ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁନର୍ମୂଷିକୋଭବ

                ହାକିମ ଦୁଇ ଫର୍ଦ ଫୁଲସ୍କେପ୍ କାଗଜରେ ଏକ ଲମ୍ବା ରାୟ ଲେଖିଲେ- ଓକିଲ ଯେଉଁ ସମସ୍ତ କାରଣ ଦର୍ଶାଇଥିଲେ, ରାୟରେ ସେ ସମସ୍ତ କାରଣ ଉଲ୍ଲେଖ କରି ଆସାମୀକୁ ଖଲାସ ଦେଲେ, ଅଧିକନ୍ତୁ ଲେଖିଲେ ମୁଦେଇ କିଣାରାମ ସିଂହ ପୋଲିସ କର୍ମର ଅଯୋଗ୍ୟ ।

ରାୟର ଏକପ୍ରସ୍ତ ନକଲ ଶ୍ରୀଯୁକ୍ତ ମାଜିଷ୍ଟର ସାହେବଙ୍କ ହଜୁରରେ ପେସ୍ ହେଲା । ଏ ଯାତ୍ରାରେ କିଣାରାମଙ୍କର ନୌକରି ରକ୍ଷା ପାଇବା କଠିନ ଥିଲା, ମାତ୍ର ପେସ୍କାର ହାକିମଙ୍କୁ ସମଝାଇ ଦେଲେ, “ହଜୁର ପୋଲିସ ନୂଆ, ଗ୍ରାମ ଲୋକେ ଏକଜୋଟ୍, ସମସ୍ତେ ବଦମାଏସ, ସର୍ବଦା ଲୁଣ ଚୋରିକରି ସରକାରଙ୍କର ଲୋକସାନ କରୁଅଛନ୍ତି, ପୋଲିସକୁ ଡିସମିସ୍ କଲେ ସରକାରୀ ଲୁଣ ବରବାଦ ହୋଇଯିବ । ଏହି ପୋଲିସ କନେଷ୍ଟବଳ ଖୁବ୍ ହୁସିଆର, ଚଲାକ । ଗ୍ରାମ ଲୋକମାନଙ୍କ ଫାନ୍ଦରେ ଏ ମାମଲା ସାବିତ ହେଲା ନାହିଁ, ଇତ୍ୟାଦି । ହାକିମ କିଛି ଖୋସନାମାଇ କରି କିଣୁକୁ ଛାଡିଦେଲେ ।

ଆମ୍ଭମାନଙ୍କ ଜମାଦାରେ ଭାରି ଫୂର୍ତିରେ ଆସାମୀକୁ ଧରି ମଫସଲରୁ ଆସିଥିଲେ । ଏଣିକି ମାମଲାର ହାଲ ଦେଖି ତାହାଙ୍କ ଅଂଟା ବସିଗଲାଣି । ସାମାନ୍ୟ ଲୋକମାନଙ୍କର ଅବସ୍ଥା ଏହିପରି । ଅଳ୍ପ ଆନନ୍ଦରେ ଫୁଲିଉଠନ୍ତି, ସେହିପରି ଅଳ୍ପ ଟିକି, ଧକ୍କା ଖାଇଲେ ବସିପଡନ୍ତି । କଚେରି ବାହୁଡା ସିଂହେ ପେସ୍କାରଙ୍କ ବସାଘରକୋଣରେ କାନିଟା ମେଲାଇ ଦେଇ ଲଠ କରି ଶୋଇପଡିଲେ । କାହିଲା ବାହାନାରେ ସେ ରାତିରେ କିଛି ବି ମୁହଁରେ ଦେଲେ ନାହିଁ । ରାତ୍ରିରେ ଜମାଦାରଙ୍କୁ କିପରି ନିଦ ହୋଇଥିଲା, ଏଥିରୁ ଠିକ୍ ସମ୍ବାଦ ଆମ୍ଭେମାନେ ପାଇ ନାହୁଁ, ମାତ୍ର ମୁହଁଅନ୍ଧାର ଥାଉଣୁ ଦିଗବାରକୁ ଧରି ଫାଣ୍ଡିକୁ ସେ ରବାନା ହୋଇଗଲେ । ଆଉ ଆଉ ଦିନେ ଦିନ ପହରେ ଥାଉ ଫାଣ୍ଡିରେ ପହଁଚନ୍ତି, ମାତ୍ର ଆଜି ପହଁଚିବାକୁ ରାତି ପହରେ ଗଡିଗଲା । ରୋଷେଇର କିଛି ବନ୍ଦୋବସ୍ତ ହେଲା ନାହିଁ, ଦିଗବାର ଗାଁରୁ କିଛି ଜଳଖିଆ ଅଣାଇଦେଲା ।

ସକାଳବେଳା ଜମାଦାର ଫାଣ୍ଡି ପିଣ୍ଡାରେ ବସି ମନ ମଧ୍ୟରେ ଭାବୁଛନ୍ତି, ଗାଁ ଲୋକେ ଏଣିକି ତାହାଙ୍କୁ ହେଟାଦାର କରିବେ, କେହି ଅବା ଟାପରା କରିବ । ତେଣୁ କାହାରି ମୁହଁକୁ ଭଲକରି ସେ ଆଉ ଅନାଉ ନାହାଁନ୍ତି । ଗାଁର ମୁଖ୍ୟା ମୁଖ୍ୟା ଲୋକମାନେ ପୂର୍ବପରି ହାଜର ହୋଇ ତାଙ୍କୁ ଗୋଟାଏ ଗୋଟାଏ ଦଣ୍ଡବତ କଲେ । ଜମାଦାରଙ୍କ ଆଗମନ ଯଦିଚ ସମସ୍ତଙ୍କୁ ଜଣା, ମାତ୍ର ଜଣା ନ ଥିବାର ଏବଂ ରାତିରେ ଉପାସ ଥିବାର କହି ସେ ଭାରି ଦୁଃଖପ୍ରକାଶ କଲେ ଏବଂ ଚଂଚଳ ରୋଷେଇର ଡୌଲ କରିଦେଲେ ।

ଦିନ ପାଣି ପରି ବହିଯାଉଛି । ଜମାଦାରେ ଆଗ ପରି ବେଶି ଗାଁ ଗସ୍ତକୁ ଆଉ ବାହାରୁ ନାହାଁନ୍ତି । ଆଗପରି ଆପଣା ଆପଣା ଦୁଃଖଧନ୍ଦା ସାରି ପାଂଚ ସାତଜଣ ସଞ୍ଜବେଳେ ଜମାଦାର ପାଖରେ ବସନ୍ତି । ଏଣେତେଣୁ ଢେର୍ କଥାବାର୍ତ୍ତା ହୁଏ । ଓଝେ ପହଁଚିଗଲେ ଛାନ୍ଦମାନ୍ଦ ବୋଲାବୋଲି ହୁଏ, ମାତ୍ର ବର୍ତ୍ତମାନ ଦୁଇପକ୍ଷରେ ଭାବନା, ଦୁଇପକ୍ଷରେ ଜଗାଜଗି । ଜମାଦାରେ ଅନେକ ଉପାୟ ଭାବିଲେଣି, କିଛି କଥାର କିନାରା ଲଗାଇ ପାରୁ ନାହାଁନ୍ତି । ଗ୍ରାମଲୋକ ନିରୋଳାରେ ବସି ବିଚାର କଲେ- ରାମା ତ ଖଲାସ ହୋଇଆସିଲା ହଁ, ମାତ୍ର ଏଣିକି କ’ଣ କରାଯିବ? ସରକାରୀ ପୋଲିସ ମାଡିବସିଲାଣି, ଆଉ କି ରକ୍ଷା ଅଛି । ରାମା ମାମଲାରେ ଜିଣି କରି ମଧ୍ୟ ହାରିଛି । ହିସାବରେ ଦେଖାଗଲା, ରାମା ମାମଲାରେ ଖାରଚ ସବୁ, ସବୁ ରକମର ସତେଇଶ ଟଙ୍କା ଚଉଦ ଅଣା ଦୁଇପାହି । ଏଣିକି ଆଉ ମାମଲା ଝିଙ୍କିଲେ ଟଙ୍କା କାହୁଁ ଆସିବ? ଏଥର ଭେଦା ଟଙ୍କାଟା ଯେପରି ଅସୁଲ ହେଲା, ତାହା ମନ ଜାଣେ । ଟଙ୍କା ବା କାହା ହାତରେ ଅଛି । ଦିନେ ଅଧରାତିଯାଏଁ ଗୋପାଳ ଘଡେଇ ପିଣ୍ଡାରେ ବସି ଖୁବ୍ ପରାମର୍ଶ କଲେ । ଶେଷକୁ ଅବଧାନ ଯେଉଁ ଉପାୟଟା ବାହାର କଲେ, ସେଥିରେ ସମସ୍ତଙ୍କ ମନ ମାନିଗଲା । କାଲି ଖୋଦ୍ ଅବଧାନେ ଜମାଦାରଙ୍କ ପାଖରେ କଥା ପକାଇବେ, ସ୍ଥିର ହେଲା ।

