ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୃଥିବୀ ହେଉଛି ଏକ ପାନ୍ଥଶାଳା

ଥରେ ରାଜା ଆକବର ଘୋଷଣା କଲେ ଯେ, “ରାଜ ପ୍ରାସାଦର ପାଚେରୀ କଡରେ କେହି ବିଶ୍ରାମ ନେବେ ନାହିଁ ।” ରାଜାଙ୍କର ଏହି ଘୋଷଣା ଚାରିଆଡେ ପ୍ରଚାର କରିଦିଆଗଲା । ମହାରାଜ ଏହି କଥା ଘୋଷଣା କଲେ କେବଳ ଚାରିଆଡେ ବୁଲି ବୁଲି ଭିକ୍ଷା ମାଗୁଥିବା ସନ୍ନ୍ୟାସୀ ମାନଙ୍କ ପାଇଁ । ସେମାନେ ଚାରିଆଡେ ବୁଲି ବୁଲି କ୍ଳାନ୍ତ ହୋଇଗଲେ । ରାଜ ପ୍ରାସାଦର ପାଚେରୀ କଡରେ ଥଣ୍ଡା ହେଉଥିବାରୁ ସେଠାରେ ବିଶ୍ରାମ ନିଅନ୍ତି । ରାଜାଙ୍କର ଏହି ଘୋଷଣା ଭିକ୍ଷୁକ ବେଶଧାରୀ ସନ୍ନ୍ୟାସୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଲା । ବିରବଲ ଯେତେବେଳେ ରାଜାଙ୍କର ଏହି ଘୋଷଣା ସମ୍ପର୍କରେ ଶୁଣିଲେ ସେ ମନେ ମନେ ଭାବିଲେ ରାଜା ଏପରି ଘୋଷଣା କରିବା ଦ୍ୱାରା ସେ ସାଧାରଣ ଜନତାଙ୍କ ପାଖରେ ଲୋକପ୍ରିୟତା ହରାଇବେ । ସେଥିପାଇଁ ସେ ମନେ ମନେ ଏକ ଯୋଜନା ପ୍ରସ୍ତୁତ କଲେ ।

         ଦିନେ, ବିରବଲ ଏକ ସନ୍ନ୍ୟାସୀ ବେଶ ଧାରଣ କରି, ହାତରେ ଭିକ୍ଷା ଥାଳ ଧରି ଆସି ରାଜପ୍ରାସାଦର ପାଚେରୀ କାନ୍ଥ କଡରେ ବିଶ୍ରାମ ନେଲେ । ଛଦ୍ମବେଶୀ ବିରବଲଙ୍କୁ ଯେମିତି ରାଜକର୍ମଚାରୀମାନେ ବିଶ୍ରାମ ନେବାର ଦେଖିଛନ୍ତି, ସଂଗେ ସଂଗେ ଯାଇ ତାଙ୍କ ପାଖରେ ପହଁଚିଗଲେ । ସେହି ସ୍ଥାନରୁ ତୁରନ୍ତ ଉଠି ଯିବାକୁ କହିଲେ । କର୍ମଚାରୀମାନଙ୍କ କଥା ଶୁଣି ନଶୁଣିଲା ପରି ହୋଇ ଛଦ୍ମବେଶୀ ବିରବଲ ସେମାନଙ୍କ ମୁହଁକୁ ଚାହିଁଲେ । ତାହାପରେ ଟିକେ ଘୁଂଚିଗଲେ । କର୍ମଚାରୀମାନେ ଛଦ୍ମବେଶୀ ବିରବଲଙ୍କୁ ଜାଣିପାରୁନଥାନ୍ତି । ସେମାନେ ସଂଗେ ସଂଗେ ଏହି କଥା ଯାଇ ରାଜାଙ୍କୁ ଜଣାଇଲେ । ରାଜା ମଧ୍ୟ ଆସି ସେଠାରେ ପହଁଚିଲେ । ହଠାତ୍ ରାଗିଯାଇ କହିଲେ, “ତୁମେ କ’ଣ ମୋ ଘୋଷଣା ଶୁଣି ନାହଁ? ଏଠାରେ ବସିବାକୁ ସାହସ କଲ କିପରି? ତେଣୁ ତୁମେ ଏଠାରୁ ଉଠିଯାଅ ।” ରାଜାଙ୍କ କଥା ଶୁଣି ସନ୍ନ୍ୟାସୀ ବେଶ ଧାରୀ ବିରବଲ କହିଲେ, “ମହାରାଜ! ଆପଣ ଯେଉଁ ରାଜ ପ୍ରାସାଦରେ ରହୁଛନ୍ତି ଆପଣଙ୍କ ପୂର୍ବରୁ ଏଠାରେ କିଏ ରହୁଥିଲେ? ରାଜା କହିଲେ, “ମୋର ବାପା, ହୁମାୟୁନ୍ ଏଠାରେ ରହୁଥିଲେ ।” ସନ୍ନ୍ୟାସୀ ପଚାରିଲେ, ତାଙ୍କ ପୂର୍ବରୁ? ରାଜା କହିଲେ, “ମୋର ଜେଜେବାପା ମହାରାଜ୍ ବାବର୍ ରହୁଥିଲେ । ଏହାପରେ ପୁଣି ତାଙ୍କ ପୂର୍ବରୁ କିଏ ରହୁଥିଲେ ବୋଲି ପଚାରିଲେ? ମହାରାଜ କହିଲେ, “ଇବ୍ରାହିମ୍ ଲୋଦୀ ଏହି ରାଜ୍ୟକୁ ଶାସନ କରୁଥିଲେ । ତାଙ୍କୁ ମୋର ଜେଜେ ବାପା ବାବର୍ ପରାସ୍ତ କରି ଏହି ରାଜ୍ୟ ଅଧିକାର କରିଥିଲେ ଓ ଏହି ପ୍ରାସାଦରେ ବାସ କରୁଥିଲେ ।”

