ଅଷ୍ଟମଦିନ ସକାଳେ ଭୋଜରାଜ ସ୍ନାନତର୍ପଣ ସାରି ସିଂହାସନରେ ଆରୋହଣ କରିବା ସକାଶେ ପାଦ ଥାପିବା ମାତ୍ରେ ପୁତ୍ତଳିକା ପୁଷ୍ପବତୀ ଛିଡାହୋଇ କହିଲା, “ମହରାଜ! ମୁଁ ଜାଣେ ଆପଣ ଜଣେ ଯଶସ୍ୱୀ, ଗୁଣବାନ୍ ଏବଂ ପ୍ରଜାପାଳକ । ତଥାପି ରାଜରାଜେଶ୍ୱର ବିକ୍ରମାଦିତ୍ୟଙ୍କ ଆତ୍ମୀୟତା, ପୁରୁଷାର୍ଥ ଏବଂ ଜନକଲ୍ୟାଣ ସମ୍ପର୍କୀୟ ଏ କାହାଣୀ ଶୁଣନ୍ତୁ ଏବଂ ତା’ପରେ ବିଚାର କରି ଦେଖନ୍ତୁ ଆପଣ ଏଥିରେ ବସିବା ପାଇଁ କେତେଦୂର ସମର୍ଥ ।”
ମହାରାଜ ବିକ୍ରମାଦିତ୍ୟ ଦିନେ ନିଜର ଦରବାରରେ ବସି ପାତ୍ର ମନ୍ତ୍ରୀଙ୍କ ସହିତ ବିଚାର ବିମର୍ଷ କରୁଥାନ୍ତି । ଠିକ୍ ସେଇ ସମୟରେ ଜଣେ ବଢେଇ ଏକ କାଠଘୋଡା ନେଇ ପହଁଚିଲା । ମହାରାଜା ତ କଳାକୃତି, କାରୁକାର୍ଯ୍ୟର ଆଦର କରୁଥିଲେ ଏବଂ ଶ୍ରେଷ୍ଠ କଳାସବୁ କିଣି ସଜାଇ ରଖୁଥିଲେ । କାଠରେ ତିଆରି ହୋଇଥିଲେ ମଧ୍ୟ ଜୀବନ୍ତ ଭଳି ଲାଗୁଥିବା ଘୋଡାକୁ ଦେଖି ପ୍ରୀତ ହୋଇଗଲେ । ବଢେଇ କହିଲା, “ମହାରାଜ! ଇଏ ସାଧାରଣ ଘୋଡାଟିଏ ପରି ଦେଖାଯାଉଥିଲେ ବି ଏହା ଅସାଧାରଣ । ଏହା ଭୂମି ଉପରେ ଯେତିକି ଜୋର୍ରେ ଦୌଡିପାରେ, ଆକାଶରେ ତା’ଠାରୁ ଅଧିକ ବେଗରେ ଉଡିପାରେ । ସମୁଦ୍ର ଲହରୀ ଉପରେ ମଧ୍ୟ ଦୌଡିପାରେ ।” ମହାରାଜ ବଢେଇକୁ ଉପଯୁକ୍ତ ଦାମ୍ ଦେଇ ଘୋଡାଟିକୁ ରଖିଲେ ।
କିଛିଦିନ ପରେ ମହାରାଜାଙ୍କର ଶିକାର କରିବା ପାଇଁ ମନ ବଳିଲା । ସେ କାଠ ଘୋଡାକୁ ବାହାର କରି ତା’ ଉପରେ ସବାର ହେଲେ । ସୈନିକ ଏବଂ ଅନ୍ୟ ଅନୁଚର ମାନେ ଅସ୍ତାବଳରୁ ଘୋଡା ଆଣି ସେଥିରେ ସବାର ହେଲେ । ମହାରାଜ କାଠଘୋଡାରେ ବସି ତା’ର କଳକବ୍ଜାରେ ହାତ ମାରିବା କ୍ଷଣି ପବନ ବେଗରେ ଦୌଡିବାକୁ ଆରମ୍ଭ କଲା । ଘୋଡାର ଉଡିବା ଶକ୍ତି ପରୀକ୍ଷା କରିବାପାଇଁ ପୁଣି ଥରେ ହାତ ମାରିବାରୁ ତାହା ଏତେ ଉପରକୁ ଉଠି ଆକାଶ ମାର୍ଗରେ ଉଡି ଚାଲିଲା ଯେ ମନେହେଲା ସତେ ଯେମିତି ମେଘ ଦେହରେ ନେସି ହୋଇ ଯାଇଛନ୍ତି । ଅନୁଚରଗଣ କାହିଁ କୁଆଡେ ରହିଲେଣି କିଛି ଜଣାପଡିଲା ନାହିଁ । ମହାରାଜ ଯଥାଶୀଘ୍ର ତଳକୁ ଓହ୍ଲାଇବା ପାଇଁ ଉଦ୍ୟମ କଲେ । ଘୋଡା ଏମିତି ତୀବ୍ର ଗତିରେ ତଳକୁ ଆସିଲା ଯେ, ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗଛ ଦେହରେ ଧକ୍କା ଖାଇ ଘୋଡାଟି ଖଣ୍ଡ ଖଣ୍ଡ ହୋଇଗଲା । ଭାଗ୍ୟବଳରୁ ମହାରାଜା ସେଇ ଗଛ ଡାଳରେ ଲଟକି ବଂଚିଗଲେ ।