ସଞ୍ଜବତି ଲାଗିଗଲାଣି । ଜମାଦାରେ ଭାଗବତ ଘରେ ବସିଥାନ୍ତି । ଦିଗବାରଟା ମଧ୍ୟ ନାହିଁ । କାହାକୁ ଗୋଟେ ଡାକିବାକୁ ସେ ଯାଇଛି । ଏତିକିବେଳେ ସେ ଓଝା ଅବଧାନେ ଧୀର ଧୀର ହୋଇ ଯାଇ ସେଠାରେ ପହଁଚିଲେ, ଜମାଦାରକୁ ଦଣ୍ଡବତଟାଏ କରି ତାଙ୍କ ପାଖରେ ଓଝା ବସିଲେ । ଖୁବ୍ ନିରୋଳା, କେହି ପାଖରେ ନାହିଁ । ଦୁଇଟା ଚାରିଟା ଏଣୁ ତେଣୁ କଥା ଉତାରେ ଅବଧାନେ ଚାରିଆଡକୁ ଅନାଇ ଦୁଇ ଚାରିଥର ଗଳା ଖଙ୍କାର ଦେଇ ଥରେ ହାଇମାରି ଏକାବେଳକେ କଥାଟା ପକାଇଲେ । ସେ କଥାର ସାରମର୍ମ ଏହି –

“ଜମାଦାରଙ୍କ ବସାଖର୍ଚ୍ଚ ଗାଁ-ଲୋକେ ଚଳାଇବେ । ଏ ସିବାଏ ମାସକୁ ପାନ ଖର୍ଚ୍ଚ ବୋଲି ଯୋଡାଏ ଟଙ୍କା ଦେବେ ଏବଂ ଫି ମାସ ଏକ ନମ୍ବର ଚୋରି ଆସାମୀ ଧରିଦେବେ ।”

ଏହା ଶୁଣି ସେ ଜମାଦାରେ ତ କୋଟିନିଧିଟାଏ ପାଇଗଲେ, ଏକାବେଳକେ ରାଜି । ଏଥର ସମସ୍ତ ଭାବନାରୁ ସେ ମୁକ୍ତ ହେଲେ ।

ତହିଁ ଆରଦିନ ଚାରିଖଣ୍ଡ ଗ୍ରାମର ମୁଖ୍ୟା ଲୋକ ସଭା କରି ବସିଲେ, କଥା ଛିଡିଲା । ଜମାଦାରଙ୍କ ଖର୍ଚ୍ଚ ବିଛାଣିରେ ଚାରିଖଣ୍ଡ ଗ୍ରାମରୁ ଉଠିବ । ଏ ସିବା ଜଣେ ପାଣ ହାତରେ କିଛି ଲୁଣ ଦେଇ ଚୋର ବୋଲି ଧରାଇଦେବେ (ଅବଶ୍ୟ ପାଣର ରାଜିକରାରେ କଥା ହେବ) । ସେ ପାଣ ଯେତେଦିନ ବନ୍ଦରେ ରହିବ, ତାହାର ପିଲାଝିଲା ଖର୍ଚ୍ଚ ସବୁ- ସବୁ କଥା ଗ୍ରାମଲୋକେ ତୁଲାଇବେ ।

