ପୁଷ୍ପା କୁମାରୀ ଫୁଲ ଗଛଟିଏ ହୋଇ ସେହି ମନ୍ଦିର ଦ୍ୱାରେ ସେମିତି ରହିଥାଏ । ଆପଣା ଛାଏଁ ସେଥିରେ ଫୁଲ ଫୁଟେ ପୁଣି ଝଡି ପଡେ ମଧ୍ୟ । ଯଦି ଭଅଁର କି ମହୁମାଛି କେହି ସେ ବୃକ୍ଷ ନିକଟକୁ ଆସନ୍ତି ତେବେ ସେ ସଙ୍ଗେ ସଙ୍ଗେ ତା ଫୁଲକୁ ଲୁଚାଇ ଦିଏ । ସେମାନେ ପୁଷ୍ପକୁ ନଦେଖି ସେହି ଗଛଠାରୁ ନିରାଶରେ ଫେରନ୍ତି । ସେଦିନ କାହିଁକି କେଜାଣି ଜଣେ ବାଟୋଇ ରାଜାପୁଅ ହଠାତ୍ ଆସି ସେହି ଗଛମୁଳେ ଦଣ୍ଡେ ବିଶ୍ରାମ କଲା । ତା’ପରେ ମନ୍ଦିର ଫିଟାଇ ଦେଖିଲା ସେଠାରେ ଦିଅଁ ଅନେକଦିନ ହେଲା ଅପାଣିଆ ରହିଛନ୍ତି । ମନଟା ଖରାପ ଲାଗିବାରୁ ରାଜାପୁଅ ତୁରନ୍ତ ସେହି ନିକଟରେ ଥିବା ପୋଖରୀରେ ଗାଧୁଆ ପାଧୁଆ କରି ନିଜ ଲୁଗା ପାଲଟିଲା । ମନ୍ଦିରର ଏକ କୋଣରେ ଥିବା ମାଠିଆରେ କିଛି ପାଣି ଆଣି ଦିଅଁଙ୍କୁ ଗାଧୁଆ ପାଧୁଆ କରିଦେଇ ସେ ରାଜାପୁଅ ଗଲା କିଛି ଫୁଲ ତୋଳିବାକୁ । ସେହି ମନ୍ଦିର ପାଖରେ ଏହି ମାୟା ଫୁଲ ଗଛଟା ଛଡା ଅନ୍ୟ କୌଣସି ଗଛ ନଥାଏ କି ଫୁଲ ଫୁଟିବା ଆଦୌ ଦେଖାଯାଉ ନଥାଏ । ତେଣୁ ସେ ଯାଇ ହାତ ବଢାଇଲା ସେହି ଗଛକୁ ।
ଫୁଲ ଗୁଡିକ ଥିଲା ହାତ ପାଆନ୍ତାରେ । କିନ୍ତୁ ରାଜାପୁଅ ହାତ ବଢାଇ ଦେବାରୁ ସେହି ଗଛଟି ଆଉ ଟିକିଏ ଡେଙ୍ଗେଇ ଗଲା । ଏହିପରି ଭାବରେ ସେ ରଜାପୁଅର ଫୁଲକୁ ଆଉ ମୋଟେ ହାତ ପାଇଲାନି । ରାଜାପୁଅ କହିଲା – କେଡେ ଅଦ୍ଭୁତ ବୃକ୍ଷମ? ମୁଁ ହାତ ବଢାଇଲେ ଏହି ଗଛଟି ଖାଲି ଡେଙ୍ଗେଇ ଯାଉଛି । ଏ କ’ଣ ତେବେ ମାୟା?
ରଜାପୁଅ ଟିକିଏ ଭାବିଲା । ତା’ପରେ କହିଲା – “ହେ ବୃକ୍ଷରାଜ! ମୁଁ କେବଳ ଦିଅଁଙ୍କ ପାଇଁ ହିଁ ଫୁଲ ନେବି, ନିଜ ପାଇଁ ନୁହେଁ । ଦୟାକରି ଟିକିଏ ଛୋଟ ହୋଇଯା ।”
ସେ ରଜାପୁଅର ସମସ୍ତ କଥା ଶୁଣି ଗଛ କହିଲା ଗୀତରେ –
“ଯେବେ ଫୁଲ ନେବ କର ହେ ଶପଥ
ପୂର୍ଣ୍ଣ କରାଇବ ବୃକ୍ଷ ମନୋରଥ ।”
ରଜାପୁଅ ହଠାତ୍ ସେ ଗଛର ଏପରି କଥା ଶୁଣି ପୁରା ଅଶ୍ଚର୍ଯ୍ୟକାଠ ବନିଗଲା । ବୃକ୍ଷଟିଏ ମଣିଷ ପରି ଗୀତ ଗାଇ କହୁଛି ମନୋରଥ ପୂର୍ଣ୍ଣ କରିବାକୁ । ରଜାପୁଅ ଭାବିଲା ଏଥିରେ ନିଶ୍ଚୟ କିଛି କଥା ଅଛି । ତେଣୁ ସେ ବୃକ୍ଷକୁ ପଚାରିଲା –