ଜଣେ ଜମିଦାରଙ୍କ ଗ୍ରାମରେ ରଘୁ ନାମରେ ଦରିଦ୍ର ଚାଷୀଟିଏ ବାସ କରୁଥାଏ । ତା’ର ଦରିଦ୍ରାବସ୍ଥା ଦେଖି ଜମିଦାର ଦୟାପରବଶ ହୋଇ ଗ୍ରାମଠାରୁ ଦୂରେ ଥିବା ଦୁଇ ଏକର ଅନାବାଦୀ ଜମି ତାକୁ ଦାନ କଲେ । ଯେପରି କି ସେ ସେହି ଜମିଟିକୁ ଆବାଦ୍ କରି ଚାଷ କରି ଭଲରେ ଚଳିଯିବ ।
ରଘୁ ଖୁସି ହୋଇ ପରଦିନ ଲଙ୍ଗଳ ନେଇ ଜମି ଚାଷ କରିବାକୁ ଗଲା । ହଳ କରୁ କରୁ ଗୋଟିଏ ସୁନାମୋହର ପୂର୍ଣ୍ଣ କଳସୀ ମାଟିତଳୁ ବାହାରିଲା । ସେ ଭାବିଲା ଭଗବାନ୍ ତା’ର ଦାରିଦ୍ର୍ୟ ଘୁଂଚିଯିବ ବୋଲି କୃପା କରିଛନ୍ତି । କିନ୍ତୁ ଜମିଠାରୁ ନିଜ ଘରକୁ ନେବା ଭିତରେ ଯେପରି ଏକଥା କେହି ନ ଜାଣନ୍ତି । ଯଦି କଥାଟି ପ୍ରଘଟ ହୋଇଯାଏ ତେବେ ସେସବୁକୁ ଜମିଦାର ତା’ଠାରୁ ନେଇଯିବେ । କିନ୍ତୁ ସେହି କଳସୀଟି ବଡ ଓ ଓଜନ । ସେ ଭାବିଲା ପତ୍ନୀ ଗୌରୀକୁ ଏ ବିଷୟ କହିବ । କିନ୍ତୁ ତାହା ମଧ୍ୟ ବିପଦ, କାରଣ ଗୌରୀ ପେଟରେ କଥା ମୋଟେ ରହେନାହିଁ ।
ରଘୁ ଅତି ଚତୁର ଥିଲା । ସେ ସଂଧ୍ୟା ପୂର୍ବରୁ କିଛି ଛୋଟମାଛ ଓ ଗୋଟିଏ କୁକୁଡା କିଣି ନେଲା । ଚୁପ୍ଚାପ୍ ଘର ପଛପଟ ଦେଇ ଭିତରେ ପଶି ଅଗଣାରେ ଜାଲ ଭିତରେ ମାଛ ସବୁ ରଖିଲା ଆଉ ପୋଖରୀ ପାଖରେ ପୋଳୁହ ଭିତରେ କୁକୁଡାଟିକୁ ରଖିଦେଲା । ତା’ପରେ ପୁଣି ପଛପଟ ଦେଇ ବାହାରି ଆସି ଆଗପଟରୁ ଖାଲି ହାତରେ ଘରକୁ ସେ ଫେରିଲା ।
ଗୌରୀ ରାଗିକରି କହିଲା, “ଏତେ ଡେରୀରେ ଘରକୁ ଫେରୁଛ ତା’ ପୁଣି ଖାଲି ହାତରେ । ବଜାରରୁ କିଛି ଆଣିଲ ନାହିଁ । ଏବେ ମୁଁ କ’ଣ ରାନ୍ଧିବି? ଜିନିଷ ନ କିଣି ପଇସା ଜମାଇ ରଖି କ’ଣ ଲାଭ ହେବ?”
ରଘୁ ପଛପଟକୁ ଯାଉ ଯାଉ କହିଲା “ଆହା ତୁମେ କାହିଁକି ଏତେ ବଡ ପାଟି କରୁଛ? ମୁଁ ସକାଳୁ ଘର ପଛପଟେ ଜାଲ ପକାଇ ରଖିଥିଲି ଚାଲ ଦେଖିବା ।” ଗୌରୀ ଜାଲ ଭିତରେ ମାଛ ପଡିଥିବାର ଦେଖି ବହୁତ ଆଶ୍ଚର୍ଯ୍ୟ ହେଲା ।
ପୁଣି ଦୁହେଁ ପୋଖରୀ କୂଳରେ ପହଁଚିଲେ ; ଗୌରୀ ପୋଳୁହ ଭିତରେ କୁକୁଡାକୁ ଦେଖି ଆହୁରି ଆଶ୍ଚର୍ଯ୍ୟ ହେଲା ଓ ଆନନ୍ଦିତ ବି ହେଲା । ରଘୁ କହିଲା, “ଖାଲି କ’ଣ ଏତିକି? ଆମ ଭାଗ୍ୟ ଖୋଲିଗଲା ବୋଲି ଜାଣ । ଆମ ଜମିରେ ସୁନା ମୋହର ଭରା କଳସୀ ମିଳିଛି । କିନ୍ତୁ ଏକଥା ଯେମିତି ଆଉ କେହିବି ନ ଜାଣନ୍ତି । ଜାଣିଲେ ଜମିଦାର ଆମଠୁ ସବୁ ନେଇଯିବ ।” ଏକଥା ଶୁଣିବା ମାତ୍ରେ ଗୌରୀର ଆନନ୍ଦ କହିଲେ ନ ସରେ ।
ଅର୍ଦ୍ଧରାତ୍ରି ସମୟରେ ସେ ଦୁହେଁ ଉଠି କ୍ଷେତକୁ ଗଲେ । ରଘୁ ଆଗରୁ ଲାଲ୍ ରଙ୍ଗର ପାଣି ବୋତଲରେ ରଖିଥାଏ । ଅନ୍ଧାରରେ ଗୌରୀ ଉପରକୁ ତାହା ସେ ପକାଇଲା । ଗୌରୀ ଆଶ୍ଚର୍ଯ୍ୟ ହୋଇ କହିଲା, “ଏ କ’ଣ ପାଣି କୁଆଡୁ ଆସିଲା? ଆକାଶରେ ତ ବାଦଲ ନାହିଁ । ସୁନ୍ଦର ଜହ୍ନ ପଡିଛି ।”
ରଘୁ କହିଲା, “ଆରେ ଏତିକି ବି ଜାଣିନାହଁ ଯେ ବିନା ମେଘରେ ବରଷା ହେଲେ ରକ୍ତ ବରଷେ?” ଗୌରୀ ଜହ୍ନ ଆଲୁଅରେ ଦେଖିଲା ଲାଲ ରଙ୍ଗର ପାଣିରେ ତା’ ଲୁଗା ଓଦା ।