ବେଶ୍ କାମ ଚଳିଲା । ଜମାଦାରେ ନାମମାତ୍ର ଗାଁ ଗସ୍ତକୁ ବାହାରନ୍ତି, ଚଉପଟ ଖେଳନ୍ତି, ଗାଁ ବୁଲନ୍ତି ଓ ଅବଧାନଠାରୁ ଛାନ୍ଦ ଶୁଣି ସୁନ୍ଦର ଭୋଜନଟାଏ ପକାନ୍ତି । ଦୁଇ ଚାରି ନମ୍ବର ମାମଲା ମଧ୍ୟ ଚଲାଣି ଦେଲେଣି । ମାମଲା ସାଫ ସାବିତ- ଆସାମୀମାନେ ସଜା ପାଇଗଲେଣି ।

                                                “ଅଧର୍ମ ବିତ ବଢେ ବହୁତ,

                                                ଯିବାବେଳେ ଯାଏ ମୂଳ ସହିତ ।”

ଜମାଦାରେ ଆଚ୍ଛା ଦୁଇଟଙ୍କା ରୋଜଗାର କରିଥିଲେ । “ରାଜା ପଶ୍ୟତି କର୍ଣ୍ଣଭ୍ୟାଂ” ଅନ୍ୟାୟଟା କେତେଦିନ ଛପିବ! କଥାଟା ସରକାର କାନରେ ବାଜିଲା । ଏ ବରଷ ଲାଟସାହେବଙ୍କ ଦରବାରରୁ ଯେଉଁ ନିମକି ସାଲତମାମି ରିପୋର୍ଟ ବାହାରିଲା, ସେଥିରେ ଏହି ଠକାଠକି ମାମଲା ପ୍ରସଙ୍ଗ ଦରଜଥିବାର ଦେଖାଗଲା । ଜିଲ୍ଲା ହାକିମମାନେ ଏସବୁ ଦେଖି କାବା । ଖୁବ୍ ହୁସିଆର ହୋଇଗଲେ । ଜଗାଜଗି କଲେ; ମାତ୍ର ଫଳ ନାହିଁ ।

ଜିଲ୍ଲା ହାକିମମାନେ ପୋଲିସ କାରସାଦି ଧରିବାପାଇଁ ଖୁବ୍ ଚେଷ୍ଟା କଲେ; ମାତ୍ର କିଛି ବି କରିପାରିଲେ ନାହିଁ । କିପରି ବା ପାରିବେ, ମଫସଲ ଚୌକିଆଠାରୁ ସଦର ଶ୍ରେସ୍ତାଦାର ପର୍ଯ୍ୟନ୍ତ ସମସ୍ତେ ତ ଚୋର । କଥାରେ ପରା ଅଛି “ଚୋର ମାଉସୀପୁଅ ଭାଇ, ଯାହା ମିଳିଲା ବାଂଟିକୁଂଟି ଖାଇ ।” କୌଣସି ଗୋଳମାଳ ନାହିଁ, କାମ ବେଶ୍ ଚଳୁଛି । ଲୁଣ ଚୋର ପାଣଗୁଡାକ ବେଶ୍ କବୁଲ ଜବାବ ଦେଇ ଜେଲ୍ଖାନାକୁ ଯାଉଅଛନ୍ତି । ପୋଲିସ କନେଷ୍ଟବଳ ଗାଁରେ ପହରା- ଆଉ ଜାତି ଲୋକ କି ଲୁଣ ଚୋରି କରିବେ?

