ମହାଜନ ପାଖରେ ଜଣେ ସେବକ ଥିଲା । ସେ ଅତି ଚାଲାକ୍ ତଥା ଧୂରନ୍ଧର ଥିଲା । ସେ ସବୁ ଦିନ ମହାଜନର ଗତିବିଧିକୁ ଲକ୍ଷ୍ୟ ରଖୁ ଥିଲା । ସେ ଦେଖିଲା ଯେ ମହାଜନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ନିଜ ଘର ଭିତରେ ପଶି ଘଂଟାଏ କାଳ କ’ଣ କରୁଛି? ଏହି କଞ୍ଜୁସ୍ ମକ୍ଷୀଚୁସ୍ ଏତେ ଧନକୁ କେଉଁଠି ରଖିଛି ତା’ର ମଧ୍ୟ କିଛି ଠିକ୍ ଠିକଣା ନାହିଁ । ଏତେ ସମ୍ପତ୍ତିକୁ ଗୋଟିଏ ଦିନ ଭିତରେ ଏହି ମହାଜନ କୁଆଡେ ଉଭାନ୍ କରି ଦେଲା । ବୋଧହୁଏ ମହାଜନ ସେହି ଘର ଭିତରେ ଲୁଚେଇ ରଖିଛି ନିଶ୍ଚୟ । ମୋତେ ଥରେ ଏହାର ଯାଂଚ କରିବାକୁ ପଡିବ ଯେ କଥା କ’ଣ?
ବାସ୍ ଏହି କଥାକୁ ମନେ ମନେ ରଖି ଥିଲା ସେହି ସେବକ ଜଣକ । ଦିନେ ମହାଜନ୍ ନିଜର ବେପାର ପାଇଁ ଦାସକୁ ଘରେ ରଖି ବାହାରକୁ ଯାଇ ଥାଏ । ଦାସ ଜଣକ ତ ଏହି ସମୟକୁ ଅପେକ୍ଷା କରି ରହି ଥିଲା । ମହାଜନଟି ଘରୁ ଗୋଡ କାଢିବା ସଂଗେ ସଂଗେ ସେ ସେବକଟି ତୁରନ୍ତ ଯାଇ ସେହି ଘରେ ପହଁଚିଲା ଏବଂ ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲା । ଦେଖିଲା ଯେ ଗୋଟିଏ ଯାଗାରେ ଖୋଳା ହେବାର ଚିହ୍ନ ରହିଛି । ସେ ଆଉ କାଳ ବିଳମ୍ବ ନ କରି ସେହି ସ୍ଥାନକୁ ଖୋଳିବାକୁ ଲାଗିଲା ଏବଂ କିଛି ସମୟ ପରେ ସେହି ମୂଲ୍ୟବାନ୍ ଚକ୍ ଚକ୍ କରୁଥିବା ହୀରାଟିକୁ ଦେଖିବାକୁ ପାଇଲା । ସେ ହୀରାଟିକୁ ପାଇ ଅତି ଆନନ୍ଦିତ ହୋଇ ସେଠାରୁ ସଂଗେ ସଂଗେ ଉଭାନ୍ ହୋଇ ଗଲା । ସେ ମନେ ମନେ ଭାବିଲା ଯାହା ହେଉ ଆଜି ମୋର ମନୋବାଂଛା ପୂର୍ଣ୍ଣ ହେଲା ।
ମହାଜନ ତା’ପରଦିନ ଘରକୁ ଆସି ଦେଖିଲା ଯେ, ଜିନିଷ ପତ୍ର ସବୁ ଏପଟେ ସେପଟେ ଛିନ୍ଛତ୍ର ହୋଇ ପଡିଛି । ଦରଜା କବାଟ ସବୁ ଠିଆ ମେଲା ହୋଇ ପଡିଛି । ସେ ତା ନିଜ ଘରର ଏଭଳି ପରିସ୍ଥିତି ଦେଖି ତାଙ୍କର ବୁଝିବାକୁ ଆଉ ବାକି ରହିଲା ନାହିଁ କିଛି । ସେ ତୁରନ୍ତ ନିଜ ଘର ଭିତରେ ପଶି ଦେଖିଲା ଯେ ସେ ଯେଉଁଠାରେ ହୀରା ରଖି ଥିଲା ତାହାର ମାଟି ସବୁ ଖୋଳା ହୋଇ ପଡିଛି । ସେ ହୀରାକୁ ନ ପାଇ ପାଗଳା ପ୍ରାୟ ହୋଇ ଗଲା । ସେ କହିଲା – ମୁଁ ବରବାଦ୍ ହୋଇ ଗଲି, ମୋର ସବୁ କିଛି ସରି ଗଲା ଇତ୍ୟାଦି କହି କାନ୍ଦିବାକୁ ଲାଗିଲା । ସେ ଘର ସାରା ମେଜିଆକୁ ଖୋଳି ପକାଇଲା କିନ୍ତୁ କୋଉଠି ହୀରା ଥିଲେ ସିନା ସେ ପାଇବ, ଏଣେ ହୀରା ତ ତାଙ୍କ ଦାସ ନେଇ ପଳେଇଛି । ସେ କହିବାକୁ ଲାଗିଲା – କିଏ ମୋର ମୂଲ୍ୟବାନ୍ ହୀରା ନେଇ ଚାଲି ଗଲା । ତା’ର ବଂଶ ଲୋପ ହେଉ । ମୁଁ କେତେ କଷ୍ଟରେ ଏହି ହୀରାକୁ କିଣି ଥିଲି । କେତେ ଅଖିଆ ଅପିଆ ହୋଇ ଏହି ହୀରାକୁ କିଣି ଥିଲି । ମୋ ପୋଡା କପାଳ କିଏ ନେଇ ଚାଲି ଗଲା ଏହି ମୂଲ୍ୟବାନ୍ ହୀରାଟିକୁ ଇତ୍ୟାଦି । ସେ ଛାତି ପିଟି ପିଟି କାନ୍ଦିବାକୁ ଲାଗିଲା ।
