ଠିକ୍ ଏତିକିବେଳେ ସାଆନ୍ତାଣୀ ସେ କମଳ ଖଣ୍ଡକ ପାଂଚହାତ ଦୂରକୁ ଫୋପାଡିଦେଇ ଡେଇଁ ପଡିଲେ । ତା’ପରେ ଭାରି ଗୋଟାଏ ଗର୍ଜନ କରି ସେ କହିଲେ, “କ’ଣ କହିଲୁ, କ’ଣ କହିଲୁ ମଦୁଆ, ଯୋଗିନୀଖିଆ । ମୋ ବାପ ତୋ ଶଳା । ଦିନଯାକ ଯାଇ କେଉଁଠି ପଡୁଥିଲୁ ରେ? ହୁଁ କ’ଣ – ଉସ୍ମାନ ତାରା?”
ଏଣେ ସେ ବାବୁ ତ ଡରରେ ଛାନିଆ ହୋଇଗଲେଣି, ତେଣୁ ସେ ଚଂଚଳ କହି ପକାଇଲେ, “ନା – ନା, ମୁଁ କାହିଁ ଯାଇ ନାହିଁ, ଟିକିଏ ବାହାରକୁ ପ୍ରସାବ କରିବାକୁ ଯାଇଥିଲି – ତୁମ ରାଣ, ତୁମ ମୁଣ୍ଡ ଛୁଉଁଛି ।”
ସାଆନ୍ତାଣୀ ତ କ୍ରୋଧରେ ଅଜ୍ଞାନ । ତେଣୁ ସେ କହିଲେ, “ହଁ ରେ ମୋ ମୁଣ୍ଡ ଛୁଇଁ, ମୋ ମରିବାକୁ ତ ତୁ ଚାହିଁଛୁ?”
ଘରେ ଗୋଟିଏ ଛାଂଚୁଣୀ ପଡିଥିଲା; ସେଇଟା ଧରି ସୂଲଚନା ଦେ ପ୍ରହାର – ପ୍ରହାର – ମୁଣ୍ଡରେ, ପିଠିରେ, ହାତରେ ଯେଉଁଠି ବାଜୁ । ଶେଷରେ ସେ ବାବୁ ଆଉ ସମ୍ଭାଳି ପାରିଲେ ନାହିଁ, ଦେ ଦୌଡ! ନିଶା ଝୁଙ୍କରେ ଗୋଡ ଦିଟା ତାଙ୍କର ଖାଲି ଟଳମଳ ହେଉଛି । ଦୁଲଦାଲ ହୋଇ ତେଣୁ ସେ ପଡିଗଲେ । ତା’ ଉପରେ ବି ପାଣି ଅସରା ପରି ଛାଂଚୁଣୀ ପଡୁଛି ।
ସାଆନ୍ତାଣୀ ଥକିଯିବାରୁ ସେ ଘର ଭିତରକୁ ଯାଇ ଭୂଇଁରେ ଲଥ୍ କରି ଶୋଇ ପଡିଲେ । ଆକୁଳ ହୋଇ କାନ୍ଦୁଛନ୍ତି । କାନ୍ଦୁ କାନ୍ଦୁ ଯେତେ ଠାକୁର ଦେବତା ମନରେ ପଡିଲେ, ସମସ୍ତଙ୍କୁ ଡାକି ସାଆନ୍ତାଣୀ କ୍ଷମା ମାଗିଲେ, “ହେ ଠାକୁର ଦେବତାମାନେ! ମୋତେ କ୍ଷମାକର, ମୋ ଦେବତା ସ୍ୱାମୀକୁ ମୁଁ ଆଜି ବାଡେଇଛି, ବଡ ଅପରାଧ କରିଛି, ତେଣୁ ମୋ ଦୋଷ କ୍ଷମାକର, ଆଉ ମୋ ସ୍ୱାମୀକୁ ସୁବୁଦ୍ଧି ଦିଅ ।” ରାତି ପାହିଗଲାଣି । ସାଆନ୍ତାଣୀଙ୍କ ରାଗଟା ବି ଧିରେ ଧିରେ ଚାଲିଗଲାଣି, ତେଣୁ ଧୀରେ ଧୀରେ ଯାଇ ସେ ଦେଖିଲେ, ବାବୁ ଠା ଭୂଇଁରେ ପଡିଛନ୍ତି । ତାଙ୍କଠୁଁ ନିଶା ଛାଡିଗଲାଣି, ସକାଳେ ଶୀତଳ ପବନ ଲାଗି ତାଙ୍କୁ ଭାରି ନିଦଟାଏ ହୋଇଛି । ଘଡଘଡ କରି ତାଙ୍କ ନାକ ଡାକୁଛି । ସାଆନ୍ତାଣୀ ଅନାଇ ଦେଖିଲେ, ପିଠି ହାତ ଗୋଡ ଜାଗା ଜାଗା ଛାଂଚୁଣୀମାଡରେ ଫୁଲିଯାଇଛି । ଗୋଟାଏ ଗୋଟାଏ ଜାଗାରେ ରକ୍ତ ବି ବୋହି ଶୁଖିଗଲାଣି । ଏ ସବୁ ଦେଖି ସେ ସାଆନ୍ତାଣୀ ଭାରି ଆକୁଳରେ କାନ୍ଦିଲେ – “ହାୟ ! ମୁଁ ଏ କ’ଣ କଲି । ସ୍ୱାମୀ ଦେବତାଙ୍କୁ ଛାଂଚୁଣୀରେ ବାଡେଇଲି । ହାୟ ! ହାୟ ! ମୋ ଦଶା କ’ଣ ହେବ?” ଆଉ ଥରେ ଡାକିଲେ – “ଠାକୁର ଦେବତାମାନେ! ମୋ ଦୋଷ କ୍ଷମା କର ।” ଝରଝର ହୋଇ ଦୁଇଆଖିରୁ ଦୁଇଧାର ବହୁଛି । ତା’ପରେ ସେ ସାଆନ୍ତାଣୀ ଗିନାଏ ରାଶିମାଲପା ଆଣି ବାବୁଙ୍କ ଫୁଲା ଜାଗାମାନଙ୍କରେ ଧୀରେ ଧୀରେ ଘଷିଦେଲେ ଆଉ ଗିନାଏ ମାଲପା ଆଣି ଦେହଯାକ ଲଗାଇ ଦେଲେ । ଦିନ ଦୁଇଘଡିସରିକି ବାବୁଙ୍କ ନିଦ ଭାଙ୍ଗିଲା । ଟିକିଏ ଅନାଇଦେଲେ, ଦେଖିଲେ ସାଆନ୍ତାଣୀ ତାଙ୍କ ପାଖରେ ବସିଛନ୍ତି । ତେଣୁ ଏ ବାବୁଙ୍କ ମନରେ ଭାରି ଗୋଟାଏ ଡର ପଶିଗଲା, କେଜାଣି ଆଉଥରେ ବା ସେ ଛାଂଚୁଣୀରେ ବାଡେଇ ପକେଇବେ । ଆଉ ନିଦ ତ ନାହିଁ, ଯାହା ଆଖି ବୁଜି ସେ ତୁଛାକୁ ଘାଲେଇ ପଡିଥାନ୍ତି । ଆଉଥରେ ଧୀରେ ଧୀରେ ଅନାଇ ବାବୁ ଦେଖିଲେ, ସାଆନ୍ତାଣୀଙ୍କ ମୁହଁରେ ଆଉ ସେ ରାଗର ଚିହ୍ନ ନାହିଁ । ଦୁଇ ଆଖିରୁ ତାଙ୍କର ଦୁଇଟା ଧାରା ବହିଯାଉଛି, ଧୀରେ ଧୀରେ ଗୋଡରେ ତେଲ ଘଷି ଦେଉଛନ୍ତି । ଏଥର ସେ ସାଆନ୍ତାଣୀ ଠିକ୍ ବୁଝିପାରିଲେ ଯେ, ବାବୁଙ୍କର ନିଦ ଭାଙ୍ଗିଲାଣି । ଏଣୁ ଚାରିମାଠିଆ ଜଳ ଅଣାଇ ତାଙ୍କ ଶୋଇବା ଜାଗାରେ ଥୋଇଲେ – ବାବୁଙ୍କ ହାତ ଧରି ଉଠାଇ ବସାଇଲେ । ମୁଣ୍ଡରେ ଦେହରେ ତାଙ୍କର ଜଳ ଢାଳି ଭଲକରି ତାଙ୍କୁ ସ୍ନାନ କରାଇଦେଲେ । ବାବୁଙ୍କର ନିଶୋର ଖେଉରିରେ ଦେହଟା ଖାଲି ଜଳୁଥିଲା, ତେଣୁ ଜଳ ପଡି ବଡ ଆରାମ୍ ଲାଗୁଥାଏ ବାବୁଙ୍କୁ । ଏଣେ ଏ ବାବୁ ଆଖି ବୁଜି ଠାକୁରଟି ପରି ଧୀର ହୋଇ ବସିଥାନ୍ତି । ସାଆନ୍ତାଣୀ ଶୁଖିଲା ଲୁଗା ପିନ୍ଧାଇ ଦେଲେ । ରୋଷେୟା ଭାତ ପରଷିଗଲା । ସାଆନ୍ତାଣୀ ବଳେଇ ବଳେଇ ଦି’ଟା ଭୋଜନ କରାଇଲେ; ତହିଁବାଦେ ଭଲକରି ଶେଯଟା ପାରି ବାବୁଙ୍କୁ ସୂଲଚନା ଶୁଆଇ ଦେଲେ । କାଲିଠାରୁ ସାଆନ୍ତାଣୀଙ୍କର ଓପାସ୍, ଆଜି ବି ଜଳସ୍ପର୍ଶ ନାହିଁ । ସ୍ୱାମୀଙ୍କ ଗୋଡତଳେ ବସି ହାତ ବୁଲାଉଛନ୍ତି । ଦିନଯାକ ଆଖିରୁ ପାଣି ଶୁଖିବାକୁ ନାହିଁ ତାଙ୍କର । ସେ ସାଆନ୍ତାଣୀ ମନ ମଧ୍ୟରେ ଖାଲି ଠାକୁର ଦେବତାଙ୍କୁ ଡାକୁଛନ୍ତି, “ହେ ପ୍ରଭୁ! ମୋ ଦୋଷ କ୍ଷମାକର, ମୋ ସ୍ୱାମୀଙ୍କୁ ସୁବୁଦ୍ଧି ଦିଅ ।” ଦିନଯାକ ସ୍ୱାମୀ ସ୍ତ୍ରୀ କାହାରି ମୁହଁରୁ କିଛି ବି କଥା ବାହାରି ନାହିଁ, ଘରେ ଚାକର ଚାକରାଣୀ ମଧ୍ୟ ସମସ୍ତେ ତୁନିତାନି । ସ୍ୱାମୀ ସ୍ତ୍ରୀ କେହି କାହାରି ମୁହଁକୁ ଲାଜରେ ଆଉ ଭରସି କରି ଚାହିଁ ପାରୁନାହାଁନ୍ତି । ପରସ୍ପର ଦୁହେଁ ଆପଣା ଆପଣାକୁ ଅପରାଧୀ ମଣି ମନତୁଷ୍ଟି ପାଇଁ ସାଧ୍ୟାନୁସାରେ ଚେଷ୍ଟା କରୁଥାନ୍ତି । ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜିଠାରୁ ସବୁ ନିଶା ଗୋରକ୍ତ, ବିଷ୍ଠା ।