ଆଜି ସଦର କଚେରିରେ ଭାରି ଗୋଟାଏ ଚହଳ ପଡିଛି । ଅମଲା ଫଇଲା ମଏକ୍କେଲ୍ ସମସ୍ତଙ୍କ ମୁହଁରେ ସେହି କଥା, ବରଗଛମୂଳେ ମୁକ୍ତାରଖାନା ଆନ୍ଦୋଳନଟା କିଛି ବେଶି । କଥା କ’ଣ? ଜଣାଗଲା, ନିମକି ମାହାଲର ପୋଲିସ କର୍ମଚାରୀମାନଙ୍କ ଠକପଣ ଧରିବା ସକାଶେ ସଦରରୁ ଗୋଇନ୍ଦା ପୋଲିସ ବାହାଲ ହୋଇ ଆସିଥିଲେ । କେତେ ମାସ ହେଲା ବେଶ ବଦଳାଇ ମଫସଲରେ ସେମାନେ ବୁଲୁଥିଲେ । ପୋଲିସର କେତେଜଣ କନେଷ୍ଟବଳର ଠକପଣିଆ ପ୍ରମାଣ କରାଇ ସାକ୍ଷୀ ସାବୁତ ସହିତ ଆସାମୀ ଚଲାଣ ଦେଇଅଛନ୍ତି । ଆସାମୀମାନଙ୍କ ମଧ୍ୟରେ ଏ କିଏ? ଆମ୍ଭ କିଣାରାମ ସିଙ୍ଗେ । ମାମଲା ଖୁବ୍ ଗୋଳଘାଂଟ ଲାଗିଲା । ଆଉ ଆଉ ଆସାମୀମାନଙ୍କ କଥା ମାମଲାର ଆଉ ଆଉ କଥାଗୁଡାକ ଲେଖିଲେ କ’ଣ ହେବ । ଶେଷରେ ମେଜେଷ୍ଟର ସାହେବଙ୍କର ହୁକୁମ ଶୁଣାଗଲା- “କନେଷ୍ଟବଳ କିଣାରାମ ସିଂହର କଠିନ ପରିଶ୍ରମ ସହିତ ଦୁଇମାସ ମିଆଦ ଆଉ କୋଡିଏ ଟଙ୍କା ଜୋରିମାନା । ଜୋରିମାନା ନ ଦେଲେ ଅଧିକ ମିଆଦ ତିନିମାସ ।”

