କଥାଟି ହେଲା ‘ଜୋସ୍ ମୁଜିକାଙ୍କର’ ଯିଏ କି ୨୦୧୦ ମସିହା ମାର୍ଚ୍ଚମାସରେ ଉରୁଗୁଏ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ସେ ଏକ ଦେଶର ମୁଖିଆ ହୋଇ ମଧ୍ୟ ନିଜର ପୈତୃକ ଜୀବିକା ଚାଷବାସକୁ ଛାଡି ପାରି ନାହାଁନ୍ତି । ଦେଶ ଶାସନ ସହିତ ସେ ଜମିଚାଷ ବି କରନ୍ତି । ତାଙ୍କ ପାଇଁ ବିରାଟ ରାଜପ୍ରାସାଦ ଭଳି ରାଷ୍ଟ୍ରପତି ଭବନ ଥିଲେ ମଧ୍ୟ ସେ ଜୋସ୍ ରହନ୍ତି ତାଙ୍କ ଫାର୍ମହାଉସ୍ରେ । ସେ ଚାହିଁଲେ କୋଟି କୋଟି ଟଙ୍କାର ଗାଡି ଚଢି ପାରିଥାନ୍ତେ, ମାତ୍ର ସରକାରୀ ଗାଡି ବଦଳରେ ତାଙ୍କର ଏକ ପୁରୁଣା ଚାରିଚକିଆ ଗାଡି ଚଢି ସେ ଶାସନ କାର୍ଯ୍ୟ ବୁଝନ୍ତି । ଜୋସ୍ ମୁଜିକା ରାଷ୍ଟ୍ରମୁଖ୍ୟ ଭାବରେ ଦରମା ପାଆନ୍ତି ମାସକୁ ୧୨,୫୦୦ ଡଲାର୍, କିନ୍ତୁ ସେଥିରୁ ସେ ନିଜର ଚଳିବା ପାଇଁ ମାତ୍ର ୧୨୫୦ ଡଲାର ରଖି ଅବଶିଷ୍ଟ ଅର୍ଥକୁ ବାଂଟିଦିଅନ୍ତି ଦେଶର ନିପୀଡିତ ଜନତାଙ୍କ କଲ୍ୟାଣ ପାଇଁ । ଜଣେ ରାଷ୍ଟ୍ରମୁଖ୍ୟଙ୍କର ଏହିଭଳି ଚଳଣି ସତରେ କେତେ ଯେ ମହାନ? ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି ନିରାଟ ସତ୍ୟ । ଖାସ୍ କରି ସେଇଥିପାଇଁ ତାଙ୍କୁ ସମସ୍ତ ଜନସାଧାରଣ “ଗରିବ ରାଷ୍ଟ୍ରପତି” ବୋଲି ଡାକନ୍ତି ।
ଅତି ସରଳ ଜୀବନଯାପନ କରୁଥିବା ୭୭ ବର୍ଷୀୟ ଜୋସଙ୍କ ଜୀବନକଥା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ଏହା କୌଣସି ଚଳଚିତ୍ରର କାହାଣୀଠାରୁ ବି କିଛି କମ୍ ମର୍ମସ୍ପର୍ଶୀ ନୁହେଁ । ତାଙ୍କୁ ଯେତେବେଳେ ପାଂଚବର୍ଷ ହୋଇଥିଲା, ସେତେବେଳେ ତାଙ୍କର ବାପା ମୃତ୍ୟୁବରଣ କରିଥିଲେ । ଫଳରେ ସେ ପିଲାଟି ଦିନରୁ ଖୁବ୍ ଦାରିଦ୍ର୍ୟ ଭିତରେ ଜୀବନଯାପନ କରିଥିଲେ ।
୧୯୬୦ ମସିହାରେ ଜୋସ୍ ଜଣେ ଗରିଲା ଯୋଦ୍ଧା ଭାବରେ ଏକ ସଶସ୍ତ୍ର ରାଜନୈତିକ ଗୋଷ୍ଠୀ ଟୁପାମାରୋସର ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶର ସାମରିକ ଶାସକ ତାଙ୍କୁ ଚାରିଥର ଗିରଫ୍ କରି ୧୪ ବର୍ଷକାଳ ଜେଲ୍ରେ ରଖିଥିଲେ । ସେ ଛଅଥର ପୋଲିସ୍ ଗୁଳିର ବି ଶିକାର ହୋଇଥିଲେ । ଏମିତିକି ଥରେ ସେ ମରୁ ମରୁ ବି ବଂଚିଯାଇଥିଲେ ।
୧୯୮୫ ମସିହାରେ ଉରୁଗୁଏରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେଲା । ଫଳରେ ମୁଜିକାଙ୍କୁ ମୁକ୍ତି ମିଳିଗଲା । ଏହା ପରେ ମୁଜିକା ଓ ଟୁପାମାରୋସର ସହକର୍ମୀମାନେ ଗଢିଲେ “ମୁଭ୍ମେଂଟ ଅଫ୍ ପପୁଲାର ପାର୍ଟିସିପେସନ୍” ନାମକ ଏକ ରାଜନୈତିକ ଦଳ, ଯାହା କି ପରବର୍ତ୍ତୀ କାଳରେ ବ୍ରଡ୍ଫ୍ରଂଟ ମେଂଟରେ ମିଶିଲା । ୧୯୯୪ ସାଧାରଣ ନିର୍ବାଚନରେ ସେ ମୁଜିକା ଡେପୁଟି ନିର୍ବାଚିତ ହେଲେ ଓ ୧୯୯୯ରେ ସିନେଟର ରୂପେ ନିର୍ବାଚିତ ହୋଇଥିଲେ । ମୁଜିକା ୨୦୦୫ରେ ଲୁସିଆଙ୍କୁ ବିବାହ କରିଥିଲେ, ଯିଏ କି ଏକଦା ତାଙ୍କର ସହ ବିପ୍ଳବୀ ଭାବରେ କାମକରୁଥିଲେ ଏବଂ ବର୍ତ୍ତମାନ ଜଣେ ସିନେଟର ଭାବରେ କାର୍ଯ୍ୟରତ । ଉଭୟେ ଫୁଲଚାଷ କରନ୍ତି ଏବଂ ତା’ର ଆୟରେ ହିଁ ଚଳନ୍ତି । ପତ୍ନୀ ଲୁସିଆ ମଧ୍ୟ ତାଙ୍କ ଦରମାକୁ ଗରିବ ଲୋକଙ୍କୁ ଦାନ କରି ଦିଅନ୍ତି ।