ଏଣେ ଦିଅଁ ତ ଅନେକ ଦିନରୁ ଅପାଣିଆ ଓ ଉପବାସିଆ ଥିଲେ । ଆଜି ସେ ରଜା ପୁଅର ସେବା ପୂଜା ଗ୍ରହଣ କରିବାରୁ ତାଙ୍କର ମନଟା ଖୁବ୍ ଆନନ୍ଦ ଲାଗିଲା । ତେଣୁ ସେ ପଚାରିଲେ ଭକ୍ତକୁ……ଆରେ ଭକ୍ତ…… ତୁ ଯାହା ବାଂଛା କରିବାର କର । ତାହା ତୋର ନିଶ୍ଚେପୂର୍ଣ୍ଣ ହେବ ।
ଏମନ୍ତ ଶୁଣି ରାଜ କୁମାର କହିଲା – “ପ୍ରଭୋ ! ନିଜ ପାଇଁ ମୋର କିଛି ମାଗିବାର କି ବାଂଛା କରିବାର ନାହିଁ । ପରର ଉପକାର କଲେ ପଣ୍ଡିତମାନଙ୍କ ମତରେ ସ୍ୱର୍ଗବାସ ମିଳେ । ଯଥା – ପରୋପକାରାୟ ସ୍ୱର୍ଗୀୟ ।” ତେଣୁ ମୋର ଇଚ୍ଛା ମୁଁ ପରୋପକାର କରିବି । ଗୋଟିଏ ରାଜ କୁମାରୀ ତା’ର ସଖୀମାନଙ୍କ ସଙ୍ଗରୁ ସଙ୍ଗଛଡା ହୋଇ ବଡ ଦୁଃଖରେ ଅଛି । ଆପଣ ମୋତେ ଏପରି ବର ଦିଅନ୍ତୁ ଯେ ମୁଁ ଯେପରି ଖୋଜାଖୋଜି କରି ସେମାନଙ୍କୁ ଏକଜୁଟ୍ କରାଇ ପାରିବି ଏବଂ ସେମାନଙ୍କ ଦୁଃଖ ମଧ୍ୟ ନିବାରଣ କରାଇ ପାରିବି ।
ଠାକୁର କହିଲେ – “ସେହି ଅଭାଗିନୀ କନ୍ୟାଟି ମଧ୍ୟ ଅନେକ ଦିନ ଧରି ମୋ ଆଶ୍ରୟରେ ଏଠାରେ ପଡିଛି । ଆଚ୍ଛା, ଯା ଆଜି ତୋତେ ମୁଁ ବର ଦେଲି, ତୁ ତାର ସମସ୍ତ ମଙ୍ଗଳ କରିବୁ ।
ରଜାପୁଅ ପଚାରିଲା – “ସଖିମାନେ ତା’ର କିପରି ଦେଖାହେବେ?”
ଦେବତା କହିଲେ – “ଗୋଦାବରୀ ନଦୀ ତୀରସ୍ଥ ମାଣ୍ଡି ମଠ ନିକଟରେ ଗୋଟିଏ ମେଳା ହେବ, ସେହି ମେଳାରେ ସମସ୍ତେ ଭେଟ ହେବେ ।”
ରଜା ପୁଅ ପୁଣି ପଚାରିଲା – “ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ତିନୋଟି ଝିଅଙ୍କୁ ଚିହ୍ନଟ କରିବାକୁ କଷ୍ଟ ପଡିବନି?”
ତହୁଁ ଦେବତା ମଧ୍ୟ କହିଲେ – “ନିଶ୍ଚୟ ପଡିବ । ସେଥିଯୋଗେ ଆମେ ଗୋଟିଏ ଉପାୟ କରିବା । ତୋତେ ଦେବା ଗୋଟିଏ ଛୋଟିଆ କଲମ ଅର୍ଥାତ୍ ଲେଖନ । ତା’ର ନାମ ହେଉଛି ମନଭେଦୀ ଲେଖନ । ମେଳାର ପ୍ରଥମ ଓ ଦ୍ୱିତୀୟ ଦିନ ଛାଡି ତୃତୀୟ ଦିନ ତୁ ସେହି ଲେଖନ ନେଇ ମେଳାକୁ ଯିବୁ । ସେଠାରେ ଖଣ୍ଡିଏ ପଥର ପାଖକୁ ଯାଇ ହଜିଥିବା ଝିଅଗୁଡିକଙ୍କ ନାଁ ଧରି ପଥର ଉପରେ ଲେଖିବୁ ‘କ’ ।”
ରଜାପୁଅ ପଚାରିଲା – “ତା’ ପରେ?”