         ରାଜାଙ୍କ କଥା ଶୁଣି ସନ୍ନ୍ୟାସୀ କହିଲେ, “ଏହା ମାନେ ଏହି ପ୍ରାସାଦରେ ଅନେକ ରାଜା ବାସ କରିଛନ୍ତି । ଅନ୍ୟ ଅର୍ଥରେ କହିଲେ ଏହା ଅନେକଙ୍କ ଦ୍ୱାରା ଅଧିକୃତ ହୋଇଛି । ତା’ହେଲେ ମହାରାଜ ଆପଣ କେମିତି ଜୋର୍ ଦେଇ କହିପାରୁଛନ୍ତି ଯେ ଏହି ରାଜ ପ୍ରାସାଦ କେବଳ ଆପଣଙ୍କର । ପ୍ରକୃତରେ କହିବାକୁ ଗଲେ ଏହା ଏକ ପାନ୍ଥଶାଳା ।” ସନ୍ନ୍ୟାସୀଙ୍କ କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କ’ଣ ତୁମେ ଭାବିଛ? ମୋ ପ୍ରାସାଦକୁ ତୁମେ ପାନ୍ଥଶାଳା କହୁଛ?” ରାଜାଙ୍କ କଥା ଶୁଣି ସନ୍ନ୍ୟାସୀ ବେଶଧାରୀ ବିରବଲ କହିଲେ, “ମହାରାଜ! ମୁଁ କେବଳ ଆପଣଙ୍କ ପ୍ରାସାଦକୁ ପାନ୍ଥଶାଳା କହୁନାହିଁ । ବରଂ ଏଇ ପୃଥିବୀ ହେଉଛି ଏକ ପାନ୍ଥଶାଳା । ଏଠାରେ କେହି ଚିରସ୍ଥାୟୀ ହୋଇ ଗୋଟିଏ ସ୍ଥାନରେ ରହନ୍ତି ନାହିଁ । ଜଣକ ପରେ ଜଣେ ଏଠାକୁ ଆସନ୍ତି ଏବଂ ସେମାନଙ୍କର କାର୍ଯ୍ୟ ସମାପ୍ତ କରି ଚାଲିଯାଆନ୍ତି । ଏହି ପୃଥିବୀରେ ଆପଣ କାହାକୁ ମୋର ବୋଲି କହି ଗର୍ବ କରିବା ଅନୁଚିତ୍ ।”

         ସନ୍ନ୍ୟାସୀଙ୍କ କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ରାଜାଙ୍କୁ ତାଙ୍କ କଣ୍ଠସ୍ୱର ପୂର୍ବରୁ ଶୁଣିଲା ପରି ଲାଗୁଥାଏ । ରାଜା ନିରେଖି କରି ସନ୍ନ୍ୟାସୀଙ୍କ ମୁହଁକୁ ଚାହିଁଲେ । ସନ୍ନ୍ୟାସୀ ବେଶଧାରୀ ବିରବଲଙ୍କୁ ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ବିରବଲଙ୍କୁ କହିଲେ, “ବିରବଲ! ତୁମକୁ ଅଶେଷ ଧନ୍ୟବାଦ । ତୁମେ ସନ୍ନ୍ୟାସୀ ରୂପଧରି ମୋତେ ଯାହା କହିଲ, ସେହି କଥାରେ ମୋର ଆଖି ଖୋଲି ଯାଇଛି । ପ୍ରକୃତରେ ଏହି ସଂସାରରେ କେହି ସ୍ଥାୟୀ ନୁହଁନ୍ତି । ସବୁ କିଛି ଏଠାରେ ଅସ୍ଥାୟୀ । କାହାକୁ ମୋର ବୋଲି କହି ଗର୍ବ କରିବା ଉଚିତ୍ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