ପଡୋଶୀ ମାନେ ତାଙ୍କର ଏଭଳି ଅବସ୍ଥା ଦେଖି ପଚାରିଲେ କଥା କ’ଣ? ମହାଜନ ମୁଣ୍ଡ ପିଟି ପିଟି ଉତ୍ତର ଦେଲା – ମୁଁ ବରବାଦ୍ ହୋଇ ଗଲି, ମୋର ସବୁ ସରି ଗଲା । ମୁଁ ମୋ ସମସ୍ତ ସମ୍ପତ୍ତିକୁ ବିକ୍ରି କରି ଗୋଟିଏ ମୂଲ୍ୟବାନ୍ ହୀରାଟିକୁ କିଣି ଥିଲି । ମୁଁ ସେହି ହୀରାକୁ ଘର କୋଣରେ ରଖି ଥିଲି । କିନ୍ତୁ କେଉଁ ପାପୀ, ଅଧମ, ଦୁଷ୍ଟ, ଚୋର ମୋର ସେହି ଦାମିକା ହୀରାକୁ ଚୋରି କରି ନେଇ ଯାଇଛି ମୁଁ ଜାଣି ପାରୁ ନାହିଁ ।
ପଡୋଶୀ ଜଣକ ସଂଗେ ସଂଗେ ଗୋଟିଏ ମାଟି ଉପରୁ ପଥର ଖଣ୍ଡଟିଏ ମହାଜନଙ୍କ ହାତକୁ ବଢେଇ ଦେଇ କହିଲା – ଏଭଳି ପାଟି କରି କାନ୍ଦିବାର ଆବଶ୍ୟକତା କ’ଣ ଅଛି? ନିଅନ୍ତୁ ଏହାକୁ ହୀରା ସ୍ଥାନରେ ପଥରକୁ ରଖି ଦିଅନ୍ତୁ ।
ମହାଜନ ଛାତି ପିଟି ପିଟି କହିଲା – ମୋ ସହିତ କ’ଣ ଆପଣ ମାନେ ଥଟ୍ଟା କରୁଛନ୍ତି? ମୁଁ ଜୀବନ ସାରା ଏତେ ପରିଶ୍ରମ କରି ନ ଖାଇ, ନ ପିଇ ପେଟ କାଟି କାଟି ଏହି ମୂଲ୍ୟବାନ୍ ହୀରାକୁ କିଣି ଥିଲି । ଆପଣ ମାନେ ଟିକିଏ ଭାବନ୍ତୁ ତ କାହିଁ ସେହି ମୂଲ୍ୟବାନ୍ ହୀରା ଆଉ ଏ ପଥର । ଆକାଶ ପାତାଳର ତଫାତ୍ । ଆକାଶ କଇଁୟା, ଚିଲିକା ମାଛ ପରି ।
ପଡୋଶୀ ମାନେ କହିଲେ – ଆମେ ମାନେ ଆପଣଙ୍କ ସହିତ ଥଟ୍ଟା କରୁ ନାହୁଁ, କାରଣ ଆପଣ ହୀରାକୁ କେବଳ ଦେଖୁ ଥିଲେ, କିନ୍ତୁ କିଛି କାମରେ କ’ଣ ଲଗାଉ ଥିଲେ କି? ବର୍ତ୍ତମାନ ହୀରା ବଦଳରେ ଏହି ପଥର ଖଣ୍ଡିକ ଦେଖନ୍ତୁ । ହୀରା ଭଳି ଏହି ପଥରର ମଧ୍ୟ କିଛି କାର୍ଯ୍ୟ ନାହିଁ । ଯେଉଁ ପଦାର୍ଥ ମାଟି ତଳେ ପୋତା ହୋଇ ରହି ଥାଏ, ତାହାର ମୂଲ୍ୟ ବା କ’ଣ? ଯେଉଁ ଧନ ସମ୍ପତ୍ତି ଆପଣଙ୍କର ଦରକାର ବେଳେ କର୍ମରେ ଆସିବ ତାକୁହିଁ ଅସଲି ଧନ କୁହାଯିବ । ଯାହା ଖାଇବା ପିଇବାରେ ସାହାଯ୍ୟ କରେ ତାକୁ ହିଁ ଧନ କୁହା ଯିବ । ତେଣୁ ହୀରା କ’ଣ ଖାଇବା ପିଇବାରେ ସାହାଯ୍ୟ କରୁ ଥିଲା । ତେଣୁ ହୀରା ଆଉ ମାଟିର ପଥର ଖଣ୍ଡ ସବୁ ସମାନ । କାରଣ ମାଟି ଖଣ୍ଡ ମାଟିରେ ରହେ ହୀରା ମଧ୍ୟ ଏତେ ଦାମିକା ହେଲେ କ’ଣ ହେବ ସେ ମଧ୍ୟ ମାଟିରେ ରହୁ ଥିଲା । ତେଣୁ ଯେଉଁ ଧନ କର୍ମରେ ଆସେ ନାହିଁ ତା’ର ମୂଲ୍ୟ ବା କ’ଣ?
ଏଥର ମହାଜନ ବୁଝି ଗଲେ ଯେ ମାଟି ତଳେ ପୋତା ଧନ ପଥର ସହ ସମାନ ।