ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁଷ୍ପାକୁମାରୀ କାହାଣୀ

କିଏ ତୁମେ ବୃକ୍ଷ                              ମାୟା କି ମନୁଷ୍ୟ

                  କି ଅବା କେଉଁ ଦେବତା

କହି ମୋ ମନରୁ                              ବିନାଶ ସଂଶୟ

                  ଦୂର ହେଉ ସର୍ବ ବ୍ୟଥା ।

ବୃକ୍ଷ କହିଲା – “ସତ୍ୟକର ଜଣାଇବି ସମାଚାର

     ଦୁଃଖେ ପଡି ମୁଁ ହେଉଛି ନାରଖାର ।”

ରଜାପୁଅ କହିଲା –

                                “ସତ୍ୟକରି ମୁହିଁ                              କହୁଛି ଏଠାରେ

                                                   ସାକ୍ଷୀ ରଖି ଦେବତାଙ୍କୁ

                                ନିର୍ଭୟେ ପ୍ରକାଶ                              ତୁମ ଦୁଃଖ କଥା

                                                  ନ କହିବି କେବେ କାହାକୁ ।”

ବୃକ୍ଷ କହିଲା – ଧରମେ ତୁମକୁ ଭାଇ କରି ନେଇ

କହୁଛି ସକଳ ଶୁଣ ମନଦେଇ ।

ବୃକ୍ଷ ନୁହେଁ ଅଟେ ମନୁଷ୍ୟ ଦୁହିତା

ଭାଗ୍ୟ ଦୋଷେ ଏଥି ହୋଇଅଛି ସ୍ଥିତା ।

                ଗଛର ଏପରି କଥା ଶୁଣି ରଜାପୁଅ ମଧ୍ୟ ଆହୁରି ଆଶ୍ଚର୍ଯ୍ୟ ହୋଇଗଲା । ମଣିଷ କନ୍ୟା ପୁଣି ଗଛ ହେଲା କିପରି? ଏ କଥାଟା ସେ ରଜାପୁଅ ମନ ଭିତରେ ବାରମ୍ଭାର ଆନ୍ଦୋଳିତ ହୋଇ ଉଠିଲା ଥରକୁ ଥର । ତଥାପି ରହସ୍ୟ ଭେଦ କରିବାକୁ ସେ କହିଲା –

                “କହିବୁ ଭଉଣୀ କପଟ ନ କରି

                  କି ଦୁଃଖରେ ପଡି ହେଲୁ ଏତେ ସରି?

                  ଜୀବନ ବଦଳେ ଦୁଃଖରାଶି ତୋର

                  ଘୁଂଚାଇବି ନିଶ୍ଚେ ସତ୍ୟ ଅଟେ ମୋର ।

ବୃକ୍ଷ କହିଲା – କରମ କଷଣ ଅଟଇ

                         ଭୋଗିବାର ହେ ଯେଣୁ

ଖେଳ ପାଳିଆରେ ଏ ଦଶା

                         ଭୋଗ କରୁଛି ତେଣୁ ।

ମୋହପରି ଆଉ ତିନୋଟି

                          ସଖୀ, ହୋଇ କାତର

କେହ୍ନେ ଅଛନ୍ତି ସେ କେଉଁଠି

                            ପାଇନାହିଁ ଖବର ।

                ରଜାପୁଅ କହିଲା – “ଦେଖ, ଧର୍ମରେ ମୁଁ ତୋତେ ଭଉଣୀ କରିନେଲି । ତୁ ଆଉ ମୋ ଉପରେ କିଛି ସନ୍ଦେହ ରଖନା । ଯଦି ପାରୁଛୁ; ତେବେ ଏ ଗଛରୂପ ଛାଡି ନିଜ ରୂପ ପ୍ରକାଶ କର । ସମସ୍ତ ଦୁଃଖ ଶୋକ କଥାଯାକ ମୋ ଆଗରେ କହ । ମୁଁ ନିୟମ କରି କହୁଛି – ତୋତେ ସୁଖିନୀ କରାଇବାକୁ ମୁଁ ନିଶ୍ଚେ ଚେଷ୍ଟା କରିବି ।