ଦେବତା କହିଲେ – “ସବୁ ସଖୀଙ୍କ ମୁଣ୍ଡରେ ଆପେ ଆପେ ଲେଖି ହୋଇଯିବ ‘କ’ । ଲେଖିସାରି ସେ ‘କ’ ଉପରେ ତୁ ଯେପରି ରଙ୍ଗ ଚଢାଇଥିବୁ, ସଖୀ ମାନଙ୍କ ମୁଣ୍ଡରେ ମଧ୍ୟ ସେହି ଅକ୍ଷରଟି ଲେଖି ହୋଇଯିବ ସେହି ରଙ୍ଗରେ । ତେଣିକି ତୋତେ ସେମାନଙ୍କୁ ଖୋଜିବାକୁ ଆଉ ବେଶି କିଛି ଅସୁବିଧା ପଡିବନି । ଏ ଝିଅଟିକି ଗୋଟିଏ ସ୍ଥାନରେ ବସାଇ ସେମାନଙ୍କୁ ଖୋଜି ଆଣିବୁ । ହଁ, ଆହୁରି ଗୋଟିଏ କଥା ତୋତେ ମନେ ରଖିବାକୁ ହେବ ।”
ରଜାପୁଅ ପଚାରିଲା – “କ’ଣ?”
ଦେବତା କହିଲେ – “ଏହି ଚାରୋଟି ଝିଅଙ୍କୁ ପତ୍ନୀରୂପେ ପାଇବା ପାଇଁ ଚାରୋଟି ରାଜପୁତ୍ର ଆଜକୁ ପ୍ରାୟ ବର୍ଷେ ହେଲା ସେଠାରେ ତପସ୍ୟା କରୁଛନ୍ତି । ସେମାନଙ୍କ ତପସ୍ୟା ବି ସିଦ୍ଧି ହେବା ଉପରେ । ବୋଧହୁଏ ସମସ୍ତଙ୍କର ମିଳନ ହେବ ସେଇଠି ।”
ରଜାପୁଅ ପଚାରିଲା – “ସେମାନେ ସବୁ କେଉଁ କେଉଁ ଦେଶର ରାଜପୁତ୍ର?”
ଦିଅଁ କହିଲେ – “ଜଣେ କନିକା, ଜଣେ ଆଠଗଡ, ଜଣେ ବଉଦ, ଆଉ ଜଣେ ଖେମଟି ।”
ଏକଥା ଶୁଣି ରଜାପୁଅ ପଚାରିଲା – “କିପରି ଚିହ୍ନା ପଡିବେ ସେ ରାଜ କୁମାର ମାନେ?”
ଦେବତା କହିଲେ – “ସେଥି ଲାଗି ମୁଁ ତୋତେ ଚାରୋଟି ମୋତିମାଳା ଦେଉଛି, ତାକୁ ତୁ ତୋ ସାଥିରେ ନେଇଥା । ସେହି ମାଳର ମଝି ପଦକଟିମାନଙ୍କରେ ଲେଖା ହୋଇଛି ‘କ’ । କୁମାରୀ ଚାରିହେଁ ଏକାଠି ହେଲା ପରେ ଗୋଦାବରୀରେ ବୁଡ ପକାଇସାରି ସେମାନେ ଏକ ସ୍ଥାନରେ ଯାଇ ବସିବେ । ସେଠି ସେମାନଙ୍କୁ ଦେଖା ହେବେ ଜଣେ ସନ୍ନ୍ୟାସୀ । ଏ ବିବାହର ଘଟକ ହେବେ ସେ । ତାଙ୍କରି ବରାଦରେ ତୁ ସବୁ କାମ କରିବୁ ।
ରାଜ କୁମାର ସେ କଥାରେ ରାଜି ହୋଇ ଦିଅଙ୍କଠାରୁ ଲେଖନ ଓ ମାଳ ଗ୍ରହଣ କଲା ପରେ କହିଲା –“ପ୍ରଭୁ ! ଗୋଦାବରୀ ତୀର ତ ଏଠାରୁ ଅନେକ ଦୂର । ପାଦରେ ତ ସେଠାକୁ ଚାଲିକିଗଲେ ଭାରି କଷ୍ଟ ହେବ । ତେଣୁ –
ଦେବତା କହିଲେ – “ତେଣୁ ପୁଣି କ’ଣ? ଆମ ମନ୍ଦିର ପଛଆଡେ ଗୋଟିଏ ପୋତା ଗାତ ଅଛି । ତା’ ଭିତର ଅଣ୍ଡାଳିଲେ ମିଳିଯିବ ତୋତେ ଯୋଡିଏ ମନପବନ ମୁକୁଟ । ତୁମେ ଦୁହେଁ ତାକୁ ନିଜ ନିଜ ମୁଣ୍ଡରେ ଲଗାଇ ଜୟ ମଦନମୋହନ କହି କହିକା ଉଡି ଯାଅ । ତୁମମାନଙ୍କର ବାଟରେ ଆଉ କିଛିବି ଅସୁବିଧା ହେବନି । ଏତକ କହି ଦେବତା ଉଭାନ ହେଲେ ।
କୁମାର ଆସି ପୁଷ୍ପା ପାଖରେ ସବୁ କଥା କହିଲା । ତା’ପରେ ମୁକୁଟ ଲଗାଇ ଦୁହେଁ ଉଡିଗଲେ ସିଧା ସେହି ଗୋଦାବରୀ ତୀରକୁ ।