                ମେଜେଷ୍ଟର ସାହେବଙ୍କ ହୁକୁମୀ ତାରିଖଠାରୁ ଆଜକୁ ଊଣା ପୂରା ଛ’ମାସ ବିତିଗଲାଣି । ଶୁଣାଶୁଣିରେ କିଣା ଭଣ୍ଡାରି ଆଜକୁ ଚାରିମାସ ହେଲା ଆସି ଗାଁରେ ଅଛି । ଘରୁ ବାହାରେ ନାହିଁ, ଗାଁ ଲୋକେ କେହି ବି ତାଙ୍କୁ ଦେଖନ୍ତି ନାହିଁ । କିଣା ଆଚ୍ଛା ଦୁଇପଇସା ଛାଟି ଆଣିଥିଲା (ଭଣ୍ଡାରି ବାପୁଡା ଶ’ କଡା ଟଙ୍କା ମୁଣ୍ଡ ଛୁଇଁଲେ ତାକୁ ଢେର୍) ହେଲେ ବସି ଖାଇଲେ ତ ସମୁଦ୍ର ବାଲି ବି ନିଅଂଟ । ପଇସାର ଖେଂଚଖାଂଚ ହୋଇପଡିଲାଣି, କେତେଦିନ ବା ସେ କୋଣରେ ପଶିରହିବ? ତେଣୁ ସେ ଧୀରେ ଧୀରେ ଦାଣ୍ଡକୁ ବାହାରିଲା । ଏଣିକି ଗାଁ ନ ଖଟିଲେ ଅଚଳ । ପେସ୍କାର ତ ଖପା ହୋଇ ତାକୁ ନିଜ ବସାରୁ କାଢିଦେଇ ଅଛନ୍ତି । ହାକିମହୁକୁମା ଲୋକ, ଚୋରଟାକୁ କିପରି ପାଖରେ ପୂରାଇବେ? ବିପଦ ଅନ୍ଧାର ଆସିବାବେଳେ ଚାରିଆଡୁ ମାଡିଆସେ । ଗାଁ ଖଟିବା ଥାଉ, ପୁରୋହିତେ ପୁରାଣ ଫିଟାଇ ଗାଁଲୋକଙ୍କୁ ଶୁଣାଇ ଦେଇଛନ୍ତି- “କିଣା ପାଣ ନାହିଁ, ହାଡି ନାହିଁ ଜେଲ୍ଖାନାରେ ଛତିଶ ଫାଟକ ଭାତ ଖାଇ ଆସିଅଛି, ସେ ପତିତ ଆଉ ତାକୁ ଯେ ଛୁଇଁବ, ନିଆଁପାଣି ଦେବ, ସେ ମଧ୍ୟ ପତିତ ।” କିଣା ତ ସାତପାଞ୍ଜିରୁ ଗଲାଣି । ଏଥର ତା’ର ଦୁଃଖ କହିଲେ ନ ସରେ । ଦୁଇମାସକାଳ କିଣା ପୁରୋହିତ ଦୁଆରେ ଧାରଣା ଦେଇ ଶୋଇଲା । ବଂଶଯାକ ପୁରୋହିତଙ୍କ ଗୋଡତଳେ ମୁଣ୍ଡିଆ ମାରି ମାରି ଚାନ୍ଦି ଉଡିଗଲାଣି । ପୁରୋହିତ ତ ଭାରି ଦୟାଳୁ ଲୋକ, ଦୁଇମାସ ଉତାରେ ଗାଁ ବରଗଛମୂଳରେ ସଭା ବସିଲା । ପୁରୋହିତ ପୁରାଣ ଫିଟାଇ ବ୍ୟବସ୍ଥା ଦେଲେ- “ପଂଚଗବ୍ୟ ପଂଚୁଦାନ- ପୁରୋହିତ ବଂଶଯାକ ସକାଶେ ନୂତନ ବସ୍ତ୍ର, ପଚିଶ ମୂର୍ତ୍ତି ବ୍ରାହ୍ମଣ ଭୋଜନ ଆଉ ଦକ୍ଷିଣା, ଜାତିମାନଙ୍କୁ ତିନିବେଳା ଭାତ ।” ପ୍ରାୟଶ୍ଚିତ ହେବା ଦିନ ପୁରୋହିତ ସଭାରେ ସମସ୍ତଙ୍କୁ ଶୁଣାଇ କହିଲେ, “ବ୍ରହ୍ମଶାପରେ ଯଦୁବଂଶ ନାଶ- ସ୍ୱୟଂ ବିଷ୍ଣୁ ମେଂଟନ କରିପାରି ନାହାଁନ୍ତି ।”

                କିଣା ଯାହା କିଛି ବିଲ-ବାଡି ଦୁଇମାଣ ଓ ଘରେ କଂସା ବେଲା ଦୁଇଖଣ୍ଡ କରିଥିଲା ସରକାରୀ ଜୋରିମାନା ଟଙ୍କା ଅସୁଲ ସକାଶେ ପୋଲିସ ଜମାଦାର ସେସବୁ ମାଲ ନିଲାମ କରି ଘେନିଗଲା । ସବୁ ତ ଯାଇଛି, ଗାଁ ଖଟି ଖାଏ ।

                କିଣା ସାଙ୍ଗରେ କାହାରି ବୋଲାବୋଲି ହେଲେ, ସେ ଟାପରା କରି କହେ-

                                                                                “ପୁନର୍ମୂଷିକୋଭବ”

ଗାଳ୍ପିକ – ଫକୀରମୋହନ ସେନାପତି


ଗପ ସାରଣୀ

ତାଲିକାଭୁକ୍ତ ଗପ