                ବୃକ୍ଷ କହିଲା – “ତୁମେ ଯାଇ ଅତୁଠରୁ ମାଠିଆଏ ପାଣି ଆଣି ଏକମୁହାଁ ହୋଇ ଆସ । ଦେବ ଧର୍ମଙ୍କ ନାମ ଧରି ମୋ ଉପରେ ସାତମୁଠା ପାଣି ସିଂଚିଦେଇ କୁହ –

                ଗଛ ହୋଇଗଲେ                               ଓହଳି ଯିବୁ

                ମଣିଷ ଯେମନ୍ତ ଉଠି ବସିବୁ।         ସାକ୍ଷୀଥାନ୍ତୁ ଦେବ ଧର୍ମ

                ଉଠ ଉଠ ଉଠ                              ନ କରିଣ ମଠ

                ଲାଗିଯାଉ ଲୋମ ଚର୍ମ ।

                ସେ ପୁଷ୍ପା କୁମାରୀ ରଜାପୁଅକୁ ଯେପରି ପାଠ ପଢାଇଲା ରଜାପୁଅ ମଧ୍ୟ ଠିକ୍ ସେହିପରି ସବୁ କାମ କରିଯିବାରୁ ପୁଷ୍ପା କୁମାରୀ ଉଠିଲା ତା ଆପଣା ରୂପ ଧରି । ରଜାପୁଅ ଏସବୁ ଦେଖି ଆହୁରି ଅଶ୍ଚର୍ଯ୍ୟ ହୋଇଗଲା । ଯାହା କିଛି ହେଉ ପଛକେ, ନିଜର ମନ କଥା ମନରେ ରଖି ସେ ରଜାପୁଅ ପୁଷ୍ପା କୁମାରୀକୁ କହିଲା – “ଚିହ୍ନା ପରିଚୟ ହେବା ପରେ । ଏହି କ୍ଷଣି ତୁ ଆଗ ତୋ ଦୁଃଖ କଥା ଓ ଗଛ ହେବା କଥା କହିଯା ।”

ତା’ର ଗତିବିଧି ଓ କଥାର ଅଟଳତା ଦେଖି ପୁଷ୍ପା କୁମାରୀର ଆଉ ସେ ରଜା ପୁଅ ପ୍ରତି କିଛି ବି ଅବିଶ୍ୱାସ ନଥିଲା । ତେଣୁ ସେ ଧୀର ଭାବରେ ବସି ଆମୂଳଚୂଳ କଥାଗୁଡିକ ଶୁଣାଇ ଦେଲା ।

ରଜା ପୁଅ କହିଲା – “ଚାଲ ମୁଁ ଏବେ ତୋତେ ନେଇ  ତୁମ ଘରେ ଛାଡି ଆସିବି ।

ରଜାପୁଅର କଥା ଶୁଣି ପୁଷ୍ପା କୁମାରୀ କହିଲା, ଯେ ପର୍ଯ୍ୟନ୍ତ ମୋତେ ମୋ  ସଖୀମାନେ ଦେଖା ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ମୁଁ ତିଳେହେଲେ ମଧ୍ୟ ସୁଖ ସ୍ୱାର୍ଥରେ ଲିପ୍ତ ହେବିନି । ବରଂ ମରିବି, କିନ୍ତୁ ମୁଁ ମୋ ଘରକୁ କେବେବି ଫେରିବିନି ।

ରଜାପୁଅ ସେ ପୁଷ୍ପା କୁମାରୀର ଏହି କଥା ଶୁଣି କହିଲା – ମୁଁ ନିଶ୍ଚେ ତୋର ସମସ୍ତ ସଖୀ ମାନଙ୍କୁ ଖୋଜି ବାହାର କରିବାକୁ ଚେଷ୍ଟା କରିବି । ଆଉ ଦଣ୍ଡେ ମାତ୍ର ଅପେକ୍ଷା କର, ମୁଁ ଦିଅଁଙ୍କୁ ଟିକିଏ ପୂଜା କରିଦିଏ । ଏହା କହି ସେ ପାଖ ଜଙ୍ଗଲରୁ ସାମାନ୍ୟ ପକ୍ୱଫଳ ତୋଳିଲା । ଧୁଆ ପୋଛା କରି ଖୁବ୍ ଭକ୍ତି ଭାବରେ ସେହି ମନ୍ଦିରକୁ ଯାଇ ନୈବେଦ୍ୟ କଲା ଦିଅଁକୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