ତହୁଁ ଚନ୍ଦ୍ରମଣିବାବୁ କହିଲେ – ନାହିଁ ଗୋ ନାହିଁ – ସେ କଥା ନୁହେଁ ଯେ, ଆଜି ସକାଳେ ମାଧବାଚାର୍ଯ୍ୟ ଖଡିରତ୍ନଙ୍କ ସାଙ୍ଗରେ ଭେଟ ହୋଇଥିଲା । ସେ ମୋ କୋଷ୍ଠୀ ଗଣି କହିଲେ, ମୋର କଙ୍କଡା ରାଶିକୁ ବିଛାରାଶି ଶନିସପ୍ତା ହୋଇଛି । ଏଇଟା ତାହାରି ଫିସାଦ, କିଛି ପୁଣ୍ୟକାର୍ଯ୍ୟ କରିଦେଲେ ମୋର ଏକାବେଳକେ ସବୁ ଦୋଷ କଟିଯିବ ।
ସାଆନ୍ତାଣୀ – କଣ ପୁଣ୍ୟକାର୍ଯ୍ୟ କରିବାକୁ ଖଡିରତ୍ନେ କହିଗଲେ?
ଚନ୍ଦ୍ରମଣି – ମୁଁ ତିନିଦିନ ଲାଗି ଯାଇ ଭୁବନେଶ୍ୱର, ଖଣ୍ଡଗିରି, ଉଦୟଗିରିରେ ଯେତେ ମହାଦେବ ଅଛନ୍ତି, ସମସ୍ତଙ୍କୁ ଦର୍ଶନ କରିବି, ସେଥିଲାଗି କିଛି ଟଙ୍କା ଘେନି ଯାଇଥିବି, ବ୍ରାହ୍ମଣମାନଙ୍କୁ ଦେଲେ ସେମାନେ ଶହେ ମାଠିଆ, ନା ନା, ହଜାରେ କୁମ୍ଭ – ନାହିଁ ନାହିଁ ସହସ୍ର କୁମ୍ଭ ପୂଜା କରିବେ; ତାହେଲେ ଯାଇ ମୋର ସବୁ ଦୋଷ, ସବୁ ଗ୍ରହ ଅବଳ ଏକାବେଳକେ କଟିଯିବ । ଦେହ ଖୁବ୍ ଆଚ୍ଛା ହୋଇଯିବ, ଆଉ ନିଶାଫିଶା ଖାଇବାକୁ ମନ ମୋର ଆଦୌ ବଳିବ ନାହିଁ ।
ଏହା ଶୁଣି ସେ ସାଆନ୍ତାଣୀଙ୍କ ମନକୁ କାହିଁକି ଟିକିଏ କିମିତିକା ଧୋକା ଛୁଇଁଲା । ତେଣୁ ସେ କହିଲେ, “ଖଡିରତ୍ନେ ଆସିଥିଲେ, କାହିଁ ମୁଁ ତ ଶୁଣିଲି ନାହିଁ ।”
ବାବୁ କହିଲେ – ନାହିଁ ନାହିଁ ସେ ଆସିନାହାଁନ୍ତି; ତାଙ୍କ ପୁଅ ଆସିଥିଲା ।
ସାଆନ୍ତାଣୀ – ତାଙ୍କର ପୁଣି ପୁଅଟାଏ କାହୁଁ ଅଇଲା ବା?
ବାବୁ – ଓ, ନାହିଁ ନାହିଁ; ତାଙ୍କର ଚାକର ହାତରେ ସେ କହି ପଠାଇଥିଲେ ।
ଏପରି କଥା ଶୁଣି ସେ ସାଆନ୍ତାଣୀ ବାବୁଙ୍କ ମୁହଁକୁ ଭଲକରି ଅନାଇଲେ, ମନରେ କଲେ ଏ ସବୁ ଡାହା ମିଛକଥା, ତିନିଦିନ ଲାଗି ଯାଇ କେଉଁଠି ମତୁଆଲାମାନଙ୍କ ସାଙ୍ଗରେ ପଡି ମଦ ଖାଇବେ, ନୋହିଲେ ତେଲଙ୍ଗାବଜାର କାହା ଓଳିରେ ପଡିବେ । କେତେ ମୁସ୍କିଲରେ ଟିକିଏ ଭଲ ବାଟକୁ ଆଣିଛି, ନଜରରୁ ଟିକେ ଉହାଡ ହେଲେ କ’ଣ ବୋଲି କ’ଣ ସେ କରି ପକାଇବେ । ତେଣୁ ସେ ଖୁବ୍ ଗୋଟାଏ ପାଟି କରି କହିଲେ, “ନାହିଁ ନାହିଁ, ତୁମେ ଭୁବନେଶ୍ୱର ଫୁବନେଶ୍ୱର କାହିଁ କୁଆଡେ ବି ଯାଇପାରିବ ନାହିଁ, ଘରେ ବସିଥାଅ ।”
ବାବୁ କହିଲେ – ହଁ, ସତ-ସତ, ଠିକ୍ କହିଲ, କୁଆଡେ ତିନିଦିନ ଯାଏଁ ଯିବି? ଆଚ୍ଛା ମୁଁ ଉଚ୍ଛୁଣି ଯାଉଛି, ଧବଳେଶ୍ୱର ମହାଦେବଙ୍କୁ ଦର୍ଶନ କରି ସଞ୍ଜ ସଞ୍ଜ ଲେଉଟି ଆସିବି ।
ସାଆନ୍ତାଣୀ – ନା-ନା, ତାହା ବି ହେବ ନାହିଁ ।
ବାବୁ – ଆଚ୍ଛା ନ ହେଲା ନାହିଁ, ଗୋଟାକେତେ ଟଙ୍କା ଦେଲ, କଟକସହର ଭିତରେ ଯେତେ ମହାଦେବ ଅଛନ୍ତି, ସେମାନଙ୍କୁ ପୂଜାକରି ବାହାରି ଆସେ ।
ସାଆନ୍ତାଣୀ – ଆଚ୍ଛା ମକ୍ରାକୁ କହ, ଗୋଟାଏ ବଗି ଡାକିଆଣୁ, ଦୁହେଁ ଯାଇ ଠାକୁର ଦର୍ଶନ କରିବା, ପୂଜା ବି ଦେବା ।
ସାଆନ୍ତାଣୀଙ୍କ ଏପରି କଥାରେ ବାବୁ ହତୋତ୍ସାହ ହୋଇ ନିଃଶ୍ୱାସଟିଏ ପକାଇ ସେଠାରୁ ତୁରନ୍ତ ଚାଲିଗଲେ । ତା’ପରେ ସେ ଗୋଟାଏ ଜାଗାରେ ବସି ଟିକିଏ ଚିନ୍ତା କଲେ । ଆରେ! ଭଲ ଫିକରଟାଏ ମନରେ ପଡିଗଲା । ବାହାବା! ଆଚ୍ଛା କଥା । “ଆଗୋ! ଶୁଣୁଛ? ମୋ ଦେହଟା ବି ଭଲ ନାହିଁ, ଏହିପରି ପରିସ୍ଥିତିରେ ବାରଆଡେ ବୁଲିଲେ ଫେର୍ କିଛି ଗୋଟାଏ ବେମାର ବାହାରି ପଡିପାରେ । ଖଡିରତ୍ନେ ଏ କଥା ବି କହିଛନ୍ତି, କୁଆଡେ ନ ଯାଇ ମହାଦେବଙ୍କୁ ଧାରଣା କଲେ ମୋର ସବୁ ରୋଗ ନିଶ୍ଚୟ ଛାଡିଯିବ ।”