମାଜିବାରୁ ତା’ ଉପରେ ଆଜକୁ ଆଠଦିନ ତଳେ ସେ ବଡ ରାଗିଥିଲେ । ତାକୁ ସେ ଜେଲ୍ ମଧ୍ୟ ଦବାକୁ କହିଲେ । ରାମାକୁ ବାନ୍ଧିପକାଇ ଢେର୍ ମାରିଲେ । ରାମା ‘ବାପରେ ମା’ରେ’ ପାଟି କରୁଥାଏ ।
ସରକାର ତରଫ କୋଟ୍ ଇନ୍ସପେକ୍ଟର ସୱାଲ- ରାମାକୁ କନେଷ୍ଟବଳ ମାରିବା ତୁ ଦେଖିଛୁ?
ଜବାବ- ଆଜ୍ଞା ନା, ମୁଁ ଶୁଣିଛି ।
ଦୁସରା ନମ୍ବର ସାକ୍ଷୀ ହଗ୍ରୁ ସାମଲ ପ୍ରଥମ ସାକ୍ଷୀ ଯାହା କହିଥିଲା, ଠିକ୍ ସେମିତି ସମସ୍ତ କଥା ବୟାନ କଲା ।
ନଥି ପ୍ରସ୍ତୁତ ହେଲା ଉତାରେ ଆସାମୀ ତରଫ ଓକିଲ ଅବଦୁଲ ଶୋଭାନ ଖାଁ ହାକିମକୁ ଚାହିଁ ଯେଉଁ ବକ୍ତୃତା କରିଥିଲେ, ସେଥିର ସାରମର୍ମ:
ଓକିଲର ବକ୍ତୃତା-
“ହଜୁର୍ ଏ ମାମଲା ତମାମ୍ ଝୁଠା ଓ ଫରେବ । ମୁଦେଇ କିଣାରାମ ସିଂହ ଜାତିରେ ଭଣ୍ଡାରି, ଏ ଆସାମୀ ମଧ୍ୟ ଭଣ୍ଡାରି । ଆସାମୀ ତାହାର ଶଙ୍କୁଡି ନ ମାଜିବାରୁ ସେ (ମୁଦେଇ) ବଡ ରାଗିଥିଲେ, ଆସାମୀକୁ ଜବଦ କରିବା ଓ ହଇରାଣ କରିବା ମତଲବରେ ଏହି ମାମଲା ସେ ପେସ୍ କରିଛି ।
୨ୟ । ନଥିରୁ ସଫା ପ୍ରକାଶ, ମୁଦାଲା ହାଟରୁ ଲୁଣ କିଣି ଖାଏ, ସୁତରାଂ, ତାହାର ଲୁଣ ମାରିବା ଦରକାର ନ ଥିଲା ।
୩ୟ । ଗ୍ରେପ୍ତାର ସମୟରେ ଆସାମୀ ବେମାରି ହାଲତରେ ବିଛଣାରେ ଶୋଇଥିଲା । ବେମାରି ଲୋକ କେବେ ବି ଲୁଣ ମାରି ନ ପାରେ ।
୪ ର୍ଥ । ସରକାରୀ ଦିଗବାର କନେଷ୍ଟବଳ ସଙ୍ଗରେ ଥିଲା, ଆସାମୀ ଲୁଣ ମାରିଥିଲେ ସେ ତ ଦେଖିଥାଆନ୍ତା ।
୫ ମ । ଆସାମୀ ଯେଉଁ ବରାମଦୀ ମାଟି ଦାଖଲ କରିଅଛି, ତାହା ମୁଦାଲା ନାଳମୁହଁରୁ ଆଣିଥିବା ସତ୍ୟ ଅଟେ । ସେ ମାଟି ଯେ ଲୁଣିଆ ଲାଗୁଅଛି, ସେଥିର କାରଣ ଏହି କି ଯେ, ମଫସଲୀ ତିର୍ଲାମାନେ ରାତ୍ରରେ ଭୟରେ ଦାଣ୍ଡକୁ ବାହାରନ୍ତି ନାହିଁ । ମାଟି ବାହାର ନାଳ ଦୁଆରର- ଇତ୍ୟାଦି, ଇତ୍ୟାଦି । ସେହି ପାଣି ପଡି ପଡି ମାଟି ଲୁଣିଆ ହୋଇଯାଇଛି । ଏ କଥା ସତ୍ୟ କି ମିଥ୍ୟା ମୁଦେଇ କିଣାରାମ ଆଉ ଥରେ ମାଟି ଚାଖୁ ଓ ଶୁଙ୍ଘୁ, ସେପରି ଉସ୍ମୂଳିଆ ଗନ୍ଧ ଅଛି କି ନାହିଁ, ସଫା ଜଣାଯିବ ।”
ଓକିଲର ବକ୍ତୃତା ଶୁଣି ହାକିମ ଖାଲି ଠୋ ଠୋ କରି ହସିଲେ । ପେସ୍କାର ହାକିମ ଆଡକୁ ନଥି ଉହାଡ କରି ଖୁବ୍ ଗୋଟାଏ ହସିଲେ, ଆଉ ସମସ୍ତେ ମଧ୍ୟ ମୁହଁରେ ଲୁଗାଦେଇ ହସିଲେ । ତହିଁ ଉତାରେ ଓକିଲ ଛିଡାହୋଇ ହାକିମକୁ ଅନାଇ କହିଲେ, “ହଜୁର୍ ମା’ ବାପ ଖାମିଦ, ଆସାମୀ ନିହାତି ଗରିବ, ନିର୍ଦୋଷ, ତାହାକୁ ଖଲାସ ଦିଆଯାଉ ।”